ମନ୍ଦିର ଯିବାବେଳେ ଦୁର୍ଘଟଣା, ଚାଲିଗଲା ୧୦ ଜୀବନ

1 min read

ଲକ୍ଷ୍ନୌ: ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌର ଇଣ୍ଟୌଜା ଅଞ୍ଚଳରେ ସୋମବାର ହୃଦୟ ବିଦାରକ ଘଟଣା ଘଟିଯାଇଛି । ମାଆ ଦୁର୍ଗାଙ୍କ ଦର୍ଶନ ପାଇଁ ଯାଉଥିଲେ ହେଲେ ଦୁର୍ଘଟଣା କାରଣରୁ ଶ୍ମଶାନ ଯାତ୍ରା କରିଛନ୍ତି ।  ଦ୍ରୁତ ଗତିରେ ଆସୁଥିବା ଟ୍ରକ୍ ଶ୍ରଦ୍ଧାଳୁଙ୍କୁ ନେଇ ଯାଉଥିବା ଟ୍ରାକ୍ଟର-ଟ୍ରଲିକୁ ଧକ୍କା ଦେଇଥିଲା । ଧକ୍କା କାରଣରୁ ଟ୍ରାକ୍ଟର-ଟ୍ରଲି ଭାରସାମ୍ୟ ହରାଇ ପୋଖରିକୁ ଓଲଟିପଡିଥିଲା । ଯାହାଫଳରେ ୧୦ ଜଣଙ୍କର ମୃତ୍ୟୁ ହୋଇଯାଇଥିବା ବେଳେ ଅନେକ ଆହତ ହୋଇଛନ୍ତି ।

ସୋମବାର ସକାଳେ, ମୁଣ୍ଡନ ସଂସ୍କାର କରାଇବା ପାଇଁ ଶ୍ରଦ୍ଧାଳୁଙ୍କୁ ନେଇ ଯାଉଥିବା ଟ୍ରାକ୍ଟର-ଟ୍ରଲିକୁ ଟ୍ରକ୍ ଧକା ଦେବା ପରେ ଏହି ଅଘଟଣ ଘଚିଛି । ମୃତକଙ୍କ ମଧ୍ୟରେ ୯ ମହିଳା ଏବଂ ଜଣେ ଶିଶୁ ସାମିଲ ଅଛନ୍ତି । ଜିଲ୍ଲାପାଳ ସୂର୍ଯାପାଳ ଗଙ୍ଗୱାର କହିଛନ୍ତି ଯେ, ସୀତାପୁରରୁ କିଛି ଲୋକ ଅନାଇ ସ୍ଥିତ ଦେବି ଦୂର୍ଗା ମନ୍ଦିରରେ ମୁଣ୍ଡନ ସଂସ୍କାର ପାଇଁ ଯାଉଥିଲେ । ରାସ୍ତାରେ ଇଣ୍ଟୌଜା ଅଞ୍ଚଳର ଗଦ୍ଦୀନପୁରଭା ପାଖରେ ଟ୍ରାକ୍ଟର-ଟ୍ରଲି ଭାରସାମ୍ୟ ହରାଇ ଏକ ପୋଖରୀକୁ ଓଲଟି ପଡ଼ିଥିଲା । ସେଥିରେ ବସିଥିବା ଶ୍ରଦ୍ଧାଳୁମାନେ ଟ୍ରଲି ତଳେ ଚାପି ହୋଇଯାଇଥିଲେ ।

ଟ୍ରାକ୍ଟର-ଟ୍ରଲିରେ ପ୍ରାୟ ୪୫ ଜଣ ଶ୍ରଦ୍ଧାଳୁ ଯାତ୍ରା କରୁଥିଲେ । ଶବ୍ଦ ଶୁଣି ଆଖପାଖରେ ଥିବା ଲୋକମାନେ ଟ୍ରାକ୍ଟର-ଟ୍ରଲି ତଳେ ଚାପି ହୋଇ ରହିଥିବା ଲୋକଙ୍କୁ ବାହାରକୁ ବାହାର କରିଥିଲେ । ଆମ୍ବୁଲାନ୍ସ ଜରିଆରେ ନିକଟସ୍ଥ ମେଡିକାଲକୁ ନେଇଯାଇଥିଲେ । ହେଲେ ଏପର୍ଯ୍ୟନ୍ତ ସୁଦ୍ଧା ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ସେହିପରି ୧୦ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କ ଚିକିତ୍ସା ବିକେଟି ସ୍ଥିତ ହସ୍ପିଟାଲରେ ଚାଲିଛି ।