୪୦ଟି ହାଇସ୍କୁଲରେ ଖୋଲିବ ଯୁକ୍ତଦୁଇ ଶ୍ରେଣୀ: ଗଣ ଶିକ୍ଷାମନ୍ତ୍ରୀ

1 min read

ଭୁବନେଶ୍ୱର:  ଏଣିକି ହାଇସ୍କୁଲରେ ପଢିବେ ଏକାଦଶ ଓ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀ । ଏଥିପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା । ଏକାଦଶ ଶ୍ରେଣୀ ପାଇଁ ଆରମ୍ଭ ହୋଇଛି ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା । ୨୦୨୩-୨୪ ଶିକ୍ଷାବର୍ଷରୁ ୪୦ଟି ହାଇସ୍କୁଲରେ ଯୁକ୍ତ ଦୁଇ ଶ୍ରେଣୀ ଖୋଲିବ ବୋଲି ସୂଚନା ଦେଇଛନ୍ତି ସ୍କୁଲ ଓ ଗଣି ଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ । ପୂର୍ବରୁ ଘରଠାରୁ ଦୂରକୁ ଯାଇ ଉଚ୍ଚ ମାଧ୍ୟମିକ ଶିକ୍ଷା ଗ୍ରହଣ କରିବାକୁ ପଡୁଥିଲା । ଯେଉଁଥି ପାଇଁ ପିଲାଙ୍କ ପାଠ ପଢ଼ାରେ ଅସୁବିଧା ହେଉଥିଲା ।

ଡ୍ରପ୍ଆଉଟ୍ ବଢ଼ିବା ସାଙ୍ଗକୁ ପାଠ ଛାଡୁଥିଲେ ଗରିବ ପିଲା । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଏହି ନିଷ୍ପତ୍ତି ନିଆଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଲକ୍ଷ୍ୟ ହେଉଛି କୌଣସି ବି ପିଲା ଅଶିକ୍ଷିତ ନରୁହନ୍ତୁ । ଯେଉଁ ସ୍ଥାନରେ କଲେଜ ସୁବିଧା ନାହିଁ, ପିଲାମାନଙ୍କୁ ଯିବା ପାଇଁ ବାଟ ଦୂର ପଡୁଛି ସେହିଭଳି ଅଞ୍ଚଳରେ ଯୁକ୍ତ ଦୁଇ ଶ୍ରେଣୀ ଖୋଲିବ । ହେଲେ ଏବେ ହାଇସ୍କୁଲରେ ଛାତ୍ରଛାତ୍ରୀଙ୍କୁ ପଢାଇବାକୁ ପ୍ରସ୍ତୁତ ହୋଇଛି ଖସଡ଼ା । ପ୍ରଥମ ପର୍ଯ୍ୟାୟରେ ୪୦ଟି ଉଚ୍ଚ ମାଧ୍ୟମିକ ସ୍କୁଲକୁ ଅପଗ୍ରେଡ୍ କରାଯିବ ।

ବର୍ତ୍ତମାନ ଉଚ୍ଚଶିକ୍ଷା ଅଧୀନରେ ଥିବା ଅଧ୍ୟାପକମାନେ ଉଚ୍ଚ ମାଧ୍ୟମିକ ସ୍କୁଲରେ ପଢାଉଛନ୍ତି । ଯେଉଁଥି ପାଇଁ ନିଜସ୍ବ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ଲାଗି ପଡ଼ିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ଏଯାଏ ୫୩ ଜଣଙ୍କୁ ନିଯୁକ୍ତି ମିଳି ସାରିଛି । ଆବଶ୍ୟକ ପଡ଼ିଲେ, ଅତିଥି ଅଧ୍ୟାପକଙ୍କ ଦ୍ବାରା ଶିକ୍ଷାଦାନ କରାଯିବ । ସ୍କୁଲର ରୂପାନ୍ତରଣ ହେବା ପରେ ହାଇସ୍କୁଲରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପାଇଁ ପର୍ଯ୍ୟାପ୍ତ ଭିତ୍ତିଭୂମି ରହିଛି । ଅନ୍ୟପଟେ ସ୍କୁଲ ଅପଗ୍ରେଡେସନ୍ ପ୍ରକ୍ରିୟାକୁ ସ୍ବାଗତ କରିଛନ୍ତି ଶିକ୍ଷକ । ପ୍ରଥମେ ୪୦ ଟି ସ୍କୁଲରେ ଯୁକ୍ତ ଦୁଇ ଖୋଲିବ ଏବଂ ପର୍ଯ୍ୟାୟକ୍ରମେ ୧୦୦ଟି ସ୍କୁଲରେ ଖୋଲିବା ପାଇଁ ବ୍ୟବସ୍ଥା ହେବ ।