spot_img
Home Blog Page 4032

ବିଧାନସଭା ମୌସୁମୀ ଅଧିବେଶନର ଏକାଦଶ ଦିନ, ଗୁରୁତ୍ୱପୂର୍ଣ୍ଣ ବିଭାଗର ରହିଛି ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ

ଭୁବନେଶ୍ୱର: ଆଜି ବିଧାନସଭା ମୌସୁମୀ ଅଧିବେଶନର ଏକାଦଶ ଦିନ । ପ୍ରଶ୍ନକାଳରେ କୃଷି ଓ କୃଷକ ସଶକ୍ତିକରଣ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଦ୍ୟାଳୟ ଓ ଗଣଶିକ୍ଷା, ଉଚ୍ଚଶିକ୍ଷା, ଶ୍ରମ ଓ କର୍ମଚାରୀଙ୍କ ରାଜ୍ୟ ବୀମା, ସମବାୟ, ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ବିଭାଗ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ପ୍ରଶ୍ନଉତ୍ତର କାର୍ଯ୍ୟକ୍ରମ ରହିଛି ।

ସେହିପରି ଶୂନ୍ୟ କାଳରେ ରାଜ୍ୟ ସ୍ୱାର୍ଥ ସମ୍ବଳିତ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠିପାରେ । ବିଜେପି ପକ୍ଷରୁ ଦିଆଯାଇ ଥିବା ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ହୋଇପାରେ । ଅପରାହ୍ନରେ ଗୃହ ଏବଂ ସାଧାରଣ ପ୍ରଶାସନ ବିଭାଗର ଖର୍ଚ୍ଚ ଦାବି ବିଷୟରେ ଆଲୋଚନା ହେବ ।

ଆଜିଠୁ +୨ ନାମଲେଖା ପାଇଁ ଆବେଦନ, ସାମ୍ସ ପୋର୍ଟାଲ ଜରିଆରେ ଆବେଦନ କରିବେ ଛାତ୍ରଛାତ୍ରୀ

ଭୁବନେଶ୍ୱର: ଆଜିଠୁ ଯୁକ୍ତ ଦୁଇ ନାମଲେଖା ପାଇଁ ଆବେଦନ । ଅଗଷ୍ଟ ୧୭ରେ ମେଧା ତାଲିକା ପ୍ରକାଶ ପାଇବ । ଏହାପରେ ଅଗଷ୍ଟ ୧୯ରୁ ଆରମ୍ଭ ହେବ ନାମଲେଖା । ସାମ୍ସ ପୋର୍ଟାଲ ଜରିଆରେ ଆବେଦନ କରିବେ ଛାତ୍ରଛାତ୍ରୀ । ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ ପଞ୍ଜିକରଣ କରିପାରିବେ ଛାତ୍ରଛାତ୍ରୀ । ଆବେଦନ ପାଇଁ ସାଧାରଣ ବର୍ଗର ଛାତ୍ରଛାତ୍ରୀ ୨ଶହ ଟଙ୍କା ପୈଠ କରିବାକୁ ଥିବା ବେଳେ ଏସସି ଓ ଏସଟି ବର୍ଗର ଛାତ୍ରଛାତ୍ରୀ ଶହେ ଟଙ୍କା ଦାଖଲ କରିବେ ।

ଆବେଦନ ଶେଷ ପରେ ଅଗଷ୍ଟ ୧୭ ଅପରାହ୍ନ ୩ଟାରେ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ । ଅଗଷ୍ଟ ୧୯ରୁ ୨୫ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ନାମଲେଖା ସରିବ । ସେହିପରି ଅଗଷ୍ଟ ୨୭ ଯାଏ ପ୍ରଥମ ପର୍ଯ୍ୟାୟ ନାମଲେଖା ସ୍ଲାଇଡ୍ ଅପ୍ ହେବାକୁ ଥିବା ବେଳେ ସେପଟେମ୍ବର ୨ରେ ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ । ଛାତ୍ରଛାତ୍ରୀ ନାମଲେଖା ସମ୍ପର୍କିତ ସମସ୍ତ ତଥ୍ୟ samsodisha.gov.inରେ ପାଇପାରିବେ ବୋଲି ନିର୍ଦ୍ଦେଶାଳୟ ପକ୍ଷରୁ ସୂଚନା ମିଳିଛି ।

