spot_img
Home Blog Page 4006

ବୁର୍ଲା ଭିମସାରରେ ଏକାଥରକେ ୪ଟି ସନ୍ତାନକୁ ଜନ୍ମ ଦେଲେ ମହିଳା

ସମ୍ବଲପୁର: ବୁର୍ଲା ଭିମସାରରୁ ଆସିଲା ଖୁସି ଖବର । ଜଣେ ମହିଳା ଏକାଥରକେ ଜନ୍ମ କରିଛନ୍ତି ୪ଟି ସନ୍ତାନ। ଆଜି ସୋନପୁରର ଜଣେ ମହିଳା ବୁର୍ଲାସ୍ଥିତି ବୀର ସୁରେନ୍ଦ୍ର ସାଏ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନସ ଆଣ୍ଡ ରିସର୍ଚ୍ଚ ବା ଭିମସାରରେ ୪ଟି ଛୁଆ ଜନ୍ମ କରିଛନ୍ତି । ନବଜାତକଙ୍କ ମଧ୍ୟରୁ ୩ଜଣ କନ୍ୟା ଶିଶୁ ଥିବାବେଳେ ଜଣେ ପୁଅ ରହିଛି । ସମସ୍ତ ସନ୍ତାନ ଓ ମା’ଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଥିବା ସୂଚନା ମିଳିଛି ।

ସୋନପୁର ବାନିଜିପାଲି ଗ୍ରାମର କୁନି ସୁନା ନାମ୍ନୀ ଜଣେ ଗର୍ଭବତୀ ଗତ ସୋମବାର ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଆଜି ଅପରାହ୍ଣ ୨ଟାରେ ସେ ଗୋଟିଏ ପରେ ଗୋଟିଏ ୪ଟି ସନ୍ତାନ ପ୍ରସବ କରିଥିଲେ। ତେବେ ସେମାନଙ୍କ ଓଜନ ସାଧାରଣ ଓଜନଠାରୁ କମ୍ ଥିବା ସୂଚନା ମିଳିଛି । ସାଧାରଣତଃ ପ୍ରତି ୫ କୋଟି ପ୍ରସବରେ ଗୋଟିଏ କ୍ଷେତ୍ରରେ ଏକାଥରକେ ୪ଟି ସନ୍ତାନ ପ୍ରସବ ଘଟଣା ଘଟିଥାଏ ।

ସରକାରୀ କ୍ୱାର୍ଟର୍ସରୁ ଗର୍ଭବତୀଙ୍କ ମୃତଦେହ ଉଦ୍ଧାର, ସ୍ୱାମୀ ଓ ଦିଅର ମିଶି ହତ୍ୟା କରିଥିବା ଅଭିଯୋଗ

ଭୁବନେଶ୍ୱର: ଭୁବନେଶ୍ୱର ପୋଲିସ ସେବା ଭବନ ପଛପଟ ସରକାରୀ କ୍ୱାର୍ଟର୍ସରୁ ଗର୍ଭବତୀ ମହିଳାଙ୍କ ମୃତଦେହ ଉଦ୍ଧାର। ମୃତ ମହିଳାଙ୍କ ନାଁ ସୁମିତ୍ରା କାଟିଆ, ଘର ନୟାଗଡ଼। ଗତକାଲି ବିଳମ୍ବିତ ରାତିରେ ସରକାରୀ ବାସଭବନରେ ଘଟିଛି ଅଘଟଣ । ବେକରେ ରଶି ଲାଗିଥିବା ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ବ୍ୟବଚ୍ଛେଦ ପାଇଁ ପଠାଯାଇଛି ସୁମିତ୍ରାଙ୍କ ମୃତଦେହ । କ୍ୟାପିଟାଲ ଥାନା ପୋଲିସ ଏ ନେଇ ତନାଘନା ଆରମ୍ଭ କରିଛି ।

ସୁମିତ୍ରାଙ୍କ ବାପଘର ଲୋକ ହତ୍ୟା ଅଭିଯୋଗ ଆଣିଛନ୍ତି । ଯୌତୁକ ପାଇଁ ସୁମିତ୍ରାଙ୍କୁ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହୋଇଛି। ସ୍ୱାମୀ ଓ ଦିଅର ମିଶି ହତ୍ୟା କରିଥିବା ବାପଘର ଲୋକ ଅଭିଯୋଗ କରିଛନ୍ତି । ସୁମିତ୍ରାଙ୍କ ସ୍ୱାମୀ ଏକ ବୈଷୟିକ କଲେଜରେ ପିଅନ ଭାବେ କାର୍ଯ୍ୟ କରନ୍ତି । ୨ ବର୍ଷ ତଳେ ତାଙ୍କର ବାହାଘର ହୋଇଥିଲା । ଅନ୍ୟପକ୍ଷରେ ହତ୍ୟା ଅଭିଯୋଗକୁ ପୁଅ ଘର ପକ୍ଷରୁ ଖଣ୍ଡନ କରାଯାଇଛି । ପୋଲିସ ତଦନ୍ତର ସାମ୍ନା କରିବାକୁ ପ୍ରସ୍ତୁତ ଥିବା ପୁଅଘର ଲୋକ କହିଛନ୍ତି ।

୨୪ ମହାଲଢ଼େଇ ପାଇଁ ବିଜେଡିର ବଡ଼ ପ୍ରସ୍ତୁତି, ପ୍ରଶିକ୍ଷଣ ନେଉଛନ୍ତି ତୃଣମୂଳ କର୍ମୀ ଓ ନେତା

ଯାଜପୁର: ବିଜେଡି ସଂଗଠନ ତୃଣମୂଳସ୍ତରରୁ ଅଧିକ ଶକ୍ତିଶାଳୀ ହେବ । ଦେଢ଼କୋଟି ଭୋଟ୍‌ ଲକ୍ଷ୍ୟ ପୂରଣ ପାଇଁ ମୁଖ୍ୟ ସାରଥି ସାଜିବେ ଦଳର କର୍ମୀ । ଏଥିପାଇଁ ବିଜେଡି ନୂଆ ଷ୍ଟ୍ରାଟେଜି ଆପଣାଇଛି । ଯାଜପୁର ଜିଲ୍ଲା ଧର୍ମଶାଳାରେ ଆରମ୍ଭ ହୋଇଛି ବିଜେଡି ପ୍ରଶିକ୍ଷଣ ଶିବିର। କଳ୍ପତରୁ ଦାସ ଷ୍ଟାଡିଅମ ପରିସରରେ ଶିବିରକୁ ଅନୁଷ୍ଠାନିକ ଭାବେ ବିଧାୟକ ଅରୁଣ ସାହୁ ଉଦଘାଟନ କରିଛନ୍ତି।

ପ୍ରଶିକ୍ଷଣ ଶିବିରରେ ଧର୍ମଶାଳା ନିର୍ବାଚନମଣ୍ଡଳୀର ବିଜୁ ଯୁବ, ଛାତ୍ର ଓ ମହିଳା ଜନତା ଦଳର କର୍ମକର୍ତ୍ତା ଓ ବିଭିନ୍ନ ପଞ୍ଚାୟତର ନିର୍ବାଚିତ ପ୍ରତିନିଧି ଯୋଗଦେଇଛନ୍ତି। ପୂର୍ବତନ ମନ୍ତ୍ରୀ ଓ ବିଧାୟକ ପ୍ରଶିକ୍ଷଣ ଦେଉଛନ୍ତି। ତୃଣମୂଳସ୍ତରରେ କିଭଳି ଦଳକୁ ମଜବୁତ କରାଯିବ ଓ ରାଜ୍ୟ ସରକାରଙ୍କ ବିକାଶମୂଳକ କାର୍ଯ୍ୟ ଲୋକଙ୍କ ପାଖରେ ପହଞ୍ଚିବେ, ସେନେଇ ପ୍ରଶିକ୍ଷଣ ଦିଆଯାଉଛି। ଆଗାମୀ ଦିନରେ ରାଜ୍ୟର ବିଭିନ୍ନ ନିର୍ବାଚନମଣ୍ଡଳୀରେ ବିଜେଡି ପକ୍ଷରୁ ପ୍ରଶିକ୍ଷଣ ଶିବିର ଆୟୋଜନ କରାଯିବ।

