ଗୃହବନ୍ଦୀ ଗୁଜବ ଉପରେ ଲାଗିଲା ବ୍ରେକ୍: ତୃତୀୟ ଥର ପାଇଁ ରାଷ୍ଟ୍ରପତି ହେବାକୁ ଯାଉଛନ୍ତି ଜିନପିଙ୍ଗ

ନନ୍ଦିଘୋଷ ବ୍ୟୁରୋ: ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ନେଇ କଳ୍ପନା ଜଳ୍ପନାର ଅବସାନ । ଆସନ୍ତା ମାସରେ ହେବାକୁ ଯାଉଥିବା କମ୍ୟୁନିଷ୍ଟ ପାର୍ଟି ଅଫ ଚୀନ ବା ସିପିସି କଂଗ୍ରେସ ଲାଗି ପ୍ରାୟ 2 ହଜାର 296 ପ୍ରତିନିଧି ନିର୍ବାଚିତ ହୋଇଛନ୍ତି ବୋଲି ଘୋଷଣା କରିଛି ଦଳ । ଫଳରେ ରେକର୍ଡ ତୃତୀୟ ଥର ଲାଗି ଜିନପିଙ୍ଗ ରାଷ୍ଟ୍ରପତି ହେବାକୁ ଯାଉଥିବା ସ୍ପଷ୍ଟ ହୋଇଛି । ଚୀନ କମ୍ୟୁନିଷ୍ଟ ପାର୍ଟିର ନିୟମ ଅନୁସାରେ ପ୍ରତି ପାଞ୍ଚ ବର୍ଷରେ ରାଷ୍ଟ୍ରପତି ନିର୍ବାଚନ ହୋଇଥାଏ ।

ଆସନ୍ତା ଅକ୍ଟୋବର 16ରେ ସିପିସି କଂଗ୍ରେସ ହେବାକୁ ଯାଉଥିବା ବେଳେ ଯେଉଁମାନେ ପ୍ରତିନିଧି ଭାବେ ନିର୍ବାଚିତ ହୋଇଛନ୍ତି, ସେମାନେ ସମସ୍ତେ ଜିନପିଙ୍ଗଙ୍କ ସମର୍ଥକ ଥିବା କୁହାଯାଉଛି । ଏପରିକି ଜିନପିଙ୍ଗଙ୍କ ପ୍ରତ୍ୟେକ୍ଷ ନିର୍ଦ୍ଦେଶ କ୍ରମେ ସେମାନଙ୍କୁ ବଛାଯାଇଥିବା ସୂଚନା ମିଳିଛି । 69 ବର୍ଷ ବୟସ୍କ ଜିନପିଙ୍ଗ ଚଳିତ ବର୍ଷ ଏପ୍ରିଲରେ ହୋଇଥିବା କଂଗ୍ରେସକୁ ପ୍ରତିନିଧି ଭାବେ ନିର୍ବାଚିତ ହୋଇଥିଲେ । ଦଳ ପକ୍ଷରୁ କୁହାଯାଇଛି, ଦଳରେ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଗୁରୁତ୍ବ ଦିଆଯାଇଛି ଏବଂ ଦଳର ଆଭିମୁଖ୍ୟ ଓ ନୀତି ଯେପରି ବଳବତ୍ତର ରହିବ ସେଥିଲାଗି ପଦକ୍ଷେପ ନିଆଯାଇଛି ।

ସେପଟେ ତିନି ଦିନ ତଳେ ଦୁର୍ନୀତିଗ୍ରସ୍ତ 3 ଜଣ ନିରାପତ୍ତା ଅଧିକାରୀଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦିଆଯାଇଥିବା ସୂଚନା ମିଳିଛି । ସିପିସି କଂଗ୍ରେସ ପୂର୍ବରୁ ଏହି ଆକସ୍ମିକ ଦଣ୍ଡାଦେଶ ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ସେମାନଙ୍କ ମଧ୍ୟରେ ଅଛନ୍ତି ଜଣେ ପୂର୍ବତନ ଉପମନ୍ତ୍ରୀ ସୁନ୍ ଲିଜୁନ । ଜିନପିଙ୍ଗଙ୍କ ବିରୋଧରେ ସେ ରାଜନୈତିକ ଅଭିଯାନ ଚଳାଇଥିବା ସୂଚନା ମିଳିବା ପରେ ଦୁର୍ନୀତିକୁ ଆଧାର କରି ଏହି ଦଣ୍ଡାଦେଶ ଦିଆଯାଇଥିବା ଚର୍ଚ୍ଚା ହୋଇଛି । ସେହିପରି ପୂର୍ବତନ ନ୍ୟାୟ ମନ୍ତ୍ରୀ ଫୁ ଝେଙ୍ଗହୁଆଙ୍କୁ ମଧ୍ୟ ସମାନ କାରଣକୁ ନେଇ ଦଣ୍ଡାଦେଶ ଦିଆଯାଇଛି ।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି, 2012ରେ ଜିନପିଙ୍ଗ କ୍ଷମତାକୁ ଆସିବା ପରଠାରୁ ଦୁର୍ନୀତିରେ ଜଡ଼ିତ ପ୍ରାୟ 10 ଲକ୍ଷ ମନ୍ତ୍ରୀ, ଅଫିସର, କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଦଣ୍ଡ ଦେଇଛନ୍ତି । ଶାସନ ଭାର ଗ୍ରହଣ କରିବା ଦିନଠାରୁ ବି ସେ ରାଷ୍ଟ୍ରପତି ହେବା ସହ ସାମରିକ କ୍ଷମତାର ଏକଛତ୍ର ଅଧିକାରୀ ହୋଇଛନ୍ତି । ଇତିହାସ କହୁଛି, 1976ରେ ମାଓ ଜେଦୁଙ୍ଗଙ୍କ ମୃତ୍ୟୁ ପରଠାରୁ ପ୍ରତି ରାଷ୍ଟ୍ରପତି ସାଧାରଣତଃ 10 ବର୍ଷ ଲେଖାଏ ରାଷ୍ଟ୍ରପତି ଦାୟିତ୍ବରେ ରହି ଆସିଛନ୍ତି । ଗତ ସପ୍ତାହରେ ଜିନପିଙ୍ଗ ଗୃହବନ୍ଦୀ ହୋଇଥିବା ଖବର ପ୍ରସାରିତ ହେବା ପରେ ସାରା ବିଶ୍ବରେ ଚାଞ୍ଚଲ୍ୟ ଖେଳିଥିଲା ।