spot_img
Home Blog Page 4031

ପଞ୍ଜାବରେ ଏନକାଉଣ୍ଟର, ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ଜଣେ ମୃତ-ଦୁଇ ଆହତ

ଅମୃତସର: ପଞ୍ଜାବୀ ଗାୟକ ସିଦ୍ଧୁ ମୁସେଓ୍ବାଲା ହତ୍ୟା ଅଭିଯୁକ୍ତଙ୍କୁ ଏନକାଉଣ୍ଟର  । ପଞ୍ଜାବ ପୋଲିସ ଏବଂ ସ୍ୱତନ୍ତ୍ର ଏନକାଉଣ୍ଟର ଟିମ୍ ଏହି ଅପରେସନ ଆରମ୍ଭ କରିଥିଲା  । ଦିଲ୍ଲୀ ପୋଲିସ ଏବଂ ପଞ୍ଜାବ ପୋଲିସ ଦୀର୍ଘ ଦିନ ଧରି ମାଷ୍ଚରପ୍ଲାନ ଆରମ୍ଭ କରିଥିବାବେଳେ ପଞ୍ଜାବର ଏକ ସୀମାନ୍ତ  ଚୀଚା ଭକନା ଗ୍ରାମରେ ଲୁଚି ରହିଥିଲେ  । ପୋଲିସ ପାଖରେ ସୂଚନା ରହିଥିଲା କି ଏହି ଟିମରେ ୨ରୁ ୩ ଜଣ ରହିଥିଲେ  । ପୋଲିସର ଏନକାଉଣ୍ଟରରେ ଜଣେ ସୁଟରର ମୃତ୍ୟୁ ଘଟିଛି  । ସେପଟେ ୨ ଜଣ ଅନକାଉଣ୍ଟରରେ ଆହତ ହୋଇଛନ୍ତି  ।

ମଧ୍ୟାହ୍ନରୁ ପୋଲିସ ଆରମ୍ଭ କରିଥିଲା ଏନକାଉଣ୍ଟର  । ଅଟାରୀ ବର୍ଡର ପାଖରୁ ପ୍ରାୟ ୧୦ କିଲୋମିଟର ଦୂରରେ ଲୁଚି ରହିଥିଲେ ଏହି ଗ୍ୟାଙ୍ଗ  । ଏହି ଟିମରେ ଥିବା ଅଭିଯୁକ୍ତମାନେ ସିଦ୍ଧୁ ମୁସେୱାଲାଙ୍କୁ ମଧ୍ୟ ହତ୍ୟା କରିଥିଲେ  । ଲରେନ୍ସ ବିଷ୍ଣୋଇ ଗ୍ରୁପର ଏ ସମସ୍ତ ସୁଟର ବୋଲି ଜଣା ପଡିଥିଲା  । ପୋଲିସ ମିଳିତ ଭାବେ ଏଠାରେ ଏନକାଉଣ୍ଟର ଆରମ୍ଭ କରିଥିଲା  । ପରବର୍ତ୍ତୀ ଜାଣିବାକୁ ମିଳିଥିଲା ଯେ ୨-୩ ଜଣ ନୁହଁନ୍ତି ୬ରୁ ୭ଜଣ ସୁଟର ଏଠାରେ ଲୁଚି ରହିଛନ୍ତି  ।

ଅପରାଧିଙ୍କ ପକ୍ଷରୁ ମଧ୍ୟ ଗୁଳି ମାଡ଼ ଜାରି ରହିଛି  । ଯାହା ଫଳରେ ପୋଲିସ କର୍ମଚାରୀ ମଧ୍ୟ ଆହତ ହୋଇଥିବା ଜାଣିବାକୁ ମିଳିଛି  । ଏନକାଉଣ୍ଟରକୁ ୫ ଘଣ୍ଟାରୁ ଅଧିକ ସମୟ ବିତିଥିଲେ ସୁଦ୍ଧା ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ଜାରି ରହିଛି ଗୁଳିଗୋଳା ମାଡ଼  । ସେପଟେ ଘଟଣାସ୍ଥଳରେ ନିୟୋଜିତ ରହିଛନ୍ତି ଖୋଦ ପଞ୍ଜାବ ପୋଲିସ ମହାନିର୍ଦ୍ଦେଶକ  । ଅପରାଧି ମାନେ ଫସଲ କ୍ଷେତରେ ମଧ୍ୟ ଲୁଚି ରହିଥିବା ଜାଣିବାକୁ ମିଳିଛି  ।