ରାଜଧାନୀରେ ପୁଣି ଆତ୍ମହତ୍ୟା, ବିଷ ପିଇଲେ ପ୍ରେମୀଯୁଗଳ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା ଅଭିଯୋଗ । ଘର ଭିତରେ ବିଷ ପିଇ ଆତ୍ମହତ୍ୟା କରିଛନ୍ତି ପ୍ରେମୀଯୁଗଳ । ଭରତପୁର ଥାନା ଫୁଲେଶ୍ବରୀ ବସ୍ତିରେ ଆତ୍ମହତ୍ୟା କରିଛନ୍ତି ପ୍ରେମୀ ଯୁଗଳ।

ମୃତଦେହକୁ ଜବତ କରି ଏମ୍ସ ପଠାଇଛି ପୋଲିସ । ଯୁବକର ଘର ନୟାଗଡ଼ରେ ହୋଇଥିବା ବେଳେ ମହିଳାଙ୍କ ଘର ଢେଙ୍କାନାଳରେ । ଉଭୟ ମୃତକ ବିବାହିତ ଥିବା ଜଣାପଡ଼ିଛି। ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ଥିବା ବେଳେ ଭରତପୁର ପୋଲିସର ତଦନ୍ତ ଜାରି ରହିଛି ।

ଏକାମ୍ର ସଂରକ୍ଷଣ ଯୋଜନାକୁ NMA ସ୍ୱୀକୃତି, ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ମନ୍ତ୍ରୀ

ଭୁବନେଶ୍ବର: ଏକାମ୍ର ସଂରକ୍ଷଣ ଯୋଜନାକୁ NMA ସ୍ୱୀକୃତି ଦେଇଛନ୍ତି । ଏଥିପାଇଁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ରହିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମୁଖ୍ୟ ଶାସନ ସଚିବ, 5T ସଚିବ, ସାଂସଦ ସସ୍ମିତ ପାତ୍ର ଓ ଭର୍ତ୍ତୃହରି ମହତାବଙ୍କ ଉଦ୍ୟମ ପାଇଁ ସମସ୍ତଙ୍କୁ ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଧନ୍ୟବାଦ ଦେଇଛନ୍ତି । ପର୍ଯ୍ୟଟନ ବିଭାଗ ପକ୍ଷରୁ କାର୍ଯ୍ୟ ଆରମ୍ଭ ହୋଇଥିଲା । ଆମେ ସେବାୟତ ଭାବେ ଓ ସ୍ଥାନୀୟ ବିଧାୟକ ଭାବେ NMAକୁ ଧନ୍ୟବାଦ ଜଣାଉଛୁ ।

NMA ଏହାର ଗୁରୁତ୍ୱ ଉପଲବ୍ଧି କରି ମଞ୍ଜୁରୀ ଦେଇଛନ୍ତି । ଏକାମ୍ର କ୍ଷେତ୍ରର ମନ୍ଦିର ଗୁରୁତ୍ୱ ବହନ କରୁଛି । ଏ ସବୁର ସଂରକ୍ଷଣ ଓ ପାରିପାର୍ଶ୍ଵିକ ଉନ୍ନତି ଦରକାର । ଏହା ଆମ ପାଇଁ ଗର୍ବର ବିଷୟ ।

ଏଥିପାଇଁ ଭକ୍ତ ସୁବିଧା ପାଇପାରିବେ । ଏବେ କେନ୍ଦ୍ର ସରକାର ଶ୍ରୀଲିଙ୍ଗରାଜ ମନ୍ଦିର ସ୍ୱତନ୍ତ୍ର ଆଇନକୁ ବି ମଞ୍ଜୁରୀ ଦେବେ ବୋଲି ମନ୍ତ୍ରୀ ଅଶୋକ ପଣ୍ଡା ଆଶା ପ୍ରକାଶ କରିଛନ୍ତି ।

