ଟି-୨୦ ବିଶ୍ୱକପ ଇତିହାସରେ ଭାରତ-ପାକିସ୍ତାନ ମଧ୍ୟରେ ହୋଇଛି ୬ ମୁକାବିଲା, ଜାଣନ୍ତୁ କିଏ କେତେ ମ୍ୟାଚ୍ ଜିତିଛନ୍ତି

1 min read

ନନ୍ଦିଘୋଷ ବ୍ୟୁରୋ: ଗୋଟେ ଦିନ ପରେ ଅର୍ଥାତ ୨୩ ତାରିଖରେ ଟି-୨୦ ବିଶ୍ୱକପରେ ଭାରତ ଓ ପାକିସ୍ତାନ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିବ । ଏହି ମ୍ୟାଚକୁ ଫ୍ୟାନ୍ସମାନେ ଚାତକ ପରି ଅପେକ୍ଷା କରି ରହିଛନ୍ତି । ଗତ ଏସିଆ କପରେ ଦୁଇ ଟିମ୍ ମଧ୍ୟରେ ଦୁଇଟି ମ୍ୟାଚ୍ ଖେଳାଯାଇଥିୱା । ଗୋଟିଏ ମ୍ୟାଚ୍ ଭାରତ ଖାତାକୁ ଯାଇଥିବା ବେଳେ ଅନ୍ୟଟି ପାକିସ୍ତାନ ଖାତାକୁ ଯାଇଥିଲା । ତେବେ ୨୩ ତାରିଖରେ ହେବାକୁ ଥିବା ବିଶ୍ୱକପର ପ୍ରଥମ ମ୍ୟାଚରେ ଭାରତ ପାକିସ୍ତାନ ବିପକ୍ଷ ମ୍ୟାଚରେ ବିଜୟ ସହ ଅଭିଯାନ ଆରମ୍ଭ କରିବ ବୋଲି ସମସ୍ତେ ଆଶା ରଖିଛନ୍ତି ।

ଭାରତୀୟ ଦଳର ନେତୃତ୍ୱ ରୋହିତ ଶର୍ମା ନେଉଥିବା ବେଳେ ପାକିସ୍ତାନ ଟିମର କମାଣ୍ଡ ବାବର ଆଜମଙ୍କ ହାତରେ ରହିବ । ତେବେ ମ୍ୟାଚ୍ ପୂର୍ବରୁ ଆଜି ଜାଣିବା ଯେ ଟି-୨୦ ବିଶ୍ୱକପ୍ ଇତିହାସରେ ଭାରତ ଏବଂ ପାକିସ୍ତାନ କେତେଥର ମୁହାଁମୁହିଁ ହୋଇଛନ୍ତି ଏବଂ କିଏ କେତେଥର ଜିତିଛି । ଟି-୨୦ ବିଶ୍ୱକପରେ ଭାରତ ଏବଂ ପାକିସ୍ତାନ ମୋଟ ୬ ଥର ଆମ୍ନା ସାମ୍ନା ହୋଇଛନ୍ତି । ୬ଟି ମ୍ୟାଚ ମଧ୍ୟରୁ ଭାରତୀୟ ଟିମ୍ ୫ଟି ରେ ବିଜୟୀ ହୋଇଥିବା ବେଳେ ଗୋଟିଏରେ ପାକିସ୍ତାନ ବିଜୟୀ ହୋଇଛି ।

ପ୍ରଥମ ଟି-୨୦ ବିଶ୍ୱକପ୍ ୨୦୦୭ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ପ୍ରଥମ ମୁକାବିଲା ଦେଖିବାକୁ ମିଳିଥିଲା ।  ଡରବାନରେ ଖେଳାଯାଇଥିବା ଏହି ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ୯ ୱିକେଟ୍ ବିନିମୟରେ ୧୪୧ ରନ୍ ସଂଗ୍ରହ କରିତିଲା । ଜବାବରେ ପାକିସ୍ତାନ ମଧ୍ୟ ୭ ୱିକେଟ୍ ହରାଇ ୧୪୧ ରନ୍ କରିଥିଲା । ଏହାପରେ ମ୍ୟାଚର ଫୌସଲା ବଲ ଆଉଟ୍ ରେ ବାହାରିଥିଲା । ଭାରତ ୩-୦ରେ ମ୍ୟାଚରେ ବାଜି ମାରି ନେଇଥିଲା । ଭାରତ ପକ୍ଷରୁ ହରଭଜନ ସିଂହ, ବିରେନ୍ଦ୍ର ସେହଭାଗ ଏବଂ ରବିନ ଉତ୍ଥାପା ଷ୍ଟମ୍ପସରେ ବଲ୍ ହିଟ୍ କରିଥିଲେ । ଯେତବେଳେ କି ପାକିସ୍ତାନ ପାଇଁ ସାହିଦ ଆଫ୍ରିଦୀ , ଅମର ଗୁଲ ଏବଂ ୟାସିର ଅରାଫାତ ବଲ୍ ପକାଇଥିଲେ କିନ୍ତୁ କାହାର ବି ବଲ୍ ଷ୍ଟମ୍ପସରେ ଲାଗିନଥିଲେ ।

