୧୪ କୋଟି ୭୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ୯ଟି ପ୍ରକଳ୍ପର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଣ୍ଠିରୁ ୧୪ କୋଟି ୭୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ୯ଟି ପ୍ରକଳ୍ପର ଆଜି ଶୁଭ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ । ଏଥିସହ ମୁଖ୍ୟମନ୍ତ୍ରୀ ୩୩.୬୮ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ୯ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ମଧ୍ୟ କରିବେ । ସେହିପରି ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଲୋଗୋ ଉନ୍ମୋଚନ ସହିତ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ପର୍ଯ୍ୟାଲୋଚନା ନିମନ୍ତେ ପରିଷଦ ଦ୍ବାରା ପ୍ରସ୍ତୁତ ଏକ ମନିଟରିଂ ଆପ୍ଲିକେସନର ମଧ୍ୟ ଶୁଭାରମ୍ଭ ହେବାକୁ ଯାଉଛି ।

ବରଗଡ଼ ଜିଲ୍ଲାର ପଦ୍ମପୁରସ୍ଥିତ ଆଞ୍ଚଳିକ ମହାବିଦ୍ୟାଳୟର ସମ୍ମିଳନୀ କକ୍ଷ, ବଲାଙ୍ଗିର ଜିଲ୍ଲାର ସଦର ମହକୁମାଠାରେ ଏକ କଲ୍ୟାଣ ମଣ୍ଡପ ଓ ଟିଟିଲାଗଡ଼ ବାଳକ ଉଚ୍ଚ ବିଦ୍ୟାଳୟର ଏକାଡେମିକ୍ ବ୍ଲକ, ବୌଦ୍ଧ ଜିଲ୍ଲା ସଂଗ୍ରହାଳୟର ସମ୍ପ୍ରସାରଣ, ଦେବଗଡ଼ ଜିଲ୍ଲାର ସାଂସ୍କୃତିକ ପ୍ରେକ୍ଷାଳୟ ତଥା କ୍ରୀଡ଼ା କକ୍ଷ, ଝାରସୁଗୁଡ଼ା ଜିଲ୍ଲାର ମରାକୁଟାଠାରେ କହ୍ନେଇନାଳ ଉପରେ ପୋଲ, କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ଟାଉନ୍ ହଲ ଓ ଜୁନାଗଡ଼ ଏନ୍ଏସିଠାରେ ବିକାଶ ପରିଷଦ ଷ୍ଟାଡିୟମ୍ ଓ ନୂଆପଡ଼ା ଜିଲ୍ଲାର କୋମନାଠାରେ ମାଣ୍ଡିଆ ଆଦି ଶସ୍ୟର ପ୍ରକ୍ରିୟାକରଣ କେନ୍ଦ୍ରକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଉଦଘାଟନ କରିବେ ।

ଅନୁରୂପ ଭାବେ ବରଗଡ଼ ଜିଲ୍ଲାର ଡେବ୍ରିଗଡ଼ ଅଭୟାରଣ୍ୟ ସନ୍ନିକଟ ବାରବଖରା ଜଳପ୍ରପାତ ଓ ଗୁମ୍ଫା ନିକଟରେ ଇକୋ ପର୍ଯ୍ୟଟନ ସ୍ଥଳୀର ବିକାଶ, ବରଗଡ଼ ସହରରେ ୫୦୦ ଆସନ ବିଶିଷ୍ଟ ପ୍ରେକ୍ଷାଳୟ, ପଦ୍ମପୁରଠାରେ ବଡ଼ବନ୍ଧର ପୁନରୁଦ୍ଧାର, ସୌନ୍ଦର୍ଯ୍ୟକରଣ ଓ ଆଲୋକୀକରଣ, ସହରର ବିକାଶ ବିଦ୍ୟାଳୟଠାରୁ ହଳଦୀପାଲି ଛକ ପର୍ଯ୍ୟନ୍ତ ସିମେଣ୍ଟ କଂକ୍ରିଟ ଡ୍ରେନ୍ ।

ବଲାଙ୍ଗିର ସହରରେ ଏକ ୫୦୦ ଆସନ ବିଶିଷ୍ଟ ପ୍ରେକ୍ଷାଳୟ, ବୌଦ୍ଧ ଜିଲ୍ଲା ବୀରନରସିଂହପୁରଠାରେ ବିକାଶ ପରିଷଦର ଇକୋ ପାର୍କ, କଳାହାଣ୍ଡି ଜିଲ୍ଲାର ବିଶ୍ୱନାଥପୁରଠାରେ କଲ୍ୟାଣ ମଣ୍ଡପ, ସମ୍ୱଲପୁର ଜିଲ୍ଲାର କୁଚିଣ୍ଡାଠାରେ ମୁକୁଣ୍ଡି ଷ୍ଟାଡୟିମ୍ର ଉନ୍ନତିକରଣ ଓ ସୁବର୍ଣ୍ଣପୁର ଜିଲ୍ଲାର ସୋନପୁରଠାରେ ହସ୍ତତନ୍ତ ମଲ୍ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ ବୋଲି ଜଣାପଡ଼ିଛି । ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଦ୍ବାରା ଆଧୁନିକ ଅଡିଟୋରିୟମ୍, କଲ୍ୟାଣ ମଣ୍ଡପ, ଗୋଷ୍ଠୀ କେନ୍ଦ୍ର, ଖେଳପଡ଼ିଆର ଉନ୍ନତିକରଣକୁ ପ୍ରାଥମିକତା ଦିଆଯାଉଛି ।