spot_img
Home Blog Page 4049

ସଂସଦରେ କିଛି ଶବ୍ଦ ଉପରେ ପ୍ରତିବନ୍ଧକକୁ ନେଇ ବିବାଦ; ବିରୋଧୀ କହିଲେ ଏସବୁ ଶବ୍ଦର ବ୍ୟବହାର ଜାରି ରଖିବୁ

ନୂଆଦିଲ୍ଲୀ: ରାଜ୍ୟସଭା ଏବଂ ଲୋକସଭା ସଂସଦରେ ବ୍ୟବହୃତ କିଛି ଶବ୍ଦକୁ ଅସଂସଦୀୟ ମାନ୍ୟତା ଦିଆଯାଇଛି । ଆଗକୁ ଏହି ଶବ୍ଦ ସାଂସଦମାନେ ସଂସଦରେ ବ୍ୟବହାର କରିପାରିବେନାହିଁ । ତେବେ କଂଗ୍ରେସ ଏବଂ ତମାମ ବିରୋଧୀ ଦଳ କିନ୍ତୁ ଏହାକୁ ମାନିବା ପାଇଁ ନାରାଜ । ମୌସୁମୀ ଅଧିବେସନରେ ଏହି ସବୁ ଶବ୍ଦର ବ୍ୟବହାର ଦୁଇଟି ଯାକ ଗୃହରେ କରିବ ବୋଲି କଂଗ୍ରେସ ସ୍ପଷ୍ଟ ଭାବେ କହିଛି । ରାଜ୍ୟସଭାରେ ବିରୋଧୀ ଏବଂ କଂଗ୍ରେସର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି, ଏସବୁ ଶବ୍ଦ ଅସଂସଦୀୟ ନୁହେଁ ଏବଂ ଯାହା ଅସଂସଦୀୟ ନୁହେଁ ତାର ବ୍ୟବହାର ଅବଶ୍ୟ କରିବୁ । ଖଡଗେ କହିଛନ୍ତି, ବିଜେପି ପୂର୍ବରୁ ଏହି ସବୁ ଶବ୍ଦର ବ୍ୟବହାର କରିଛି ତେବେ ଆମେ କଣ ପାଇଁ ନକରିବୁ । କଂଗ୍ରେସର ମିଡିଆ ସେଲର ମହାସଚିବ ଜୟରାମ ରମେଶ କହିଛନ୍ତି, କଂଗ୍ରେସ ଏହି ସବୁ ଶବ୍ଦର ବ୍ୟବହାର କରିବ । ସେହିପରି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଏକ ଟ୍ୱିଟ କରି କହିଛନ୍ତି, ନିଉ ଇଣ୍ଡିଆ ପାଇଁ ଏବେ ନୂଆ ଡିକ୍ସିନାରୀ ।

ଅନ୍ୟପକ୍ଷରେ ଟିଏମସି ନେତା ଡେରେକ ଓବ୍ରାଏନ ଟ୍ୱିଟ କରି କହିଛନ୍ତି, ଏବେ ଆମେ ସଂସଦରେ ଭାଷଣ ଦେଲାବେଳେ ସାମାନ୍ୟ ଶବ୍ଦର ବ୍ୟବହାର ଉପରେ ରୋକ ଲାଗିବ  । ତେବେ ମୋତେ ନିଲମ୍ବନ କରନ୍ତୁ କିମ୍ବା ଜେଲ ପଠାନ୍ତୁ ହେଲେ ଏହି ଶବ୍ଦର ବ୍ୟବାହର ମୁଁ କରିବି  । ସେହିପରି ଶିବସେନା ସାଂସଦ, ପ୍ରିୟଙ୍କା ଚତୁର୍ବେଦୀ ମଧ୍ୟ ଟ୍ୱିଟ କରି ଏହି ନୂଆ ନିୟମକୁ ନେଇ କେନ୍ଦ୍ର ବିରୋଧରେ ବର୍ଷିଛନ୍ତି । ସେ କହିଛନ୍ତି, ସରକାର ଚାହୁଁଛନ୍ତି ଯେ, ଦୁର୍ନୀତି କଲେ ଆମେ ତାକୁ ଦୁର୍ନୀତି ନକହି ମାଷ୍ଟରଷ୍ଟ୍ରୋକ କହିବୁ । ୨ କୋଟି ରୋଜଗାର, କୃଷକଙ୍କ ଆୟ ଦ୍ବିଗୁଣା ଭଳି କେନ୍ଦ୍ରର ଜୁମଲାକୁ ଜୁମଲାବାଜୀ ନକହି ଥ୍ୟାଙ୍କୟୁ କୁହାଯିବ । ବିଜେପି ପ୍ରଥମେ ସଂସଦରେ କୃଷକଙ୍କ ପାଇଁ ଆନ୍ଦୋଳନଜୀବୀ ଶବ୍ଦର ବ୍ୟବହାର କରିଥିଲା  । ଆଉ ଏବେ ସରକାର ନିଜକୁ ଭର୍ସନାରୁ ରକ୍ଷା କରିବା ପାଇଁ ଏହି ସବୁ ଶବ୍ଦ ବ୍ୟବହାର ଉପରେ ରୋକ୍ ଲଗାଇ ଦେଇଛନ୍ତି  ।

ଲୋକସଭା ସଚିବାଳୟ ପକ୍ଷରୁ ଜାରି ବୁକଲେଟରେ ଶକୁନି, ତାନାଶାହ, ତାନାଶାହି, ଜୟଚନ୍ଦ, ବିନାଶ ପୁରୁଷ, ଜୁମଲାବାଜୀ, ବାଲବୁଦ୍ଧି, ଦୋହରା ଚରିତ୍ର, ନିକ୍କମା, ନୌଟଙ୍କୀ, ଧିନ୍ଦୋରା, ପିଟନା, ବେହରି ସରକାର, ଚାମଚା, ଚାମଚାଗିରି, ଚେଲା, ଘଡିଆଲି ଆଶୁ, ଅପମାନ, ଅସତ୍ୟ, ଅହଙ୍କାର, କାଲାଦିନ, କଲାବଜାରୀ, ବିଶ୍ୱାସଘାତ ଭଲି ହିନ୍ଦୀ ଶବ୍ଦ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଯାଇଛି । ସେହିପରି ବ୍ଲଡ୍ ସେଡ୍, ବ୍ଲଡି, ବିଟ୍ରେଡ, ଆସେମ୍ଡ, ଆବ୍ୟୁଜଡ, ଚିଟେଡ, ଚାଇଲ୍ଡିସନେସ୍, କରପ୍ଟ, କାୱାର୍ଡ, କ୍ରିମିନାଲ, କ୍ରୋକଡାଇଲ ଟିୟର୍ସ, ଡଙ୍କି, ଗୁନ୍ ଇତ୍ୟାଦି ଇଂରେଜୀ ଶବ୍ଦକୁ ଅସଂସଦୀୟ ଶବ୍ଦ ଭାବେ ତାଲିକାଭୁକ୍ତ କରାଯାଇଛି  । ଯଦି କୌଣସି ସାଂସଦ ସଂସଦ ଚାଲୁଥିବା ସମୟରେ ଏହି ଶବ୍ଦର ବ୍ୟବହାର କରନ୍ତୁ ତେବେ ତାଙ୍କୁ ଗୃହରୁ ବାହାର କରାଯିବ । ସୂଚନାଥାଉକି, ଲୋକସଭା ସଚିବାଳୟ ଅଂସଦୀୟ ଶବ୍ଦ ୨୦୨୧ ଶୀର୍ଷକ ଆଧାରରେ ଶବ୍ଦ ଏବଂ ବାକ୍ୟର ଏକ ନୂଆ ସଙ୍କଳନ ପ୍ରସ୍ତୁତ କରିଛନ୍ତି ଯାହାକୁ ଅଂସସଦୀୟ ଅଭିବ୍ୟକ୍ତି ଶ୍ରେଣୀରେ ରଖାଯାଇଛି । ସୂଚନାଯୋଗ୍ୟ, ଜୁଲାଇ ୧୮ ତାରିଖରୁ ମୌସୁମୀ ଅଧିବେଶନ ଆରମ୍ଭ ହେବ  ।

