ଧାମନଗର ଉପନିର୍ବାଚନ: ଅବନ୍ତୀ ଦାସ ବିଜେଡି ବିଧାୟିକା ପ୍ରାର୍ଥିନୀ

ଧାମନଗର: ବିଜେଡି ଫୁଙ୍କିଲା ଧାମନଗର ଉପନିର୍ବାଚନ ବିଗୁଲ । ବିଧାୟିକା ପ୍ରାର୍ଥିନୀ ହେଲେ ଅବନ୍ତୀ ଦାସ । ଅବନ୍ତୀଙ୍କ ନାଁରେ ବିଜେଡି ସୁପ୍ରିମୋ ମାରିଲେ ମୋହର । ତିହିଡି ବ୍ଲକ ଅଧ୍ୟକ୍ଷା ଅଛନ୍ତି ଅବନ୍ତୀ । ମିଶନଶକ୍ତି ଓ ଏସଏସଜିରେ ରହିଛି ତାଙ୍କର ଦୀର୍ଘ ଦିନର ଅଭିଜ୍ଞତା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ଥରେ ମିଶନ ଶକ୍ତି ମାଆଙ୍କ ଉପରେ ଭରସା ଦେଖାଇଛନ୍ତି । ନବୀନ ଯେ, କେବଳ କଥା ନୁହେଁ କାମରେ ବିଶ୍ବାସ କରନ୍ତି, ଅବନ୍ତୀଙ୍କୁ ପ୍ରାର୍ଥୀ କରି ପୁଣି ଏକଥା ପ୍ରମାଣିତ କରିଛନ୍ତି । ପ୍ରାର୍ଥୀତ୍ବ ନେଇ ବିଜେଡିର ଗଣମାଧ୍ୟମ ସାଧାରଣ ସଂପାଦକ ମାନସ ମଙ୍ଗରାଜ ସୂଚନା ଦେଇଛନ୍ତି ।

ଆଜି କଂଗ୍ରେସ ବାବା ହରେକୃଷ୍ଣ ସେଠୀଙ୍କ ନାଁ ଘୋଷଣା କରିଥିଲା । ହରେକୃଷ୍ଣଙ୍କ ପ୍ରାର୍ଥିତ୍ବକୁ ଏଆଇସିସି ମୋହର ମାରିଛି । ୨୦୧୯ ଧାମନଗର ଏନଏସିରୁ ପ୍ରାର୍ଥୀ ହୋଇଥିଲେ ହରେକୃଷ୍ଣ । କଂଗ୍ରେସର ହରେକୃଷ୍ଣ ଜଣେ ସକ୍ରିୟ ନେତା । ରାଜୀବ ଗାନ୍ଧୀ ଫୋରମର ସଂଯୋଜକ ଥିଲେ ହରେକୃଷ୍ଣ । ଧାମନଗରରେ ହରେକୃଷ୍ଣଙ୍କ ଘର । ପେସାରେ ହରେକୃଷ୍ଣ ଜଣେ ଆଇନଜୀବୀ ।

ପୂର୍ବରୁ ବିଜେପି ସ୍ବର୍ଗତ ବିଷ୍ଣୁ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ସୂରଜଙ୍କୁ ପ୍ରାର୍ଥୀ କରିଛି । ଗତକାଲି ସେ ବାପାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପରେ ନାମାଙ୍କନପତ୍ର ଦାଖଲ କରିଥିଲେ ।

ନିର୍ବାଚନ ତାରିଖ ଘୋଷଣା ପରଠାରୁ ତିନି ପ୍ରମୁଖ ଦଳ ପ୍ରଚାରକୁ ଜୋରଦାର କରିଛନ୍ତି । ଜନ ସମ୍ପର୍କ ପଦଯାତ୍ରାରେ ବିଜେଡି ନେତାମାନେ ଘରକୁ ଘର ଯାଇ ଲୋକଙ୍କୁ ନବୀନ ସରକାର ଜନହିତକର ଯୋଜନା ସମ୍ପର୍କରେ ଲୋକଙ୍କୁ ବୁଝାଉଛନ୍ତି । ବିଜେଡି ପ୍ରଚାରରେ ଆଗରେ ରହିଛି । ୨୦୧୯ରେ ଅଳ୍ପ ବ୍ୟବଧାନରେ ପରାଜିତ ହୋଇଥିବା ବିଜେଡି ଚଳିତ ଉପନିର୍ବାଚନରେ ବହୁ ଭୋଟ ବ୍ୟବଧାନରେ ଜିତିବ ବୋଲି ଦାବି କରିଛି । ଅନ୍ୟପକ୍ଷରେ ଧାମନଗର ଗଡ଼ ଜିତିଥିବା ବିଜେପିକୁ ପଛରେ ପକାଇ ଦ୍ବିତୀୟ ଦଳ ଭାବେ ଛିଡ଼ା ହେବାକୁ କଂଗ୍ରେସ ସଜବାଜ୍ଜ ହେଉଛି ।