ପୁଞ୍ଜି ନିବେଶର ବଡ଼ ଗେଟ-ୱେ ପାଲଟିଛି ଓଡ଼ିଶା ଇନଭେଷ୍ଟର୍ସ ମିଟ୍

ଭୁବନେଶ୍ବର: ରୋଡ ଶୋ’ର ନିମନ୍ତ୍ରଣ ରକ୍ଷା କରି ଓଡ଼ିଶା ଗସ୍ତରେ ଆସୁଛନ୍ତି ୪ ଦେଶର ରାଷ୍ଟ୍ରଦୂତ । ଚଳିତବର୍ଷ ନଭେମ୍ବର ୩୦ରୁ ଡିସେମ୍ବର ୪ ଯାଏଁ ହେବ ମେକ୍ ଇନ୍ ଓଡ଼ିଶା ସଂସ୍କରଣ ଥ୍ରୀ । ଏହାକୁ ସୁପର ସକସେସଫୁଲ କରିବା ପାଇଁ ରାଜ୍ୟ ସରକାର ନିରନ୍ତର ପ୍ରୟାସ କରିଚାଲିଛନ୍ତି । ଦେଶ ଓ ବିଦେଶରେ ସମ୍ମିଳନୀ କରି ଓଡ଼ିଶା ନିବେଶର ଉକୃଷ୍ଟ ସ୍ଥାନ ତାହା ବୁଝାଇବା ସହ ପ୍ଲସ ସେବା ଦେବାର ପ୍ରତିଶ୍ରୃତି ଦେଇଛନ୍ତି । ଯାହା ପୁଞ୍ଜିପତିମାନଙ୍କୁ ଓଡ଼ିଶା ଆସିବାକୁ ଆକୃଷ୍ଟ କରୁଛି ।

ଆସନ୍ତା ୧୮ ତାରିଖରେ ସୁଇଜଲାଣ୍ଡ, ଫ୍ରାନ୍ସ, ୟୁଏଇ, ଗୁଆଟେମାଲାର ରାଷ୍ଟ୍ରଦୂତ ଓଡ଼ିଶା ଗସ୍ତରେ ଆସି ରାଜ୍ୟ ସରକାରଙ୍କ ସହ ଆଲୋଚନା କରିବେ । ପୁଞ୍ଜିନିବେଶ ପାଇଁ ଓଡ଼ିଶା ଉକୃଷ୍ଟ ସ୍ଥାନ ପାଲଟିଛି । ବିଦେଶୀ ନିବେଶକ ରାଜ୍ୟରେ ବଡ଼ ପୁଞ୍ଜିନିବେଶ ପାଇଁ ମନ ବଳାଇଲେଣି । ନଭେମ୍ବରରେ ହେବାକୁ ଥିବା ମେକ୍ ଇନ୍ ଓଡ଼ିଶା କନକ୍ଲେଭ ପାଇଁ ରାଜ୍ୟ ସରକାର ରୋଡ ଶୋ’ କରୁଛନ୍ତି । ମୁଖ୍ୟମନ୍ତ୍ରୀ ନିଜେ ଦେଶ ଓ ବିଦେଶରେ ନିବେଶ ସମ୍ମିଳନୀ କରି ପୁଞ୍ଜିନିବେଶକାରୀଙ୍କୁ ଆମନ୍ତ୍ରଣ କରୁଛନ୍ତି । ଓଡ଼ିଶା ଦେଶର ଅନ୍ୟ ରାଜ୍ୟ ଅପେକ୍ଷା ପ୍ଲସ ସୁବିଧା ଯୋଗାଇବା ସହ ସ୍ଥିର ସରକାରର ଭରସା ଦେଉଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଏହି ପ୍ରୟାସକୁ ବିଶେଷଜ୍ଞମାନେ ପ୍ରଶଂସା କରିଛନ୍ତି ।

ଅଗଷ୍ଟ ମାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩୦ଟି ଦେଶର ରାଷ୍ଟ୍ରଦୂତଙ୍କ ସହ ଦିଲ୍ଲୀରେ ଆଲୋଚନା କରିଥିଲେ । ପର୍ଯ୍ୟଟନ, ଖାଦ୍ୟ ପ୍ରକ୍ରିୟାକରଣ, ଖଣି, ଆଇଟି, କ୍ଷେତ୍ରରେ ବ୍ୟାପକ ସୁଯୋଗ ରହିଛି ବୋଲି ରାଷ୍ଟ୍ରଦୂତଙ୍କୁ ବୁଝାଇଥିଲେ ନବୀନ । ଆସନ୍ତା ୧୭ ତାରିଖରେ ହାଇଦ୍ରାବାଦରେ ମେକ ଇନ ଓଡ଼ିଶା ଇନଭେଷ୍ଟର୍ସ ମିଟ ହେବ  । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନିବେଶକାରୀଙ୍କୁ ପୁଞ୍ଜିନିବେଶ ପାଇଁ ନିମନ୍ତ୍ରଣ କରିବେ । ଦୁବାଇରୁ ୨୧ ହଜାରରୁ ଅଧିକ କୋଟି ଟଙ୍କାର ପୁଞ୍ଜି ଆସିବା ସହ ଦିଲ୍ଲୀ, ମୁମ୍ବାଇ, ଗୁଜୁରାଟ ଅନ୍ୟ ରାଜ୍ୟର ଶିଳ୍ପପତିମାନେ ପୁଞ୍ଜିନିବେଶ କରିବାକୁ ଲକ୍ଷ୍ୟ ରଖିଛନ୍ତି ।

କେବଳ ସେତିକି ନୁହେଁ, ମେକ ଇନ ଓଡ଼ିଶା ସଂସ୍କରଣ ଥ୍ରୀ ପୂର୍ବରୁ ଆସିଆନାର ଏକ ପ୍ରତିନିଧି ଦଳ ଓଡ଼ିଶା ଗସ୍ତରେ ଆସିବେ । ଏହି ଦଳରେ ମିଆଁମାର, ଇଣ୍ଡୋନେସିଆ, ଫିଲିଫାଇନ୍ସ, ଥାଇଲାଣ୍ଡ, ମାଲେସିଆ, ଭିଏତନାମ ଆଦି ଦେଶର ପ୍ରତିନିଧିମାନେ ପର୍ଯ୍ୟାୟ କ୍ରମେ ଓଡ଼ିଶା ଆସିବେ ।