୨୦୦୭ ବିଶ୍ୱକପ ଫାଇନାଲରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ପୁଣିଥରେ ମୁକାବିଲା ହୋଇଥିଲା । ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ୍ ହରାଇ ୧୫୭ ରନ୍ ସଂଗ୍ରହ କରିଥିଲା । ଜବାବରେ ପାକିସ୍ତାନ ୭୭ ରନରେ ୬ ୱିକେଟ୍ ହରାଇଥିଲା । ଏହାପରେ ମିସବାହ ଉଲ ହକ ୪୩ ରନ୍ କରି ଭାରତ ପାଇଁ ସମସ୍ୟା ସୃଷ୍ଟି କରିଥିଲେ । ଶେଷ ଓଭରର ଶେଷ ଚାରୋଟି ବଲରେ ପାକିସ୍ତାନକୁ ୬ ରନ୍ ଆବଶ୍ୟକ ଥିଲା, କିନ୍ତୁ ଯୋଗିନ୍ଦର ଶର୍ମା ମିସବାହଙ୍କୁ ଆଉଟ୍ କରିଦେଇଥିଲେ । ଏଥିସହ ଭାରତୀୟ ଟିମ୍ ପ୍ରଥମ ଟି-୨୦ ବିଶ୍ୱକପ୍ ବିଜୟୀ ହୋଇଥିଲା ।

ଏହାପରେ ପାଞ୍ଚ ବର୍ଷ ପରେ ଅର୍ଥାତ ୨୦୧୨ ଟି-୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ମଧ୍ୟରେ ମୁକାବିଲା ହୋଇଥିଲା । ଶ୍ରୀଲଙ୍କାର କଲୋମ୍ବୋରେ ଖେଳାଯାଇଥିବା ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ପାକିସ୍ତାନୀ ଟିମ୍ ୧୨୮ ରନରେ ଅଲଆଉଟ୍ ହୋଇଯାଇଥିଲା । ଜବାବରେ ଭାରତ ବିରାଟ କୋହଲିଙ୍କ ଅପରାଜିତ ୭୮ ରନର ଇନିଂସ ବଳରେ ୧୭ ଓଭରରେ ଦୁଇ ୱିକେଟ୍ ହରାଇ ବିଜୟ ଲକ୍ଷ୍ୟକୁ ହାସଲ କରିନେଇଥିଲା ।

ଏହାର ଦୁଇ ବର୍ଷ ପରେ ୨୦୧୪ରେ ପୁଣିଥରେ ଦୁଇ ଟିମ୍ ଟି-୨୦ ବିଶ୍ୱକପରେ ଆମ୍ନା ସାମ୍ନା ହୋଇଥିଲେ । ଢାକାରେ ଆୟୋଜିତ ମ୍ୟାଚରେ ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ୭ ୱିକେଟ୍ ବିନିମୟରେ ୧୩୦ ରନ୍ ସଂଗ୍ରହ କରିଥିଲା । ଭାରତ ଏହି ଲକ୍ଷ୍ୟକୁ ୧୮.୩ ଓଭରରେ ୩ୱିକେଟ୍ ହରାଇ ହାସଲ କରିନେଇଥିଲା । ବିରାଟ କୋହଲି ୩୬ ରନ୍ ଏବଂ ସୁରେଶ ରାଇନା ୩୫ ରନ୍ ଅପରାଜିତ ଇନିଂସ ଖେଳିଥିଲେ ।

୨୦୧୬ ଟି-୨୦ ବିଶ୍ୱକପ୍ ଭାରତରେ ଖେଳାଯାଇଥିଲା । ଭାରତ ଏବଂ ପାକିସ୍ତାନ ମଧ୍ୟରେ ଇଡେନ ଗାର୍ଡେନ୍ସରେ ସୁପର-୧୦ର ମ୍ୟାଚ ଖେଳାଯାଇଥିଲା । ବର୍ଷାରେ ପ୍ରଭାବିତ ମୁକାବିଲାରେ ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ୧୮ ଓଭରରେ ପାଞ୍ଚଟି ୱିକେଟ୍ ହରାଇ ୧୧୮ ରନ୍ କରିଥିଲା । ଜବାବରେ ଭାରତ ୧୫.୫ ଓଭରରେ ୪ ୱିକେଟ୍ ହରାଇ ଟାର୍ଗେଟକୁ ହାସଲ କରିଥିଲା । ବିରାଟ କୋହଲି ଅପରାଜିତ ୫୫ରନର ପାରି ଖେଳିଥିଲେ ।

ଶେଷ ଥର ୨୦୨୧ ଟି-୨୦ ବିଶ୍ୱକପରେ ବାରତ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ଖେଳାଯାଇଥିଲା । ଦୁବାଇରେ ହୋଇଥିବା ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଭାରତ ୭ ୱିକେଟ୍ ହରାଇ ୧୫୧ ରନ୍ କରିଥିବା । ବିରାଟ  କୋହଲି ୪୯ ବଲରେ ୫୭ ରନ୍ ଏବଂ ରିଷଭ ପନ୍ତ ୩୯ ରନର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ କରିଥିଲା । ଜବାବରେ ପାକିସ୍ତାନ ୧୭.୫ ଓଭରରେ କୌଣସି ୱିକେଟ୍ ନହରାଇ ୧୫୨ ରନ କରି ମ୍ୟାଚ ଟିକୁ ଜିତି ନେଇଥିଲା ।