ଆସନ୍ତାକାଲି ଉଲକାପିଣ୍ଡ ସହ ଧକ୍କା ହେବ ନାସାର ସ୍ପେଶକ୍ରାଫ୍ଟ, ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା

ନନ୍ଦିଘୋଷ ବ୍ୟୁରୋ: ଏବେ ଆଉ ପୃଥିବୀ ସହ ଆଷ୍ଟେରଏଡ ବା ଉଲକାପିଣ୍ଡର ଧକ୍କା ଭୟ ରହିବନି । ଅନେକ ସମୟରେ ଭୟ ଥାଏ ଯେ ଉଲକାପିଣ୍ଡ ପୃଥିବୀ ସହ ମାଡ଼ ହେବାର । ଏବେ ଏ ଭୟ ଦୂର ହୋଇଯିବ । ନାସା ଏପରି ଏକ ମିଶନ କରୁଛି ଯାହା ଉଲକାପିଣ୍ଡର ଗତି ପରିବର୍ତ୍ତନ କରିଦେବ । ପୃଥିବୀ ସହ ମାଡ ହୋଇ କ୍ଷତି ପହଞ୍ଚାଇବାର ଭୟ ଆଉ ଘାରିବନି । ପୃଥିବୀ ଆଡକୁ ଆସିବା କ୍ଷଣି ଗତି ବଦଳିଯିବ ବା ଅଟକାଇ ଦିଆଯିବ । ଆସନ୍ତାକାଲି ଅର୍ଥାତ ମଙ୍ଗଳବାର ସକାଳେ ନାସା ନିଜର ଡାର୍ଟ ମିଶନ ଜରିଆରେ ବଡ଼ ପରୀକ୍ଷା କରିବାକୁ ଯାଉଛି ।

ଯଦି ଏହି ପରୀକ୍ଷା ସଫଳ ହୁଏ ତେବେ ପୃଥିବୀ ପାଇଁ ବଡ଼ ଫଳପ୍ରଦ ସାବ୍ୟସ୍ତ ହେବ। ନାସା ନିଜର ଡାର୍ଟ ମିଶନ ଜରିଆରେ ଡିଡିମୋସ ଏବଂ ତାର ଚନ୍ଦ୍ର ଭଳି ପଥର ଡାଇମର୍ଫସ ଉପରେ ଆକ୍ରମଣ କରିବ । ଡାର୍ଟ ମିଶନ ଅର୍ଥାତ ଡବଲ ଆଷ୍ଟେରଏଡ ରିଡାଇରେକ୍ସନ ଟେଷ୍ଟ । ଉଦ୍ଦେଶ୍ୟ ହେଉଛି, ସ୍ପେଶକ୍ରାଫ୍ଟକୁ ଉଲକାପିଣ୍ଡ ସହ ମାଡ଼ କରି ତାର ଦିଗ ବଦଳାଇବା । ଯଦି ନାସାର ଏହି ମିଶନ ସଫଳ ହୁଏ ତେବେ ଭବିଷ୍ୟତରେ ପୃଥିବୀ ଅଭିମୁଖେ ଆସୁଥିବା ଭୟଙ୍କର ଉଲକାପିଣ୍ଡ ଅର୍ଥାତ କ୍ଷୁଦ୍ରଗ୍ରହଗୁଡିକୁ ରୋକାଯାଇପାରିବ ।

ବା ସେମାନଙ୍କ ଗତିପଥ ବଦଳାଯାଇ ପାରିବ । ତେବେ ମନରେ ପ୍ରଶ୍ନ ଉଠୁଥିବ ଯେ ଡାର୍ଟ ମିଶନ କିପରି କାର୍ଯ୍ୟ କରିବ? ଡାର୍ଟ ମିଶନ ଜରିଆରେ ଡିଡିମୋସ ଉଲକାପିଣ୍ଡର ଚନ୍ଦ୍ର ଡାଇମର୍ଫୋସ ସହ ମାଡ ହେବ, ଡାଇମର୍ଫୋସ ଯାଇ ଡିଡିମୋସ ସହ ମାଡ଼ ହେବ । ଏହି ଭଳି ଉଭୟଙ୍କ ଦିଗରେ ପରିବର୍ତ୍ତନ ହେବ । ଯଦି ଦିଗ ପରିବର୍ତ୍ତନ ହୁଏ ତେବେ ବଡ ସଫଳତା ମିଳିବ । ଏହି ସ୍ପେଶକ୍ରାଫ୍ଟ ପ୍ରାୟ ୨୪ ହଜାର କିଲୋମିଟର ପ୍ରତିଘଣ୍ଟା ଗତିରେ ଆଷ୍ଟେରଏଡ ସହ ଧକ୍କା ହେବ ।

