spot_img
Home Blog Page 4055

ଆଜି ଏସିଆ କପରେ ମୁହାଁମୁହିଁ ହେବେ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତ-ପାକିସ୍ତାନ

ଆବୁଧାବି: ପୁଣି ସନଡେ’ରେ ସୁପର ଫାଇଟ । ଆଜି ଏସିଆ କପରେ ହାଇଭୋଲଟେଜ୍ ମ୍ୟାଚ । ପୁଣି ମୁହାଁମୁହିଁ ହେବେ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତ ଓ ପାକିସ୍ତାନ । ସନ୍ଧ୍ୟା ସାଢେ ୭ଟାରେ ସୁପର-୪ ପର୍ଯ୍ୟାୟର ମୁକାବିଲାରେ ପାକିସ୍ତାନକୁ ଭେଟିବ ଭାରତ । ଲିଗ ମ୍ୟାଚରେ ରୋମାଞ୍ଚକର ସ୍ଥିତିରେ ପାକିସ୍ତାନକୁ ହରାଇଥିଲା ମେନ ଇନ ବ୍ଲୁ । ପରେ ହଂକଂକୁ ଶେଷ ଲିଗ୍ ମ୍ୟାଚରେ ଶୋଚନୀୟ ଭାବେ ପରାସ୍ତ କରିଥିଲା ।

ଭାରତ ଗ୍ରୁପ୍ ପର୍ଯ୍ୟାୟରେ ସମସ୍ତ ଦୁଇଟି ଯାକ ମ୍ୟାଚ୍ ଜିତି ଅପରାଜେୟ ସହ ସୁପର-୪ରେ ପହଞ୍ଚିଛି ।  ଆଜି ଭାରତ ଏବଂ ପାକିସ୍ତାନ ମଧ୍ୟରେ ଆଉ ଏକ ହାଇଭୋଲଟେଜ୍ ମୁକାବିଲା ହେବ  । ମ୍ୟାଚ ଉପରେ କ୍ରିକେଟ ପ୍ରେମୀଙ୍କ ନଜର ରହିଥିବା ବେଳେ ଟିମ ଇଣ୍ଡିଆକୁ ଲାଗିଛି ଝଟକା ।

ଲିଗ ମ୍ୟାଚରେ ଭାରତର ବିଜୟରେ ପ୍ରମୁଖ ଭୂମିକା ନେଇଥିବା ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଟୁର୍ଣ୍ଣାମେଣ୍ଟରୁ ବାଦ ପଡ଼ିଛନ୍ତି । ଆଣ୍ଠୁରେ ଆଘାତ କାରଣରୁ ସେ ଏସିଆ କପର ଅବଶିଷ୍ଟ ମ୍ୟାଚ୍ରୁ ବାଦ ପଡିଛନ୍ତି । ତାଙ୍କ ସ୍ଥାନରେ ଅଲରାଉଣ୍ଡର ଅକ୍ଷର ପଟେଲଙ୍କୁ ସ୍ଥାନ ମିଳିଛି  ।

ତାତିରୁ ମିଳିବ ତ୍ରାହି, ସପ୍ତାହକ ଭିତରେ ଦୁଇଟି ଲଘୁଚାପ

ଭୁବନେଶ୍ବର: ଆସନ୍ତା ୨୪ ଘଣ୍ଟାରେ ରାଜ୍ୟରେ ବଦଳିଯିବ ପାଗ । କାଲିଠୁ ଭିଜିବ ସାରା ଓଡ଼ିଶା । ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ନେଇ ୧୦ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଗଜପତି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ ଏବଂ ରାୟଗଡାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ଏହିସବୁ ଜିଲ୍ଲାରେ ୭୦ ରୁ ୧୧୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହେବ । ୮ ତାରିଖ ମଧ୍ୟରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ତେବେ ମେଘମୁକ୍ତ ଆକାଶ ଏବଂ ଦୁର୍ବଳ ମୌସୁମୀ ପ୍ରଭାବରେ ଆଜି ଗୋଟିଏ ଦିନ ଗରମ ଏବଂ ଗୁଳୁଗୁଳି ଅନୁଭୂତ ହେବ । ଆଜି ଘଡଘଡି ବିଜୁଳି ସହ ବର୍ଷା ନେଇ ୨୦ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।

ଆଇଏମଡିର ଆକଳନ ଅନୁସାରେ ଆଗାମୀ ଦୁଇ ସପ୍ତାହରେ ଦୁଇଟି ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ପ୍ରଥମଟି ୭ ତାରିଖ ଏବଂ ଦ୍ବିତୀୟଟି ୯ ରୁ ୧୫ ତାରିଖ ମଧ୍ୟରେ ଘନୀଭୂତ ହେବ । ପ୍ରଭାବରେ ସାରା ରାଜ୍ୟରେ ପୁଣି ବିସ୍ତୃତ ବର୍ଷା ହେବାର ସମ୍ଭାବନା ରହିଛି । ଅନ୍ୟପଟେ ମୌସୁମୀ ପ୍ରତ୍ୟାବର୍ତ୍ତନ ପୂର୍ବରୁ ବାତ୍ୟା ସମ୍ଭାବନା କ୍ଷୀଣ ।

ଆଜି ଜୀବନବ୍ୟାପୀ ସାଧନା ସମ୍ମାନରେ ସମ୍ମାନିତ ହେବେ ନବୀନ ପଟ୍ଟନାୟକ

ଭୁବନେଶ୍ବର: ନୂଆ ଓଡ଼ିଶାର ବିନ୍ଧାଣୀ ତଥା ବିକାଶ ପୁରୁଷ ନବୀନ ପଟ୍ଟନାୟକ । ଦୁଇ ଦଶନ୍ଧିର ଶାସନରେ ପରିବର୍ତ୍ତନର ସୁତ୍ରଧର । ୨୫ ବର୍ଷ ନିରନ୍ତର ଭାବେ ଓଡ଼ିଶାବାସୀଙ୍କ ସେବା ଓ ବିକାଶ ହିଁ ତାଙ୍କର ଏକମାତ୍ର ବ୍ରତ  । ଉଲ୍ଲେଖନୀୟ ନେତୃତ୍ବ ପାଇଁ ଆଜି ଜୀବନବ୍ୟାପୀ ସାଧନା ସମ୍ମାନରେ ସମ୍ମାନିତ ହେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶ୍ରେଷ୍ଠ ଶାସକ ନବୀନ ପଟ୍ଟନାୟକଙ୍କୁ ସମ୍ମାନିତ କରିବ କ୍ୟାପିଟାଲ୍ ଫାଉଣ୍ଡସେନ୍ ସୋସାଇଟି  ।