 

ରାନିଲ ବିକ୍ରମ ସିଂଘେ ଶ୍ରୀଲଙ୍କା ରାଷ୍ଟ୍ରପତି, ପାଞ୍ଚଥର ଥିଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର: ପାଞ୍ଚଥରର ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଂଘେ ହେଲେ ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି । କାମଚଳା ରାଷ୍ଟ୍ରପତିରୁ ହେଲେ ଫୁଲ୍ ଟାଇମ ପ୍ରେସିଡେଣ୍ଟ । ଦକ୍ଷ ରାଜନେତା ଓ ବିଚକ୍ଷଣ କୂଟନୀତିଜ୍ଞ ଭାବେ ଖ୍ୟାତି ଅର୍ଜନ କରିଛନ୍ତି ରାନି । କଲମ୍ବୋରେ ୧୯୪୯ରେ ଜନ୍ମିତ ରାନିଲ ସିଲନ ଲ’ କଲେଜରୁ ଶିକ୍ଷାଲାଭ କରିଥିବାବେଳେ ଶିକ୍ଷା, ଅର୍ଥନୀତି ଓ ମାନବାଧିକାର କ୍ଷେତ୍ରରେ ଅବଦାନ ଲାଗି ତାଙ୍କୁ ମିଳିଥିଲା ଡକ୍ଟୋରେଟ ।

ସେ ପ୍ରଥମେ ୟୁନାଇଟେଡ ନ୍ୟାସନାଲ ପାର୍ଟିରେ ଯୋଗ ଦେଇଥିଲେ । ୧୯୭୭ରେ ତତକାଳୀନ ଜେ.ଆର ଜୟବର୍ଦ୍ଧନେ ସରକାରରେ ସେ ଥିଲେ ବୈଦେଶିକ ବ୍ୟାପାର ଉପମନ୍ତ୍ରୀ । ୧୯୮୦ରେ ସେ ହୋଇଥିଲେ ଶିକ୍ଷା ମନ୍ତ୍ରୀ । ୧୯୮୯ରେ ସେ ହୋଇଥିଲେ ଶିଳ୍ପମନ୍ତ୍ରୀ । ସେ ପ୍ରଥମ ଥର ଲାଗି ଅଗଷ୍ଟ ୧୯୯୩ରରୁ ୧୯୯୪ ହୋଇଥିଲେ ପ୍ରଧାନମନ୍ତ୍ରୀ । ଦ୍ବିତୀୟ ଥର ଲାଗି ସେ ଡିସେମ୍ବର ୨୦୦୧ରୁ ଏପ୍ରିଲ ୨୦୦୪ ଯାଏ ସମ୍ଭାଳିଥିଲେ ପ୍ରଧାନମନ୍ତ୍ରୀ ଦାୟିତ୍ବ ।

ତୃତୀୟଥର ଲାଗି ସେ ଜାନୁଆରୀ ୨୦୧୫ରୁ ଅକ୍ଟୋବର ୨୦୧୮ ଯାଏ ହୋଇଥିଲେ ପ୍ରଧାନମନ୍ତ୍ରୀ । ଚତୁର୍ଥ ଥର ଲାଗି ସେ ଡିସେମ୍ବର ୨୦୧୮ରୁ ନଭେମ୍ବର ୨୦୧୯ ଯାଏ ପ୍ରଧାନମନ୍ତ୍ରୀ ହୋଇଥିଲେ । ଗତ ମେ ୨୦୨୨ରେ ସେ ପଞ୍ଚମ ଥର ଲାଗି ପ୍ରଧାନମନ୍ତ୍ରୀ ହୋଇଥିଲେ । ଗତ ଜୁଲାଇ ୧୭ରେ ରାନିଲ ହୋଇଥିଲେ କାମଚଳା ରାଷ୍ଟ୍ରପତି । ଦେଶରେ ଜଣ କ୍ରାଇସିସ ମ୍ୟାନେଜର ଭାବେ ଖ୍ୟାତି ଅର୍ଜନ କରିଛନ୍ତି ରାନିଲ ।

