ଅବନ୍ତୀଙ୍କ ପ୍ରାର୍ଥିତ୍ବ ସାମୁହିକ ନିଷ୍ପତ୍ତି: ପ୍ରଣବ ପ୍ରକାଶ ଦାସ

ଭୁବନେଶ୍ବର: ଧାମନଗର ଉପନିର୍ବାଚନ ପାଇଁ ବିଜେଡି ଅବନ୍ତୀ ଦାସଙ୍କୁ ପ୍ରାର୍ଥୀ କରିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅବନ୍ତୀଙ୍କ ପ୍ରାର୍ଥିତ୍ବରେ ମୋହର ମାରିଛନ୍ତି । ଅବନ୍ତୀଙ୍କ ନାଁକୁ ନେଇ ଦଳ ମଧ୍ୟରେ ସାମୁହିକ ନିଷ୍ପତ୍ତି ହୋଇଥିଲା । ଏନେଇ ବିଜେଡି ସାଙ୍ଗଠନିକ ସଭାପତି ପ୍ରଣବ ପ୍ରକାଶ ଦାସ ସୂଚନା ଦେଇଛନ୍ତି । ସେ କହିଛନ୍ତି, ‘ସାମୁହିକ ନିଷ୍ପତ୍ତି ହିଁ ବିଜୁ ଜନତା ଦଳର ଶକ୍ତି । ଧାମନଗର ଉପନିର୍ବାଚନ ପାଇଁ ଜଣେ ମା’ଙ୍କୁ ସୁଯୋଗ ଦେଇ ମହିଳା ସଶକ୍ତୀକରଣର ନାରାକୁ ଆହୁରି ସୁଦୃଢ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ । ଧାମନଗରବାସୀଙ୍କ ଆଶୀର୍ବାଦ ଦଳୀୟ ପ୍ରାର୍ଥୀ ଅବନ୍ତୀ ଦାସଙ୍କ ସହ ଯିବ, ଏହା ମୋର ଦୃଢ ବିଶ୍ୱାସ ।’

ସୂଚନାଯୋଗ୍ୟ, ବିଜେପି ବିଧାୟକ ବିଣ୍ଷୁ ସେଠୀଙ୍କ ପରଲୋକ ପରେ ଧାମନଗରରେ ଉପନିର୍ବାଚନ ହେବାକୁ ଯାଉଛି । ବିଜେଡି ଅବନ୍ତୀଙ୍କୁ ପ୍ରାର୍ଥୀ କରିଛି । ଅବନ୍ତୀ ତିହିଡି ବ୍ଲକ ଅଧ୍ୟକ୍ଷା ଅଛନ୍ତି । ମିଶନଶକ୍ତି ଓ ଏସଏସଜିରେ ରହିଛି ତାଙ୍କର ଦୀର୍ଘ ଦିନର ଅଭିଜ୍ଞତା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ଥରେ ମିଶନ ଶକ୍ତି ମାଆଙ୍କ ଉପରେ ଭରସା ଦେଖାଇଛନ୍ତି । ନବୀନ ଯେ, କେବଳ କଥା ନୁହେଁ କାମରେ ବିଶ୍ବାସ କରନ୍ତି, ଅବନ୍ତୀଙ୍କୁ ପ୍ରାର୍ଥୀ କରି ପୁଣି ଏକଥା ପ୍ରମାଣିତ କରିଛନ୍ତି । ପ୍ରାର୍ଥୀତ୍ବ ନେଇ ବିଜେଡିର ଗଣମାଧ୍ୟମ ସାଧାରଣ ସଂପାଦକ ମାନସ ମଙ୍ଗରାଜ ସୂଚନା ଦେଇଛନ୍ତି ।

ଆଜି କଂଗ୍ରେସ ବାବା ହରେକୃଷ୍ଣ ସେଠୀଙ୍କ ନାଁ ଘୋଷଣା କରିଥିଲା । ହରେକୃଷ୍ଣଙ୍କ ପ୍ରାର୍ଥିତ୍ବକୁ ଏଆଇସିସି ମୋହର ମାରିଛି । ୨୦୧୯ ଧାମନଗର ଏନଏସିରୁ ପ୍ରାର୍ଥୀ ହୋଇଥିଲେ ହରେକୃଷ୍ଣ । କଂଗ୍ରେସର ହରେକୃଷ୍ଣ ଜଣେ ସକ୍ରିୟ ନେତା । ରାଜୀବ ଗାନ୍ଧୀ ଫୋରମର ସଂଯୋଜକ ଥିଲେ ହରେକୃଷ୍ଣ । ଧାମନଗରରେ ହରେକୃଷ୍ଣଙ୍କ ଘର । ପେସାରେ ହରେକୃଷ୍ଣ ଜଣେ ଆଇନଜୀବୀ ।

ପୂର୍ବରୁ ବିଜେପି ସ୍ବର୍ଗତ ବିଷ୍ଣୁ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ସୂରଜଙ୍କୁ ପ୍ରାର୍ଥୀ କରିଛି । ଗତକାଲି ସେ ବାପାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପରେ ନାମାଙ୍କନପତ୍ର ଦାଖଲ କରିଥିଲେ ।