ଆସନ୍ତା ବର୍ଷ ବିଶ୍ବ ମିଲେଟ ବର୍ଷ ଭାବେ ହେବ ପାଳନ

ଭୁବନେଶ୍ବର: ଆସନ୍ତା ବର୍ଷକୁ ବିଶ୍ବ ମିଲେଟ ବର୍ଷ ଭାବେ ପାଳନ କରାଯିବ । ବର୍ଷ ଶେଷ ଯାଏଁ କଲେଜ, ବିଶ୍ବବିଦ୍ୟାଳୟରେ ଆୟୋଜିତ ହେବ ବିଭିନ୍ନ କାର୍ଯ୍ୟକ୍ରମ । ଜଳଖିଆରେ ମିଲେଟ୍ ସାମିଲ କରିବାଠୁ ମାରାଥନ୍, ସାଇକେଲ୍ ରାଲି, ପୋଷ୍ଟର ପ୍ରତିଯୋଗିତା, ୟୁଜିସି ପକ୍ଷରୁ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରାଯାଇଛି । ଜାତିସଂଘ ପାଖରେ ବିଶ୍ବ ମିଲେଟ୍ ବର୍ଷ ପ୍ରସ୍ତାବ ଭାରତ ରଖିଥିବାରୁ, ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଆଉ ଏହା ପୂର୍ବରୁ ଓଡ଼ିଶାରେ ମିଲେଟ ମିଶନ ଆରମ୍ଭ ହୋଇଥିବାରୁ, ବିଶ୍ବ ମିଲେଟ ବର୍ଷ ପାଳନରେ ରାଜ୍ୟର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି ।

କଲେଜ, ୟୁନିଭର୍ସିଟିରେ ପାଳନ ହେବ ମିଲେଟ ବର୍ଷ । ୨୦୨୩କୁ ଅନ୍ତର୍ଜାତୀୟ ମିଲେଟ ବର୍ଷ ପାଳନ ପାଇଁ ଘୋଷଣା କରିଛି ଜାତିସଂଘ । ଏହାର ସଫଳତା ପାଇଁ ସମସ୍ତ କୁଳପତି ଓ ଅଧ୍ୟକ୍ଷଙ୍କୁ ଚିଠି ଲେଖିଛି ୟୁଜିସି । ଅକ୍ଟୋବର ୨୦୨୨ରେ ମିଲେଟକୁ ନେଇ କୁଇଜ ପ୍ରତିଯୋଗିତା କରାଯିବ । ଛାତ୍ର, ଅଧ୍ୟାପକ ଓ କର୍ମଚାରୀଙ୍କ ଜଳଖିଆରେ ମିଲେଟ ରଖିବା ନେଇ ଟ୍ରେନିଂ ଦିଆଯିବ । ଜୁଲାଇ ୨୦୨୩ରେ ରଂଗୋଲି ଓ ସ୍ଲୋଗାନ ପ୍ରତିଯୋଗିତା ହେବ । ଅଗଷ୍ଟରେ ମାରାଥନ, ସାଇକେଲ ରାଲି, ପୋଷ୍ଟର ପ୍ରତିଯୋଗିତା ଆୟୋଜନ କରାଯିବ । ସେହିପରି ଆସନ୍ତା ବର୍ଷ ନଭେମ୍ବରରେ ମିଲେଟ ବଜାର କରି କ୍ଷୁଦ୍ର ଶସ୍ୟକୁ ଖୋଲା ବଜାରରେ ବିକ୍ରି ପାଇଁ ପ୍ରସ୍ତୁତ କରିବା ଦାୟିତ୍ବ ବି ଉଚ୍ଚଶିକ୍ଷାନୁଷ୍ଠାନ ଗୁଡ଼ିକୁ ମିଳିଛି । ଛାତ୍ରଛାତ୍ରୀ ଓ କଲେଜ କର୍ତ୍ତୃପକ୍ଷ ମିଲେଟ୍‌ର ବିଭିନ୍ନ ଦିଗ ନେଇ ସର୍ଭେ କରିବେ । ଏହାର ପୁଷ୍ଟିଗତ ଦିଗ ସଂପର୍କରେ ସମସ୍ତଙ୍କୁ ଅବଗତ କରିବା ପାଇଁ ଆସନ୍ତାବର୍ଷ ଏପ୍ରିଲ ସୁଦ୍ଧା ପ୍ରକଳ୍ପ ପ୍ରସ୍ତୁତ କରାଯିବ ।

ଓୟୁଏଟି ପକ୍ଷରୁ ଚାଷୀଙ୍କୁ ମିଲେଟ୍ ଚାଷ ପାଇଁ ନୂତନ ଜ୍ଞାନକୌଶଳ ସହ ପରିଚିତ କରାଯାଉଛି । ମାଣ୍ଡିଆ, ସୁଆଁ, ବାଜରା, ଜହ୍ନା ଓ ବିଲସୁଆଁ ଭଳି ମିଲେଟର ବିଭିନ୍ନ କିସମ ପ୍ରସ୍ତୁତ କରିଛି ଓୟୁଏଟି । ମାଣ୍ଡିଆର ୭ଟି କିସମ ପ୍ରସ୍ତୁତ ହୋଇଥିବା ବେଳେ ସୁଆଁର ୫ଟି କିସମ ପ୍ରସ୍ତୁତ କରି ଚାଷ କରାଯାଉଛି । ରାଗି ଥ୍ରେସର୍ ଜରିଆରେ ଏକ ଘଣ୍ଟାରେ ୯୦ କିଲେଗ୍ରାମ ମାଣ୍ଡିଆକୁ ଅମଳ କରି ଚୋପା ଛଡ଼ାଯାଉଛି । ଯାହା ସମୟ ସହ ଖର୍ଚ୍ଚ କମାଉଛି । ଏଯାଏଁ ୮୦୦ ରାଗି ଥ୍ରେସର ଓୟୁଏଟି ପକ୍ଷରୁ ଏସଏଚଜିଙ୍କୁ ଦିଆଯାଇଛି । ଏହି ଯନ୍ତ୍ରର ପାଟେଣ୍ଟ ଫାଇଲିଂ ବି ସରିଛି ।

ମିଲେଟ ବୁଣିବା ପାଇଁ ସିଡ ଡ୍ରିଲ ମେସିନ ନିର୍ମାଣ ବି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ତେବେ ସବୁ ବର୍ଗର ମିଲେଟ ଯେପରି ଗୋଟାଏ ଥ୍ରେସରରେ ଅମଳ କରାଯାଇ ପାରିବ, ସେ ଦିଗରେ ବି କାମ ଚାଲିଛି । ଏଥିପାଇଁ ମିଲେଟକୁ ପ୍ରୋତ୍ସହନ ଦେବା ଦିଗରେ ଓଡ଼ିଶା ସରକାର ବାରମ୍ବାର ନେଉଥିବା ପଦକ୍ଷେପକୁ ବିଶ୍ବ ଦରବାରରୁ ପ୍ରଶଂସା ମିଳୁଛି ।