ଅକ୍ଟୋବର ୧୬ରେ ଓଡ଼ିଶା ସିଭିଲ ସର୍ଭିସ- ପ୍ରିଲିମ୍

ଭୁବନେଶ୍ୱର: ଓଡ଼ିଶା ସିଭିଲ ସର୍ଭିସ-୨୦୨୧ ପ୍ରିଲିମ୍ ତାରିଖ ଘୋଷଣା ହୋଇଛି । ଅକ୍ଟୋବର ୧୬ରେ ହେବ ଓଡ଼ିଶା ସିଭିଲ ସର୍ଭିସ- ପ୍ରିଲିମ୍ । ରାଜ୍ୟର ୫ଟି ଜୋନରେ ପରୀକ୍ଷା ନେଇ OPSC ପକ୍ଷରୁ ସୂଚନା ଦିଆଯାଇଛି । ଏଥିସହ ଭିନ୍ନକ୍ଷମ ପରୀକ୍ଷାର୍ଥୀଙ୍କୁ ଅଧିକ ୪୦ ମିନିଟ ସମୟ ମିଳିବ ବୋଲି ସୂଚନା ରହିଛି ।

୧୬ ତାରିଖରେ ୨ଟି ସିଟିଂରେ ଏହି ପରୀକ୍ଷା ହେବ। ସକାଳ ୧୦ଟାରୁ ମଧ୍ୟାହ୍ନ ୧୨ଟା ଯାଏ ଜେନେରାଲ ଷ୍ଟଡିଜ ପେପର -୧  ଏବଂ ଅପରାହ୍ନ ୧ଟା ୩୦ରୁ ୩ଟା ୩୦ଯାଏ ଜେନେରାଲ ଷ୍ଟଡିଜ ପେପର-୨ ପରୀକ୍ଷା ହେବ ।

ଅଣ୍ଡା ଚୋରି କଲେ ଦିଦି, ଦେଖିଦେଲେ ପିଲା

ନୟାଗଡ଼: ଶିକ୍ଷୟିତ୍ରୀ କଲେ ସ୍କୁଲ ମଧ୍ୟାହ୍ନ ଭୋଜନ ଅଣ୍ଡା ଚୋରି । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଅଭିଯୋଗ ମୁତାବକ, ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ୍‌ ଚମ୍ପାଗଡ଼ ସରକାରୀ ମଧ୍ୟ ଇଂରାଜୀ ବିଦ୍ୟାଳୟର ଶିକ୍ଷୟିତ୍ରୀ ହେଉଛନ୍ତି ବିଜୟଲକ୍ଷ୍ମୀ । ଦିଦି ଗତକାଲି ନିଜ ଟିଫିନରେ ସ୍କୁଲ ମଧ୍ୟାହ୍ନ ଭୋଜନ ପାଇଁ ଆସିଥିବା ୧୨ଟି ଅଣ୍ଡା ରଖିଥିଲେ । ଛାତ୍ରଛାତ୍ରୀଙ୍କ ନଜର ପଡ଼ିବାରୁ ସେମାନେ ଏ ବିଷୟରେ ଅଭିଭାବକଙ୍କୁ ଜଣାଇଥିଲେ । ଅଭିଭାବକମାନେ ଆସି ଦିଦିଙ୍କ ବ୍ୟାଗ ତନଖି କରିବାରୁ ଅଣ୍ଡା ମିଳିଥିଲା ।

ଚାନ୍ଦପୁର ପୋଲିସ ଓ ରଣପୁର ବିଇଓଙ୍କୁ ଏ ନେଇ ଖବର ଦିଆଯାଇଥିଲା । ପୋଲିସ ଓ ବିଇଓ ଆସି ତଦନ୍ତ କରିଥିଲେ । ଶିକ୍ଷୟିତ୍ରୀ ବିଜୟଲକ୍ଷ୍ମୀ ସବୁ ସତ କଥା ମାନି ଯାଇଥିଲେ । ଏ ନେଇ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା । ୫ ଦିନ ମଧ୍ୟ୍ୟରେ ଶିକ୍ଷୟିତ୍ରୀଙ୍କୁ ଅନ୍ୟତ୍ର ବଦଳି କରାଯିବ ବୋଲି ଉଚ୍ଚ କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେଇଛନ୍ତି ।