ଧରାପଡ଼ିଲା ଡ୍ରାଗନର ଷଡ଼ଯନ୍ତ୍ର, ଡୋକଲାମରେ ତିଆରି କଲା ଗ୍ରାମ ଓ ବାଇପାସ୍

ନୂଆଦିଲ୍ଲୀ: ପୁଣି ଚୀନର ଦାଦାଗିରି । ଡୋକଲାମ ନିକଟରେ ଚୀନ ନିର୍ମାଣ କରିଛି ଗ୍ରାମ । ୨୦୧୭ରେ ଭାରତ ଓ ଚୀନ ବାହିନୀ ମଧ୍ୟରେ ଘଟିଥିବା ସଂଘର୍ଷସ୍ଥଳୀ ନିକଟରେ ଚୀନ ନିର୍ମାଣ କାର୍ଯ୍ୟ କରିଛି । ଗ୍ରାମର ପ୍ରାୟ ପ୍ରତି ଘରେ କାର୍ ପାର୍କିଂ କରାଯାଇଥିବା ଦେଖାଯାଇଛି । ଏହି ଗ୍ରାମର ନାମ ପାଙ୍ଗଦା ରଖାଯାଇଥିବାବେଳେ ଭୁଟାନ ସୀମା ନିକଟରେ ଏହାର ଅବସ୍ଥିତି ରହିଛି । ସେଠାକୁ ସବୁଦିନିଆ ରାସ୍ତା ନିର୍ମାଣ କରାଯାଇଥିବାବେଳେ ଆମୋ ଚୁ ନଦୀ ନିକଟରେ ତାହାର ସ୍ଥାପନା କରାଯାଇଛି । ଭୌଗୋଳିକ ଦୃଷ୍ଟିରୁ ଗ୍ରାମର ଉପସ୍ଥିତି ଚୀନ୍ ଲାଗି ଗୁରୁତ୍ୱପୂର୍ଣ୍ଣ ହୋଇଥିବାବେଳେ ଭାରତର ସ୍ପର୍ଶକାତର ଅଞ୍ଚଳ କୁହାଯାଉଥିବା ସିଲଗୁଡ଼ି କରିଡର ପାଇଁ ବି ଏହା ଗୁରୁତ୍ୱପୂର୍ଣ୍ଣ ହୋଇଛି ।

ଦେଶର ସମସ୍ତ ଉତ୍ତରପୂର୍ବ ରାଜ୍ୟ ସହ ସାରା ଦେଶର ସଂଯୋଗ ରକ୍ଷା କରିଥାଏ ସିଲିଗୁଡ଼ି କରିଡର । ଗତ ୨୦୧୭ରେ ଡୋକଲାମରେ ଚୀନର ନିର୍ମାଣ କାର୍ଯ୍ୟକୁ ଭାରତୀୟ ସେନା ବିରୋଧ କରିଥିଲେ । ଫଳରେ ଦୁଇ ଦେଶର ସୈନ୍ୟଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା । ଡୋକଲାମ ପ୍ଲାଟ୍ୟୁ ଓ ଝାମ୍ପେରି ଅଞ୍ଚଳରେ ଏହି ଗ୍ରାମ ପ୍ରତିଷ୍ଠା ଜରିଆରେ ଚୀନ ନିଜର ପ୍ରାଧାନ୍ୟ ବିସ୍ତାର କରିଛି । ସେପଟେ ଆମୋ ଚୁ ନଦୀ ଉପତ୍ୟକାରେ ଚୀନ ଦ୍ୱିତୀୟ ଗ୍ରାମ ପ୍ରତିଷ୍ଠା କରିଥିବାବେଳେ ଦକ୍ଷିଣ ଡୋକଲାମରେ ତୃତୀୟ ଗ୍ରାମ ପ୍ରତିଷ୍ଠା କରିଛି ।