ମାନବ ଚାଲାଣ ମାମଲାରେ ଦଲେର ମେହନ୍ଦୀଙ୍କୁ ଦୁଇ ବର୍ଷ ଜେଲ୍

ପଟିଆଲା: ପ୍ରସିଦ୍ଧ ସିଙ୍ଗର ଦଲେର ମେହନ୍ଦୀଙ୍କୁ ଦୁଇ ବର୍ଷ ଜେଲ ଦଣ୍ଡାଦେଶ । ମାନବ ଚାଲାଣ ମାମଲାରେ ଦୁଇ ବର୍ଷା ସଜ୍ଜା ଶୁଣାଇଲେ ପଟିଆଲା କୋର୍ଟ । କୋର୍ଟଙ୍କ ରାୟ ପରେ ତାଙ୍କୁ ଗରଫ କରାଯାଇଛି । ଏହା ୨୦୦୩ କବୁତରବାଜୀ ମାମଲା । ଏଥିରେ ଦଲେର ମେହନ୍ଦୀ ଏବଂ ତାଙ୍କ ଭାଇଙ୍କ ନାଁରେ ୩୧ଟି ମାମଲା ରୁଜୁ ହୋଇଥିଲା ।

୨୦୦୩ରେ ଦଲେର ମେହନ୍ଦୀଙ୍କ ବିରୋଧରେ ଲୋକଙ୍କୁ ବେଆଇନ ଭାବେ ବିଦେଶ ପଠାଇବା ନେଇ ମାମଲା ରୁଜୁ ହୋଇଥିଲା । ଏଥିପାଇଁ ସେ ଲୋକଙ୍କ ପାଖରୁ ମୋଟା ଟଙ୍କା ଆଦାୟ କରିଥିଲେ । ୧୯୯୮ ଓ ୧୯୯୯ ମଧ୍ୟରେ ସେ ପାଖାପାଖି ୧୦ ଜଣ ଲୋକଙ୍କ ପାଖରୁ ଟଙ୍କା ନେଇ ସେମାନଙ୍କୁ ଫ୍ରାଙ୍କସିକୋ ଓ ନ୍ୟୁ ଜର୍ସିରେ ଛାଡି ଦେଇଥିବା ଅଭିଯୋଗ ଲାଗିଥିଲା । ଏହାପରେ ଦଲେର ମେହନ୍ଦୀ ଓ ତାଙ୍କ ସ୍ବର୍ଗତ ଭାଇ ଶମଶେର ସିଂଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା । ଏହାସହ ଗୋଟିଏ ପରେ ଗୋଟିଏ ପ୍ରାୟ ୩୫ଟି ମାମଲା ପଦାକୁ ଆସିଥିଲା ।

ଲୋକଙ୍କୁ ବିଦେଶ ନେବା ପାଇଁ ଦୁଇ ଭାଇ ପାସେସ ମନି ବାବଦକୁ ଏକ କୋଟି ଟଙ୍କା ଦାବି କରୁଥିଲେ ।  ଅଭିଯୋଗ ଅନୁସାରେ ଡିଲ୍ ପୂରଣ ନହେଲେ ସେମାନଙ୍କୁ ଟଙ୍କା ଫେରାଉ ନଥିଲେ ଦୁଇଭାଇ ।

୨୦୦୬ରେ ଦିଲ୍ଲୀ ସ୍ଥିତ ତାଙ୍କ ଅଫିସରେ ଚଢାଉ କରାଯାଇଥିଲା । ସେଠାରୁ କିଛି ଫାଇଲ ସହ ପାସେଜ ମନି ଜବତ କରାଯାଇଥିଲା । ୨୦୧୮ରେ ପଟିଆଲା କୋର୍ଟ ଦଲେରଙ୍କୁ ୨୦୦୩ ମାନବ ଚାଲାଣ ମାମଲାରେ ଦୋଷୀ ପାଇବା ସହ ୨ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଥିଲେ । ରାୟ ପ୍ରକାଶର ମାତ୍ର ୩୦ ମିନିଟ ପରେ କୋର୍ଟରୁ ତାଙ୍କୁ ଜାମିନ ମିଳିଯାଇଥିଲା ।

ସ୍ଲମ୍ ଡଗ୍ ମିଲେନିୟରର ଲତିକା ଏବେ କ’ଣ କରୁଛନ୍ତି ?

ନୂଆଦିଲ୍ଲୀ: ସ୍ଲାମ୍ ଡଗ୍ ମିଲେନିୟର ‘ଜୟ ହୋ…’ ଗୀତ ଶୁଣିଲେ ଆଖି ଆଗକୁ ଆସିଯାଏ ଫିଲ୍ମରେ ଲତିକାର ପିଲା ବେଳ ରୋଲ୍ କରିଥିବା ରୁବିନା ଅଲ୍ଲୀଙ୍କ ଚେହେରା ।  ଫିଲ୍ମରେ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଥିବା ଲତିକା ଓରଫ ରୁବିନା ଏବେ କ’ଣ କରୁଛନ୍ତି ? କେମିତି ଅଛନ୍ତି ? ଫିଲ୍ମର ଏହି ଚାଇଲ୍ଡ ଆର୍ଟିଷ୍ଟ ବହୁତ ବଡ଼ ହୋଇଗଲେଣି । ଆସନ୍ତୁ ଜାଣିବା ସ୍ଲମ୍ ଡଗ୍ ମିଲେନିୟର ପାଇଁ ସ୍କ୍ରିନ୍ ଆକ୍ଟ୍ରେସ ଗିଲ୍ଡ ସମ୍ମାନରେ ସମ୍ମାନିତ ରୁବିନା ଏବେ କ’ଣ କରୁଛନ୍ତି ।

୨୦୧୯ରେ ସ୍ଲମ୍ ଡଗ୍ ମିଲେନିୟରର ୧୦ ବର୍ଷ ପୂର୍ତ୍ତି ଅବସରରେ ଏ.ଆର. ରେହେମାନଙ୍କ ସହ କିଛି ପିଲାଙ୍କର ଏକ ଫଟୋ ଭାଇରାଲ ହୋଇଥିଲା । ଏଥିରେ ଥିବା ଜଣେ ଯୁବତୀ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସେ ଯୁବତୀ ଆଉ କେହି ନୁହଁନ୍ତି, ଫିଲ୍ମର ଚାଇଲ୍ଡ ଆର୍ଟିଷ୍ଟ ଲତିକା ଥିଲେ । ଯିଏ ଏବେ ୨୨ ବର୍ଷର ହୋଇ ସାରିଛନ୍ତି । ବହୁତ ସୁନ୍ଦର ଦିଶିବା ସହ ଷ୍ଟାଇଲିଷ୍ଟ ବି ହୋଇଯାଇଛନ୍ତି ।

ସ୍ଲମ୍ ଡଗ୍ ମିଲେନିୟର ମିଲିୟନର ପାଇଁ ରୁବିନାଙ୍କୁ ନାଁ ମିଳିଲା, ପ୍ରତିଷ୍ଠା ମିଳିଲା । ହେଲେ ଏହା ବେଶି ଦିନ ରହିନଥିଲା । ଏପରିକି ଏକ ଷ୍ଟ୍ରିଙ୍ଗ ଅପରେସନରେ ତାଙ୍କ ବାପା ତାଙ୍କୁ ବିକ୍ରି କରିବାକୁ ଚେଷ୍ଟା କରୁଥିବା ଅଭିଯୋଗକୁ ନେଇ ମଧ୍ୟ ବହୁତ ଚର୍ଚ୍ଚା ହୋଇଥିଲା ।