ଭାରତୀୟ ଧନୀ ଖୋଜୁଛନ୍ତି ବିକଳ୍ପ, ୮ ହଜାର ଧନୀ ଛାଡ଼ିପାରନ୍ତି ଦେଶ

ନୂଆଦିଲ୍ଲୀ: ଚଳିତବର୍ଷ ଭାରତ ଛାଡ଼ିବେ ୮ହଜାର ଧନୀ । ଡିସେମ୍ବର ସୁଦ୍ଧା ଭାରତର ୮ହଜାର ଅତି ଧନୀଲୋକ ଦେଶ ଛାଡ଼ି ବିଦେଶର ନାଗରିକତା ଗ୍ରହଣ କରିପାରନ୍ତି ।

କଠୋର ଟ୍ୟାକ୍ସ ବ୍ୟବସ୍ଥା ଓ ପାସପୋର୍ଟ ନିୟମ ଯୋଗୁ ସୁପର ରିଚମାନେ ଦେଶ ଛାଡ଼ିପାରନ୍ତି ବୋଲି ଏକ ସର୍ଭେରୁ ଜଣାପଡ଼ିଛି । ଏମାନଙ୍କ ମଧ୍ୟରେ ଅନେକ ବ୍ୟବସାୟୀ, ନୂଆ ଉଦ୍ୟୋଗୀ, କର୍ପୋରେଟ୍ କାର୍ଯ୍ୟନିର୍ବାହୀ ଅଛନ୍ତି ।

ବ୍ୟବସାୟ ବିସ୍ତାର, ବିକଳ୍ପ ରୋଜଗାର ବ୍ୟବସ୍ଥା, ଉନ୍ନତ ଜୀବନଯାପନ ପାଇଁ ଧନୀମାନେ ଭାରତର ବିକଳ୍ପ ଖୋଜୁଛନ୍ତି ବୋଲି ହେନଲୀ ଗ୍ଲୋବାଲ ସିଟିଜେନର ସର୍ଭେରୁ ଜଣାପଡ଼ିଛି ।

ଭାରତ ଛାଡ଼ିବା ପରେ ଅଧିକାଂଶ ଧନୀ ୟୁନାଇଟେଡ ଆରବ ଏମିରେଟସ ବା UAE, ଅଷ୍ଟ୍ରେଲିଆ ଓ ସିଙ୍ଗାପୁରରେ ରହିବାକୁ ଯୋଜନା କରୁଛନ୍ତି । ୨୦୧୫ରୁ ୨୦୨୧ ମଧ୍ୟରେ ୯ ଲକ୍ଷ ଭାରତୀୟ ଦେଶ ଛାଡ଼ିଛନ୍ତି । ପ୍ରତିବର୍ଷ ଏହି ସଂଖ୍ୟା ବଢୁଛି । କରୋନା ପରେ ଅନ୍ୟଦେଶ ତୁଳନାରେ ଭାରତର ଅର୍ଥ ବ୍ୟବସ୍ଥାରେ ଯଥେଷ୍ଟ ସୁଧାର ଆସିଥିବା ବେଳେ ବିଦେଶୀ ନିବେଶକ ମଧ୍ୟ ଭାରତରେ ନିବେଶ ପାଇଁ ମନ ବଳାଉଛନ୍ତି । ତେବେ ବିଦେଶରେ ମିଲିୟନ ଡଲାର ନିବେଶ କରିବା ଦ୍ବାରା ସେହି ଦେଶରେ ନାଗରିକତା ମିଳିଯାଉଥିବାରୁ ଧନୀମାନେ ବିଦେଶରେ ସ୍ଥାୟୀ ନାଗରିକ ହେବାକୁ ମନ ବଳାଉଥିବା ବିଶେଷଜ୍ଞ ମତ ଦେଇଛନ୍ତି ।