୨୦୨୧ରେ ରାଜ୍ୟରେ ନିୟନ୍ତ୍ରଣାଧୀନ ରହିଛି ଆଇନଶୃଙ୍ଖଳା, ଲୋକଙ୍କୁ ମିଳିଛି ତ୍ୱରିତ ନ୍ୟାୟ

ଭୁବନେଶ୍ୱର: ଗୃହ ବିଭାଗ ୨୦୨୧ର ଶ୍ୱେତପତ୍ର ଜାରି କରିଛି । ଗୃହ ବିଭାଗର ୨୦୨୧ ବର୍ଷର ଶ୍ୱେତପତ୍ର ସମସ୍ତ ବିଧାୟକଙ୍କୁ ପ୍ରଦାନ କରାଯାଇଛି । ରାଜ୍ୟରେ ଆଇନଶୃଙ୍ଖଳା ମୋଟାମୋଟି ଭାବେ ଶାନ୍ତିପୂର୍ଣ୍ଣ ରହିଥିବା ଶ୍ୱେତପତ୍ରରେ ଉଲ୍ଲେଖ ରହିଛି । ମାଓବାଦୀଙ୍କ ସହ ୨୧ଟି ଗୁଳି ବିନିମୟ ଘଟଣା ସହ ମୋଟ ୨୮ଟି ଘଟଣା ଘଟିଛି । ୨୦୨୧ ମସିହାରେ ରାଜ୍ୟରେ କୌଣସି ଛାତ୍ର ଅଶାନ୍ତି ଦେଖା ଦେଇନଥିଲା । ଏଯାଏଁ ରାଜ୍ୟରେ ସନ୍ତ୍ରାସବାଦୀ କାର୍ଯ୍ୟକଳାପ ହୋଇନାହିଁ ବୋଲି ଶ୍ୱେତପତ୍ରରେ ପ୍ରକାଶ କରାଯାଇଛି । ୨୦୨୧ ବର୍ଷରେ ରାଜ୍ୟରେ ବାମପନ୍ଥୀ ଓ ଉଗ୍ରବାଦୀ ସ୍ଥିତି ସାମଗ୍ରୀକ ଭାବେ ନିୟନ୍ତ୍ରଣାଧୀନ ଥିଲା । ରାଜ୍ୟରେ ମାଓ ହିଂସା ହ୍ରାସ ପାଇବା ସହ ମାଓବାଦୀଙ୍କ ପ୍ରତି ଜନ ସମର୍ଥନ ମଧ୍ୟ ହ୍ରାସ ପାଇଛି । ୧୦ଟି ମାଓ ପ୍ରଭାବିତ ଜିଲ୍ଲାରେ ବିକାଶମୂଳକ କାର୍ଯ୍ୟକ୍ରମ ଅଧିକ ତ୍ୱରାନ୍ୱିତ ହୋଇଛି । ମାଓବାଦୀଙ୍କ ସହ ଗୁଳି ବିନିମୟରେ ୭ ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ବେଳେ, ୩୬ ଜଣଙ୍କୁ ଗିରଫ କରାଯାଇଛି । ୨୧ ଜଣ ଆତ୍ମସମର୍ପଣ କରିଥିବା ବେଳେ ୩୦ଟି ବନ୍ଧୁକ, ୪୮ଟି ବିସ୍ଫୋରକ ଭଳି ବହୁ ସାମଗ୍ରୀ ଜବତ ହୋଇଛି ।

ଶ୍ୱେତପତ୍ରର ତଥ୍ୟ ଅନୁସାରେ, ୨୦୨୧ ମସିହାରେ ୧ ଲକ୍ଷ ୫୫ ହଜାର ୪୨୦ଟି ଧର୍ତ୍ତବ୍ୟ ଅପରାଧ ରୁଜୁ କରାଯାଇଛି । ସେଥିରୁ ହଜାରେ ୩୯୪ଟି ହତ୍ୟା, ୫୫୨ଟି ଡକାୟତି, ୨୮୨୬ଟି ଲୁଣ୍ଠନ, ୫୧୩୩ଟି ସିନ୍ଧି ଚୋରି, ୧୩ ହଜାର ୨୪ଟି ଚୋରି, ୫୧୩୮ଟି ପ୍ରତାରଣା, ୨୨୨୦ଟି ଦଙ୍ଗା, ୩୩୨୭ଟି ଦୁଷ୍କର୍ମ ମାମଲା ରୁଜୁ ହୋଇଛି । ରାଜ୍ୟରେ ଯୌତୁକ ନିର୍ଯାତନା ମାମଲା ମଧ୍ୟରୁ ୧୦୯୬ଟି ମକଦ୍ଦମା ତଦନ୍ତାଧିନ ରହିଛି । ଚୋରି ମାମଲାରେ ୫୪୫୮, ପ୍ରତାରଣାରେ ୧୪୦୬, ମାରପିଟରେ ୧୩୭୭ ଓ ଦୁଷ୍କର୍ମରେ ୨୩୩୫ଟି ମାମଲାର ଚାର୍ଜିସଟ୍ ଦାଖଲ ହୋଇଛି । ସେହିପରି ଗତବର୍ଷ ୧୦ ହଜାର ୯୮୩ ମୋଟର ଯାନ ଦୁର୍ଘଟଣା ରୁଜୁ ହୋଇଛି । ସାମଗ୍ରିକ ଭାବେ ରୁଜୁ ହୋଇଥିବା ମାମଲା ମଧ୍ୟରୁ ୧ ଲକ୍ଷ ୪୯ ହଜାର ୨୩୨ଟି ମାମଲା ସତ୍ୟ ବୋଲି ଜଣାପଡ଼ିଛି । ଏହା ମଧ୍ୟରୁ ୧ ଲକ୍ଷ ୬ ହଜାର ୨୮୩ଟି ମାମଲାରେ ଚାର୍ଜସିଟ୍ ଦାଖଲ ହୋଇଛି ।

ଓଡ଼ିଶାରେ ପହଞ୍ଚିଲା ପଦ୍ମଶ୍ରୀ ଅଜୟ ପରିଡ଼ାଙ୍କ ମରଶରୀର, ଶେଷ ଦର୍ଶନ ପରେ ପୈତୃକ ଗାଁରେ ହେବ ଶେଷକୃତ୍ୟ