ସ୍ଲମ୍ ଡଗ୍ ମିଲେନିୟର ଡାଇରେକ୍ଟରଙ୍କ ଜୟ ହୋ ଟ୍ରଷ୍ଟ ତରଫରୁ ରହିବାକୁ ଘର ଦିଆଗଲା । ପାଠ ପଢ଼ାର ଖର୍ଚ୍ଚ ବି ଉଠାଗଲା । ହେଲେ ଫିଲ୍ମ ଲାଇନରେ ତାଙ୍କ କ୍ୟାରିୟର ବେଶି ଆଗକୁ ବଢ଼ି ନଥିଲା । ଏବେ ସେ ନାଲାସୋପାଡ଼ାରେ ନିଜର ଏକ ପର୍ଲର ଚଲାଉଛନ୍ତି । ସେଲିବ୍ରିଟି ମେକଅପ୍ ଆର୍ଟିଷ୍ଟ ହେବାକୁ ଚାହୁଁଛନ୍ତି । ଏହାସହ ବିଗ୍ ବସରେ ମଧ୍ୟ ଯିବାକୁ ଚାହୁଁଛନ୍ତି ।

ରୁବିନା ବସ୍ତିରୁ ବଡ଼ ପରଦା ଓ ସେଠାରୁ ବ୍ୟୁଟି ପର୍ଲର କରିବା ପର୍ଯ୍ୟନ୍ତ ବହୁତ କିଛି କରିଛନ୍ତି ଓ ବଞ୍ଚିବାର ବାଟ ବି ପାଇଛନ୍ତି । ବସ୍ତିରେ ଜନ୍ମିତ ରୁବିନାଙ୍କ ପରିବାର ବହୁତ ଗରିବ ଥିଲେ । ବାନ୍ଦ୍ରା ଷ୍ଟେସନ୍ ପାଖରେ ଥିବା ଗରିବ୍ ନଗର ବସ୍ତିରେ ଭାଇ, ଭଉଣୀ, ବାପା ଓ ସାବତ ମାଆ ସହ ରହୁଥିଲେ । ହେଲେ ବସ୍ତିରେ ନିଆଁ ଲାଗି ତାଙ୍କ ଝୁପୁଡ଼ି ଛାରଖାର ହୋଇ ଯାଇଥିଲା । ପରିବାର ସହ ମୁଣ୍ଡ ଗୁଞ୍ଜିବାକୁ ଘରଟଇଏ ନେବାକୁ ଜୟ ହୋ ଟ୍ରଷ୍ଟ ତରଫରୁ ତାଙ୍କୁ ବହୁତ ସାହାଯ୍ୟ କରାଯାଇଥିଲା ।

ସ୍ଲମ୍ ଡଗ୍ ଜରିଆରେ ନାଁ କମାଇବା ପରେ ରୁବିନା ଫିଲ୍ମ ପାଇବାକୁ ବହୁତ ଚେଷ୍ଟା କରିଥିଲେ । ହେଲେ କାମ ନମିଳିବାରୁ ସେ ପାଠପଢ଼ା ଉପରେ ଅଧିକ ଧ୍ୟାନ ଦେଇଥିଲେ । ନିଜ ଫିଲ୍ମ କ୍ୟାରିୟରକୁ ନେଇ ରୁବିନା କୁହନ୍ତି, ‘ଯେତେଦିନ ପର୍ଯ୍ୟନ୍ତ କାମ ମିଳୁଥିଲା କରୁଥିଲି । ବାପା ଚାଲିଗଲେ । ବୟସ ବି ବଢ଼ିବାକୁ ଲାଗିଥିଲା । ନିଜ ଭବିଷ୍ୟତ ସୁରକ୍ଷିତ କରିବାକୁ ଚାହୁଁଥିଲି । ଏଥିପାଇଁ ମୁ୍ଁ ବ୍ୟୁଟି ଡିଜାଇନର କୋର୍ସ କରିଥିଲି । ଏବେ ମୁଁ ଏକ ସେଲିବ୍ରିଟି ହେୟାର ଓ ମେକଅପ୍ ଆର୍ଟିଷ୍ଟ ହେବାକୁ ଚାହୁଁଛି ।’

ସେଇ ଚାରି ଚେହେରା, ବଦଳାଇ ଦେଲେ ଶ୍ରୀଲଙ୍କାର ଦୃଶ୍ୟପଟ, ରାଜପକ୍ଷେ ପରିବାର ଜୀବନ ନେଇ ବୁଲୁଛନ୍ତି ଏ ଦେଶରୁ ସେ ଦେଶ

କଲମ୍ବୋ: ଗତ କିଛିଦିନ ହେବ ଶ୍ରୀଲଙ୍କାରେ ଗୃହଯୁଦ୍ଧ ସ୍ଥିତି ଲାଗିରହିଛି । ରାଜନୈତିକ ଅସ୍ଥିରତା ଭିତରେ ସବୁଠୁ ଅଧିକ କ୍ଷମତା ରଖିଥିବା ରାଜପକ୍ଷେ ଦେଶ ଛାଡି ଚାଲିଯାଇଛନ୍ତି । ଜନସାଧାରଣଙ୍କ ଆକ୍ରୋଶରୁ ବଞ୍ଚିବା ପାଇଁ ରାଜପକ୍ଷେ ସପରିବାର ଦେଶ ଛାଡି ପଳାଇଛନ୍ତି । ବିକ୍ଷୋଭକାରୀ ରାଷ୍ଟ୍ରପତିଙ୍କ ଘରେ କବଜା କରିବା ପରେ ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନ ଉପରେ କବଜା କରିଛନ୍ତି । ଏପଟେ ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଙ୍ଘେ ବିକ୍ଷୋଭକାରୀଙ୍କ ଉପରେ ଅଙ୍କୁଶ ଲଗାଇବା ପାଇଁ ସେନାକୁ ଆଦେଶ ଦେଇଛନ୍ତି । ଗତ ୮ ତାରିଖଠାରୁ ଅନେକ ସ୍ଥାନରେ କର୍ଫ୍ୟୁ ଲଗାଯାଇଛି । ବିରୋଧ ଏତେ ଜୋରଦାର ହେଉଛି ଯେ, ସରକାରର ସବୁ ନେତା ଓ ଅଧିକାରୀ ମାନେ ଭୟରେ ଅଛନ୍ତି । ତେବେ ଏହି ସ୍ଥିତି କାହିଁକି ଉପୁଜିଲା ଓ ଏହା ପଛରେ କିଏ । କିଏ ସେହି ନେତା ଯିଏ ଦେଶର ସବୁଠୁ ଶକ୍ତିଶାଳୀ ପରିବାରକୁ କ୍ଷମତାରୁ ଓପାଡି ଫୋପାଡି ଦେଇଥିଲା । ସମସ୍ତଙ୍କ ମନରେ ଏହି ପ୍ରଶ୍ନ ନିଶ୍ଚିତ ଉଙ୍କି ମାରୁଥିବ । ତେବେ ଆଜିର ସ୍ଥିତି ପଛରେ ଚାରି ଯୁବ ଚେହେରା ରହିଛନ୍ତି । ସେମାନେ ଗତ ୪-୫ ମାସ ହେବ ଲଗାତାର ବୈଠକ କରୁଥିଲେ । ଋଣନୀତି ପ୍ରସ୍ତୁତ କରୁଥିଲେ ଏବଂ ଫେସବୁକ ଦ୍ୱାରା ପ୍ରତି ଜନସାଧାରଣଙ୍କ ପାଖରେ ପହଞ୍ଚିବା ପାଇଁ ଚେଷ୍ଟା କରୁଥିଲେ  ।