ଦିଲ୍ଲୀସ୍ଥିତ ଇଣ୍ଡିଆ ଇଣ୍ଟରନ୍ୟାସନାଲ୍ ସେଣ୍ଟର ଅଡିଟୋରିୟମରେ ସକାଳ ୧୦ଟାରେ ଆରମ୍ଭ ହେବ କାର୍ଯ୍ୟକ୍ରମ । ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଏନ.ଭି ରମଣାଙ୍କ ଠାରୁ ସମ୍ମାନଜନକ ପୁରସ୍କାର ଗ୍ରହଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗର୍ବ ଓ ଗୌରବର ଏହି ମୁହୂର୍ତ୍ତକୁ ସ୍ମରଣୀୟ କରିବାକୁ ମେଗା ପ୍ଲାନ କରିଛି ବିଜୁ ଜନତା ଦଳ  । ଅଭିନନ୍ଦନର ବର୍ଷାରେ ଭିଜିବ ଓଡ଼ିଶା । ଦିଲ୍ଲୀକୁ ଦୁଲୁକାଇବେ ପ୍ରବାସୀ ଓଡ଼ିଆ ଓ ବିଜେଡି ନେତା ଓ କର୍ମୀ ।

ପ୍ରବାସୀ ଓଡ଼ିଆ ଓ ବିଜେଡି ନେତା ମୁଖ୍ୟମନ୍ତ୍ରୀଙ୍କୁ ଦେବେ ଭବ୍ୟ ସମ୍ବର୍ଦ୍ଧନା । ମନେ ରଖିବା ଭଳି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି  । ଏପିଜେ ଅବଦୁଲ୍ କଲାମ ରୋଡ୍ ସ୍ଥିତ ନବୀନ ପଟ୍ଟନାୟକଙ୍କ ବାସଭବନ ଆଗରେ ମଧ୍ୟ ସ୍ବାଗତ ସମ୍ବର୍ଦ୍ଧନା ପାଇଁ ଯୋଜନା ପ୍ରସ୍ତୁତ । ମଙ୍ଗଳବାର ଦିଲ୍ଲୀରୁ ଭୁବନେଶ୍ବର ଫେରିବେ ନବୀନ । ସେପ୍ଟେମ୍ବର ୬ ତାରିଖକୁ ସ୍ମରଣୀୟ କରିବାକୁ ହୋଇଛି ବ୍ୟାପକ ପ୍ରସ୍ତୁତି ।

ସୁନ୍ଦରଗଡ଼ ଜିଲ୍ଲାରେ ଶିଶୁଙ୍କ ପୋଷଣ ଲାଗି ଚାଲିଥିବା ମାଣ୍ଡିଆ ଲଡୁ କାର୍ଯ୍ୟକ୍ରମକୁ ନୀତି ଆୟୋଗଙ୍କ ପ୍ରଶଂସା

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାରେ ସାନ ସାନ ପିଲାଙ୍କ ପୋଷଣ ପାଇଁ ସରକାରଙ୍କ ପକ୍ଷରୁ ଚାଲିଥିବା ମାଣ୍ଡିଆ ଲଡୁ କାର୍ଯ୍ୟକ୍ରମକୁ ନୀତି ଆୟୋଗ ପ୍ରଶଂସା କରିଛନ୍ତି। ପିଲାଙ୍କ ପୋଷଣ ସହ ଏହା ସ୍ଥାନୀୟ ଚାଷୀ ଏବଂ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କ ଜୀବିକାକୁ ସୁନିଶ୍ଚିତ କରୁଥିବା ବିଷୟ ଆୟୋଗ ଏହାର ଏକ ସର୍ବଭାରତୀୟ ରିପୋର୍ଟରେ ଦର୍ଶାଇଛନ୍ତି।

କେନ୍ଦ୍ର ସରକାରଙ୍କ ନୀତି ଆୟୋଗଙ୍କ ପକ୍ଷରୁ ନିକଟରେ ପ୍ରକାଶିତ ’ଟେକ୍ ହୋମ୍ ରାସନ – ଗୁଡ୍ ପ୍ରାକ୍ଟିସେସ୍ ଆକ୍ରସ ଦ ଷ୍ଟେଟସ୍/ୟୁନିଅନ ଟେରିଟୋରିଜ୍’ ଶୀର୍ଷକ ରିପୋର୍ଟ ପ୍ରକାଶ ପାଇଛି। ଏଥିରେ କୋଭିଡ୍ ସମୟରେ ସୁନ୍ଦରଗଡ଼ ଜିଲ୍ଲାରେ ଅଙ୍ଗନବାଡ଼ି ମାଧ୍ୟମରେ ପିଲାଙ୍କ ଘରେ ଘରେ ’ମାଣ୍ଡିଆ ଲଡୁ ମିକ୍ସ’ ଦିଆଯିବା ବିଷୟ ଉଲ୍ଲେଖ କରାଯାଇଛି।

ଏହି ରିପୋର୍ଟକୁ ସ୍ୱାଗତ କରି ସୁନ୍ଦରଗଡ଼ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି କହିଛନ୍ତି, ‘‘ପିଲାମାନଙ୍କ ଶାରୀରିକ ଓ ମାନସିକ ବିକାଶ କ୍ଷେତ୍ରରେ ପୋଷଣ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ। ତେଣୁ ଜିଲ୍ଲାରେ ଅଙ୍ଗନବାଡ଼ି ମାଧ୍ୟମରେ ପିଲାମାନଙ୍କୁ ନିୟମିତ ମାଣ୍ଡିଆ ଲଡ଼ୁ ଦିଆଯାଇ ସେମାନଙ୍କ ସ୍ୱାସ୍ଥ୍ୟର ମୂଳଦୁଆକୁ ସଶକ୍ତ କରିବା ଲାଗି ଏହି କାର୍ଯ୍ୟକ୍ରମ ଚାଲିଛି। ଜିଲ୍ଲାରେ ମାଣ୍ଡିଆ ଉତ୍ପାଦନ ବଢ଼ାଇ ଚାଷୀମାନଙ୍କୁ ପରିଶ୍ରମର ଉଚିତ ମୂଲ୍ୟ ପ୍ରଦାନ ସହିତ ଏସ୍ଏଚଜି ମହିଳାଙ୍କ ଜୀବିକା ବିକାଶ ଉପରେ ପ୍ରଶାସନ ଗୁରୁତ୍ୱ ଦେଉଛି।’’

