ଲିଜ ଟ୍ରସଙ୍କ ଇସ୍ତଫା ପରେ କିଏ ହେବେ ବ୍ରିଟେନ ପ୍ରଧାନମନ୍ତ୍ରୀ ?

1 min read

ଲଣ୍ଡନ: ବ୍ରିଟେନ ପ୍ରଧାନମନ୍ତ୍ରୀ ଲିଜ ଟ୍ରସଙ୍କ ଇସ୍ତଫା ପରେ କିଏ ହେବେ ପରବର୍ତ୍ତୀ ପିଏମ । ଦେଶରେ ଘନ ଅର୍ଥନୈତିକ ସଙ୍କଟ ଜାରି ରହିଥିବା ବେଳେ ଟ୍ରସଙ୍କ ଇସ୍ତଫା ପୁଣି ସୃଷ୍ଟି କରିଛି ରାଜନୈତିକ ଅସ୍ଥିରତା । ବିଭିନ୍ନ କାରଣରୁ ନିନ୍ଦିତ ବୋରିସ ଜନସନ ଜୁଲାଇ ୭ରେ ଇସ୍ତଫା ଦେବା ପରେ ଦାୟିତ୍ବ ନେଇଥିଲେ ଟ୍ରସ । ତେବେ ଦାୟିତ୍ବ ନେବାର ମାତ୍ର ୪୫ ଦିନରେ ସେ ଇସ୍ତଫା ଦେଇଛନ୍ତି ।

ଶୁଳ୍କ ହ୍ରାସ ନିଷ୍ପତ୍ତି କାରଣରୁ ତାଙ୍କୁ ନିଜ ଦଳ କଞ୍ଜରଭେଟିଭ ପାର୍ଟିରୁ ମିଳିଥିଲା ଜୋରଦାର ସମାଲୋଚନା । ସେ କହିଥିଲେ, ସାମ୍ପ୍ରତିକ ସ୍ଥିତିକୁ ମୁକାବିଲା କରିବା କ୍ଷେତ୍ରରେ ସେ ଅକ୍ଷମ ପାଲଟିଛନ୍ତି । ଯେଉଁ ସମସ୍ୟାର ସୁଧାରିବା ଲାଗି ତାଙ୍କୁ ନିର୍ବାଚିତ କରାଯାଇଥିଲା ତାହା ପୂରଣ କରିବାରେ ସେ ବିଫଳ ହୋଇଛନ୍ତି । ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ନିଯୁକ୍ତି ହେବା ଯାଏ ସେ ଦାୟିତ୍ବରେ ରହିବେ ।

ପୂର୍ବରୁ ଅର୍ଥ ମନ୍ତ୍ରୀ କ୍ବାସି କ୍ବାରତେଙ୍ଗଙ୍କୁ ବହିଷ୍କୃତ କରାଯାଇଥିବା ବେଳେ ଇସ୍ତଫା ଦେଇଥିଲେ ଗୃହମନ୍ତ୍ରୀ ସୁଏଲା ବ୍ରେଭରମ୍ୟାନ । ସେପଟେ ପୁଣି ଥରେ ବୋରିସ ଜନସନ ପ୍ରଧାନମନ୍ତ୍ରୀ ହେବା ନେଇ ଚର୍ଚ୍ଚା ଧରିଥିବା ବେଳେ ଋଷି ସୁନକ, ସୁଏଲା ବ୍ରେଭରମ୍ୟାନ ଓ ପେନ୍ନି ମର୍ଡାଣ୍ଟଙ୍କ ଉପରେ ଦୃଷ୍ଟି ରହିଛି । ବ୍ରିଟେନ ମହାରାଣୀ ଏଲିଜାବେଥଙ୍କ ପରଲୋକ, ଋଷ-ୟୁକ୍ରେନ ଯୁଦ୍ଧ ସଂକଟ ମଧ୍ୟରେ ବ୍ରିଟେନରେ ରାଜନୈତିକ ଅସ୍ଥିରତା ସମସ୍ୟାକୁ ଜଟିଳ କରୁଛି ।

ଟ୍ରସଙ୍କ ପରେ ଯେଉଁ ପ୍ରଧାନମନ୍ତ୍ରୀ ନିଯୁକ୍ତି ପାଇବେ ସେ ହେବେ ଗତ ୭ ବର୍ଷ ମଧ୍ୟରେ ପଞ୍ଚମ ପ୍ରଧାନମନ୍ତ୍ରୀ । ବିଦ୍ୟୁତ ବିଲ୍ ହ୍ରାସ, ବିପୁଳ ପରିମାଣର କରଜ କରିବାକୁ ନିଷ୍ପତ୍ତି, କର ହ୍ରାସ, ଜଣେ ମନ୍ତ୍ରୀଙ୍କୁ ବହିଷ୍କାର ଓ ଅନ୍ୟ ଜଣଙ୍କ ଇସ୍ତଫା ଆଦି କାରଣକୁ ନେଇ ଲୋକପ୍ରିୟତା ହରାଇଥିଲେ ଟ୍ରସ ।