ଅପରାଜିତାଙ୍କ ବିରୋଧରେ ତୀବ୍ର ହେଲା ଦଳୀୟ ଆନ୍ଦୋଳନ

ଖୋର୍ଦ୍ଧା: ଭୁବନେଶ୍ବର ସାଂସଦ ତଥା ବିଜେପି ନେତ୍ରୀ ଅପରାଜିତା ଷଡଙ୍ଗୀଙ୍କ ବିରୋଧରେ ଦଳୀୟ କର୍ମକର୍ତ୍ତାଙ୍କ ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି । ବେଗୁନିଆ ବୋଲଗଡ଼ ନିର୍ବାଚନ ମଣ୍ଡଳୀର ଦଳୀୟ କର୍ମକର୍ତ୍ତା ଅପରାଜିତାଙ୍କ ବିରୋଧରେ ଦେଇଛନ୍ତି ଯୁଦ୍ଧଂ ଦେହୀ ଡାକରା । ଅସନ୍ତୋଷର ନିଆଁ ଫ୍ୟାକ୍ସ ଓ ସ୍ପଡ ପୋଷ୍ଟ ମାଧ୍ୟମରେ ପହଞ୍ଚୁଛି ଦିଲ୍ଲୀ ଦରବାରରେ ।

ସୂଚନା ଅନୁସାରେ ସାଂସଦଙ୍କ ବିରୋଧରେ ବେଗୁନିଆ ବୋଲଗଡ଼ ନିର୍ବାଚନ ମଣ୍ଡଳୀର ବିଜେପି ଦଳୀୟ କର୍ମକର୍ତ୍ତା ଆନ୍ଦୋଳନକୁ ଜୋରଦାର କରିଛନ୍ତି । ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କଠାରୁ ଆରମ୍ଭ କରି ସମସ୍ତ କେନ୍ଦ୍ର ନେତୃବର୍ଗଙ୍କୁ ଫ୍ୟାକ୍ସ ଓ ସ୍ପିଡ ପୋଷ୍ଟ ଯୋଗେ ଅଭିଯୋଗ ପତ୍ର ପଠାଇଛନ୍ତି । ଚାରି ପୃଷ୍ଠା ସମ୍ବଳିତ ଏହି ଅଭିଯୋଗ ପତ୍ରରେ ଅପରାଜିତାଙ୍କ ଯୋଗୁଁ ଦଳର ଅଧପତନ ହେବାରେ ଲାଗିଛି । ସଂଗଠନ ଦିନକୁ ଦିନ ଭୁଶୁଡ଼ିବାରେ ଲାଗିଥିବା ଉଲ୍ଲେଖ କରାଯାଇଛି । କେନ୍ଦ୍ର ନେତୃବୃନ୍ଦ ଏସଂପର୍କରେ ଅବଗତ ହୋଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏଥିରେ ଦାବି କରାଯାଇଛି ।