ତାଇୱାନ ଉପରେ ଆକ୍ରମଣ କରିପାରେ ଚୀନ୍, ସତର୍କ କରାଇଲା ଆମେରିକା

ନନ୍ଦିଘୋଷ ବ୍ୟୁରୋ: ତାଇଓ୍ବାନ ଉପରେ କୌଣସି ମୁହୂର୍ତ୍ତରେ ଆକ୍ରମଣ କରିପାରେ ଚୀନ । ଏନେଇ ପ୍ରସ୍ତୁତ ରହିବାକୁ ଆମେରିକାକୁ ସତର୍କ କରାଇଛନ୍ତି ଜଣେ ବରିଷ୍ଠ ଆଡମିରାଲ । ତାଇଓ୍ବାନ ଉପରେ ଆକ୍ରମଣ କରିବା ଲାଗି ଚୀନ ସମସ୍ତ ଯୋଜନା ପ୍ରସ୍ତୁତ କରିଛି ଏବଂ କୌଣସି ସମୟରେ ଆକ୍ରମଣ ଆଶଙ୍କା ରହିଛି ବୋଲି କହିଛନ୍ତି ଆଡମିରାଲ ମାଇକେଲ ଗିଲଡେ ।

ଆମେରିକା ନାଭାଲ ଅପରେସନସର ମୁଖ୍ୟ ଗିଲଡେ କହିଛନ୍ତି, ତାଇଓ୍ବାନକୁ କବଜା କରିବା ଲାଗି ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଆଖି ରଖିଛନ୍ତି । ଆସନ୍ତା ୨୦୨୭ ସୁଦ୍ଧା ତାଇଓ୍ବାନକୁ ନିଜ ଅଧୀନକୁ ନେବା ଲାଗି ଚୀନ ଯୋଜନା କରୁଛି । ଏହି ଦୃଷ୍ଟିରୁ ଚଳିତବର୍ଷ ଓ ଆସନ୍ତା ବର୍ଷ ଅତି ଗୁରୁତ୍ବପୂର୍ଣ୍ଣ । ଗତ ରବିବାର ଚୀନ କମ୍ୟୁନିଷ୍ଟ ପାର୍ଟି ମହାଧିବେଶନରେ ଯୋଗ ଦେଇ ଜିନପିଙ୍ଗ କହିଥିଲେ, ବଳପ୍ରୟୋଗ କରିବାକୁ ଚୀନ ପଛଘୁଞ୍ଚା ଦେବ ନାହିଁ ଏବଂ ଚୀନ ସରକାର ଏକତ୍ରୀକରଣ ନୀତିକୁ ଗୁରୁତ୍ବ ଦେବେ ।