ଗିରଫ ହେଲେ ରସିକିଆ ଡାକ୍ତର ଉମାକାନ୍ତ ଖେଜୁରିଆ, ଆଜି କୋର୍ଟ ଚାଲାଣ କରିବ ଭିଜିଲାନ୍ସ

ଢେଙ୍କାନାଳ: ଗିରଫ ହେଲେ ଡାକ୍ତର ଉମାକାନ୍ତ ଖେଜୁରିଆ । ଆଜି କୋର୍ଟ ଚାଲାଣ କରିବ ଭିଜିଲାନ୍ସ । ସାମ୍ନାକୁ ଆସିଛି ଡାକ୍ତର ବାବୁଙ୍କ ରସିକିଆ ରିଲ୍ସ । କେବଳ ରିଲ୍ସ ନୁହେଁ ଡାକ୍ତର ବାବୁ ବହୁ ଆଲବମରେ ନିଜେ ଅଭିନୟ କରିବା ସହିତ ବହୁ ଟଙ୍କା ବିନିଯୋଗ କରିଥିଲେ । ଯାହାର ଖୋଳତାଡ଼ କରୁଛି ଭିଜିଲାନ୍ସ ବିଭାଗ । ଢେଙ୍କାନାଳ ହସ୍ପିଟାଲର ମେଡିସିନ ସ୍ପେସିଆଲିଷ୍ଟ ଉମାକାନ୍ତ ଖେଜୁରିଆଙ୍କୁ ଗତକାଲି ଲାଞ୍ଚ ନେବା ବେଳେ ଧରିଥିଲା ଭିଜିଲାନ୍ସ ।

ଏଲଆଇସି ଡେଥ୍ କ୍ଲେମ୍ କେସ୍ ବାବଦରେ ଫର୍ମ ଦସ୍ତଖତ କରାଇଦେବା ପାଇଁ ଏଜେଣ୍ଟଙ୍କଠାରୁ ୧୧ ହଜାର ଟଙ୍କା ଲାଞ୍ଚ ନେଉଥିଲେ ଉମାକାନ୍ତ । ଖବର ପାଇ ମାଡ଼ି ବସିଲା କଟକ ଓ ଢେଙ୍କାନାଳ ଭିଜିଲାନ୍ସ ଟିମ୍ । ଢେଙ୍କାନାଳ ସଦର ବ୍ଲକ ଚାଉଳିଆ ଗାଁର ପଲିସି ହୋଲ୍ଡର ନନ୍ଦିନୀ ନାୟକ ଏଲଆଇସିରେ ଏକ ବୀମା ପଲିସି କରିଥିଲେ । ତାଙ୍କର ମୃତ୍ୟୁ ପରେ ଡେଥ୍ କ୍ଲେମ୍ ପାଇଁ ଏଲଆଇସି ଏଜେଣ୍ଟ ବୈକୁଣ୍ଠ ଚରଣ ସାହୁଙ୍କ ନିକଟରୁ ଫର୍ମ ଦସ୍ତଖତ ବାବଦକୁ ୧୧ ହଜାର ଟଙ୍କା ନେଉଥିଲେ ଡାକ୍ତର ଉମାକାନ୍ତ ।

