ବୁଲୁଛି ମୋବାଇଲ ମ୍ୟାରେଜ୍‌ ହଲ୍‌, କମ ଖର୍ଚ୍ଚରେ କରିନିଅନ୍ତୁ ବୁକିଂ

1 min read

ମୁମ୍ବାଇ: ସବୁବେଳେ ଟ୍ବିଟ ପାଇଁ ଚର୍ଚ୍ଚାରେ ରୁହନ୍ତି ଉଦ୍ଦ୍ୟୋଗପତି ଆନନ୍ଦ ମହିନ୍ଦ୍ରା  । ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରାର ଚେୟାରମ୍ୟାନ୍‌ ଆନନ୍ଦଙ୍କ ଟ୍ବିଟ ଭାଇରାଲ ହେବାକୁ ଖୁବ କମ ସମୟ ଲାଗିଥାଏ  । ଏବେ ପୁଣି ସେମିତି ଏକ ଭିଡିଓ ଟ୍ବିଟ କରି ଚର୍ଚ୍ଚାରେ ଆନନ୍ଦ  । ଯାହାକୁ ଦେଖିଲା ପରେ ଆପଣ ବି ପ୍ରଶଂସା ନ କରି ରହିପାରିବେ ନାହିଁ  ।

 

ଏଥର ମୋବାଇଲ ମ୍ୟାରେଜ ହଲ୍‌ ଭିଡିଓ ପୋଷ୍ଟ କରିଛନ୍ତି ଆନନ୍ଦ ମହିନ୍ଦ୍ରା  । ରାସ୍ତାରେ ଦୌଡୁଛି ମ୍ୟାରେଜ୍‌ ହଲ୍‌  । ଆପଣ ଭାବୁଥିବେ ଏହା କେମିତି ସମ୍ଭବ  । ହେଲେ ଭିଡିଓ ନ ଦେଖିବା ଯାଏଁ ଆପଣ ନିଜ ଆଖିକୁ ବିଶ୍ବାସ କରିପାରିବେ ନାହିଁ  ।

ରାସ୍ତାରେ ଏକ ବଡ ଟ୍ରକ୍‌ ହଠାତ ଅଟକି ଯାଉଛି  । ଯାହା ପରେ ମ୍ୟାରେଜ୍‌ ହଲ୍‌ର ରାଜ ଖୋଲୁଛି  । ଟ୍ରକ ଭିତରେ ଡିଜାଇନ ହୋଇଛି ମ୍ୟାରେଜ୍‌ ହଲ୍‌  । ୪୦x30 ବର୍ଗଫୁଟରେ ନିର୍ମିତ ହଲ୍‌ ଭିତରେ ପାଖାପାଖି ୨୦୦ ଲୋକଙ୍କ ବସିବାର ବ୍ୟବସ୍ଥା ରହିଛି  । ଏହାପରେ ଭିଡିଓରେ ଏକ ବିବାହ ସମାରୋହ ସମ୍ପର୍ନ୍ନ ହେଉଥିବା ଦେଖିବାକୁ ମିଳିଛି  । ଏପରିକି ଲୋକେ ଆନନ୍ଦରେ ବସି ଭୋଜି ଖାଉଥିବା ଦେଖିବାକୁ ମିଳିଛି  ।

 

କେବଳ ସେତିକି ନୁହେଁ ମ୍ୟାରେଜ ହଲ୍‌ର ଛାତ ସିଲିଂ ହୋଇଥିବାବେଳେ ଭିତରେ ରହିଛି ଦୁଇଟି ଏସି  । ଭିଡିଓକୁ ପୋଷ୍ଟ କରିବା ସହ ମହିନ୍ଦ୍ରା ଚେୟାରମ୍ୟାନ୍‌ ଏହି ମୋବାଇଲ ମ୍ୟାରେଜ ହୋମ୍‌ର ପ୍ରଶଂସା କରିଛନ୍ତି  ।

 

ଏଭଳି ଭିନ୍ନ ଚିନ୍ତାଧାରା ସହ ଟ୍ରକକୁ ଡିଜାଇନ କରିଥିବା ବ୍ୟକ୍ତିଙ୍କୁ ବି ଭେଟିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ଆନନ୍ଦ  । ଦୂର ଦୂରାନ୍ତର ସ୍ଥାନକୁ ଯାଇ ବିବାହ ପାଇଁ ଅନାବଶ୍ୟକ ଖର୍ଚ୍ଚାନ୍ତ ହେବା ପରିବର୍ତ୍ତେ ଟ୍ରକ ମାଲିକଙ୍କ ସହ ଯୋଗାଯୋଗ କରିବାକୁ ପରାମର୍ଶ ଦେଇଛନ୍ତି ଆନନ୍ଦ  । ତେବେ ବିଦେଶରେ ଏଭଳି ମୁଭିଂ କାର ବା ବସ୍‌ରେ ସମସ୍ତ ସୁବିଧା ଥିବା ଆପଣ ମାନେ ଦେଖିଥିବେ ନିଶ୍ଚିତ  । କିନ୍ତୁ ପ୍ରଥମ ଥର ଭାରତରେ ଏଭଳି ଟେକନିକ ଆପଣାଇ ନୂଆ ଉଦାହରଣ ସୃଷ୍ଟି କରିଛନ୍ତି ଟ୍ର୍ରକ ମାଲିକ  ।