କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟବନ୍ଦୀ ଝଟକା: ନଭେମ୍ବର ୯ ସୁଦ୍ଧା ଦିଅ ଜବାବ

ନୂଆଦିଲ୍ଲୀ: ୨୦୧୬ରେ ମୋଦି ସରକାର କରିଥିବା ନୋଟବନ୍ଦୀର ସାମ୍ବିଧାନୀକ ବୈଧତାକୁ ନେଇ ସୁପ୍ରିମକୋର୍ଟ ଉଠାଇଲେ ବଡ଼ ପ୍ରଶ୍ନ । ଜଷ୍ଟିସ୍ ଏସ.ଏ. ନାଜିରଙ୍କ ନେତୃତ୍ବାଧୀନ ୫ ଜଣିଆ ଖଣ୍ଡପୀଠ କେନ୍ଦ୍ର ଓ ଆରବିଆଇକୁ ନୋଟବନ୍ଦୀ ନିଷ୍ପତ୍ତି ଉପରେ ଜବାବ ମାଗିଛନ୍ତି । କୋର୍ଟ କେନ୍ଦ୍ର ଓ ଆରବିଆଇକୁ ୫୦୦ ଏବଂ ୧୦୦୦ ଟଙ୍କିଆ ନୋଟ ବନ୍ଦ କରିବା ନିଷ୍ପତ୍ତି ଉପରେ ୯ ନଭେମ୍ବରକୁ ହେବାକୁ ଥିବା ଶୁଣାଣୀ ପୂର୍ବରୁ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସୂଚନାଯୋଗ୍ୟ, ୨୦୧୬ ନଭେମ୍ବର ୮ ତାରିଖ ରାତି ୮ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୋଟବନ୍ଦୀ ଘୋଷଣା କରିଥିଲେ ।

ଏବେ ପ୍ରଶ୍ନ ଉଠୁଛି ସରକାରଙ୍କ ପାଖରେ ପ୍ରଚଳିତ ନୋଟ ବନ୍ଦ କରିବାର ଅଧିକାର ଅଛି କି ନାହିଁ । ଖଣ୍ଡପୀଠ ୨୦୧୬ ନଭେମ୍ବର ୭ରେ କେନ୍ଦ୍ର ତରଫରୁ ଆରବିଆଇ ନାଁରେ ଲେଖା ଯାଇଥିବା ଚିଠି ଓ ତା’ ପରଦିନ ନୋଟବନ୍ଦୀ ସମ୍ପର୍କିତ ନିଷ୍ପତ୍ତି ନେଇ ଫାଇଲ ପ୍ରସ୍ତୁତ ରଖିବାକୁ କହିଛନ୍ତି । ଖଣ୍ଡପୀଠ ପଚାରିଛନ୍ତି, ସରକାରଙ୍କ ପାଖରେ ଆରବିଆଇ ଅଧିନିୟମ ଧାରା ୨୬ ଅନୁସାରେ ୫୦୦ ଓ ୧୦୦୦ ଟଙ୍କିଆ ନୋଟ ବନ୍ଦ କରିବାର ଅଧିକାର ଅଛି କି ? ନୋଟବନ୍ଦୀ କରିବାର ପ୍ରକ୍ରିୟା ଉଚିତ ଥିଲା କି ?

ବରିଷ୍ଠ ଓକିଲ ପି ଚିଦାମ୍ବରମ୍ କହିଛନ୍ତି, କୋର୍ଟରେ ୬ ବର୍ଷ ହେଲା ପଡିଥିବା ନୋଟବନ୍ଦୀ ବେତାଳ ଏବେ ସରକାରଙ୍କ କାନ୍ଧରେ ଆସି ଲଟକିଛି । ଚିଦାମ୍ବରମଙ୍କ ଦଲିଲି ପରେ ସୁପ୍ରିମକୋର୍ଟ ନୋଟବନ୍ଦୀକୁ ଚ୍ୟାଲେଞ୍ଜ କରି ୨୦୧୬ରୁ ପଡି ରହିଥିବା ୫୮ ଆବେଦନକୁ ଖୋଲିଛନ୍ତି । ଏହାସହ କହିଛନ୍ତି, ଆଗାମୀ ପୀଢିଙ୍କ ପାଇଁ କି ଆଇନ କରାଯାଇ ପାରିବ ତାହାର ଜବାବ ଖଣ୍ଡପୀଠ ଖୋଜିବେ ।

ଚିଦାମ୍ବରମଙ୍କ ଯୁକ୍ତି ପରେ କେନ୍ଦ୍ରକୁ ମଗାଗଲା ଜବାବ

ଏସଜି ତୁଷାର ମେହତାଙ୍କ ଯୁକ୍ତିକୁ ଖଣ୍ଡପୀଠ ପ୍ରଥମେ ସ୍ବୀକାର କରିବା ସହ ଆବେଦନଗୁଡିକ ପ୍ରଭାବହୀନ ହୋଇ ଯାଇଥିବା କହି ବନ୍ଦ କରିବାକୁ ଚାହୁଁଥିଲେ । ହେଲେ ଜଣେ ଆବେଦନକାରୀଙ୍କ ଓକିଲ ଥିବା ପି ଚିଦାମ୍ବରମ୍ କହିଥିଲେ, ୧୯୭୮ରେ ନୋଟବନ୍ଦୀ ପାଇଁ ଭିନ୍ନ ଆଇନ ଆସିଥିଲା । ତତକାଳୀନ ଜନତା ଦଳ ସରକାର ପ୍ରଥମେ ଏକ ଅଧ୍ୟାଦେଶ ଆଣିବା ସହ ବିଲ୍ ସଂସଦରେ ଆଗତ କରିଥିଲେ । ପରେ ଏହା ଆଇନରେ ପରିଣତ ହୋଇଥିଲା, ଯାହା ଏବେ ବି ବୈଧ ଅଛି । ଆମେ ପ୍ରମାଣ କରିବାକୁ ଚାହୁଁଛୁ, ଏହା ଭବିଷ୍ୟତରେ ବଡ଼ ମୁଣ୍ଡବ୍ୟଥାର କାରଣ ପାଲଟିବ ।

ଚିଦାମ୍ବରମଙ୍କ ଏହି ଯୁକ୍ତି ପରେ ଖଣ୍ଡପୀଠ ଏହି ମାମଲାର ଗହନ ବିଚାର କରିବାର ଆବଶ୍ୟକତା ଥିବା ଉପଲବ୍ଧି କରିଥିଲେ । ଏହାପରେ କୋର୍ଟ କେନ୍ଦ୍ର ଓ ଆରବିଆଇକୁ ବିସ୍ତୃତ ଭାବେ ଜବାବ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।