ପ୍ରଥମ ଯୁବ ଚେହେରା ହେଉଛନ୍ତି ଚାମିରେ ଦେଡୱାଗେ । ଚାମିରେଙ୍କ ଫେସବୁକରେ ଅନେକ ଭିଡିଓ ଏବଂ ଲୋକଙ୍କୁ ନିବେଦନ କରୁଥିବାର ସନ୍ଦେଶ ଭରିରହିଛି । ତାଙ୍କର ପ୍ରତି ପୋଷ୍ଟକୁ ହଜାର ହଜାର ମାତ୍ରାରେ ସେୟାର କରାଯାଇଥାଏ । ସେ ପେଶାରେ ଜଣେ ମାର୍କେଟିଂମ୍ୟାନ  ଅଟନ୍ତି । ଦେଶର ଏକ ବଡ଼ କମ୍ପାନୀରେ ମ୍ୟାନେଜର ଅଛନ୍ତି । ସେ ନିଜ ଫେସବୁକ୍ ଏବାଉଟରେ ଲେଖିଛନ୍ତି, ପେଶାରେ ମାର୍କେଟିୟର କିନ୍ତୁ ଚଏସରେ ଆକ୍ଟିଭିଷ୍ଟ ଏବଂ ବର୍ତ୍ତମାନ ସ୍ଥିତିରେ ରାଜନୈତିକ ସମୀକ୍ଷକ । ସେ ଆଉ ତାଙ୍କ ସାଥିମାନେ ମାର୍ଚ୍ଚ ମାସରୁ ହିଁ ଋଣନୀତି ପ୍ରସ୍ତୁତ କରିଥିଲେ । ଏପ୍ରିଲରେ ଅଭିଯାନ ଆରମ୍ଭ କରିଥିଲେ । ୯ ଏପ୍ରିଲରେ ପ୍ରାୟ ହଜାର ଜଣ ରାଜପକ୍ଷେଙ୍କ କାର୍ଯ୍ୟାଳୟ ବାହାରେ ପ୍ରଦର୍ଶନ କରିଥିଲେ ।

ଆନ୍ଦୋଳନର ଦ୍ୱିତୀୟ ଚେହେରା ସତ୍ୟା ଚାରିତ ଅମରାତୁଙ୍ଗ । ତାଙ୍କ ଫେସବୁକ ଆକାଉଣ୍ଟରେ ପୋଷ୍ଟ ଭିଡିଓରେ ଦେଖାଯାଇଛି ଯେ ସେ ଲୋକମାନଙ୍କ ନେତୃତ୍ୱ ନେଇ ଆନ୍ଦୋଳନ କରୁଛନ୍ତି ଏବଂ ଗୋ ଗୋଟା ହୋମ ନାରା ଲଗାଉଥିବାର ନଜର ଆସିଛନ୍ତି । ତାଙ୍କ ଆକାଉଣ୍ଟରେ ମଧ୍ୟ ଲୋକଙ୍କୁ ଅପିଲ କରିବା ଏବଂ ଭିଡିଓ ଜରିଆରେ ଆନ୍ଦୋଳନ ପାଇଁ ଜାଗ୍ରତ କରୁଥିବା ପୋଷ୍ଟରେ ଭରିରହିଛି । ସେ କଲମ୍ବୋଠାରୁ ୨୦କିମି ଦୂର ମୋରାତୁଆରେ ରହୁଛନ୍ତି  । ସେ ଜଣେ ଭଲ ସଂଗଠକ ଭାବେ ପରିଚିତ । ତେବେ ପେଶାରେ ସତ୍ୟା ଚାରିତ ମଧ୍ୟ ମାର୍କେଟିଂ ପ୍ରଫେସନାଲ ଅଟନ୍ତି । ଦେଶର ୮୦ ଲକ୍ଷ ଫେସବୁକ୍ ୟୁଜର୍ସଙ୍କୁ ଏହି ଆନ୍ଦୋଳନ ସହ ଯୋଡିବାର କାମ ସତ୍ୟା ଓ ଚାମିରା କରିଥିଲେ । ଏହି ଦୁଇଜଣଙ୍କ ପୋଷ୍ଟ ଦେଶର କୋଣ ଅନୁକୋଣରେ ପହଞ୍ଚିବାରେ ଲାଗିଥିଲା । ଲଗାତାର ସତ୍ୟା ନିଜ ସାଥିମାନଙ୍କ ସହ ମିଶି ଋଣନୀତି ପ୍ରସ୍ତୁତ କରିଥିଲେ । ଫେସବୁକ୍ ଜରିଆରେ ହିଁ କଲମ୍ବୋରେ ଆନ୍ଦୋଳନର ଭୟଙ୍କର ବିଭୀଷିକା ରଚିଥିଲେ। ସତ୍ୟା ଏକ ସାକ୍ଷାତକାରରେ କହିଥିଲେ ଏହି ଆନ୍ଦୋଳନ ଦେଖାଇ ଦେଇଛି କି ବିନା ପଇସା ଖର୍ଚ୍ଚରେ କେବଳ ଫେସବୁକ୍ ମାଧ୍ୟମରେ କିପରି ଏକ ବଡ଼ ଆନ୍ଦୋଳନ ସୃଷ୍ଟି କରାଯାଇପାରେ ।

ଶ୍ରୀଲଙ୍କାରେ ଜନସମୁଦ୍ର ସୃଷ୍ଟିର ଇଏ ହେଉଛନ୍ତି ତୃତୀୟ ଯୁବ ଚେହେରା । ନାଁ ହେଉଛି ରୁବାଁତୀ ଚିକେରା । ସେ ଜଣେ ନାଟ୍ୟକାର ଓ ସମାଜସେବିକା ଅଟନ୍ତି । ତାଙ୍କ କାମ ଥିଲା କିପରି ଭଲିଣ୍ଟିୟରଙ୍କ ଜରିଆରେ ସାରା ଦେଶରେ ଏବଂ ଆଖପାଖ ଅଞ୍ଚଳରେ ଲୋକମାନଙ୍କ ଘର ପର୍ଯ୍ୟନ୍ତ ପହଞ୍ଚି ସେମାନଙ୍କ ସହ ସମ୍ପର୍କ କରିବା । ସେ ଏହି କାମ ସଫଳତାର ସହ ସମ୍ପନ୍ନ କରିଥିଲେ । ଲୋକମାନଙ୍କୁ ଜାଗ୍ରତ କରିବାକୁ ସେ ନିଜର ନାଟ୍ୟକାର କଳାର ଉପଯୋଗ କରିଥିଲେ । ବେସ କିଛି ଦିନ ହେବ ଫେସବୁକରେ ସେ ସକ୍ରିୟ ରହି ଆନ୍ଦୋଳନ ସହ ଲୋକମାନଙ୍କୁ ଯୋଡିବାର କାର୍ଯ୍ୟ ମଧ୍ୟ କରୁଥିଲେ ।

ଅମିଲା ଜୀବନ୍ତ ପେଇରିସ ହେଉଛନ୍ତି ଏହି ଆନ୍ଦୋଳନର ଚତୁର୍ଥ ଚେହେରା । ପେଶାରେ କ୍ୟାଥୋଲିକ ପ୍ରିଷ୍ଟ ଅଟନ୍ତି । କିନ୍ତୁ ଏଥର ସେ ମହାନ ଆନ୍ଦୋଳନରେ ସାମିଲ ହୋଇ ଲୋକମାନଙ୍କୁ ଜାଗ୍ରତ କରିବାର କାମ କରିଥିଲେ । ଏହି ଆନ୍ଦୋଳନ ପାଇଁ ସେ ବିଭିନ୍ନ ଧାର୍ମିକ ସଂଗଠନକୁ ଯୋଡିଥିଲେ । ତାଙ୍କର ଭିଡିଓ ଏବଂ ଲୋକଙ୍କୁ ଆବେଦନ କରୁଥିବାର ଭିଡିଓ ମଧ୍ୟ ଫେସବୁକରେ ବେସ୍ ଭାଇରାଲ୍ ହୋଇଥିଲା । ପ୍ରିଷ୍ଟ ଜୀବନ୍ତ ଲୋକମାନଙ୍କ ପାଖକୁ ଯାଇ ସେମାନଙ୍କୁ ଆନ୍ଦୋଳନ ପାଇଁ ପ୍ରବର୍ତ୍ତାଇବାର କାମ କରିଥିଲେ  ।

ଏମାନଙ୍କ ପାଇଁ ଆନ୍ଦୋଳନର ତାରିଖ ଥିଲା ୯ । ତିନୋଟି ଆନ୍ଦୋଳନ ୯ ତାରିଖରେ ହିଁ ଆରମ୍ଭ ହୋଇଥିଲା । ଆନ୍ଦୋଳନର ମୁଖ୍ୟ ପୁରୋଧା ଏହି ଚାରିଜଣ ଏପ୍ରିଲ ୯ ରେ ପ୍ରଥମେ ଛୋଟ ବିକ୍ଷୋଭ କରିଥିଲେ । ଏହାପରେ ବିପୁଳ ଜନସମର୍ଥନ ଜୁଟାଇ ୯ଜୁନରେ ବଡ଼ ଧରଣର ପ୍ରଦର୍ଶନ କରିଥିଲେ । ଆନ୍ଦୋଳନ ଏତେ ତୀବ୍ର ଥିଲା ଯେ, ମହିନ୍ଦ୍ରା ରାଜପକ୍ଷେଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପଡିଥିଲା  । ଆଉ ଏବେ ୯ ଜୁଲାଇରେ ସେମାନଙ୍କ ଆନ୍ଦୋଳନ ଶିଖରରେ ପହଞ୍ଚିଥିଲା  । ରାଜପକ୍ଷେ ପରିବାରରୁ ଆରମ୍ଭ କରି ସବୁ ନେତା ଭୟରେ ରହିଛନ୍ତି । ଏବେବି ଲୋକମାନେ ଭାବୁଛନ୍ତି ଯେ ଏତେ ବଡ଼ ସଂଖ୍ୟାରେ ଲୋକମାନେ ଏକଜୁଟ ହେଲେ କେମିତି । ସେମାନଙ୍କୁ ଗୋଟିଏ ସୂତ୍ରରେ ବାନ୍ଧିଲା କିଏ  । ତେବେ ଏହି ଚାରି ଜଣ ହେଉଛନ୍ତି ଆନ୍ଦୋଳନର ମୁଖ୍ୟ ପୁରୋଧା ।

ଛତିଶଗଡ଼ ହାଇକୋର୍ଟଙ୍କ ଐତିହାସିକ ରାୟ: ଶାଶୁଘରଠାରୁ ମଧ୍ୟ ଭରଣପୋଷଣ ଦାବି କରିପାରିବେ ବିଧବା ବୋହୂ

ବିଳାସପୁର: ଛତିଶଗଡ଼ ବିଲାସପୁର ହାଇକୋର୍ଟ ଐତିହାସିକ ରାୟ ଶୁଣାଇଛନ୍ତି । ଏକ ମାମଲାର ଶୁଣାଣି କରି ବୋହୂଙ୍କ ଭରଣପୋଷଣ ଉପରେ ବଡ଼ ରାଏ ଦେଇଛନ୍ତି କୋର୍ଟ । କୋର୍ଟ ରାଏରେ କହିଛନ୍ତି, ଯଦି ହିନ୍ଦୁ ବିଧବା ମହିଳା ନିଜ ଆୟ କିମ୍ବା ଅନ୍ୟ ସମ୍ପତ୍ତି ଦ୍ୱାରା ଜୀବନ ବଞ୍ଚିବା ପାଇଁ ଅସମର୍ଥ ହୁଅନ୍ତି ତେବେ ସେ ନିଜ ଶ୍ୱଶୁରଙ୍କଠାରୁ ଭରଣ ପୋଷଣ ପାଇଁ ଦାବି କରିପାରିବେ । ହାଇକୋର୍ଟ ବିଚାରପତି ଗୌତମ ଭାଦୁଡ଼ି ଏବଂ ବିଚାରପତି ଦୀପକ କୁମାର ତିୱାରୀଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଛନ୍ତି । ଖଣ୍ଡପୀଠ ଶୁଣାଣି ସମୟରେ କହିଛନ୍ତି, ସ୍ୱାମୀଙ୍କ ମୃତ୍ୟୁ ପରେ ଶ୍ୱଶୁର ବୋହୂଙ୍କୁ ଘରୁ ବାହାର କରିଦିଅନ୍ତୁ କିମ୍ବା ବିଧବା ମହିଳା ନିଜ ଇଚ୍ଛାରେ ଅଲଗା ରୁହନ୍ତି ତେବେ ସେ ଆଇନ ଅନୁଯାୟୀ ଭରଣ ପୋଷଣ ପାଇବାର ହକଦାର ଅଟନ୍ତି ।

ଆବେଦନ ଅନୁଯାୟୀ, କୋରବା ଅଞ୍ଚଳର ଜଣେ ଯୁବତୀଙ୍କ ବିବାହ ୨୦୦୮ ମସିହାରେ ଜାଂଜଗୀର-ଚମ୍ପା ଜିଲ୍ଲାର ବିରା ଗାଁର ଯୁବକଙ୍କ ସହ ହୋଇଥିଲା  । ୨୦୧୨ରେ ମହିଳାଙ୍କ ସ୍ୱାମୀର ମୃତ୍ୟୁ ହୋଇଯାଇଥିଲା । ଶ୍ୱଶୁର ଘର ଲୋକେ ମହିଳାଙ୍କୁ ଘରୁ ବାହାର କରିଦେଇଥିଲେ, ଏହାପରେ ବିଧବା ମହିଳାଜଣଙ୍କ ନିଜ ବାପ ଘରେ ରହିଥିଲେ । ୨୦୧୫ ମସିହାରେ ଜାଂଜଗୀର ଫ୍ୟାମିଲି କୋର୍ଟରେ ମହିଳାଜଣଙ୍କ ଆବେଦନ କରି ଶାଶୁ ଘର ପକ୍ଷଙ୍କଠାରୁ ଭରଣପୋଷଣ ଦାବି କରିଥିଲେ । କୋର୍ଟ ମଧ୍ୟ ବିଧବା ମହିଳା ଜଣଙ୍କ ସପକ୍ଷରେ ରାଏ ଦେଇଥିଲେ ।

ତେବେ ଶାଶୁଘର ଲୋକେ ଫ୍ୟାମିଲି କୋର୍ଟଙ୍କ ରାଏକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ  । ଶାଶୁଘର ପକ୍ଷରୁ ଓକିଲ ହାଇକୋର୍ଟରେ ଯୁକ୍ତି ରଖିଥିଲେ ଯେ, ହିନ୍ଦୁ ଆଇନ ଅନୁଯାୟୀ କୌଣସି ବି ମହିଳା ନିଜ ସ୍ୱାମୀଙ୍କଠାରୁ ଭରଣପୋଷଣ ପାଇଁ ଦାବି କରିପାରିବେ । କିନ୍ତୁ ଶାଶୁଘରକୁ ଭରଣପୋଷଣ ଦେବାକୁ କହିପାରିବେ ନାହିଁ । ଏଥିସହ ଶ୍ୱଶୁର କହିଥିଲେ ମୁଁ ତାଙ୍କୁ, ଘରୁ ବାହାର କରିନାହିଁ ବରଂ ସେ ନିଜେ ହିଁ ବାପ ଘକୁ ଯାଇଥିଲା । ତେଣୁ ଏହି ମମଲା ଖାରଜ ପାଇଁ ଦାବି କରିଥିଲେ । ହେଲେ ଡିଭିଜନାଲ ବେଞ୍ଚ ଶ୍ୱଶୁରଙ୍କ ଏହି ଆବେଦନକୁ ଖାରଜ କରିବା ସହ ଫ୍ୟାମିଲ କୋର୍ଟ ସହ ଏକମତ ହୋଇ ବିଧବା ମହିଳାଙ୍କ ସପକ୍ଷରେ ରାଏ ଶୁଣାଇଛନ୍ତି । ତେବେ ଫ୍ୟାମିଲି କୋର୍ଟ ପ୍ରତି ମାସରେ ୨୫୦୦ ଟଙ୍କା ଭରଣପୋଷଣ ଆକାରରେ ଦେବା ପାଇଁ ଆଦେଶ ଦେଇଥିଲେ  । ଏଥିରେ ପରିବର୍ତ୍ତନ କରି ହାଇକୋର୍ଟ ୪୦୦୦ ହଜାର ଟଙ୍କା ପ୍ରତିମାସ ଦେବାକୁ ଆଦେଶ ଦେଇଛନ୍ତି  ।

ଶ୍ରୀଲଙ୍କା ସଙ୍କଟ ଭିତରେ ନୂଆ ନେତୃତ୍ୱକୁ ନେଇ ଚର୍ଚ୍ଚା, ରାଷ୍ଟ୍ରପତି ରେସରେ ଆଗରେ ସାଜିଥ ପ୍ରେମଦାସା

କଲମ୍ବୋ: ଅର୍ଥନୈତିକ ସଙ୍କଟକୁ ନେଇ ଗୃହଯୁଦ୍ଧ ସ୍ଥିତି । କ’ଣ ହେବ ଶ୍ରୀଲଙ୍କାର ଭବିଷ୍ୟତ ? କିଏ ହେବେ ସଙ୍କଟମୋଚକ ? ବିରୋଧୀ ଦଳ ନେତା ସାଜିଥ ପ୍ରେମଦାସା ସାଜିବେ କି ଶ୍ରୀଲଙ୍କାର ରକ୍ଷାକର୍ତ୍ତା ? ଦୀର୍ଘଦିନ ଧରି ସରକାରଙ୍କ ବିରୋଧରେ କୁହୁଳୁଥିବା ଅସନ୍ତୋଷର ହିଂସ୍ରକ ପରିଣାମ ଦେଖିବାକୁ ମିଳିଛି । ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧି, ସରକାରଙ୍କ ଦୂରଦର୍ଶିତା ଅଭାବରୁ ଧ୍ୱସ୍ତ ହୋଇଛି ଦେଶର ଅର୍ଥନୀତି । ଏହି ଭୟଙ୍କର ସଙ୍କଟ ଏବଂ ବିଶୃଙ୍ଖଳା ଭିତରେ ପରବର୍ତ୍ତୀ ରାଷ୍ଟ୍ରପତି ପାଇଁ ବିରୋଧୀଦଳ ନେତା ସାଜିଥ ପ୍ରେମାଦାସଙ୍କ ନାମ ଚର୍ଚ୍ଚାରେ ରହିଛି ।

ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ରଣସିଂହ ପ୍ରେମଦାସଙ୍କ ପୁଅ ହେଉଛନ୍ତି ସାଜିଥ ପ୍ରେମାଦାସା । ରାଜପକ୍ଷ ସରକାରଙ୍କ ଭୂଲ ନୀତି ଓ ଦେଶର ଅତିଧନୀଙ୍କୁ ୬ ଶହ ଆରବ ଟଙ୍କା ଋଣ ଛାଡ଼ କରିବା ଯୋଗୁ ଦେଶର ଜିଡିପି ୧୨ରୁ ୪ ପ୍ରତିଶତକୁ ହ୍ରାସ ପାଇଥିଲା । ଯାହାଫଳରେ ଆଜି ଦେଶ ଭୟଙ୍କର ସଙ୍କଟ ଦେଇ ଗତି କରୁଛି ବୋଲି ସାଜିଥ କହିଛନ୍ତି । ତେବେ ସଙ୍କଟ ସ୍ଥିତିରେ ଶ୍ରୀଲଙ୍କାକୁ ଚୀନ ସହାୟତା କରି ନଥିବା ବେଳେ ଭାରତ ସରକାର ଯଥାସମ୍ଭବ ସହଯୋଗ କରିଛନ୍ତି । ଏଥିପାଇଁ ଭାରତ ସରକାର ଓ ଭାରତୀୟଙ୍କୁ ଧନ୍ୟବାଦ ଜଣାଇଛନ୍ତି ସାଜିଥ ।

ଚୀନ୍ ମୋବାଇଲ୍ କଂପାନିଙ୍କ କାରସାଦି: ଭାରତକୁ ହାଜାର ହଜାର କୋଟି ଟଙ୍କା ଠକିଛନ୍ତି ଭିଭୋ, ଓପୋ

ନୂଆଦିଲ୍ଲୀ: ଚୀନର ସ୍ମାର୍ଟଫୋନ୍ କଂପାନିଗୁଡ଼ିକର ଗୋଟିଏ ପରେ ଗୋଟିଏ ବେଆଇନ କାର୍ଯ୍ୟ ସାମ୍ନାକୁ ଆସୁଛି । ଭିଭୋ ପରେ ଏବେ ଧରାପଡ଼ିଛି ଓପୋ । ଓପୋ ଉପରେ ଭାରତରେ ଟାକ୍ସ ଚୋରି ଅଭିଯୋଗ ହୋଇଛି । ଏହି ସଂସ୍ଥା ୪,୩୮୯ କୋଟି ଟଙ୍କାର ସୀମା ଶୁଳ୍କ ଫାଙ୍କିଥିବା ଧରିଛି ରାଜସ୍ୱ ଗୁଇନ୍ଦା ନିର୍ଦେଶାଳୟ ।

ଓପୋ ଇଣ୍ଡିଆ ଭାରତରେ ଓପୋ, ୱାନ ପ୍ଲସ୍ ଓ ରିଅଲମି ଭଳି କିଛି ଜଣାଶୁଣା ବ୍ରାଣ୍ଡ୍ ନାମରେ ସ୍ମାର୍ଟଫୋନ୍ ଓ ଅନ୍ୟାନ୍ୟ ଆକ୍ସେସୋରିଜ୍ ବିକ୍ରି କରୁଛି । ଏହା ଏଠାରେ ଉତ୍ପାଦନଠାରୁ ଆରମ୍ଭ କରି ଆସେମ୍ବଲିଂ, ହୋଲସେଲ୍ ଟ୍ରେଡିଂ, ମୋବାଇଲ୍ ହାଣ୍ଡ୍ସେଟ୍ ଓ ଆକ୍ସେସୋରି ବିତରଣ କରୁଛି ।

କ’ଣ ରହିଛି ଅଭିଯୋଗ:

ଡିଆରଆଇ ପକ୍ଷରୁ ଓପୋ ଇଣ୍ଡିଆର କାର୍ଯ୍ୟାଳୟ ଓ କଂପାନିର ପ୍ରମୁଖ ପଦପଦବୀରେ କାମ କରୁଥିବା ଅଧିକାରୀମାନଙ୍କ ଠିକଣାରେ ଚଢ଼ାଉ କରାଯାଇଥିଲା । ସେହି ସମୟରେ ଏଭଳି କିଛି ଦସ୍ତାବିଜ ଜବତ ହୋଇଛି ଯାହା ଏହା ଇଙ୍ଗିତ କରୁଛି ଯେ ଟିକସ ଫାଙ୍କିବା ଲାଗି କଂପାନି ଜାଣିଶୁଣି ଆମଦାନି ସମ୍ପର୍କରେ ଭୁଲ ତଥ୍ୟ ଦେଉଥିଲା । ମୋବାଇଲ୍ ଫୋନ୍ ତିଆରି କରିବା ଲାଗି ଓପୋ ଯେଉଁ ସବୁ ସାମଗ୍ରୀ ଆମଦାନି କରୁଥିଲା ତାହାର ସଠିକ୍ ତଥ୍ୟ ଜାରି କରୁନଥିଲା ।

କ’ଣ ମିଳୁଥିଲା ଲାଭ:

ସୂଚନା ମୁତାବକ ଆମଦାନିର ଏହି ଭୁଲ ତଥ୍ୟ ଦେଇଥିବାରୁ କମ୍ପାନୀକୁ ୨,୯୮୧ କୋଟି ଟଙ୍କାର ଶୁଳ୍କ ପଇଠ କରିବାକୁ ପଡ଼ିନଥିଲା । ଡିଆରଆଇ ପକ୍ଷରୁ ଓପୋର ବରିଷ୍ଠ ଅଧିକାରୀମାନଙ୍କୁ ମଧ୍ୟ ଜେରା କରାଯାଇଥିଲା । ଆମଦାନି ସମୟରେ ସୀମା ଶୁଳ୍କ କର୍ତ୍ତୃପକ୍ଷଙ୍କୁ ଭୁଲ ତଥ୍ୟ ଦିଆଯାଉଥିଲା ବୋଲି ସେମାନେ ସ୍ୱୀକାର ମଧ୍ୟ କରିଛନ୍ତି ।

୧,୪୦୮ କୋଟି ଟଙ୍କାର ଠକେଇ:

ତଦନ୍ତରୁ ଜଣାପଡ଼ିଛି ଯେ ଓପୋ ଇଣ୍ଡିଆ ବିଭିନ୍ନ ବହୁଦେଶୀୟ କଂପାନିକୁ ରୟାଲ୍ଟି ଓ ଲାଇସେନ୍ସ ଫି’ ଦେଉଛି । ସେଥିରୁ କିଛି ସଂସ୍ଥା ହେଉଛନ୍ତି ଚୀନର । ସେହି ପେମେଣ୍ଟକୁ କିନ୍ତୁ କଂପାନି ପକ୍ଷରୁ ଆମଦାନି କରାଯାଉଥିବା ସାମଗ୍ରୀର ହିସାବରେ ଯୋଡ଼ାଯାଉନଥିଲା । ଏହା ସୀମା ଶୁଳ୍କ ନିୟମ ୧୯୬୨ର ଧାରା ୧୪ ଉଲ୍ଲଂଘନ କରୁଛି । କଂପାନି ଏହା ଜରିଆରେ ୧,୪୦୮ କୋଟି ଟଙ୍କାର ଟିକସ ଫାଙ୍କିଥିଲା ବୋଲି ଜଣାପଡ଼ିଛି ।

ଦେବାକୁ ପଡ଼ିବ ୪,୩୮୯ କୋଟି ଟଙ୍କା:

ତଦନ୍ତ ଶେଷ ହେବା ପରେ ଓପୋକୁ କାରଣ ଦର୍ଶାଅ ନୋଟିସ୍ ଜାରି କରି ୪,୩୮୯ କୋଟି ଟଙ୍କା ଜମା କରିବାକୁ କୁହାଯାଇଛି । କଷ୍ଟମ୍ସ ଆକ୍ଟ, ୧୯୬୨ର ନିୟମ ଅନୁଯାୟୀ କଂପାନି, ଏହାର କର୍ମଚାରୀ ଓ ଓପୋ ଚୀନ୍ ଉପରେ ମଧ୍ୟ ଲଗାଯିବାକୁ ଥିବା ଜରିମାନା ସମ୍ପର୍କରେ ମଧ୍ୟ ନୋଟିସରେ ସୂଚନା ଦିଆଯାଇଛି ।

ଏହା ପୂର୍ବରୁ ଚୀନର ଅନ୍ୟତମ ସ୍ମାର୍ଟଫୋନ୍ କଂପାନି ଭିଭୋର କାରସାଦି ସାମ୍ନାକୁ ଆସିଥିଲା । ଏହି ସଂସ୍ଥା ନିଜ କାରବାରର ଅଧା ଟଙ୍କା ଚୀନ୍ ପଠାଇ ଦେଉଥିଲା ବୋଲି ଜଣାପଡ଼ିଛି । ସୂଚନା ମୁତାବକ ଭିଭୋ ଟ୍ୟାକ୍ସରୁ ବଞ୍ଚିବା ପାଇଁ ନିଜ ଆୟର ୫୦ ପ୍ରତିଶତ ତଥା ୬୨ ହଜାର ୪୭୬ କୋଟି ଟଙ୍କା ଚୀନକୁ ପଠେଇଦେଇଛି । କଂପାନିର ୪୮ଟି ଠିକଣାରେ ଚଢ଼ାଉ କରି ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରାଯିବା ପରେ କଂପାନିର ବ୍ୟାଙ୍କ ଖାତାକୁ ନିସ୍କ୍ରିୟ କରାଯାଇଛି । ଏବଂ କଂପାନି ବିରୋଧରେ ମନି ଲଣ୍ଡରିଂ ମାମଲା ରୁଜୁ କରାଯାଇଛି ।

ବିହାରରେ ଚାଲିଥିବା ଆତଙ୍କବାଦୀ ସଂଗଠନରେ ଚଢ଼ାଉ କଲା ପୋଲିସ୍, ୨ ଗିରଫ

ପାଟନା: ପ୍ରଧାନମନ୍ତ୍ରୀଙ୍କ ପାଟନା ଗସ୍ତ ପୂର୍ବରୁ ୨ଜଣ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କରିଛି ପୋଲିସ । ଏହି ଦୁଇ ଜଣଙ୍କ ମୁଖ୍ୟ ଲକ୍ଷ୍ୟ ଥିଲା ପ୍ରଧାନମନ୍ତ୍ରୀଙ୍କ ବିହାର ଗସ୍ତ । ମୋଦୀଙ୍କ ପାଟନା ଗସ୍ତର ୧୫ ଦିନ ପୂର୍ବରୁ ସନ୍ଦିଗ୍ଧ ଆତଙ୍କବାଦୀ ଫୁଲଓ୍ୱାରୀ ସରିଫରେ ତାଲିମ ନେଉଥିଲେ । ପୋଲିସ ସେଠାରେ ଚଢ଼ାଉ କରି ଦୁଇ ସନ୍ଦିଗ୍ଧଙ୍କୁ ଗିରଫ କରିଛି । ଗିରଫ ହୋଇଥିବା ୨ ଜଣଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଝାଡ଼ଖଣ୍ଡ ପୋଲିସର ଅବସରପ୍ରାପ୍ତ ପୋଲିସ ମହମ୍ମଦ ଜଲାଲୁଦ୍ଦୀନ ଓ ଅନ୍ୟଜଣେ ହେଉଛନ୍ତି ଅଥାର ପରଭେଜ୍ ।

ଉଭୟ ସନ୍ଦିଗ୍ଧ ଆତଙ୍କବାଦୀଙ୍କ ଲିଙ୍କ୍ ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆ ଏବଂ ସୋସିଆଲ ଡେମୋକ୍ରାଟିକ୍ ପାର୍ଟି ଅଫ୍ ଇଣ୍ଡିଆ ସହିତ ଜଡ଼ିତ ବୋଲି ପୋଲିସ୍ କହିଛି । ଉଭୟଙ୍କ ନିକଟରୁ ପୋଲିସ PFI ପତାକା, ବୁକଲେଟ୍, ପାମ୍ପଲେଟ୍ ଏବଂ ଅନେକ ସନ୍ଦେହଜନକ ଦଲିଲ୍ ମଧ୍ୟ ଜବତ କରିଛି । ଯେଉଁଥିରେ ୨୦୪୭ ସୁଦ୍ଧା ଭାରତକୁ ଏକ ଇସଲାମ ଦେଶ କରିବା ପାଇଁ ଉଲ୍ଲେଖ କରାଯାଇଛି ।

ତଦନ୍ତ ପରେ ପୋଲିସ କହିଛି ଯେ ଜୁଲାଇ ୬ ଓ ୭ରେ ଅଥାର ପରଭେଜ୍ ମାର୍ଶଲ ଆର୍ଟ ଏବଂ ଶାରୀରିକ ଶିକ୍ଷା ଦେବା ନାମରେ ଅନେକ ଯୁବକଙ୍କୁ ଡାକିଥିଲେ । କିନ୍ତୁ ସେମାନଙ୍କୁ ଅସ୍ତ୍ରଶସ୍ତ୍ର ତାଲିମ ଦେବା ଏବଂ ଧର୍ମ ନାଁରେ ପ୍ରବର୍ତ୍ତାଇଥିଲେ । ଆତଙ୍କବାଦୀ ଷଡ଼ଯନ୍ତ୍ର ଯୋଜନା ପାଇଁ ତାଲିମ ନେବା ଲାଗି ସେଠାକୁ ଆସୁଥିବା ଅଧିକାଂଶ ଯୁବକ ହେଉଛନ୍ତ କେରଳ, ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ, ତାମିଲନାଡ଼ୁର ।