ଟୁଙ୍ଗୁର ଭୋଳ ପରେ ଶଙ୍କର କହଁର, ସ୍ତ୍ରୀ ମାନ୍ୟତା ପାଇଁ ମହିଳାଙ୍କ ଧାରଣା

ଭୁବନେଶ୍ୱର: ଟୁଙ୍ଗୁର ଭୋଳ ପରେ ଏବେ ଶଙ୍କର କହଁର । ସ୍ତ୍ରୀ ମାନ୍ୟତା ପାଇଁ ଧାରଣା । ନ୍ୟାୟ ପାଇଁ ଥାନାରେ ଧାରଣାରେ ବସିଛନ୍ତି ମହିଳା । ଟୁଙ୍ଗୁରୁ ଭୋଳ ପରି ଆଉ ଏକ ଘଟଣା ସାମ୍ନାକୁ ଆସିଛି । ମହିଳାଙ୍କ ଜିଦ୍ ଯେ ମୋର ଶଙ୍କର କହଁର ଦରକାର । ସିଏ ବାହା ହେଲେ ବି ମୁଁ ତା ସହ ରହିବି ବୋଲି ଜିଦ୍ ଧରି ବସିଛନ୍ତି ମହିଳାଜଣକ । ମହିଳାଙ୍କ ଅଭିଯୋଗ ଯେ, ଶଙ୍କର କହଁର ମୋ ସହ ଶାରୀରିକ ସମ୍ପର୍କ ରଖିଛନ୍ତି ମାନେ ସେ ମୋତେ ବାହାହେବେ । ଏଭଳି ସାଙ୍ଘାତିକ ଅଭିଯୋଗ ଆଣି ନୟାପଲ୍ଲୀ ଥାନା ଆଗରେ ଧାରଣା ଦେଇଛନ୍ତି ମହିଳା ଜଣକ । ସେପଟେ ମହିଳାଙ୍କ ଅଭିଯୋଗ ଆଧାରରେ ଅଭିଯୁକ୍ତ ଶଙ୍କରକୁ ଗିରଫ କରିଛି ନୟାପଲ୍ଲୀ ପୋଲସ ।

ହୀରାକୁଦରେ ବଢ଼ୁଛି ଜଳସ୍ତର, ଆଗକୁ ଅଧିକ ଗେଟ୍‌ ଖୋଲିବା ସମ୍ଭାବନା

ସମ୍ବଲପୁର: ବଢ଼ୁଛି ହୀରାକୁଦ ଜଳସ୍ତର । ଉପରମୁଣ୍ଡରେ ବର୍ଷା ଲାଗି ରହିଥିବାରୁ ବଢ଼ୁଛି ହୀରାକୁଦ ଜଳ ଭଣ୍ଡାରକୁ ଜଳ ପ୍ରବେଶର ମାତ୍ରା । ଆଜି ସକାଳ ୬ଟାରୁ ପ୍ରତି ସେକେଣ୍ଡରେ ଡ୍ୟାମ୍ ଭିତରକୁ ପ୍ରବେଶ କରୁଛି ୧ ଲକ୍ଷ ୫୬ ହଜାର ୨୦୭ ଘନଫୁଟ ବନ୍ୟାଜଳ । ସେପଟେ ୫ଟି ଗେଟ ଦେଇ ନିଷ୍କାସିତ ହେଉଛି ୧ ଲକ୍ଷ ୧୬ ହଜାର ୮୭ ଘନଫୁଟ ବନ୍ୟାଜଳ । ତେଣୁ ଅଧିକ ବନ୍ୟାଜଳ ପ୍ରବେଶ କରୁଥିବାରୁ ଅଧିକ ଗେଟ ଖୋଲିବାର ସମ୍ଭାବନା ଥିବାରୁ ତଳିଆ ଜିଲ୍ଲାଙ୍କୁ ଆଲର୍ଟ କରିଛନ୍ତି ହୀରାକୁଦ ବନ୍ଧ କର୍ତ୍ତୃପକ୍ଷ ।

ସେପଟେ କଟକ ମୁଣ୍ଡୁଳିରେ ଧୀରେ ଧୀରେ ଅତିକ୍ରମ କରୁଛି ମହାନଦୀର ବନ୍ୟାଜଳ । ହୀରାକୁଦ ଜଳଭଣ୍ଡାରର ୫ଟି ଗେଟ ଦେଇ ନିଷ୍କାସିତ ହେଉଛି ଜଳ । ମୁଣ୍ଡୁଳିରେ ଏବେ ୧ ଲକ୍ଷ ୭୨ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି । ନରାଜରେ ୬୬ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉ ଥିବା ବେଳେ ଯୋବ୍ରାରେ ୧ ଲକ୍ଷ ୩ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି ।