ଧକ୍କା ହେବାର ଠିକ ପୂର୍ବରୁ ସ୍ପେଶକ୍ରାଫ୍ଟ ଉଲକାପିଣ୍ଡ ଡିଡିମୋସର ପରିସ୍ଥିତି, ମାଟି, ପଥର ଏବଂ ଗଠନର ଷ୍ଟଡି କରିବ । ଏହି ମିଶନରେ କାଇନେଟିକ ଇମ୍ପାକ୍ଟର ଟେକନିକର ଉପଯୋଗ କରାଯିବ । ଡିଡିମୋସର ବ୍ୟାସ ମୋଟ ୨୬୦୦ ଫୁଟ ରହିଛି । ଡାଇମୋର୍ଫସ ଏହାର ଚାରି ପାଖରେ ଚକର ଲଗାଇଥାଏ । ଏହାର ବ୍ୟାସ ପ୍ରାୟ ୫୨୫ ଫୁଟ ଅଟେ । ଧକ୍କା ହେବା ପରେ ଉଭୟ ପଥରର ଦିଗ ଏବଂ ଗତିରେ ପରିହବର୍ତ୍ତନର ଷ୍ଟଡି କରାଯିବ । ସୂଚନାଥାଉକି ନାସା ପୃଥିବୀର ଚାରି ପାଖରେ ୮ହଜାରରୁ ଅଧିକ ନିୟର ଆର୍ଥ ଅବଜେକ୍ଟସ ରେକର୍ଡ କରିଛି ।

ଏଥିମଧ୍ୟରୁ କିଛି ୪୬୦ ଫୁଟ ବ୍ୟାସରୁ ଅଧିକ ଆକାରର ରହିଛନ୍ତି । ଅର୍ଥାତ ଏଥିମଧ୍ୟରୁ କୌଣସି ବି ପଥର ଯଦି ପୃଥିବୀରେ ପଡେ ତେବେ ତାହା ଆମେରିକାର କୌଣସି ବି ଏକ ରାଜ୍ୟକୁ ସମ୍ପୂର୍ଣ୍ଣ ଧ୍ୱସ୍ତ ବିଧ୍ୱସ୍ତ କରିଦେବ । ସମୁଦ୍ରରେ ଯଦି ପଡ଼େ ତେବେ ୨୦୧୧ରେ ଜାପାନରେ ଆସିଥିବା ଭୟଙ୍କର ସୁନାମିଠାରୁ ମଧ୍ୟ ଅଧିକ ବିପର୍ଯ୍ୟୟ ଆଣିବ ।

ନାସା ଆଶ୍ୱାସନା ଦେଇଛି ଯେ ପୃଥିବୀ ଚାରି ପାଖରେ ଚକର କାଟୁଥିବା ୮ହଜାର ପଥର ମଧ୍ୟରୁ କୌଣସି ବି ପଥର ଆଗାମୀ ୧୦୦ ବର୍ଷ ପର୍ଯ୍ୟନ୍ତ ପୃଥିବୀ ସହ ମାଡ଼ ହେବ ନାହିଁ । କିନ୍ତୁ ମହାକାଶର କୌଣସି ବି ବସ୍ତୁର ବିଶ୍ୱାସ କରାନଯାଇପାରେ । କେତବେଳେ ଗତି, ଧକ୍କା, ମାଧ୍ୟାକର୍ଷଣ ବା ଅନ୍ୟ କୌଣସି କାରଣରୁ କୌଣସି ଆଷ୍ଟେରଏଡର ଦିଗ ଯଦି ବଦଳିଯାଏ ତେବେ ପୃଥିବୀ ପାଇଁ ବଡ ବିପଦ ସାବ୍ୟସ୍ତ ହେବ । ଆଶା ରହିଛି ଯେ ନାସାର ଏହି ମିଶନ ଯଦି ସଫଳ ହୁଏ ତେବେ ସବୁ ଚିନ୍ତା ଦୂରେଇଯିବ ।