କିଡନୀ ଦାନ କରି ଦୁଇ ଜୀବନ ବଞ୍ଚାଇଲେ ୫ ବର୍ଷର ଶିଶୁ

ଭୁବନେଶ୍ୱର: ଦୁଇ ଜୀବନ ବଞ୍ଚାଇଲେ ୫ ବର୍ଷର ଶିଶୁ । ବ୍ରେନ୍ ଡେଡ୍ ପରେ କିଡ୍‌ନୀ ଦାନ କଲେ ପରିବାର । ନିଜେ ଆରପାରିକୁ ଚାଲିଗଲେ କିନ୍ତୁ ବଞ୍ଚାଇଲେ ଦୁଇ ଦୁଇଟି ଜୀବନ । ଜଗତସିଂହପୁର ବାଲିକୁଦା ବ୍ଲକ ଈଶ୍ୱରପୁର ଗାଁର ୫ବର୍ଷର ଶିଶୁ ସୁଧାଂଶୁଙ୍କ ବ୍ରେନ୍ ଡେଡ୍ ପରେ ଗୁରୁତ୍ୱପୂର୍ଣ୍ଣ ଅଙ୍ଗଦାନ ପାଇଁ ନିଷ୍ପତ୍ତି ନେଇଥିଲେ ତାଙ୍କ ବାପା ମାଆ । ସୁଧାଂଶୁଙ୍କ ୨ଟି ଯାକ କିଡନି ଦାନ କରିଥିଲେ । ଦୁଇଟି କିଡନୀରୁ ଗୋଟିଏ କଟକର ଜଣେ ୩୨ ବର୍ଷୀୟ ଯୁବକ ଏବଂ ଭୁବନେଶ୍ୱରର ଜଣେ ୫୨ ବର୍ଷୀୟା ମହିଳାଙ୍କ ଶରୀରରେ ପ୍ରତିରୋପଣ ହୋଇଛି । ଏଭଳି ପ୍ରତିରୋପଣ ଓଡ଼ିଶାରେ ବିରଳ । ଏହାକୁ ସଫଳତାର ସହ ସମ୍ପନ୍ନ କରିଛନ୍ତି ଡାକ୍ତର ସମୀରନ ଦାସ ଅଧିକାରୀ ଓ ତାଙ୍କ ଟିମ୍ ।

ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ଦେଖାଦେବେ କଙ୍ଗନା

ଆସୁଛି କଣ୍ଟ୍ରୋଭର୍ସି କୁଇନ୍ କଙ୍ଗନା ରଣାୱାତଙ୍କ ନୂଆ ଫିଲ୍ମ ‘ଏମରଜେନ୍ସି’ । ଯାହାର ଟିଜର ରିଲିଜ୍ ହୋଇସାରିଛି। ଏଥିରେ କଙ୍ଗନା ଏକ ଦମଦାର ଚରିତ୍ରରେ ନଜର ଆସିଛନ୍ତି । କଙ୍ଗନା ଏହି ଫିଲ୍ମରେ ଆଇରନ ଲେଡି ତଥା ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ଭୂମିକାରେ ନଜର ଆସିଛନ୍ତି। କଙ୍ଗନା ଫିଲ୍ମର ଫାଷ୍ଟ ଲୁକ୍ ଓ ଟିଜର ନିଜ ଇନଷ୍ଟା ଆକାଉଣ୍ଟରେ ସେୟାର କରିଛନ୍ତି। ଟିଜରଟିକୁ ଦର୍ଶକ ବେଶ୍ ପସନ୍ଦ କରିଛନ୍ତି ।

 

View this post on Instagram

 

A post shared by Kangana Ranaut (@kanganaranaut)

ଦେଶର ମହିଳାଙ୍କ ପାଇଁ ଉଦାହରଣ ପାଲଟିଥିବା ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ କଙ୍ଗନାଙ୍କୁ ଦେଖି ଦର୍ଶକ ବେଶ୍ ଉତ୍ସାହିତ ଅଛନ୍ତି । ଟିଜରରେ କଙ୍ଗନାଙ୍କ ଲୁକ୍ ଦେଖି ସମସ୍ତେ ଅବାକ୍ । କାରଣ ଏଥିରେ ଅବିକଳ ଇନ୍ଦିରାଙ୍କ ପରି ଦେଖାଯାଉଛନ୍ତି କଙ୍ଗନା। ତାଙ୍କର ଏହି ମେକଅପକୁ ବେଶ୍ ପ୍ରଶଂସା ମିଳୁଥିବା ବେଳେ ଏହାକୁ କରିଛନ୍ତି ଡାଭିଡ୍ ମାଲିନୋସ୍କି । ଯିଏ କି ନିଜ କାମ ପାଇଁ ଅନ୍ତର୍ଜାତୀୟ ପୁରସ୍କାର ମଧ୍ୟ ପାଇଛନ୍ତି । କେବଳ ଲୁକ୍ ନୁହେଁ ଟିଜରରେ କଙ୍ଗନା ପୂରା ଇନ୍ଦିରାଙ୍କ ଭଳି କଥା କହିୁଥିବା ମଧ୍ୟ ଦେଖିବାକୁ ମିଳିଛି।

ଏହି ଟିଜରର ଆରମ୍ଭରେ ତାଙ୍କ ପିଏ ତାଙ୍କୁ କହୁଛନ୍ତି ଯେ ‘ଆମେରିକାର ରାଷ୍ଟ୍ରପତି ତାଙ୍କୁ ମ୍ୟାଡାମ୍ ବୋଲି କହି ସମ୍ବୋଧନ କରିପାରିବେ କି ବୋଲି ପଚାରିଛନ୍ତି। ଯେଉଁଥିରେ ଅଭିନେତ୍ରୀ ଉତ୍ତର ଦିଅନ୍ତି- ‘ଠିକ ଅଛି, କିନ୍ତୁ ସେମାନଙ୍କୁ କୁହ ମୋ ଅଫିସରେ ସମସ୍ତେ ମୋତେ ମ୍ୟାଡମ୍ ନୁହଁ ସାର୍ ବୋଲି ସମ୍ୱୋଧନ କରନ୍ତି।’ କଙ୍ଗନାଙ୍କର ଏହି ଗୋଟିଏ ଡାଇଲଗ ଦର୍ଶକଙ୍କୁ କିମିଆ କରିଦେଇଛି । ଟିଜରଟି ରିଲିଜ ହେଉ ହେଉ ଏହାକୁ ଲକ୍ଷେରୁ ଅଧିକ ଲାଇକ ମିଳିସାରିଲାଣି। କଙ୍ଗନାଙ୍କ ଦମଦାର ଅଭିନୟ ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଛି । ‘ଏମରଜେନ୍ସି’ର କାହାଣୀ ରିତେଶ ଶାହା ଲେଖିଥିବା ବେଳେ ନିଜେ କଙ୍ଗନା ଏହାର ନିର୍ଦ୍ଦେଶନା ଓ ପ୍ରଯୋଜନାର ଭାର ସମ୍ଭାଳିଛନ୍ତି। ତେବେ ଫିଲ୍ମରେ କଙ୍ଗନାଙ୍କ ବ୍ୟତୀତ ଅନୁପମ ଖେର ମଧ୍ଯ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି। ଏହି ଫିଲ୍ମ କଙ୍ଗନାଙ୍କୁ ଜାତୀୟ ପୁରସ୍କାର ଭେଟିଦେବ ବୋଲି ଦର୍ଶକ କହିଛନ୍ତି ।