 

ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି ହେଲେ ରାନିଲ ବିକ୍ରମସିଂଘେ

କଲମ୍ବୋ: ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି ହେଲେ ରାନିଲ ବିକ୍ରମସିଂଘେ । ଗୋଟାବାୟା ରାଜପକ୍ଷଙ୍କ ଇସ୍ତଫାରେ ଶ୍ରୀଲଙ୍କାର କାମଚଳା ରାଷ୍ଟ୍ରପତି ଥିଲେ ରାନିଲ । ଆଜି ଶ୍ରୀଲଙ୍କା ସଂସଦରେ ଅନୁଷ୍ଠିତ ହୋଇଥିବା ଭୋଟରେ ବିକ୍ରମସିଂଘେଙ୍କୁ ସର୍ବାଧିକ ୧୩୪ ସାଂସଦ ଭୋଟ୍ ଦେଇଥିଲେ । ପ୍ରଥମ ଥର ପାଇଁ ଶ୍ରୀଲଙ୍କାରେ ପରୋକ୍ଷରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହୋଇଥିଲା ।

ନୂଆ ରାଷ୍ଟ୍ରପତି ପାଇଁ ହୋଇଥିବା ନିର୍ବାଚନ ଭୋଟଦାନରୁ ୨ ଜଣ ସାଂସଦ ବିରତ ରହିଥିବାବେଳେ ୪ଟି ଭୋଟ୍ ନାକଚ ହୋଇଛି । ରାନିଲଙ୍କୁ ୧୩୪ ଭୋଟ ମିଳିଥିବାବେଳେ ପରାଜିତ ପ୍ରାର୍ଥୀ ଦୁଲାସ ଆଲାହାପେରୁମାଙ୍କୁ ମିଳିଛି ୮୨ ଭୋଟ । ଅନୁରା କୁମାର ଦିସାନାଏକେଙ୍କୁ ମିଳିଥିଲା ମାତ୍ର ୩ଟି ଭୋଟ । ପରାଜୟର ସ୍ୱାଦ ଚାଖିଛନ୍ତି ପିପୁଲ୍ସ ଲିବରେସନ ଫ୍ରଣ୍ଟ ବା ଜେଭିପି ନେତା ଅନୁରା କୁମାର ଦିସାନାଏକେ ଓ ଏସଏଲପିପି ନେତା, ପୂର୍ବତନ ଶିକ୍ଷାମନ୍ତ୍ରୀ ଦୁଲାସ ଆଲାହାପେରୁମା । ପୂର୍ବରୁ ପ୍ରତିଦ୍ୱନ୍ଦ୍ୱିତାରୁ ଓହରିଯାଇଥିଲେ ବିରୋଧି ଦଳ ନେତା ତଥା ସମାଗି ଜନ ବାଲାଓ୍ୱେଗାୟା ନେତା ସାଜିଥ ପ୍ରେମଦାସା ।

ହରିୟାଣା ପରେ ଝାଡ଼ଖଣ୍ଡର ମାଫିଆଙ୍କ ଜଘନ୍ୟ କାଣ୍ଡ, ପିକଅପ୍ ଭ୍ୟାନ ଚଢ଼ାଇ ମହିଳା SIଙ୍କୁ ହତ୍ୟା