ସୁନ୍ଦରଗଡ଼ ଜିଲ୍ଲାରେ ଅଙ୍ଗନବାଡ଼ି ଶିଶୁଙ୍କ ଅତିରିକ୍ତ ପୋଷଣ ଲାଗି ମାଣ୍ଡିଆ ଲଡୁ ପ୍ରଦାନ କରାଯାଉଛି। ଜିଲ୍ଲାରେ ମିଶନ ଶକ୍ତିର ମହିଳାମାନେ ଏହି ମାଣ୍ଡିଆ ଲଡୁ ମିକ୍ସ ତିଆରି କରୁଛନ୍ତି। ତେଣୁ ଏହି କାର୍ଯ୍ୟକ୍ରମ ଜିଲ୍ଲାରେ ପିଲାଙ୍କ ପୋଷଣ ସହ ଚାଷୀମାନଙ୍କର ଆୟ ବଢ଼ାଇବା ଏବଂ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କ ଜୀବିକା ପାଇଁ ଏକ ନୂଆ ବାଟ ଖୋଲିଦେଇଛି।

ବର୍ତ୍ତମାନ ୩୯ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ମାଣ୍ଡିଆ ଲଡ଼ୁ ମିକ୍ସ ପ୍ରସ୍ତୁତି ଦାୟିତ୍ୱ ଦିଆଯାଇଛି। ଏହି ମାଣ୍ଡିଆ ଲଡ଼ୁ କାର୍ଯ୍ୟକ୍ରମରୁ ୩,୮୦୯ ଅଙ୍ଗନବାଡ଼ି କେନ୍ଦ୍ର ମାଧ୍ୟମରେ ୬୩ ହଜାର ଶିଶୁ ଉପକୃତ ହେଉଛନ୍ତି।

ମିଳିତ ଜାତିସଂଘ ୨୦୨୩କୁ ’ଅନ୍ତର୍ଜାତୀୟ ପୁଷ୍ଟିଶସ୍ୟ’ ବର୍ଷ ଭାବେ ଘୋଷଣା କରିଛନ୍ତି। ଓଡ଼ିଶା ପୁଷ୍ଟିଶସ୍ୟ ମିଶନ କାର୍ଯ୍ୟକ୍ରମ ଅଧୀନରେ ରାଜ୍ୟରେ ମାଣ୍ଡିଆ ଓ ଅନ୍ୟାନ୍ୟ ପୁଷ୍ଟିଶସ୍ୟ ଉତ୍ପାଦନ, ସଂଗ୍ରହ ଏବଂ ବ୍ୟବହାର ଉପରେ କୃଷି ବିଭାଗ ଗୁରୁତ୍ୱ ଦେଉଛି। ଏଥିପାଇଁ ବିଭିନ୍ନ ଜିଲ୍ଲାରେ ଚାଷୀମାନଙ୍କୁ ଆବଶ୍ୟକ ପ୍ରୋତ୍ସାହନ ଯୋଗାଇ ଦିଆଯାଉଛି। ଓଡ଼ିଶା ପୁଷ୍ଟିଶସ୍ୟ ମିଶନ କାର୍ଯ୍ୟକ୍ରମର ସଫଳତା ମଧ୍ୟ ଅତୀତରେ କେନ୍ଦ୍ରର ବିଶେଷ ଦୃଷ୍ଟି ଆକର୍ଷଣ କରିଥିଲା। ଏ କ୍ଷେତ୍ରରେ ଓଡ଼ିଶାର ସଫଳତା ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଥିଲା।

ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧୀନରେ ୧୯ଟି ଜିଲ୍ଲାର ୧୪୩ଟି ବ୍ଲକରେ ମାଣ୍ଡିଆ ସହିତ ବିଭିନ୍ନ ପୁଷ୍ଟିଶସ୍ୟ ଚାଷ କରାଯାଉଛି। ଏହା ମଧ୍ୟରେ ସୁନ୍ଦରଗଡ଼ ଜିଲ୍ଲାର ୧୨ଟି ବ୍ଲକ ରହିଛି। ତା’ଭିତରୁ ୮ଟି ବ୍ଲକରେ ପୁଷ୍ଟିଶସ୍ୟକୁ ପ୍ରୋତ୍ସାହନ ଦେବା ଲାଗି ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପାଣ୍ଠିରୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି।

୨୦୧୮-୧୯ରେ ସୁନ୍ଦରଗଡ଼ ଜିଲ୍ଲା ଓଡ଼ିଶା ପୁଷ୍ଟିଶସ୍ୟ ମିଶନ କାର୍ଯ୍ୟକ୍ରମରେ ଯୋଡ଼ି ହୋଇଥିଲା। ସେହି ବର୍ଷ ୪ଟି ବ୍ଲକରେ ଏହି କାର୍ଯ୍ୟକ୍ରମ ଲାଗୁ କରାଯାଇଥିଲା। ୨୦୨୨-୨୩ରେ ତାହା ଆଜି ୧୨ ବ୍ଲକରେ ପହଞ୍ଚି ପାରିଛି। ଚଳିତ ବର୍ଷ ୧୬ ହଜାରରୁ ଅଧିକ ଚାଷୀ ୬ ହଜାର ହେକ୍ଟର ଜମିରେ ମାଣ୍ଡିଆ ଓ ବିଭିନ୍ନ ପୁଷ୍ଟିଶସ୍ୟ ଚାଷ କରୁଛନ୍ତି।

ଏଥିପାଇଁ ଚାଷୀଙ୍କୁ ବିହନ, ସାର, ଆଧୁନିକ କୃଷି ଯନ୍ତ୍ରପାତି ଓ ବୈଷୟିକ ସହାୟତା ଯୋଗାଇ ଦିଆଯାଉଛି। ସେହିପରି ସେମାନଙ୍କଠାରୁ ଉଚିତ୍ ମୂଲ୍ୟରେ ପୁଷ୍ଟିଶସ୍ୟ କିଣିବାକୁ ସରକାର ମଣ୍ଡି ବ୍ୟବସ୍ଥା କରୁଛନ୍ତି। ଫଳରେ ମାଣ୍ଡିଆ ଚାଷକରି ଜିଲ୍ଲାର ଚାଷୀମାନେ ଆର୍ଥିକ ସ୍ତରରେ ଅଧିକ ଲାଭବାନ ହୋଇପାରୁଛନ୍ତି।

ପୁଷ୍ଟିଶସ୍ୟରୁ ପ୍ରସ୍ତୁତ ଖାଦ୍ୟର ପ୍ରସାର ପାଇଁ ରାଜ୍ୟ ସରକାର ବିଭିନ୍ନ କାର୍ଯ୍ୟକ୍ରମ କରୁଛନ୍ତି। ଏଥିପାଇଁ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ପୁଷ୍ଟିଶସ୍ୟ ଖାଦ୍ୟ ମେଳାର ଆୟୋଜନ କରାଯାଉଛି। ସେହିପରି ଓଡ଼ିଶା ପୁଷ୍ଟିଶସ୍ୟ ମିଶନ ଓ ମିଶନ ଶକ୍ତି ସହଭାଗିତାରେ ଜିଲ୍ଲାରେ ୨୧ଟି ମିଲେଟ୍ ଶକ୍ତି ଟିଫିନ ସେଣ୍ଟର ଏବଂ ରାଉରକେଲାଠାରେ ଗୋଟିଏ ମିଲେଟ୍ ଶକ୍ତି କାଫେ ଖୋଲିଛି। ସ୍ଥାନୀୟ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏହାର ପରିଚାଳନା କରୁଛନ୍ତି।

କେନ୍ଦୁଝର ଜିଲ୍ଲାରେ ମଧ୍ୟ ଚାଲିଥିବା ମାଣ୍ଡିଆ ଲଡ଼ୁ କାର୍ଯ୍ୟକ୍ରମ ବିଷୟରେ ନୀତି ଆୟୋଗଙ୍କ ରିପୋର୍ଟରେ ମଧ୍ୟ ସ୍ଥାନ ପାଇଛି।

ଆର୍ଟିମିସ-୧ରୁ ତେଲ ଲିକ୍‌, ସ୍ଥଗିତ ରହିଲା ନାସାର ମାନବବିହୀନ ମୁନ ମିସନ

ନନ୍ଦିଘୋଷ ବ୍ୟୁରୋ: ନାସାର ମାନବବିହୀନ ମୁନ ମିସନ ଉଦ୍ୟମ ପୁଣି ସ୍ଥଗିତ । ଆର୍ଟିମିସ-୧ରୁ ତେଲ ଲିକ୍‌ ହେବା ଫଳରେ ମିଶନକୁ ପୁଣି ଥରେ ସ୍ଥଗିତ ରଖାଯାଇଛି । ଏହା ପୁଣି କେବେ ହେବ ନାସା ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ । ଆଜି ରାତି ୧୧ଟା ୪୫ରେ ଲଞ୍ଚ ହେବାର ଥିଲା ଆର୍ଟିମିସ-୧ । ଫ୍ଲୋରିଡା କେନେଡି ସ୍ପେସ୍ ସେଣ୍ଟରରୁ ମାନବବିହୀନ ଯାନ ଉତ୍‌କ୍ଷେପଣ କରାଯିବା ଲାଗି ଧାର୍ଯ୍ୟ କରାଯାଇଥିଲା ।

ଗତ ୨୯ ତାରିଖରେ ଏହାକୁ ଲଞ୍ଚ କରିବା ଲାଗି ସ୍ଥିରୀକୃତ ହୋଇଥିବା ବେଳେ ଯାନ୍ତ୍ରିକ ତ୍ରୁଟି କାରଣରୁ ଏହାକୁ ଶେଷ ମୁହୂର୍ତ୍ତରେ ବାତିଲ କରାଯାଇଥିଲା । ଚନ୍ଦ୍ର ପୃଷ୍ଠରେ ମାନବ ବସତି ଲାଗି ନାସା ଚଳାଇଛି ଉଦ୍ୟମ । ଗ୍ରହ, ଉପଗ୍ରହ ସଂକ୍ରାନ୍ତ ତଥ୍ୟ ଲାଗି ଏହି ଅଭିଯାନ ଉଦ୍ଦିଷ୍ଟ । ପ୍ରାୟ ୫୦ବର୍ଷ ପରେ ପୁଣି ଜହ୍ନକୁ ଯାତ୍ରା ଲାଗି ଜୋରଦାର ଚାଲିଛି ପ୍ରୟାସ । ଦକ୍ଷିଣ ମେରୁରେ ପାଣି, ବରଫ, ଇନ୍ଧନ ସନ୍ଧାନ କରିବା ଲାଗି ଏହି ମିସନ ଉଦ୍ଦିଷ୍ଟ ରହିଛି ।

ଆସନ୍ତା ଦିନରେ ମହାକାଶ ସମ୍ପର୍କରେ ଅଧିକ ଗବେଷଣା କରିବା, ଚନ୍ଦ୍ର ପୃଷ୍ଠକୁ ପୁଣି ମାନବ ସହିତ ଯାନ ପଠାଇବା ଲାଗି ଏହି ମିସନ କ୍ଷେତ୍ର ପ୍ରସ୍ତୁତ କରିବ । ପୃଥିବୀରୁ ପ୍ରାୟ ୪ ଲକ୍ଷ ୫୦ ହଜାର କିଲୋମିଟର ଓ ଚନ୍ଦ୍ର ପାର୍ଶ୍ବରେ ପ୍ରାୟ ୬୪ ହଜାର କିଲୋମିଟର ଯାତ୍ରା କରିଥାନ୍ତାଆର୍ଟିମିସ ।

ବିମାନ ବନ୍ଦରରୁ ବିମାନ ଚୋରି, ଫ୍ଲାଇଟକୁ ଏଣେତେଣେ ବୁଲାଉଛି ଚୋର

ୱାସିଂଟନ୍: ବିମାନ ବନ୍ଦରରୁ ବିମାନ ଚୋରୀ  । ଆଶ୍ଚର୍ଯ୍ୟ ଲାଗୁଥିବ  । କିନ୍ତୁ ଘଟଣାଟି ସତ  । କୌଣସି ଗାଡି ମଟର ନୁହେଁ ବଂର ବିମାନ ଚୋରି ହୋଇଯାଇଛି  ।  ୨୯ ବର୍ଷିୟ ଯୁବ ପାଇଲଟ ଚୋରୀ କଲା ବିମାନ । ଏବେ ଓ୍ବାଲମାର୍ଟରେ କ୍ରାସ କରିବାକୁ ଦେଉଛି ଧମକ । ଆମେରିକାର ମିସିସିପି ସହରର ଘଟଣା ।

ବିମାନକୁ ନେଇ ଏଣେତେଣେ ପାଇଲଟ ଉଡୁଥିବା ବେଳେ ପୋଲିସ ଏବେ ଚିନ୍ତାରେ । ପୂରା ସହରରେ କଟକଣା ଲଗାଯାଇଥିବା ବେଳେ ଓ୍ବାଲମାର୍ଟ ଖାଲି କରାଯାଇଛି । ଲୋକଙ୍କୁ ଘରୁ ନବାହାରିବାକୁ ପରାମର୍ଶ ଦିଆଯାଇଥିବା ବେଳେ ଚାରିଆଡେ ଦମକଳ ବାହିନୀ ପଇଁତରା ମାରୁଛନ୍ତି । ପାଇଲଟ ସହ ପୋଲିସ ଯୋଗାଯୋଗ କରୁଥିବା ଜଣାପଡୁଛି ।

ସମ ହସ୍ପିଟାଲରେ ବିରଳ ଅସ୍ତ୍ରୋପଚାର, ସୁସ୍ଥ ହେଲେ ଇରାକର ୬୫ ବର୍ଷୀୟ ରୋଗୀ

ଭୁବନେଶ୍ୱର:  ସମ ହସ୍ପିଟାଲରେ ବିରଳ ଅସ୍ତ୍ରୋପଚାର । ସୁସ୍ଥ ହେଲେ ଇରାକର ୬୫ ବର୍ଷୀୟ ରୋଗୀ । ସେଣ୍ଟ୍ରାଲ ସ୍କଲ ବେଶ ଅଷ୍ଟିଓ ମାଇଲିଟିସ ରୋଗରେ ପୀଡିତ ହୋଇ ଇରାକରୁ ସମ ହସ୍ପିଟାଲ ଆସିଥିଲେ । ସମ ଅଲଟିମେଟ ହସ୍ପିଟାଲରେ ତାଙ୍କର ସଫଳ ଅସ୍ତ୍ରୋପଚାର ପରେ ଏବେ ସେ ସମ୍ପୂର୍ଣ୍ଣ ରୋଗ ମୁକ୍ତ ଓ ସୁସ୍ଥ ଥିବା ଜଣାପଡିଛି । ଇରାକର ଅବଦୁଲ ଖଳିଦ ଇମରାନଙ୍କର ଗତ କିଛିମାସ ହେବ କାନରୁ ପୂଜ ବାହାରିବା ସହ ମୁଣ୍ଡ ବିନ୍ଧା ହେଉଥିଲା । ଇରାକରେ ଯଦିଓ ରୋଗ ସମ୍ପର୍କରେ ଜଣା ପଡିଥିଲା କିନ୍ତୁ ଏହାର ଚିକତ୍ସା ସମ୍ଭବ ନଥିଲା । ପରେ ଏହାର ପ୍ରଭାବରେ ତାଙ୍କର ମୁହଁ ବଙ୍କା ହେବା ସହ ଶୋଇବା କଷ୍ଟକର ହୋଇପଡିଥିଲା । ପରେ ସମ ହସ୍ପିଟାଲରେ ଏହାର ଚିକିତ୍ସା ଓ ଅସ୍ତ୍ରୋପଚାର ସମ୍ପର୍କରେ ଜାଣି ଓଡିଶା ନିଜ ପରିବାର ସହ ଆସିଥିଲେ ଅବଦୁଲ ।

ସମ ଅଲଟିମେଟ ର ଇ.ଏନ. ଟି ଓ ସ୍କଲ୍ ବେଶ ସର୍ଜରି ବିଭାଗ ମୁଖ୍ୟ ଡାକ୍ତର ରାଧମାଧଵ ସାହୁଙ୍କ ତତ୍ୱାବଧାନରେ ଅଢେଇଘଣ୍ଟା ଧରି ନୂଆ ଜ୍ଞାନ କୌଶଳରେ ଅସ୍ତ୍ରୋପଚାର କରାଯାଇଥିଲା । ଆଡ଼ଭାନ୍ସ ଏଣ୍ଡୋସ୍କୋପି ଓ ମାଇକ୍ରୋସ୍କୋପି ଜରିଆରେ ଅପରେସନ କରାଯାଇଥିଲା । ତେବେ ୬୫ ବର୍ଷ ବୟସ ଓ ମଧୁମେହରେ ଆକ୍ରାନ୍ତ ଯୋଗୁଁ ଡାକ୍ତରଙ୍କ ପାଇଁ ଏହା ଚାଲେଞ୍ଜ ଥିଲା । ହେଲେ ମଧ୍ୟ ଡାକ୍ତରୀ ଟିମ ଏଥିରେ ସଫଳ ହେବା ସହ ୬ ଦିନ ପରେ ତାଙ୍କୁ ଡାକ୍ତରଖାନାରୁ ଘରକୁ ଯିବାକୁ ଅନୁମତି ମିଳିଛି ।

ବିଧାୟକଙ୍କ ପାଖ ଲୋକ କହି ବିଜେପି କର୍ମୀଙ୍କ ଗୁଣ୍ଡାଗର୍ଦ୍ଦି

ଦେବଗଡ଼: ଗୁଣ୍ଡାଗର୍ଦ୍ଦିର ସୀମା ଟପିଲେଣି ବିଜେପି କର୍ମୀ । ସରକାରୀ ଯୋଜନାରେ ଲାଭ ଉଠାଇବାକୁ କରୁଛନ୍ତି ଦାଦାଗିରି । ବିଧାୟକଙ୍କ ପାଖ ଲୋକ କହି ଅଞ୍ଚଳରେ ଗୁଣ୍ଡାଗିରି ଚଳାଇଛନ୍ତି । ଦେବଗଡ଼ ତିଳେଇବଣି ବ୍ଲକ ପାରପୋଷି ପଞ୍ଚାୟତ ରୁକୁଡା ଗାଁର ହରେଶ ନାୟକଙ୍କ ପୁଅ ସୂରଜ ନାୟକ ବିରୋଧରେ ଆସିଛି ଏମିତି ସାଂଘାତିକ ଅଭିଯୋଗ । ନିଜକୁ ବିଜେପିର ଜଣେ ସକ୍ରିୟ କର୍ମୀ କହିବା ସହ ବିଧାୟକ ସୁବାସ ପାଣିଗ୍ରାହୀଙ୍କ ପାଖ ଲୋକ କହି ବିଭିନ୍ନ ସମୟରେ ସରକାରୀ କର୍ମଚାରୀଙ୍କୁ ଧମକାଉଥିବା ଅଭିଯୋଗ ହୋଇଛି ।

ଗତକାଲି ଜିଲ୍ଲା ମତ୍ସ୍ୟ ବିଭାଗ ଅଧିକାରୀ ଭାବଗ୍ରାହୀ କିଷାନଙ୍କୁ ତାଙ୍କ ବାପାଙ୍କ ନାମରେ ଥିବା ଚାଷ ଜମିକୁ ପୋଖରୀ ଦର୍ଶାଇ ସବସିଡି ଟଙ୍କା ହଡ଼ପ କରିବାକୁ ଚାପ ପକାଇଥିଲେ । ତେବେ ଏହାକୁ ବେନିୟମ ଦର୍ଶାଇ ଅର୍ଥ ଦେବାକୁ ମନା କରିବାରୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହ ହତ୍ୟା ଧମକ ଦେଇଥିଲେ ସୂରଜ । ଘଟଣା ସମ୍ପର୍କରେ ଜିଲ୍ଲାପାଳ ସୌମେଶ ଉପାଧ୍ୟାୟଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଏସପି ପ୍ରମୋଦ ରଥଙ୍କ ନିକଟରେ ଅଭିଯୋଗ କରିଛନ୍ତି ମତ୍ସ୍ୟ ଅଧିକାରୀ । ଅଭିଯୋଗ ଆଧାରରେ ଦେବଗଡ଼ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ସରକାରୀ ଅଧିକାରୀଙ୍କ ଉପରେ ଆକ୍ରମଣ ହେଲେ ଦୋଷୀଙ୍କ ଉପରେ ଆଇନ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସପି ପ୍ରମୋଦ କୁମାର ରଥ କହିଛନ୍ତି ।

ଓଡ଼ିଶା ଜଗରନଟ୍ସର କୋଚ ଓ ଖେଳାଳିଙ୍କୁ ପ୍ରେରଣା ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡିଶା ଜଗରନଟ୍ସର କୋଚ ଓ ଖେଳାଳିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରେରଣା । ଆସନ୍ତାକାଲି ହେବାକୁ ଥିବା ଅଲଟିମେଟ ଖୋଖୋ ଲିଗ ଫାଇନାଲରେ ବିଜୟ ହାସଲ ଲାଗି ଦେଇଛନ୍ତି ଶୁଭେଚ୍ଛା । ଗୁଜରାଟ ଜିଆଣ୍ଟସ ସହ ମ୍ୟାଚରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ଓଡିଶା ଜଗରନଟସର କ୍ରୀଡ଼ା ନୈପୁଣ୍ୟକୁ ଭରପୂର ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ । ଗତକାଲିର ଏହି ମ୍ୟାଚରେ ଗୁଜରାଟ ଜିଆଣ୍ଟସକୁ ପରାସ୍ତ କରିଥିଲା ଓଡିଶା ଜଗରନଟସ ।

ଫାଇନାଲରେ ଯେପରି ଓଡିଶା ଜଗରନଟସ ଗୌରବ ବଜାୟ ରଖିବ ସେଥିଲାଗି ପ୍ରେରଣା ଦେଇଛନ୍ତି ସିଏମ । ଭିଡିଓ କନଫରେନ୍ସର ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା ପାଇ ବେଶ୍ ଉତଫୁଲ୍ଲିତ ହୋଇଛନ୍ତି କୋଚ ଓ କ୍ରୀଡାବିତ । ବାଜି ଜିଣିବାକୁ ଓଡିଶା ଜଗରନଟସ ସମସ୍ତ ଉଦ୍ୟମ କରିବ ବୋଲି ଆଶା ବ୍ୟକ୍ତ କରିଛନ୍ତି ଟିମ୍ । ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ ମୁଖ୍ୟ କୋଚ ଅଶ୍ବିନୀ କୁମାର ଶର୍ମା, ଉପକ୍ୟାପଟେନ ଦୀପେଶ ବିଜୟ ମୋରେ ଓ କ୍ରୀଡାବିତ ଜଗନ୍ନାଥ ମୁର୍ମୁ ।

ଜନସେବାକୁ ୨୫ ବର୍ଷ: ନବୀନ ପାଇବେ ପୁରସ୍କାର, ପ୍ରେରଣା ପାଇବ ଦେଶ

ନନ୍ଦିଘୋଷ ବ୍ୟୁରୋ: ନିଜ ଦୃଢ଼ ନେତୃତ୍ବ ପାଇଁ ଶ୍ରେଷ୍ଠ ଶାସକ ନବୀନ ପଟ୍ଟନାୟକଙ୍କୁ କ୍ୟାପିଟାଲ୍ ଫାଉଣ୍ଡସେନ୍ ସୋସାଇଟି ଦେବ ଜୀବନବ୍ୟାପୀ ସାଧନା ସମ୍ମାନ । ଦିଲ୍ଲୀସ୍ଥିତ ଇଣ୍ଡିଆ ଇଣ୍ଟରନ୍ୟାସନାଲ୍ ସେଣ୍ଟର ଅଡିଟୋରିୟମ ଠାରେ ଆସନ୍ତାକାଲି ଠିକ୍ ୧୦ଟାରେ ଆରମ୍ଭ ହେବ ଏହି କାର୍ଯ୍ୟକ୍ରମ । ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଏନ.ଭି ରମନ୍ନାଙ୍କ ଠାରୁ ମୁଖ୍ୟମନ୍ତ୍ରୀ ଏହି ସମ୍ମାନଜନକ ପୁରସ୍କାର ଗ୍ରହଣ କରିବେ। ଗର୍ବ ଓ ଗୌରବର ଏହି ମୁହୁର୍ତ୍ତକୁ ସ୍ମରଣୀୟ କରିବାକୁ ବିଜୁ ଜନତା ଦଳ କରିଛି ମେଗା ପ୍ଳାନ୍ । ଅଭିନନ୍ଦରର ବର୍ଷାରେ ଭିଜିବ ଓଡ଼ିଶା । ଦିଲ୍ଲୀକୁ ଦୁଲୁକାଇବେ ପ୍ରବାସୀ ଓଡ଼ିଆ ଓ ବିଜୁ ଜନତା ଦଳର ନେତା ଓ କର୍ମୀ ।

