ଦକ୍ଷିଣ ଆଫ୍ରିକା ବିପକ୍ଷ ଶେଷ ଟି-୨୦ ମ୍ୟାଚ୍ ହାରିଲା ଭାରତ

1 min read

ଇନ୍ଦୋର: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ତିନି ମ୍ୟାଚ ବିଶିଷ୍ଠ ଟି-୨୦ ସିରିଜର ଶେଷ ମ୍ୟାଚରେ ଭାରତ ୪୯ରନରେ ପରାଜିତ ହୋଇଛି । ଦକ୍ଷିଣ ଆଫ୍ରାକା ଟିମ୍ ୪୯ ରନରେ ଏହି ମ୍ୟାଚ ଜିତିନେଇଛି । ଅବଶ୍ୟ ଟିମ୍ ଇଣ୍ଡିଆ ୨-୧ରେ ସିରିଜ୍ ନିଜ ନାଁରେ କରିଛି । ଆଜିର ମ୍ୟାଚରେ ଭାରତ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା । ଦକ୍ଷିଣ ଆଫ୍ରିକା ଟିମ୍ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୩ ୱିକେଟ୍ ହରାଇ ୨୨୭ ରନ୍ କରିଥିଲା । ରାଇଲି ରୁସି ନିଜ ପ୍ରଥମ ଟି-୨୦ ଅନ୍ତର୍ଜାତୀୟ କ୍ୟାରିଅରର ପ୍ରଥମ ଶତକ ମାରିଥିଲେ ।

୪୮ ବଲରେ ସେ ୧୦୦ ରନର ଇନିଂସ ଖେଳିଥିଲେ । ସେହିପରି କ୍ୱିଣ୍ଟନ ଡିକକ ୪୩ ବଲରେ ୬୮ ରନ୍ ସଂଗ୍ରହ କରି ଆଉଟ୍ ହୋଇଥିଲେ । ଭାରତ ପକ୍ଷରୁ ବୋଲର ଦୀପକ ଚହର ଓ ଉମେଶ ଯାଦବ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ । ଜବାବରେ ଟିମ୍ ଇଣ୍ଡିଆ ୧୮.୩ ଓଭରରେ ନିଜର ସମସ୍ତ ୱିକେଟ୍ ହରାଇ ୧୭୮ ରନ୍ କରି ମ୍ୟାଚରେ ପରାଜିତ ହୋଇଛି । ଭାରତ ପାଇଁ ସର୍ବାଧିକ ରନ୍ ଦିନେଶ କାର୍ତ୍ତିକ କରିଥିଲେ । ୨୧ ବଲ୍ ଖେଳି ୪୬ ରନର ପାରି ଖେଳିଥିଲେ ।

ସେହିପରି ଦୀପକ ଚହର ୧୭ ବଲରେ ୩୧ ରନ୍ କରିଥିଲେ । ଆଜିର ମ୍ୟାଚରେ ଭାରତର କୌଣସି ବି ବ୍ୟାଟ୍ସମ୍ୟାନ ଅର୍ଦ୍ଧଶତକ କରିବାରେ ସକ୍ଷମ ହୋଇନଥିଲେ । ଭାରତୀୟ ଦଳକୁ ପ୍ରଥମ ଝଟକା ରୋହିତ ଶର୍ମାଙ୍କ ରୂପରେ ପ୍ରଥମ ଓଭରର ଦ୍ୱିତୀୟ ବଲରେ ଲାଗିଥିଲା । ରବାଡାଙ୍କ ବଲରେ ରୋହିତ ବୋଲ୍ଡ ଆଉଟ୍ ହୋଇଯାଇଥିଲେ । ଏହାପରେ ଶ୍ରେୟସ ଆୟର ମଧ୍ୟ ସେତେଟା ଭଲ ପ୍ରଦର୍ଶନ କରିପାରିନଥିଲେ ।

୪ଟି ବଲରେ ଏକ ରନ୍ କରି ଆଉଟ୍ ହୋଇଯାଇଥିଲେ । ରିଷଭ ଭଲ ଆରମ୍ଭ କରିଥିଲେ ସତ ହେଲେ ତାକୁ ଜାରି ରଖିପାରିନଥିଲେ । ୧୪ ବଲ୍ ଖେଳି ୨୭ ରନ୍ କରି ଆଉଟ୍ ହୋଇଯାଇଥିଲେ । ଭଲ ଫର୍ମରେ ଥିବା ସୂର୍ଯ୍ୟକୁମାର ମଧ୍ୟ ମାତ୍ର ୮ ରନ୍ କରି ଆଉଟ୍ ହୋଇଯାଇଥିଲେ । ଦକ୍ଷିଣ ଆଫ୍ରିକା ପକ୍ଷରୁ ଡ୍ୱେନ ପ୍ରେଟୋରିଅସ୍ ସର୍ବାଧିକ ୩ଟି ୱିକେଟ୍ ନେଇଥିଲେ । ସେହିପରି ପାର୍ଣ୍ଣେଲ, ନିଙ୍ଗଡି ଏବଂ କେଶଭ ମହାରାଜ ୨ଟି ଲେଖାଏଁ ୱିକେଟ୍ ଅକ୍ତିଆର କରିଥିବା ବେଳେ ରବାଡା ଗୋଟିଏ ୱିକେଟ୍ ନେଇଥିଲେ ।