ରାଞ୍ଚି: ହରିୟାଣା ପରେ ଝାଡ଼ଖଣ୍ଡରେ ମାଫିଆଙ୍କ ଜଘନ୍ୟ କାଣ୍ଡ । ଚେକିଂ ବେଳେ ସବ-ଇନ୍ସପେକ୍ଟରଙ୍କ ଉପରେ ଗାଡ଼ି ମଡ଼ାଇ ଦେଲା ଡ୍ରାଇଭର । ବନ୍ୟପ୍ରାଣୀ ତସ୍କରୀଙ୍କୁ ଧରିବାକୁ ପୋଲିସ କରିଥିବା ଚେକ୍‌ ପୋଷ୍ଟରେ ପୋଲିସ ଅଧିକାରୀଙ୍କୁ ଗାଡ଼ି ଚଢ଼ାଇ ହତ୍ୟା କରାଯାଇଛି । ରାଞ୍ଚି ଜିଲ୍ଲା ତୁପୁଦାନା ଏସଆଇ ସନ୍ଧ୍ୟା ତୋପନୋଙ୍କ ଉପରେ ପିକଅପ ଭ୍ୟାନ୍ ଚଢ଼ାଇବା ପରେ ଗାଡ଼ି ସହ ଡ୍ରାଇଭର ଫେରାର ହୋଇଯାଇଥିଲା । ତେବେ ଘଟଣାସ୍ଥଳରେ ହିଁ ମହିଳା ପୋଲିସ ଅଧିକାରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଖବରପାଇ ବହୁ ବରିଷ୍ଠ ପୋଲିସ ଅଧିକାରୀ ଦୁର୍ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି । ଆଖପାଖରେ ଲାଗିଥିବା ସିସିଟିଭି ଫୁଟେଜ ଆଧାରରେ ଅଭିଯୁକ୍ତକୁ ଧରିବାକୁ ଚେଷ୍ଟା ଜାରି ରଖିଛି ପୋଲିସ ।

ଅନ୍ୟପଟେ ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଥିବା ବେଳେ ଗୋଟିଏ ଗାଡ଼ି ଜବତ କରାଯାଇଛି ବୋଲି ପୋଲିସ କହିଛି । ଜଙ୍ଗଲୀ ଜୀବଜନ୍ତୁ ଶିକାର ଓ ବାହାର ରାଜ୍ୟକୁ ଚାଲାଣ କରାଯାଉଥିବା ନେଇ ସୂଚନା ପାଇ ପୋଲିସ ଚେକ୍ ପୋଷ୍ଟ ଲଗାଇଥିଲା । ଚେକିଂ ବେଳେ ପିକଅପ୍ ଭ୍ୟାନ ଚାଳକ ଏସଆଇଙ୍କ ଉପରେ ଗାଡ଼ି ମଡ଼ାଇ ଦେଇଥିବା ପୋଲିସ କହିଛି ।

ଗତକାଲି ହରିୟାଣାରେ ଡିଏସପି ରାଙ୍କର ଜଣେ ଅଧିକାରୀଙ୍କ ଉପରେ ଗାଡ଼ି ଚଢ଼ାଇ ହତ୍ୟା କରିଥିଲେ ଖଣି ମାଫିଆ । ନୁହ ଜିଲ୍ଲାରେ ବେଆଇନ ଖଣି ଉତ୍ତୋଳନ ସ୍ଥଳରେ ଚଢ଼ାଉ ବେଳେ ଡିଏସପି ସୁରେନ୍ଦ୍ର ସିଂ ବିଶ୍ନୋଇଙ୍କ ଉପରେ ଖଣି ମାଫିଆ ଡମ୍ଫର ଚଢ଼ାଇ ଦେଇଥିଲେ । ସମ୍ପୃକ୍ତ ଡମ୍ଫର ଚାଳକଙ୍କୁ ଗିରଫ କରାଯାଇଛି ।

ପୋଷ୍ଟର ମୁକ୍ତ ହେବ ରାଜଧାନୀ, ରାସ୍ତାକଡ଼ କାନ୍ଥରେ ପୋଷ୍ଟର ଲଗାଇଲେ ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ପୋଷ୍ଟର ମୁକ୍ତ ହେବ ସ୍ମାର୍ଟସିଟି । ଏଣିକି ଭୁବନେଶ୍ୱରରେ ରାସ୍ତାକଡ଼ କାନ୍ଥରେ ପୋଷ୍ଟର ଲଗାଇବା ମନା । ରାଜଧାନୀରେ ରାସ୍ତାକଡ଼ କାନ୍ଥରେ ପୋଷ୍ଟର ଲଗାଇଲେ ହେବ କାର୍ଯ୍ୟାନୁଷ୍ଠାନ । ବିଏମସିର ଲକ୍ଷ୍ୟ ପୋଷ୍ଟର ମୁକ୍ତ ହେବ ସ୍ମାର୍ଟସିଟି । ଏନେଇ ଟ୍ୱିଟ ଯୋଗେ ସାଧାରଣ ଲୋକଙ୍କୁ ଅବଗତ କରିଛି ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ । ପ୍ରଥମ ପର୍ଯ୍ୟାୟରେ ବିଭିନ୍ନ କାନ୍ଥରେ ଲାଗିଥିବା ପୋଷ୍ଟରକୁ ସଫେଇ କର୍ମଚାରୀଙ୍କ ଜରିଆରେ ହଟାଯାଉଛି । ତେବେ ଆଗକୁ ଯଦି ରାସ୍ତାକଡ଼ କାନ୍ଥରେ ପୋଷ୍ଟର ମାରିଲେ ଜରିମାନା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସୂଚନା ଦେଇଛି BMC । ବିଏମସିର ଏହି ପୋଷ୍ଟର ମୁକ୍ତ ରାଜଧାନୀ ପଦକ୍ଷେପକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି ।

ଭୁବନେଶ୍ୱରରେ ବଢ଼ିଲା ଟିକାକରଣ କେନ୍ଦ୍ର ସଂଖ୍ୟା, ୧୯ରୁ ବୃଦ୍ଧି ପାଇ ହେଲା ୨୭

ଭୁବନେଶ୍ୱର: ଭୁବନେଶ୍ୱରରେ ବଢ଼ିଲା ଟିକାକରଣ କେନ୍ଦ୍ର ସଂଖ୍ୟା । ୧୯ରୁ ବୃଦ୍ଧି ପାଇ ମୋଟ ଟିକାକରଣ କେନ୍ଦ୍ର ସଂଖ୍ୟା ହେଲା ୨୭ । ୧୨ରୁ୧୪ ବର୍ଷ ବୟସ ବର୍ଗଙ୍କ କୋର୍ବେଭାକ୍ସ ଟିକା ପାଇଁ ୫ଟି କେନ୍ଦ୍ର । ୧୮ରୁ ୫୯ ବର୍ଷ ବୟସ ବର୍ଗଙ୍କ କୋଭିସିଲ୍ଡ ଟିକାର ବୁଷ୍ଟର ବା ପ୍ରିକସନ ଡୋଜ ପାଇଁ ୟୁନିଟ-୯ ପୌର ସ୍ୱାସ୍ଥ୍ୟକେନ୍ଦ୍ରରେ ଦିଆଯିବ । ସେହିପରି କ୍ୟାପିଟାଲ ହସ୍ପିଟାଲ, ବିଏମସି ହସ୍ପିଟାଲ, ଏମ୍ସ ହସ୍ପିଟାଲ ଓ ରେଲୱେ ହସ୍ପିଟାଲ ସମେତ ଅବଶିଷ୍ଟ ୨୧ଟି କେନ୍ଦ୍ରରେ କୋଭାକ୍ସିନ ଟିକାର ପ୍ରଥମ, ଦ୍ୱିତୀୟ ଓ ତୃତୀୟ ବା ପ୍ରିକସନ ଡୋଜ ଉପଲବ୍ଧ ହେବ । ଏଥିପାଇଁ ସକାଳ ୯ଟାଠାରୁ ଅପରାହ୍ନ ଗୋଟାଏ ଓ ପୁଣି ଅପରାହ୍ନ ୩ଟାଠାରୁ ସାଢେ ୫ଟା ସମୟ ନିର୍ଘଣ୍ଟ ଧାର୍ଯ୍ୟ କରାଯାଇଛି ।  cowin ପୋର୍ଟାଲରେ ନାମ ପଞ୍ଜିକରଣ କରି ନିର୍ଦ୍ଧାରିତ ସମୟ ଓ ସ୍ଥାନରେ ମାସ୍କ ପରିଧାନ କରି ଟୀକା ଗ୍ରହଣ କରିବାକୁ ବିଏମସି ପକ୍ଷରୁ ଆହ୍ୱାନ କରାଯାଇଛି।