ଭୁବନେଶ୍ୱର: ଓଡ଼ିଶାରେ ପହଞ୍ଚିଲା ପଦ୍ମଶ୍ରୀ ଅଜୟ ପରିଡ଼ାଙ୍କ ମରଶରୀର । ୭ଟା ୨୦ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଛି ପାର୍ଥିବ ଶରୀର । ସେଠାରୁ ମରଶରୀରକୁ ଭୁବନେଶ୍ୱର ଆଇଏଲଏସ କାର୍ଯ୍ୟାଳୟ ନିଆଯାଇଛି । ସେଠାରେ ୮ଟା ୩୦ରୁ ୯ଟା ୩୦ପର୍ଯ୍ୟନ୍ତ ତାଙ୍କର ଶେଷ ଦର୍ଶନ କରିହେବ । ଶେଷ ଦର୍ଶନ ପରେ ପୈତୃକ ଗାଁ ଯାଜପୁରର ଭଗବାନପୁରରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେବ ଶେଷକୃତ୍ୟ । ଗତକାଲି ବରିଷ୍ଠ ବୈଜ୍ଞାନିକ ତଥା ଭୁବନେଶ୍ୱର ILS ନିର୍ଦ୍ଦେଶକ ପଦ୍ମଶ୍ରୀ ଅଜୟ ପରିଡ଼ାଙ୍କ ପରଲୋକ ହୋଇଥିଲା । ଗୁଆହାଟୀରେ ହୃଦଘାତରେ ତାଙ୍କର ଦେହାନ୍ତ ହୋଇଛି ।

୧୯୬୩ ମସିହାରେ ଯାଜପୁରର ଭଗବାନପୁରରେ ଜନ୍ମଗ୍ରହଣ କରିଥିଲେ ଡକ୍ଟର ଅଜୟ ପରିଡ଼ା । ଜଳବାୟୁ ପରିବର୍ତ୍ତନ, ସମୁଦ୍ର ପତନ ଓ କୃଷି ଉତ୍ପାଦନ ସମ୍ପର୍କରେ ସେ ବହୁ ଅଧ୍ୟୟନ କରିଥିଲେ । ବିଜ୍ଞାନ ଓ କୃଷି କ୍ଷେତ୍ରକୁ ଅତୁଳନୀୟ ଅବଦାନ ନିମନ୍ତେ ଡକ୍ଟର ଅଜୟଙ୍କୁ ୨୦୧୪ରେ ସମ୍ମାନଜନକ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଭୁବନେଶ୍ୱରରେ ILS ପ୍ରତିଷ୍ଠା ହେବା ଦିନଠୁ ସେ ଏହାର ନିର୍ଦ୍ଦେଶକ ଥିଲେ । ବିଜ୍ଞାନ ଓ କୃଷି କ୍ଷେତ୍ରକୁ ଅନୁଳନୀୟ ଅବଦାନ ନିମନ୍ତେ ସେ ଭାରତୀୟ ବିଜ୍ଞାନ କଂଗ୍ରେସ ଆସୋସିଏସନ ତରଫରୁ ଉମାକାନ୍ତ ମେମୋରିଆଲ ପୁରସ୍କାର, ବିଏମ ବିର୍ଲା ବିଜ୍ଞାନ ପୁରସ୍କାର, ଟାଟା ଇନୋଭେସନ ଫେଲୋସିପ ଡିପାର୍ଟମେଣ୍ଟ ଅଫ ବାୟୋଟେକନୋଲୋଜିକାଲ୍ ଆଦି ଏକାଧିକ ସମ୍ମାନରେ ସମ୍ମାନିତ ହୋଇଥିଲେ ।

କରୋନା ଭୟାବହତା ସମୟରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ସମ୍ପନ୍ନ କରିଥିଲେ ଅଜୟ ପରିଡ଼ା । କୋଭିଡକୁ ନେଇ ତାଙ୍କ ସୂଚନା ଓ ପରାମର୍ଶକୁ ଲୋକ ଅପେକ୍ଷା କରି ରହୁଥିଲେ । କରୋନା ବାବଦରେ ବିସ୍ତୃତ ତଥ୍ୟ ଦେଉଥିଲେ ଅଜୟ । ଅଜୟଙ୍କ ବିୟୋଗରେ ଶୋକପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତାଙ୍କ ଅମର ଆତ୍ମାର ସଦଗତି ସହିତ ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି ନବୀନ ।

ରାଜ୍ୟରେ ପୁଣି ବର୍ଷା ଆରମ୍ଭ, ୭୦ରୁ ୧୧୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ସମ୍ଭାବନା

ଭୁବନେଶ୍ୱର: ରାଜ୍ୟରେ ପୁଣି ଆରମ୍ଭ ହେଲାଣି ବର୍ଷା । ଦକ୍ଷିଣ ଓଡ଼ିଶାର କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ଗଜପତି, କଳାହାଣ୍ଡି, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼ରେ ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି ହୋଇଛି । ସେହିଭଳି ଆଭ୍ୟନ୍ତରୀଣ ଓଡ଼ିଶାରେ ଘଡ଼ଘଡ଼ି ବିଜୁଳି ସହ ବର୍ଷା ହେବାର ସମ୍ଭାବନା ରହିଛି । ୨୨ ଓ ୨୩ରେ ବର୍ଷାର ପରିମାଣ ଆହୁରି ବଢ଼ିବ । ୨୪ ଯାଏ ରାଜ୍ୟରେ ଜାରି ରହିବ ବର୍ଷା । ୭୦ରୁ ୧୧୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ସମ୍ଭାବନା । ଏବେ ଲଘୁଚାପ ମଧ୍ୟପ୍ରଦେଶ ଓ ଏହାର ଆଖପାଖ ଅଞ୍ଚଳରେ ଦୁର୍ବଳ ହୋଇଛି ।

ସେପଟେ ଦକ୍ଷିଣ ଝାଡ଼ଖଣ୍ଡ ଓ ଏହାର ଆଖପାଖରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୬ ପ୍ରତିଶତ ଅଧିକ ବର୍ଷା ହୋଇଛି । ୬ ଜିଲ୍ଲାରେ ସ୍ୱାଭାବିକଠାରୁ ଅଧିକ, ଗୋଟିଏ ଜିଲ୍ଲାରେ ସ୍ୱାଭାବିକଠାରୁ କମ୍ ଏବଂ ବାକି ସମସ୍ତ ଜିଲାରେ ସ୍ୱାଭାବିକ ବର୍ଷା ହୋଇଛି ।

