ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ ଫୋନରେ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ଦୁଇ ସପ୍ତାହ ତଳେ ପରମାଣୁ ଯୁଦ୍ଧ ଧମକ ପରେ ୟୁକ୍ରେନ ଉପରେ ଜୋରଦାର ହମଲା କରୁଛି ରୁଷ । ଏପରି ସ୍ଥିତିରେ ୟୁକ୍ରେନର ପରମାଣୁ ପ୍ଲାଣ୍ଟର ସୁରକ୍ଷା ନେଇ ଚିନ୍ତା ଜାହିର କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ ଆଜି ଫୋନରେ କଥା ହୋଇ ପରମାଣୁ ପ୍ଲାଣ୍ଟର ସୁରକ୍ଷା ନେଇ ଚିନ୍ତା ପ୍ରକଟ କରିଛନ୍ତି । ଶୀଘ୍ର ରୁଷ ସହ ଶତ୍ରୁତା ଶେଷ କରିବାକୁ ଜେଲେନସ୍କିଙ୍କୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

ଫୋନରେ ଦୁଇ ନେତା ଯୁଦ୍ଧ ନେଇ ବିସ୍ତୃତ ଆଲୋଚନା କରିଛନ୍ତି । ଯୁଦ୍ଧ କୌଣସି ସମାଧାନର ରାସ୍ତା ନୁହେଁ ବୋଲି ମୋଦି ଦୋହରାଇବା ସହ କୂଟନୀତିସ୍ତରରେ ଆଲୋଚନା କରି ସମସ୍ୟାର ସମାଧାନ କରିବାକୁ ମୋଦି ଜେଲେନସ୍କିଙ୍କୁ ପରାମର୍ଶ ଦେଇଛନ୍ତି । ପରମାଣୁ ପ୍ରତିଷ୍ଠାନ ଉପରେ ଆକ୍ରମଣ ହେଲେ ଏହା ସାରା ଦେଶକୁ ପ୍ରଭାବିତ କରିବ । ତେଣୁ ଏହା ଉପରେ ସ୍ବତନ୍ତ୍ର ନଜର ରଖିବାକୁ ହେବ ।

ପରିବେଶ, ସ୍ବାସ୍ଥ୍ୟ କ୍ଷତିଗ୍ରସ୍ତ ହେବ । ଭାରତ ଶାନ୍ତି ଚାହେଁ । ଶାନ୍ତି ସ୍ଥାପନ ପାଇଁ ସମସ୍ତ ଉଦ୍ୟମରେ ଭାରତ ସାମିଲ ହେବ ବୋଲି ମୋଦି ଜେଲେନସ୍କିଙ୍କୁ ବୁଝାଇ କହିଛନ୍ତି । ମିଳିତ ଜାତିସଂଘ ସଂହିତା, ଅନ୍ତର୍ଜାତୀୟ ଆଇନ, ସବୁ ଦେଶର ସାର୍ବଭୌମତ୍ବ ବଜାୟ ରଖିବାକୁ ମଧ୍ୟ ଏହି ଅବସରରେ ପରାମର୍ଶ ଦେଇଛନ୍ତି ।