ବେଟିଂ ବିଜ୍ଞାପନ ନଦେଖାଇବା ପାଇଁ ଡିଜିଟାଲ ପ୍ଲାଟଫର୍ମ ଓ ଟିଭି ଚ୍ୟାନେଲକୁ କେନ୍ଦ୍ରର ପରାମର୍ଶ

ନୂଆଦିଲ୍ଲୀ: ବେଟିଂ ବିଜ୍ଞାପନ ଉପରେ ଭାରତ ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ନୂଆ ୱେବସାଇଟ୍, ଓଟିଟି ପ୍ଲାଟଫର୍ମ ଏବଂ ପ୍ରାଇଭେଟ ସାଟେଲାଇଟ ଟିଭି ଚ୍ୟାନେଲକୁ ବେଟିଂ ସାଇଟର ବିଜ୍ଞାପନ ପ୍ରସାରଣ କରିବାଠୁ ଦୂରରେ ରହିବା ପାଇଁ କେନ୍ଦ୍ର ପରାମର୍ଶ ଦେଇଛି । ଏନେଇ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଏକ ଆଡଭାଇଜରି ଜାରି କରିଛି । ମନ୍ତ୍ରଣାଳୟ ନେଟଫ୍ଲିକ୍ସ, ହଟଷ୍ଟାର ଏବଂ ଆମାଜନ ପ୍ରାଇମ ଭିଡିଓ ଭଳି ଓଟିଟି ପ୍ଲାଟଫର୍ମ ସହ ଘରୋଇ ସାଟେଲାଇଟ ଟିଭି ଚ୍ୟାନେଲରେ ବେଟିଂ ବିଜ୍ଞାପନକୁ ଦେଖାଇବା ବିରୋଧରେ ଏହି କଡ଼ା ପରାମର୍ଶ ଜାରି କରିଛି ।

ଏଥିରେ କୁହାଯାଇଛି ଯେ ଯଦି ସରକାରଙ୍କ ପରାମର୍ଶ ପାଳନ ନକରାଯାଏ ତେବେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଆଡଭାଇଜରିରେ କୁହାଯାଇଛି ଯେ, ବେଟିଂ ପ୍ଲାଟଫର୍ମର ପ୍ରମୋସନାଲ କଣ୍ଟେଣ୍ଟ ଏବଂ ବିଜ୍ଞାପନ ଏବେ ବି କିଛି ନ୍ୟୁଜ ପ୍ଲାଟଫର୍ମ ଏବଂ ଓଟିଟି ପ୍ଲାଟଫର୍ମରେ ପ୍ରଦର୍ଶିତ କରାଯାଉଛି ।  ଏବଂ ଦେଖାଯାଇଛି ଯେ, କିଛି ଅନଲାଇନ ବେଟିଂ ପ୍ଲାଟଫର୍ମ ଡିଜିଟାଲ ମିଡିଆରେ ବେଟିଂର ବିଜ୍ଞାପନ କରିବା ପାଇଁ ଏକ ସରୋଗେଟ ପ୍ରଡକ୍ଟ ରୂପରେ ସମାଚାର ୱେବସାଇଟକୁ ବ୍ୟବହାର କରିବା ଆରମ୍ଭ କରିଦେଇଛି ।

ବେଟିଂ ଏବଂ ଜୁଆ ଭାରତର ଅଧିକାଂଶ ଅଞ୍ଚଳରେ ବେଆଇନ କାର୍ଯ୍ୟାକଳାପ ଭାବେ ଘୋଷଣା କରାଯାଇଛି । ସରକାର ନିଜ ଆଡଭାଇଜରିରେ କହିଛନ୍ତି, ଉପଭୋକ୍ତା ସଂରକ୍ଷଣ ଅଧିନିୟମ ୨୦୧୯ ଆଧାରରେ ଭ୍ରମାତ୍ମକ ବିଜ୍ଞାପନ ଏବଂ ସମର୍ଥନକୁ ରୋକିବା ପାଇଁ ନିର୍ଦ୍ଦେଶାବଳୀର ପାରାଗ୍ରାଫ ୯ ଅନୁଯାୟୀ ଏହା ଦେଖାଯାଇଛି ଯେ ଯେହେତୁ ବେଟିଂ ଏବଂ ଜୁଆ ବେଆଇନ ଅଟେ, ଏଥିପାଇଁ ଅନଲାଇନ ଅଫଶୋର ବେଟିଂ ଏବଂ ଜୁଆ ପ୍ଲାଟଫର୍ମର ବିଜ୍ଞାପନ ମଧ୍ୟ ନିଷିଦ୍ଧ ଅଟେ ।

ଉଲ୍ଲେଖଯୋଗ୍ୟ, ଭାରତରେ ବେଟିଂ କାରଣରୁ ଯୁବଗୋଷ୍ଠୀ ପ୍ରଥଭ୍ରଷ୍ଟ ହେବା ସହ ଜୀବନ ହାରୁଛନ୍ତି । ଅନେକ ଘଟଣା ସାମ୍ନାକୁ ଆସିଛି ଯେଉଁଠି ଜଣାଯାଇଛି ଯେ ବେଟିଂରେ ଅର୍ଥ ଲଗାଇ ହାରିଯିବାରୁ ଯୁବକ ଆତ୍ମହତ୍ୟା କରୁଛନ୍ତି । ଧନ ଓ ଜୀବନ ସୁରକ୍ଷିତ କରିବା ପାଇଁ କେନ୍ଦ୍ର ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି ।