୨୪ ଫାଇନାଲ ପୂର୍ବରୁ ଧାମନଗର ସେମିଫାଇନାଲ

ଭୁବନେଶ୍ବର: ଲକ୍ଷ୍ୟ ୨୦୨୪ ଫାଇନାଲ । ତା’ପୂର୍ବରୁ ଏସିଡ ଟେଷ୍ଟରେ ଜିତାପଟ ଲାଗି କସରତ । ଧାମନଗର ଉପନିର୍ବାଚନ ଲାଗି ଉଷ୍ମ ହୋଇଛି ରାଜନୀତି । ପ୍ରାର୍ଥୀ ଚୟନ ପରେ ଏବେ ସବୁ ଦଳକୁ ଘାରିଛି ପ୍ରଚାର ଚିନ୍ତା । ବଡ଼ ବ୍ୟବଧାନରେ ବିଜୟ ଲାଗି ବିଜେଡି ସ୍ବତନ୍ତ୍ର ରଣନୀତି କରିବା ସହ ପଦଯାତ୍ରା ମାଧ୍ୟମରେ ଜନ ସମର୍ଥନ ସାଉଁଟୁଛି । ଅନ୍ୟପଟେ ବିଜେପି ଓ କଂଗ୍ରେସ କେନ୍ଦ୍ରୀୟ ନେତାଙ୍କୁ ଭରସା କରିଛନ୍ତି । କିନ୍ତୁ ବ୍ଲକ ଏବଂ ଓ୍ବାର୍ଡ ସ୍ତରରୁ ପ୍ରଚାରକୁ ଜୋରଦାର କଲାଣି କଂଗ୍ରେସ ।

କିଏ ଜିତିବ ଧାମନଗର ଉପନିର୍ବାଚନ ବାଜି ? ଧାମନଗରରେ କାହାର ଉଡିବ ବିଜୟ ଧ୍ବଜା । ତିନି ପ୍ରମୁଖ ରାଜନୈତିକ ଦଳ ମଧ୍ୟରେ ତେଜିଲାଣି ପ୍ରତିଯୋଗିତା । ଭୋଟରଙ୍କୁ ମନାଇବାକୁ ଜୋରଦାର ହେଲାଣି ପ୍ରୟାସ । ଉପନିର୍ବାଚନ ପାଇଁ ତାତିଲାଣି ଧାମନଗର ।

କ୍ୟାମ୍ପେନ ପାଇଁ ସବୁ ଦଳ କରିଛନ୍ତି ସ୍ବତନ୍ତ୍ର ବ୍ଲୁପ୍ରିଣ୍ଟ । ବିଜେଡିର ପଦଯାତ୍ରକୁ ମିଳୁଛି ଜନ ସମର୍ଥନ । କେନ୍ଦ୍ରୀୟ ନେତାଙ୍କ ଭରସାରେ ଦୁଇ ଜାତୀୟ ଦଳ ବିଜେପି ଓ କଂଗ୍ରେସ । ସବୁ ଦଳର ପ୍ରାର୍ଥୀ ଘୋଷଣା ପରେ ଏବେ ପ୍ରଚାରକୁ ଜୋରଦାର କରିବାକୁ ଅଣ୍ଟା ଭିଡ଼ିଛନ୍ତି । ୮ ତାରିଖରୁ ପଦଯାତ୍ରା ମାଧ୍ୟମରେ ଧାମନଗରବାସୀଙ୍କ ଘରେ ଘରେ ପହଞ୍ଚିଛି ଶାସକ ବିଜେଡି । ପଦଯାତ୍ରା ଦାୟିତ୍ବରେ ଥିବା ମନ୍ତ୍ରୀ, ବିଧାୟକ, ସାଂସଦ ଓ ମଙ୍ଗୁଆଳମାନେ ଦଳୀୟ କର୍ମୀଙ୍କୁ ଧରି ଗାଁ ଗାଁରେ ପ୍ରଚାର କରୁଛନ୍ତି । ବିଜେଡିର ଜନ ସମ୍ପର୍କ ପଦଯାତ୍ରାରେ ଜନ ସମର୍ଥନ ଦଳକୁ ଧାମନଗରରେ ବଡ଼ ବିଜୟ ଦେବ ବୋଲି କହିଛନ୍ତି ଦଳୀୟ ନେତା ।

୨୦୧୯ ପରେ ରାଜ୍ୟରେ ଅନୁଷ୍ଠିତ ୫ଟି ଯାକ ଉପନିର୍ବାଚନରେ ବିଜେଡିର ଏକ ପାଖିଆ ବିଜୟ ହୋଇଛି । ଏହାସହ ନିକଟରେ ପଂଚାୟତ ଓ ପୌର ନିର୍ବାଚନରେ ରାଜ୍ୟବାସୀ ଦୁଇ ଜାତୀୟ ଦଳ ବିଜେପି ଓ କଂଗ୍ରେସକୁ ସଂପୂର୍ଣ୍ଣ ପ୍ରତ୍ୟାଖାନ କରିଛନ୍ତି ବୋଲି କହିଲେ କିଛି ଭୁଲ ହେବନି । ତେଣୁ ରାଜ୍ୟ ନେତୃତ୍ବ ଉପରେ ଭରସା କରିପାରିନି ମୁଖ୍ୟ ବିରୋଧୀ ବିଜେପି । କେନ୍ଦ୍ରୀୟ ନେତାଙ୍କୁ ନିମନ୍ତ୍ରଣ କରି ଧାମନଗରେ ଜୋରଦାର ପ୍ରଚାର କରିବାକୁ ଦଳ ରଣନୀତି କରିଛି । ଅନ୍ୟପଟେ ବ୍ରଜରାଜନଗର ଉପନିର୍ବାଚନ ପରି ଧାମନଗରରେ ମଧ୍ୟ ବିଜେଡି ଓ କଂଗ୍ରେସ ମଧ୍ୟରେ ଲଢେଇ ହେବ ବୋଲି ପିସିସି ସଭାପତି କହିଛନ୍ତି । ଏଥିଲାଗି ନେତାଙ୍କୁ ବ୍ଲକ, ପଂଚାୟତ ସ୍ତରରେ ଦଳ ଦାୟିତ୍ବ  ଦେଇଛି ।

୧୪ ତାରିଖ ନାମାଙ୍କନ ଦାଖଲର ଶେଷ ତାରିଖ ରହିଛି । ଏହାପରେ ଅଫିସିଆଲି ପ୍ରଚାର ଗ୍ରାଉଣ୍ଡକୁ ଓହ୍ଲାଇବେ ଷ୍ଟାର ପ୍ରଚାରକ ।