ପୁଣି ଆସିପାରେ କୋଭିଡ ବିପତ୍ତି, ବିଶ୍ବରେ ମାତିଛି ଓମିକ୍ରନର XBB ଭାରିଆଣ୍ଟ

1 min read

ନୂଆଦିଲ୍ଲୀ: ପୁଣି ବିଶ୍ବରେ ଦେଖାଦେଇପାରେ କୋଭିଡ ବିପତ୍ତି । ଓମିକ୍ରନର XBB ଭାରିଆଣ୍ଟ ଯୋଗୁ କୋଭିଡ ଲହରୀ ପୁଣି ଜାରି ହେବାର ଆଶଙ୍କା ରହିଛି ବୋଲି ସତର୍କ କରାଇଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ । ସଂଗଠନର ମୁଖ୍ୟ ବୈଜ୍ଞାନିକ ଡାକ୍ତର ସୌମ୍ୟ ସ୍ବାମୀନାଥନ କହିଛନ୍ତି ବିଶ୍ବର ବିଭିନ୍ନ ଦେଶରେ ଏବେ ଓମିକ୍ରନର ଭାରିଆଣ୍ଟ XBB ମାତିଛି ।

ଏହାର ଫଳ ସ୍ବରୂପ ପୁଣି ଥରେ ଏକ ଲହରୀ ସୃଷ୍ଟି ହୋଇପାରେ । ବିକାଶଶୀଳ ରାଷ୍ଟ୍ରର ଟିକା ପ୍ରସ୍ତୁତକାରୀଙ୍କ ନେଟଓ୍ବର୍କ ବା ଡିସିଭିଏମଏନର ବାର୍ଷିକ ଅଧିବେଶନରେ ଯୋଗ ଦେଇ ସ୍ବାମୀନାଥନ କହିଛନ୍ତି- ଓମିକ୍ରନର ବର୍ତ୍ତମାନ ୩୦୦ରୁ ଅଧିକ ସବଭାରିଆଣ୍ଟ ରହିଛନ୍ତି । ସେମାନଙ୍କ ମଧ୍ୟରେ ସବୁଠାରୁ ମାରାତ୍ମକ ଭୂତାଣୁ ହେଉଛି XBB ।

ଏହି ମିଶ୍ରିତ ଭାରିଆଣ୍ଟର ପ୍ରତିରୋଧକ ଶକ୍ତି ଅଧିକ ଏବଂ ଆଣ୍ଟିବଡି ଏହା କ୍ଷେତ୍ରରେ ବିଶେଷ ଶକ୍ତିଶାଳୀ ହୋଇ ନଥାଏ । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ BA.5 ଓ BA.1 ଭୂତାଣୁ ପ୍ରତି ସତର୍କ ଦୃଷ୍ଟି ରଖାଯାଇଛି । ଏହି ଦୁଇ ଭାରିଆଣ୍ଟ ମଧ୍ୟ XBB ପରି ବିପଜ୍ଜନକ ବୋଲି ସେ କହିଛନ୍ତି । କୋଭିଡ ଏବେ ବି ଆନ୍ତର୍ଜାତିକ ସ୍ତରରେ ଚିନ୍ତାଜନକ ସ୍ଥିତି ସୃଷ୍ଟି କରି ରଖିଛି ବୋଲି କହିଥିଲେ ସଂଗଠନର ମହାନିର୍ଦ୍ଦେଶକ ।