୨୫ ହଜାର ଋଷ ସୈନିକଙ୍କୁ ଘେରିଲା ୟୁକ୍ରେନ

କିଭ: ୟୁକ୍ରେନରେ ଋଷକୁ ବଡ଼ ଝଟକା । ଦଖଲରେ ଥିବା ଗୋଟିଏ ପରେ ଗୋଟିଏ ଅଞ୍ଚଳ ଯାଉଛି ଋଷ ହାତରୁ । ଦକ୍ଷିଣାଞ୍ଚଳ ଅନ୍ତର୍ଗତ ଦିନିପ୍ରୋ ନଦୀ ନିକଟସ୍ଥ ବିଭିନ୍ନ ସହରକୁ କବଜା କରିଛି ୟୁକ୍ରେନ । କିଛି ଦିନ ଧରି ଋଷ କବଜାରେ ଥିଲା ଏହି ଅଞ୍ଚଳ । ଦିନିପ୍ରୋ ନିକଟରେ ପ୍ରାୟ ୨୫ ହଜାର ଋଷୀୟ ସୈନ୍ୟ ରହିଥିବାବେଳେ ସେମାନେ ମୁକୁଳିବାର ବାଟ ପାଉନାହାନ୍ତି । ଦିନପ୍ରୋରୁ ବାହାରକୁ ଯିବା ଲାଗି ଥିବା ପ୍ରମୁଖ ବ୍ରିଜ ଗୁଡିକୁ ଧ୍ବଂସ କରିଦେଇଛି ୟୁକ୍ରେନ ।

ୟୁକ୍ରେନର ଖେରସନ, ଲୁଗାନସ୍କ, ଦୋନେସ୍କ ଓ ଜାପୋରିଜିୟାକୁ ଋଷ ନିଜ ସୀମାରେ ମିଶାଇ ଦେବା ପରେ ଉଗ୍ର ହୋଇଥିଲା ଋଷ । ତେବେ ଦିନିପ୍ରୋର ଅନେକ ଅଞ୍ଚଳକୁ ପୁଣି କବଜା କରିଛ ୟୁକ୍ରେନ । ଜୋଲୋତା ବାଲକାକୁ ୟୁକ୍ରେନ ପୁଣି କବଜା କରିଥିବାବେଳେ ସେଠାରେ ୟୁକ୍ରେନ ସୈନ୍ୟ ଉଡାଇଛନ୍ତି ଜାତୀୟ ପତାକା । ବଡ଼କଥା ହେଉଛି ଦିନିପ୍ରୋରେ ୟୁକ୍ରେନ ସୈନ୍ୟ ଯଦି ଘେରାବନ୍ଦୀ କରନ୍ତି ତେବେ ଋଷର ହଜାର ହଜାର ସୈନ୍ୟଙ୍କ ଜୀବନ ବିପନ୍ନ ହେବ । ତେଣେ ଇଜିୟମ ସହରରେ ଠାବ ହୋଇଛି ୧୦ଟି ନିର୍ଯାତନାସ୍ଥଳୀ । ସେଠାରେ ୟୁକ୍ରେନୀୟ ସୈନ୍ୟଙ୍କୁ ଋଷ ସୈନ୍ୟ ଅକଥନୀୟ ଅତ୍ୟାଚାର କରୁଥିବା ସୂଚନା ମିଳିଛି ।