ଜୀବନବ୍ୟାପୀ ସାଧାନା ପାଇଁ ପୁରସ୍କାର ଗ୍ରହଣ କରିବା ପରେ ନବୀନ ଆସିବେ ଓଡ଼ିଶା ନିବାସ । ପ୍ରବାସୀ ଓଡ଼ିଆ ଓ ବିଜେଡି ନେତା ମୁଖ୍ୟମନ୍ତ୍ରୀଙ୍କୁ ଦେବେ ଭବ୍ୟ ସମ୍ବର୍ଦ୍ଧନା । ନୂଆ ଓଡ଼ିଶା ଗଠନର ଏହି ନିଃସ୍ବାର୍ଥପର ବିନ୍ଧାଣୀଙ୍କୁ ସମ୍ବର୍ଦ୍ଧିତ କରିବାର ଏହି ସୁବର୍ଣ୍ଣ ସୁଯୋଗକୁ ହାତ ଛଡ଼ା କରିବାକୁ ଚାହୁଁ ନାହାଁନ୍ତି ପ୍ରବାସୀ । ତେଣୁ ମନେ ରଖିବା ଭଳି ଏକ କାର୍ଯ୍ୟକ୍ରମ ଆୟୋଜନରେ ମାତିଛନ୍ତି ଦିଲ୍ଲୀରେ ରହୁଥିବା ଓଡିଆ। ଏହାପରେ ଏପିଜେ ଅବଦୁଲ୍ କଲାମ ରୋଡ୍ ସ୍ଥିତ ନବୀନ ପଟ୍ଟନାୟକଙ୍କ ବାସଭବନ ଆଗରେ ମଧ୍ୟ ସ୍ବାଗତ ସମ୍ବର୍ଦ୍ଧନା ପାଇଁ ଯୋଜନା ପ୍ରସ୍ତୁତ ହୋଇଛି । ଗୋଟିଏ ଦିନର ରହଣୀ ପରେ ମଙ୍ଗଳବାର ଦିଲ୍ଲୀରୁ ଭୁବନେଶ୍ବର ଫେରିବେ ନବୀନ । ସେପ୍ଟେମ୍ବର ୬ ତାରିଖକୁ ସ୍ମରଣୀୟ କରିବାକୁ ଖୁବ୍ ହୋଇଛି ପ୍ରସ୍ତୁତି ।

ଉଚ୍ଛ୍ବସିତ ଅଭିନନ୍ଦନ ପାଇଁ ସାରା ଓଡ଼ିଶା ଏକାଠି ହୋଇଛି ।ଭୋକର ଭୂଗୋଳରୁ ବଳକା ରାଜ୍ୟ । ଦୁଇ ଦଶନ୍ଧିର ଶାସନରେ ପରିବର୍ତ୍ତନର ସୁତ୍ରଧର ସାଜିଛନ୍ତି ନବୀନ ପଟ୍ଟନାୟକ । ପୂର୍ବରୁ ଶ୍ରେଷ୍ଠ ପ୍ରଶାସକ ଓ ଦୁଇ ଦୁଇ ଥର ଦେଶର ନମ୍ବର ୱାନ୍ ମୁଖ୍ୟମନ୍ତ୍ରୀ ସମ୍ମାନରେ ସମ୍ମାନୀତ ହୋଇଛନ୍ତି ନବୀନ । ଆଉ ଏଥର ଏହି ପୁରସ୍କାର କେବଳ ମୁଖ୍ୟମନ୍ତ୍ରୀ ବା ବିଜୁ ଜନତା ଦଳ ନୁହେଁ ସାରା ରାଜ୍ୟ ପାଇଁ ଆଣିବ ଗୌରବ  ।  ନବୀନ ପଟ୍ଟନାୟକ, ଓଡିଶାବାସୀଙ୍କ ଆଶା, ବିଶ୍ବାସ ଓ ଭରସାର ପ୍ରତୀକ । ରାଜନୀତି ତାଙ୍କ ପାଇଁ କ୍ଷମତା ଆହରଣ ନୁହେଁ । ଲୋକଙ୍କ ସେବା ଓ ରାଜ୍ୟର ବିକାଶ ହିଁ ଏକମାତ୍ର ବ୍ରତ । ୧୯୯୭ରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଦାୟଦ ଭାବେ ଜନସେବାରୁ ଆରମ୍ଭ ହେଲା ନବୀନଙ୍କ ରାଜନୈତିକ ଯାତ୍ରା । ନବୀନ ଓଡିଶା ଗଠନ ପାଇଁ ୨୦୦୦ ମସିହାରେ ଧରିଲେ ଶାସନ ଡୋରୀ । ତିଆରି ହେଲା ଓଡିଶା ବିକାଶର ନୂଆ ଅଧ୍ୟାୟ । ସାଢେ ଚାରି କୋଟି ଓଡିଶାବାସୀଙ୍କ ସେବାରେ ଗତ ୨୫ ବର୍ଷ ଧରି ନିରନ୍ତର ଭାବେ ନିଷ୍ଠା ଓ ଆନ୍ତରିକାତାର ସହ କାମ କରିଚାଲିଛନ୍ତି ନବୀନ ପଟ୍ଟନାୟକ । ଏହି ବର୍ଷ ହେଉଛି ନବୀନଙ୍କ ଲୋକସେବାର ରଜତ ଜୟନ୍ତୀ ଉତ୍ସବ ।

ପ୍ରକୃତ ସରକାର ଓ ପ୍ରଶାସନର ସଂଜ୍ଞା ନିରୂପଣ କଲେ ନବୀନ । ଅଭାବ ଅନଟନ, ଦାରିଦ୍ର୍ୟ, ଅନାହାର, ଅନଗ୍ରସର ଭଳି ଶବ୍ଦ ଯାହା ଓଡିଶାକୁ ସବୁବେଳେ ବିଶ୍ବ ଦରବାରରେ ନନ୍ଦିତ କରୁଥିଲା, ତାହା ଏବେ ଓଡ଼ିଶା ଶବ୍ଦକୋଷରୁ ବିଲୀନ ହୋଇ ଯାଇଛି । ବିଶ୍ବ ଦରବାରରେ ଓଡିଶା ଅନେକ କ୍ଷେତ୍ରରେ ମଡେଲ ଷ୍ଟେଟର ମାନ୍ୟତା ପାଇଛି । ବିପର୍ଯ୍ୟୟ ମୁକାବିଲା ହେଉ କି ସାଢେ ଚାରି କୋଟି ଓଡିଆଙ୍କ ପାଇଁ ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରିବା, ସାରା ବିଶ୍ବ ଓଡିଶା ମଡେଲକୁ ପ୍ରଶଂସା କରୁଛି । ମିଶନ ଶକ୍ତି ଜରିଆରେ ୭୦ ଲକ୍ଷ ମହିଳାଙ୍କ ସଶକ୍ତିକରଣ ଠାରୁ ଆରମ୍ଭ କରି ଅଭେଦ୍ୟ ମାଓଗଡକୁ ସ୍ବାଭିମାନ ଅଞ୍ଚଳରେ ରୂପାନ୍ତରିତ କରିବା। ଚାଷୀଙ୍କ ପାଇଁ କାଳିଆ , 5T ଓ ମୋ ସରକାର ।

ପୁଂଜିନିବେଶର ହବ୍‌ ଭାବେ ଗଢିତୋଳିବା, କ୍ରିଡା ରାଜଧାନୀ ଭାବେ ପ୍ରତିଷ୍ଠିତ କରିବା, ଦକ୍ଷତା ବିକାଶ ଜରିଆରେ ଲକ୍ଷ ଲକ୍ଷ ଓଡିଆ ଯୁବକ ଯୁବତୀଙ୍କୁ ଆତ୍ମନିର୍ଭରଶୀଳ କରିବା, ଜାଗା ମିଶନ ଜରିଆରେ ବସ୍ତିବାସିନ୍ଦାଙ୍କୁ ଜମି ଅଧିକାର ପ୍ରଦାନ ଭଳି ଲୋକାଭିମୁଖୀ ଯୋଜନା ରାଜ୍ୟ ସରକାରଙ୍କ ଅଦମ୍ୟ ଇଚ୍ଛାଶକ୍ତି ଓ ଆନ୍ତରିକତାକୁ ପ୍ରମାଣିତ କରୁଛି । ଆଉ ସେଇଥିପାଇଁ ରାଜ୍ୟବାସୀ ନୂଆ ଓଡିଶାର ବିନ୍ଧାଣୀ ତଥା ବିକାଶପୁରୁଷ ନବୀନ ପଟ୍ଟନାୟକଙ୍କୁ ଗତ ୨୫ ବର୍ଷ ଧରି ନିଜର ଜନନେତା ଭାବେ ବାଛି ଆସୁଛନ୍ତି । ଜୀବନବ୍ୟାପୀ ସେବା ଓ ସଂଘର୍ଷ ପାଇଁ କ୍ୟାପିଟାଲ୍ ଫାଉଣ୍ଡସନ ପକ୍ଷରୁ ନବୀନଙ୍କୁ ଲାଇଫ ଟାଇମ୍‌ ଆଚିଭମେଣ୍ଟ ଆୱାର୍ଡ ପ୍ରଦାନ କରାଯାଉଛି । ଗତ ଦୁଇ ବର୍ଷ ଧରି କୋଭିଡ ମହାମାରୀ ଯୋଗୁ ବିଜେଡି ମୁଖ୍ୟମନ୍ତ୍ରୀଙ୍କ ଏସବୁ ସଫଳତାକୁ ନେଇ ସେଲିବ୍ରେସନ କରିପାରୁନଥିଲା ।

ଏଥର ଜୀବନବ୍ୟାପୀ ସଂଘର୍ଷ, ରାଜ୍ୟବାସୀଙ୍କ ପ୍ରତି ତାଙ୍କର ଭଲପାଇବା, ନିଷ୍ଠା ଓ ଆନ୍ତରିକତା ପାଇଁ ନବୀନଙ୍କୁ ଅଭିନନ୍ଦନ ଜଣାଇବାର ସୁଯୋଗ ଆସିଛି । ଓଡିଶାବାସୀଙ୍କ ସେବାର ରଜତ ଜୟନ୍ତୀ ଓ ପ୍ରତି କ୍ଷେତ୍ରରେ ପ୍ରତି ପରିବାରର ବିକାଶ ଓ ସାମଗ୍ରୀକ ଭାବେ ରାଜ୍ୟର ରୂପାନ୍ତରଣକୁ ସେଲିବ୍ରେଟ କରିବ ବିଜେଡି । ଓଡିଶା କିମ୍ବା ଦେଶ ଇତିହାସରେ ଏଭଳି ଜଣେ ଅଭୂତପୂର୍ବ ଜନନାୟକ କେବେ ସୃଷ୍ଟି ହୋଇନଥିଲେ । ସେ ଅତୁଳନୀୟ ଓ ଅନନ୍ୟ । ସେ ଜଣେ ରାଷ୍ଟ୍ରନାୟକ ଓ ନେତୃତ୍ବ ନେବାର ଅସାଧାରଣ ଦକ୍ଷତା ରହିଛି ତାଙ୍କର । ନବୀନ ପଟ୍ଟନାୟକଙ୍କ ଏକମାତ୍ର ସ୍ବାର୍ଥ – ଏକ ନୂଆ ଓ ସଶକ୍ତ ଓଡିଶା ଗଠନ । ତେଣୁ Life Time Achievient Award ପାଇଁ ଯଥାର୍ଥରେ ଯେ, ସେ ଯୋଗ୍ୟ ଜନସେବକ ଏହା କହିବା ବାହୁଲ୍ୟ ।