ଆଜି ଶ୍ରୀଲଙ୍କା ରାଷ୍ଟ୍ରପତି ନିର୍ବାଚନ, ପ୍ରଥମ ଥର ପାଇଁ ହେଉଛି ପରୋକ୍ଷ ଭୋଟ

କଲମ୍ବୋ: ଆଜି ଶ୍ରୀଲଙ୍କା ଦେଖିବ ନୂଆ ରାଷ୍ଟ୍ରପତି । ଶ୍ରୀଲଙ୍କାରେ ପ୍ରଥମ ଥର ପାଇଁ ପରୋକ୍ଷରେ ହେବାକୁ ଯାଉଛି ରାଷ୍ଟ୍ରପତି ନିର୍ବାଚନ । ସିକ୍ରେଟ୍ ବାଲଟ ମାଧ୍ୟମରେ ନିର୍ବାଚନ ହେବ । ଶ୍ରୀଲଙ୍କା ରାଷ୍ଟ୍ରପତି ପଦ ପାଇଁ ହେବ ତ୍ରିମୁଖୀ ଲଢ଼େଇ । ରେସରେ ଅଛନ୍ତି କାମଚଳା ରାଷ୍ଟ୍ରପତି ରନିଲ ବିକ୍ରମସିଂଘେ । ତାଙ୍କୁ ଟକ୍କର ଦେବେ ଡୁଲାସ୍ ଆଲାପେରୁମା ଓ ଅନୁରା କୁମାର ଦିସାନାୟକେ । ଉଭୟଙ୍କ ନାଁ ପ୍ରସ୍ତାବ ଶ୍ରୀଲଙ୍କା ସାଂସଦ ଦେଇଛନ୍ତି ।

ଆଜି ରାଷ୍ଟ୍ରପତି ନିର୍ବାଚନରେ ଗୋଟାବାୟା ରାଜପାକ୍ଷେଙ୍କ ଉତ୍ତରାଧିକାରୀଙ୍କୁ ବଛାଯିବ । ତେବେ ଶ୍ରୀଲଙ୍କାର ପ୍ରମୁଖ ବିରୋଧୀ ଦଳ ନେତା ସାଜିଥ ପ୍ରେମଦାସା ରାଷ୍ଟ୍ରପତି ରେସରୁ ଓହରି ଯାଇଛନ୍ତି । ଆଲାପେରୁମାଙ୍କୁ ସମର୍ଥନ କରିବା ପାଇଁ ସେ ପ୍ରତିଦ୍ୱନ୍ଦ୍ୱିତାରୁ ଓହରି ଯାଇଛନ୍ତି । ୨୨୫ ସଦସ୍ୟ ଥିବା ଶ୍ରୀଲଙ୍କା ପାର୍ଲାମେଣ୍ଟ ଆଜି ନୂଆ ରାଷ୍ଟ୍ରପତି ବାଛିବ । ନବନିର୍ବାଚିତ ରାଷ୍ଟ୍ରପତି ୨୦୨୪ ନଭେମ୍ବର ପର୍ଯ୍ୟନ୍ତ ଦାୟିତ୍ୱ ନେବେ । ୧୧୩ଟି ଭୋଟ ପାଇଲେ ରେସରେ ଥିବା ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ବିଜେତା ଘୋଷଣା କରାଯିବ ।

କିଏ ସେହି ଶିଳ୍ପପତି ଯିଏ ନିଜର ୬ଶହ କୋଟି ଟଙ୍କାର ସମ୍ପତ୍ତି ସରକାରଙ୍କୁ ଦାନ କରିଦେଲେ ?

ମୁରାଦାବାଦ: ଜଣେ ଶିଳ୍ପପତି ଯିଏ ନିଜର ୬ଶହ କୋଟି ଟଙ୍କାର ସମ୍ପତ୍ତି ସରକାରଙ୍କୁ ଦାନ କରି ଦେଇଛନ୍ତି । ଉତ୍ତରପ୍ରଦେଶର ଜଣେ ଶିଳ୍ପପତି ନିଜର ସମସ୍ତ ସମ୍ପତ୍ତି ସରକାରଙ୍କୁ ଦାନ କରି ଏବେ ଚର୍ଚ୍ଚାରେ । ଏ ଖବରଟି ଆପଣଙ୍କୁ ନିଶ୍ଚୟ ବିଚଳିତ କରୁଥିବ । ଆଜିର ସମାଜରେ ଯେତବେଳେ ସମସ୍ତେ ଅର୍ଥ ସଞ୍ଚୟ ଏବଂ ବୃଦ୍ଧି ଦିଗରେ ଧାଉଁଛନ୍ତି ସେତବେଳେ ଏହି ଶିଳ୍ପପତି ମୋହମାୟାର ଉର୍ଦ୍ଧ୍ୱରେ ରହି ଗରିବଙ୍କ ପାଇଁ ନିଜ ସବୁ ସମ୍ପତ୍ତି ଦାନ କରିଛନ୍ତି । କିଏ ସେହି ଶିଳ୍ପପତି ଯିଏ ବଦାନ୍ୟତା ଦେଖାଇ ନିଜର ୬ଶହ କୋଟି ଟଙ୍କାର ସମ୍ପତ୍ତି ସରକାରଙ୍କୁ ଦାନ କରିଦେଲେ ? ଜାଣିବା ତାଙ୍କ ବିଷୟରେ ସବୁ କିଛି ।

ଉତ୍ତରପ୍ରଦେଶର ମୁରାଦାବଦର ସବୁଠୁ ବଡ଼ ଶିଳ୍ପପତି ହେଉଛନ୍ତି ଡା. ଅରବିନ୍ଦ କୁମାର ଗୋଏଲ । ନିଜର ସବୁ ସମ୍ପତ୍ତି ଗରିବଙ୍କ ପାଇଁ ଦାନ କରିଦେଇଛନ୍ତି । ସମ୍ପତ୍ତିର ମୋଟ ମୂଲ୍ୟ ପ୍ରାୟ ୬ଶହ କୋଟି ହେବ । ଗୋଏଲ କେବଳ ନିଜର ଏକ ଘରକୁ ଛାଡି ଆଉ ସବୁ ଦାନ ଦେଇଛନ୍ତି । ୫୦ ବର୍ଷର ପରିଶ୍ରମରେ ଅର୍ଜିତ ସମ୍ପତ୍ତି ଦାନ କରିବା ପରେ ଚର୍ଚ୍ଚା ଘେରକୁ ଆସିଛନ୍ତି । ଗୋଏଲ ଏହି ଦାନ ଉତ୍ତରପ୍ରଦେଶ ସରକାରଙ୍କୁ ଦେଇଛନ୍ତି । ତେବେ ଉତ୍ତରପ୍ରଦେଶ, ରାଜସ୍ଥାନ, ମହାରାଷ୍ଟ୍ର ସମେତ ଅନେକ ରାଜ୍ୟରେ ତାଙ୍କର ୧୦୦ରୁ ଅଧିକ ଶିକ୍ଷାନୁଷ୍ଠାନ, ବୃଦ୍ଧାଶ୍ରମ ଏବଂ ହସ୍ପିଟାଲ ରହିଛି ।

କରୋନା ସମୟରେ ମଧ୍ୟ ଲୋକଙ୍କୁ ସହାୟତା କରି ଚର୍ଚ୍ଚାରେ ରହିଥିଲେ । ଲକଡାଉନ ସମୟରେ ମୁରାଦାବାଦର ୫୦ ଗାଁକୁ ପୋଷ୍ୟ ଭାବେ ନେଇ ଲୋକମାନଙ୍କୁ ମାଗଣା ଖାଦ୍ୟ ଓ ମେଡିସିନ ଦେଇଥିଲେ । ଗୋଏଲ ପୂର୍ବରୁ ମଧ୍ୟ ନିଜର ମହାନ କାର୍ଯ୍ୟ ପାଇଁ ଅନେକ ସମ୍ମାନର ଅଧିକାରୀ ହୋଇ ସାରିଛନ୍ତି । ସମାଜସେବା ପାଇଁ ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମ, ପ୍ରଣବ ମୁଖର୍ଜୀ, ପ୍ରତିଭା ଦେବୀସିଂହ ପାଟିଲ ଓ ବର୍ତ୍ତମାନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଧ୍ୟ ତାଙ୍କୁ ସମ୍ମାନୀତ କରିଛନ୍ତି ।

ଡା. ଗୋଏଲଙ୍କ ଜନ୍ମ ମୁରାଦାବାଦରେ ହୋଇଥିଲା । ତାଙ୍କ ପିତା ପ୍ରମୋଦ କୁମାର ଏବଂ ମା’ ଶକୁନ୍ତଳା ଦେବୀ ସ୍ୱାଧିନତା ସଂଗ୍ରାମୀ ଥିଲେ । ବର୍ତ୍ତମାନ ଗୋଏଲଙ୍କ ପରିବାରରେ ତାଙ୍କ ପତ୍ନୀ ରେଣୁଙ୍କ ବ୍ୟତୀତ ଦୁଇ ପୁଅ ଓ ଜଣେ ଝିଅ ଅଛନ୍ତି । ବଡ଼ ପୁଅ ମଧୁର ଗୋଏଲ ମୁମ୍ବାଇରେ ରହୁଛନ୍ତି । ସାନ ପୁଅ ପ୍ରକାଶ ଗୋଏଲ ମୁରାଦାବାଦରେ ରହି ବାପାଙ୍କ ସହ ବ୍ୟବସ୍ୟାୟରେ ସହାୟତା କରନ୍ତି । ଝିଅ ବିବାହ ପରେ ବରେଲିରେ ରହୁଛନ୍ତି ।

ଗୋଏଲ ସୋମବାର ରାତିରେ ସମ୍ପତ୍ତି ଦାନ କରିବାକୁ ଘୋଷଣା କରିଥିଲେ । ଏହାପରେ ଗଣମାଧ୍ୟମକୁ କହିଥିଲେ ୨୫ ବର୍ଷ ପୂର୍ବେ ମୁଁ ସମ୍ପତ୍ତି ଦାନ କରିବାକୁ ମନସ୍ଥ କରିଥିଲି । ସେ ସମୟର ଏକ ଘଟଣାର ଉଲ୍ଲେଖ କରି କହିଥିଲେ, ଡିସେମ୍ବର ମାସ ଥାଏ । ମୁଁ ଟ୍ରେନରେ ଚଢିବା କ୍ଷଣି । ସାମ୍ନାରୁ ଜଣେ ଗରିବ ଲୋକ ଥଣ୍ଡାରେ ଥରୁଥିବାର ନଜର ଆସିଥିଲେ । ତା ପାଖରେ ନା ଚାଦର ଥିଲା ନା ପାଦରେ ଚପଲ ଥିଲା । ସେ ଲୋକ ଜଣକ କଷ୍ଟ ଦେଖିବା ପରେ ମୁଁ ଆଉ ରହି ପାରିନଥିଲି । ନିଜ ଯୋତା କାଢି ତାଙ୍କୁ ଦେଇ ଦେଇଥିଲି । କିଛି ସମୟ ପରେ ମୁଁ ବି ଥଣ୍ଡାର ଅନୁଭବ କରିଥିଲି । ମୋ ପାଇଁ ଖାଲି ଗୋଡରେ ବସିବା ଅସହ୍ୟ ହୋଇପଡିଥିଲା । ସେତବେଳେ ମୁଁ ଭାବିଥିଲି, ଏପରି ଅନେକ ଲୋକ ସଂସାରରେ ଥିବେ ଯାହାଙ୍କ ଅବସ୍ଥା ଏମିତି ଥିବ । ସେବେଠୁ ଗରିବ ଏବଂ ବେସାହାରାଙ୍କୁ ସାହାଯ୍ୟ କରିବା ଆରମ୍ଭ କରିଥିଲି । ଏବେ ମୁଁ ଜୀବନରେ ଅନେକ ସଫଳତା ପାଇ ସାରିଛି । ଜୀବନରେ ଭରସା ନାହିଁ । ତେଣୁ ଜୀବିତ ଥିବା ସମୟରେ ନିଜ ସମ୍ପତ୍ତି ସଠିକ ହାତରେ ଦାନ କରିଦେଇଛି ବୋଲି କହିଛନ୍ତି ଅରବିନ୍ଦ ।