ଭୟଙ୍କର ହୋଇପାରେ ଯୁଦ୍ଧ: ସବୁ ପ୍ରକାର ଅସ୍ତ୍ର ପ୍ରୟୋଗ କରିବୁ କହିଲେ ପୁଟିନ୍

ନୂଆଦିଲ୍ଲୀ: ଆହୁରି ଭୟଙ୍କର ହେବ ଋଷ ଓ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ । ଋଷର ସୁରକ୍ଷା ପାଇଁ ଆମେ ସବୁ ପ୍ରକାର ଅସ୍ତ୍ର ପ୍ରୟୋଗ କରିବୁ ବୋଲି କହିଲେ ରାଷ୍ଟ୍ରପତି ପୁଟିନ୍  । ପାଶ୍ଚାତ୍ୟ ଦେଶରୁ ଆକ୍ରମଣ ଆଶଙ୍କା କରି ପରମାଣୁ ଆକ୍ରମଣ ପାଇଁ ଧମକ ଦେଇଛନ୍ତି ପୁଟିନ୍ । ଏଥିସହ ସେନାକୁ ମଧ୍ୟ ଆଲର୍ଟରେ ରହିବାକୁ  ପୁଟିନ୍ ନିର୍ଦ୍ଦେଶ ଦେଇଛନ୍ତି  ।

ଋଷର ପାର୍ଶ୍ବବର୍ତ୍ତି ଅଞ୍ଚଳରେ ପାଖାପାଖି ୩ ଲକ୍ଷ ସେନାକୁ ସ୍ଥାନାନ୍ତର କରାଯାଇଛି  । ଆମେରିକା ଓ ୟୁରୋପ ଋଷ ଉପରେ ଆକ୍ରମଣ କରିପାରନ୍ତି ବୋଲି ପୁଟିନ୍ ସନ୍ଦେହ କରିଛନ୍ତି । ଆଗକୁ ବଡ଼ ମୁକାବିଲା ହେବ । ଏଥିପାଇଁ ପ୍ରସ୍ତୁତ ରହିବାକୁ ଦେଶବାସୀଙ୍କୁ ଆହ୍ବାନ କରିଛନ୍ତି ।

ଘରେ ପଶି ମୁଢ଼ି ଖାଇଲେ, ସୁନା, ଟଙ୍କା ନେଇ ପଳେଇଲେ

କେନ୍ଦ୍ରାପଡ଼ା: ଘରେ କେହି ନଥିବା ବେଳେ ଚୋରମାନେ ଘରେ ପଶିଲେ, ଘରେ ଥିବା ମୁଢ଼ି ଖାଇଲେ, ତା’ପରେ ଟଙ୍କା ଓ ସୁନା ଲୁଟି ଫେରାର ହୋଇଗଲେ ।

ସିସିଟିଭିରେ କଏଦ ହୋଇଛି ଲୁଟେରାଙ୍କ କାରନାମା । କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ଭଗବାନପୁର ପଞ୍ଚାୟତ ଗଜିପୁରରେ ଗତକାଲି ବିଳମ୍ବିତ ରାତିରେ ଏହି ଚୋରି ହୋଇଛି । ଗଜିପୁରର ଅବସରପ୍ରାପ୍ତ ଶିକ୍ଷକ ପ୍ରତାପ ଚନ୍ଦ୍ର ଜେନା ଘରେ ତାଲା ପକାଇ ଭୁବନେଶ୍ୱର ଯାଇଥିବା ବେଳେ ବିଳମ୍ବିତ ରାତିରେ ପାଞ୍ଚ-ଛଅ ଜଣ ଚୋର ତାଲା ଭାଙ୍ଗି ଓ ଆଲମିରା ତାଡ଼ି ଟଙ୍କା ଏବଂ ସୁନା ନେଇଯାଇଛନ୍ତି ।

ଘରେ ଥିବା ଚୁଡ଼ାଭଜା, ମିକ୍ସଚର ଓ ମୁଢ଼ି ଖାଇଥିଲେ ଚୋର । ସେହିପରି ପାଖ ଧାନମଣ୍ଡଳ ଗାଁର ଲକ୍ଷ୍ମୀଧର ସ୍ୱାଇଁଙ୍କ ଘରୁ ମଧ୍ୟ ଚୋରି ହୋଇଛି ।  ଏହାର ଭିଜୁଆଲ ମଧ୍ୟ ସିସିଟିଭିରେ କଏଦ ହୋଇଥିଲା । ତା’ ମଧ୍ୟରୁ ଗୋଟିଏ ସିସିଟିଭିକୁ ଚୋରମାନେ ଭାଙ୍ଗି ଦେଇଛନ୍ତି । ଏନେଇ ପାଟକୁରା ଥାନାରେ ଏତଲା ଦିଆଯାଇଛି ।