ଯାହାଦ୍ୱାରା ଅନାଥ, ଗରିବ ଏବଂ ବେସାହାରା ଲୋକଙ୍କ କାମରେ ଆସିପାରିବ । ମୁଁ ସମ୍ପତ୍ତି ଦାନ କରିବା ପାଇଁ ଜିଲ୍ଲା ପ୍ରଶାସନକୁ ଚିଠି ଲେଖିଛି ଏବଂ ସେ ଆଗାମୀ କାର୍ଯ୍ୟ କରିବେ । ସମ୍ପତ୍ତି ବିକ୍ରୀ ପରେ ଯେଉଁ ଅର୍ଥ ଆସିବ ତାହା ଅନାଥ ଏବଂ ବେସେହାରା ଲୋକଙ୍କ ପାଇଁ ମାଗଣା ଶିକ୍ଷା ଏବଂ ଚିକିତ୍ସାରେ ଲାଗିବ । ତାଙ୍କର ଏପରି ମହନୀୟ କାର୍ଯ୍ୟ ପାଇଁ ସାରା ଦେଶ ତାଙ୍କୁ ପ୍ରଶଂସା କରିଛି ।

ଫୋନ ଟ୍ୟାପିଂ ମାମଲା: ପୂର୍ବତନ ପୋଲିସ କମିଶନର ସଞ୍ଜୟ ପାଣ୍ଡେ ଗିରଫ

ମୁମ୍ବାଇ: ଏନଏସଇର କର୍ମଚାରୀଙ୍କ ଫୋନ ଟ୍ୟାପିଙ୍ଗ ମାମଲାରେ ମୁମ୍ବାଇ ପୂର୍ବତନ କମିଶନର ସଞ୍ଜୟ ପାଣ୍ଡେଙ୍କୁ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) । ମାମଲାରେ କିଛି ଦିନ ହେବ ଇଡି ଓ ସିବିଆଇ ତାଙ୍କୁ ପଚରା ଉଚରା କରୁଥିଲା । ଏବେ ତାଙ୍କୁ ଗିରଫ କରାଯାଇଛି । ସୂଚନାଥାଉକି, ୨୦୧୩ରୁ ୨୦୧୬ ପର୍ଯ୍ୟନ୍ତ ଚିତ୍ରା ରାମକୃଷ୍ଣ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜରେ ପରିଚାଳନା ନିର୍ଦ୍ଦେଶକ ଥିଲେ ।

ସେ ସମୟରେ ସଞ୍ଜୟ ପାଣ୍ଡେ ଆଇସେକ ନାମକ ଏକ ପ୍ରାଇଭେଟ ଲିମିଟେଡ କମ୍ପାନୀ ଜରିଆରେ ଏନଏସଇ କର୍ମଚାରୀଙ୍କ ଫୋନ ଟ୍ୟାପିଂ କରିଥିଲେ । ଚିତ୍ରା ରାମକୃଷ୍ଣଙ୍କ କଥାରେ ଫୋନ ଟ୍ୟାପିଂ କରିଥିବା ଅଭିଯୋଗ ହୋଇଥିଲା । ଇଡି ଘଟଣା ସମ୍ପର୍କରେ ଜାଣିବା ପରେ ଗୃହ ମନ୍ତ୍ରଣାଳୟ ଠାରୁ ତଦନ୍ତ ଅନୁମତି ଆଣିଥିଲା । ସିବିଆଇ ମଧ୍ୟ ମାମଲାର ତଦନ୍ତ କରୁଥିଲା । କିଛି ଦିନ ପୂର୍ବରୁ ରାମକୃଷ୍ଣଙ୍କୁ ମଧ୍ୟ ଗିରଫ କରାଯାଇଥିଲା । ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ସଞ୍ଜୟ ପାଣ୍ଡେଙ୍କ କମ୍ପାନୀକୁ ଟ୍ୟାପିଙ୍ଗ ପାଇଁ ୪.୪୫ କୋଟି ଟଙ୍କା ମିଳିଥିଲା ।

ସଞ୍ଜୟ ପାଣ୍ଡେ ମୁମ୍ବାଇ କମିଶନର ହେବା ପୂର୍ବରୁ ମହାରାଷ୍ଟ୍ର ରାଜ୍ୟ ସୁରକ୍ଷା ନିଗମର ପ୍ରବନ୍ଧ ନିର୍ଦ୍ଦେଶକ ପଦ ସମ୍ଭାଳିଥିଲେ । ଏପ୍ରିଲ ୨୦୨୧ରେ ଉଦ୍ଧବ ଠାକରେ ସରକାର ତାଙ୍କୁ ମହାରାଷ୍ଟ୍ରର ଡିଜିପି ପ୍ରଭାର ଦାୟିତ୍ୱ ମଧ୍ୟ ଦେଇଥିଲେ । ଅବଶ୍ୟ ଆଇପିଏସ ରଜନୀଶ ସେଠଙ୍କୁ ମହାରାଷ୍ଟ୍ରର ଡିଜିପି ନିଯୁକ୍ତ କରାଯିବା ପରେ ତାଙ୍କଠାରୁ ପ୍ରଭାର ଦାୟିତ୍ୱ ପ୍ରତ୍ୟାହାର କରାଯାଇଥିଲା । ୧୯୮୬ ବ୍ୟାଚର ଆଇପିଏସ ଅଧିକାରୀ ମୁମ୍ବାଇ ପୋଲିସର ୭୬ ତମ ପୋଲିସ କମିଶନର ଥିଲେ । ସେ ଗତ ୩୦ ଜୁନରେ ଅବସର ନେଇଥିଲେ ।

ବ୍ରିଟେନ ପ୍ରଧାନମନ୍ତ୍ରୀ ରେସ୍: ଚତୁର୍ଥ ରାଉଣ୍ଡରେ ବି ଋଷି ସୁନକ ଆଗରେ

ଲଣ୍ଡନ: ବ୍ରିଟିଶ୍‌ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ୍‌ଙ୍କ ଇସ୍ତଫା ପରେ ଏବେ କିଏ ହେବ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ । ସେ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଭୋଟିଂ ଜାରି ରହିଛି । ୪ ରାଉଣ୍ଡର ଭୋଟିଂ ସରିଥିବା ବେଳେ ଏଥିରେ ଆଗରେ ରହିଛନ୍ତି ଭାରତୀୟ ବଂଶଦ୍ଭୋବ ଋଷି ସୁନକ୍‌ । ୧୧୮ ଖଣ୍ଡ ଭୋଟ ପାଇ ସେ ଚତୁର୍ଥ ରାଉଣ୍ଡରେ ଲିଡ୍‌ରେ ରହିଛନ୍ତି ।

ଏଥିସହିତ ଆଗାମୀ ପ୍ରଧାନମନ୍ତ୍ରୀ ହେବା ନେଇ ଏକ ପ୍ରକାର ସ୍ପଷ୍ଟ ହୋଇଯାଇଛି । ତୃତୀୟ ରାଉଣ୍ଡରେ ଋଷିଙ୍କୁ ମିଳିଥିଲା ୧୧୫ ଭୋଟ । ଚତୁର୍ଥ ରାଉଣ୍ଡରେ ଅଧିକ ଭୋଟ ପାଇଛନ୍ତି । ଅନ୍ୟପଟେ ବ୍ରିଟିଶ୍‌ ବାଣିଜ୍ୟ ମନ୍ତ୍ରୀ ପେନୀ ମୋରଡାଉଣ୍ଟ ୯୨ ଭୋଟ ପାଇ ଦ୍ୱିତୀୟରେ ଅଛନ୍ତି । ତାଙ୍କ ପଛରେ ୮୬ ଖଣ୍ଡ ଭୋଟ ବୈଦେଶିକ ବ୍ୟାପାର ସଚିବ ଲିଜ୍‌ ଟ୍ରସ୍‌ ପାଇଛନ୍ତି । ପୂର୍ବରୁ ପ୍ରଥମ, ଦ୍ବିତୀୟ ଏବଂ ତୃତୀୟ ରାଉଣ୍ଟ ଭୋଟିଂରେ ମଧ୍ୟ ସୁନକ ଆଗରେ ରହିଥିଲେ  ।

ଶେଷ ରାଉଣ୍ଡରେ ଦୁଇ ଶୀର୍ଷ ଦୁଇ ଜଣଙ୍କ ମଧ୍ୟରେ ମୁକାବିଲା ହେବ । ଯିଏ ଅଧିକ ସମର୍ଥନ ପାଇବ ତାଙ୍କୁ କନଜରଭେଟିଭ ଦଳର ନେତା ଭାବେ ନିଯୁକ୍ତି ମିଳିବ । ଏହାପରେ ସେ ବ୍ରିଟେନ ପ୍ରଧାନମନ୍ତ୍ରୀ ପଦ ପାଇଁ ଶପଥ ମଧ୍ୟ ନେବେ । ତେବେ ଭାରତୀୟ ବଂଶୋଦ୍ଭବ ଋଷି ଏବେ ସବୁଠୁ ଆଗରେ ଅଛନ୍ତି । ଏବଂ ତାଙ୍କର ବିଜୟ ନେଇ ଏକ ପ୍ରକାର ସ୍ପଷ୍ଟ ହୋଇଯାଇଛି । ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ସହ ବିଦ୍ରୋହ କରି ପ୍ରଥମେ ସରକାରରୁ ଇସ୍ତଫା ଦେଇଥିଲେ ଋଷି । ତାଙ୍କ ପରେ ପରେ ଅନ୍ୟ ନେତାମାନେ ମଧ୍ୟ ଇସ୍ତଫା ଦେଇଥିଲେ । ସଂଖ୍ୟା ଗରିଷ୍ଠତା ହରାଇ ଶେଷରେ ଜନସନଙ୍କୁ ତାଙ୍କୁ ଇସ୍ତଫା ଦେବାକୁ ପଡିଥିଲା ।

ଚିନ୍ତାରେ ଉଦ୍ଧବ, ହାତ ଛାଡୁଛନ୍ତି ଦଳୀୟ ନେତା; ଶିବସେନାରେ ବଢ଼ୁଛି ଶିନ୍ଦେଙ୍କ ଦବଦବା

ମୁମ୍ବାଇ: ମହାରାଷ୍ଟ୍ରରେ ଏବେବି ରାଜନୈତିକ ସଙ୍କଟ ଜାରି ରହିଛି । ଶିବସେନାର ଅନ୍ତଃକନ୍ଦଳ ତୀବ୍ର ହେବାରେ ଲାଗିଛି । ପ୍ରଥମେ ୪୦ ବିଧାୟକଙ୍କ ସମର୍ଥନ ନେଇ ଉଦ୍ଧବଙ୍କ ସହ ବିଦ୍ରୋହ କରି ମୁଖ୍ୟମନ୍ତ୍ରୀ ହୋଇଥିବା ଏକନାଥ ଶିନ୍ଦେ ଏବେ ପୁଣିଥରେ ଉଦ୍ଧବଙ୍କୁ ଟାର୍ଗେଟ କରିଛନ୍ତି । ଉଦ୍ଧବଙ୍କୁ ଶକ୍ତିହୀନ କରିବା ପାଇଁ ଆଉ ଏକ ନୂଆ ଚାଲ୍ ଖେଳିଛନ୍ତି । ଶିବସେନାକୁ ନିଜ ଅକ୍ତିଆର କରିବା ପାଇଁ ଗୋଟିଏ ପରେ ଗୋଟିଏ ନେତାଙ୍କ ସମର୍ଥନ ଉଦ୍ଧବଙ୍କଠାରୁ ଛଡାଇ ନେଉଛନ୍ତି । ଏବେ ଶିବସେନାର ୧୨ ସାଂସଦ ଶିନ୍ଦେଙ୍କ ସମର୍ଥନରେ ଅଛନ୍ତି ।

ଶିନ୍ଦେଙ୍କ ପୁଅ ଶ୍ରୀକାନ୍ତ ୧୨ ସାଂସଦଙ୍କ ସହ ଯାଇ ଲୋକସଭା ବାଚସ୍ପତିଙ୍କୁ ଭେଟିଛନ୍ତି । ଆଜି ସନ୍ଧ୍ୟାରେ ବାଚସ୍ପତି ଓମ ବିରଲା ମଧ୍ୟ ବିଦ୍ରୋହୀ ଗୋଷ୍ଠୀର ନେତା ଏକନାଥ ଶିନ୍ଦେ ସମର୍ଥକ ସାଂସଦ ରାହୁଲ ଶୋବାଲେଙ୍କୁ ଲୋକସଭାରେ ଶିବସେନାର ନେତା ଭାବରେ ମାନ୍ୟତା ଦେଇଛନ୍ତି । ଏନେଇ ସୂଚନା ଦେଇଛନ୍ତି ବିଦ୍ରୋହୀ ଏକନାଥ ଶିନ୍ଦେ । ରାହୁଲ ଶୋବାଲେ ଦକ୍ଷିଣ ମଧ୍ୟ ମୁମ୍ବାଇରୁ ସାଂସଦ ଅଛନ୍ତି । ଶୋବାଲେ ପୂର୍ବରୁ ରାଷ୍ଟ୍ରପତି ନିର୍ବାଚନରେ ଏନଡିଏକୁ ସମର୍ଥନ ଦେବା ପାଇଁ ଉଦ୍ଧବଙ୍କୁ ଚିଠି ଲେଖିଥିଲେ ।

ଅନ୍ୟପକ୍ଷରେ ଧୀରେ ଧୀରେ ଶକ୍ତିହୀନ ହେଉଥିବା ଉଦ୍ଧବ ଠାକରେ ବରିଷ୍ଠ ପଦାଧିକାରୀଙ୍କ ବୈଠକ ଡକାଇଛନ୍ତି । ସୂଚନାଥାଉକି ବିଧାୟକଙ୍କ ବିଦ୍ରୋହ ପରେ ୨୯ ଜୁନରେ ମୁଖ୍ୟମନ୍ତ୍ରୀ ପଦରୁ ଉଦ୍ଧବ ଇସ୍ତଫା ଦେଇଥିଲେ । ଶିବସେନାର ୧୨ ସାଂସଦଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୱାଇ ପ୍ଲସ ସୁରକ୍ଷା ଦିଆଯାଇଛି । କୁହାଯାଉଛି, ଶିବସେନାର ୧୯ ମଧ୍ୟରୁ ୧୨ ସାଂସଦ ଲୋକସଭାରେ ଅଲଗା ଗୋଷ୍ଠୀର ଦାବି କରିପାରନ୍ତି ।

ସୂଚନାଥାଉକି ଏବେ ସମସ୍ତଙ୍କ ନଜର ବୁଧବାର ହେବାକୁ ଥିବା ସୁପ୍ରିମକୋର୍ଟଙ୍କ ଶୁଣାଣି ଉପରେ ରହିଛି । ଉଦ୍ଧବଙ୍କ ନେତୃତ୍ୱାଧୀନ ଗୋଷ୍ଠୀ ଏବଂ ଏକନାଥ ଶିନ୍ଦେଙ୍କ ଗୋଷ୍ଠୀର ଆବେଦନ ଉପରେ ଶୁଣାଣି ହେବ । ପ୍ରଧାନ ବିଚାରପତି ଏନଭି ରମନ୍ନା, ଜଷ୍ଟିସ କୃଷ୍ଣ ମୁରାରୀ ଏବଂ ହେମା କୋହଲିଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରିବେ ।