spot_img
Home Blog Page 4005

ଚିନ୍ତା ବଢ଼ାଉଛି ଡେଙ୍ଗୁ, ୨ହଜାର ରୋଗୀ ଚିହ୍ନଟ ସହ ଭୁବନେଶ୍ୱର ପାଲଟିଛି ହଟସ୍ପଟ୍

0

ଡରାଉଛି ଡେଙ୍ଗୁ । ଦିନକୁ ଦିନ ବୃଦ୍ଧି ପାଉଥିବା ଡେଙ୍ଗୁରୋଗୀଙ୍କ ସଂଖ୍ୟା ଚିନ୍ତାର କାରଣ ହୋଇଛି । ସେପ୍ଟେମ୍ବର ମାସ ନପୁରୁଣୁ ଆକ୍ରାନ୍ତଙ୍କ ସଂଖ୍ୟା ହଜାରେ ଟପିସାରିଛି । ଆଗକୁ ପୁଣି ବର୍ଷା ଥିବାରୁ ସଂଖ୍ୟା ଆହୁରି ବଢିବା ସମ୍ଭାବନା ରହିଛି । ଖୋର୍ଦ୍ଧା ଜିଲ୍ଲା ରେଡ ଜୋନରେ ଥିବାବେଳେ ହଟସ୍ପଟ୍ ପାଲଟିଛି ଭୁବନେଶ୍ୱର। ସେପ୍ଟେମ୍ବର ମାସରେ କେବଳ ଏକ ହଜାର ଡେଙ୍ଗୁ ଚିହ୍ନଟ ହୋଇସାରିଥିବା ବେଳେ ବର୍ତ୍ତମାନ ସୁଦ୍ଧା  ଭୁବନେଶ୍ୱରରୁ ମୋଟ ୨ହଜାର ରୋଗୀ ଚିହ୍ନଟ ହୋଇସାରିଛନ୍ତି । ସରକାରୀ ଭାବେ ଡେଙ୍ଗୁ ଜନିତ କାହାରି ମୃତ୍ୟୁ ହୋଇନଥିବା କୁହାଯାଉଥିଲେ ସୁଦ୍ଧା ରୋଗୀଙ୍କ ସଂଖ୍ୟା ବହୁ ଅଧିକ ଓ ଅନେକଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି । ଏଥିପାଇଁ ବିଏମସିର ପରିମଳ ବ୍ୟବସ୍ଥାକୁ ସିଧାସଳଖ ଦାୟୀ କରିଛନ୍ତି ରାଜଧାନୀବାସୀ।

ସେପଟେ ବର୍ତ୍ତମାନ ଟେଷ୍ଟିଂ ପଜିଟିଭ ରେଟ ଶତକଡା ୫୦ପ୍ରତିଶତ କମିଛି । ସାପ୍ତାହିକ ଦୁଇଦିନ ଡ୍ରାଏ ଡେ ପାଳନ ସହ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଉଛି । ଆଗକୁ ବର୍ଷା ଯୋଗୁଁ ସ୍ଥିତି ସଙ୍ଗୀନ ହେବା ସମ୍ଭାବନା ଥିବାରୁ ସମସ୍ତଙ୍କୁ ଯତ୍ନବାନ ହେବା ଜରୁରୀ ବୋଲି କହିଛନ୍ତି ବିଏମସି କମିଶନର। ଖୋର୍ଦ୍ଧା ସମେତ ମାଲକାନଗିରି, ନବରଙ୍ଗପୁର, କୋରାପୁଟ, ଗଜପତି ଓ ପୁରୀ ଆଦି ଜିଲ୍ଲାରେ ମଧ୍ୟ ଡେଙ୍ଗୁ ସ୍ଥିତି ଚିନ୍ତାଜନକ ରହିଛି

ଆହୁରି ଦୃଢ଼ ହେବ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ଦକ୍ଷତା, ବିନିଯୋଗ ହେବ ୪ଶହ କୋଟି

ଭୁବନେଶ୍ୱର: ବିପର୍ଯ୍ୟୟ ପରିଚାଳନାରେ ଆନ୍ତର୍ଜାତିକ ସ୍ୱୀକୃତି ହାସଲ ସହ ରାଜ୍ୟ ସରକାର ବର୍ତ୍ତମାନ ବିପର୍ଯ୍ୟୟ ପରିଚାଳନା ଦକ୍ଷତାକୁ ଅଧିକ ଦୃଢ଼ିଭୁତ ଏବଂ ଶାଣିତ କରିବା ନିମନ୍ତେ ପଦକ୍ଷେପ ଆରମ୍ଭ କରିଛନ୍ତି ।  ଆଜି ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବିପର୍ଯ୍ୟୟ ମୁକାବିଲା ସମ୍ବନ୍ଧିତ ରାଜ୍ୟସ୍ତରୀୟ କାର୍ଯ୍ୟନିର୍ବାହୀ କମିଟି ବୈଠକରେ ଏ ବିଷୟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିମାନ ନିଆଯାଇଛି ।

ଦୃତ ପରିବର୍ତ୍ତନଶୀଳ ଜଳବାୟୁ ପରିପ୍ରେକ୍ଷୀରେ ରାଜ୍ୟର ବିପର୍ଯ୍ୟୟ ପରିଚାଳନା ଦକ୍ଷତାକୁ ଅଧିକ ଦୃଢ଼ ଓ ଶାଣିତ କରାଯିବ। ଏଥି ପାଇଁ ଓଡ଼୍ରାଫ୍, ଅଗ୍ନିଶ୍ରମ ସେବା ୟୁନିଟ୍, ପାନୀୟ ଜଳ ଓ ବିଦ୍ୟୁତ ଯୋଗାଣ ୟୁନିଟ୍ ଗୁଡିକୁ ଅତ୍ୟାଧୂନିକ ଯନ୍ତ୍ରପାତି ଓ ଉପକରଣ ଯୋଗାଇ ଦିଆଯିବ । ନିୟମିତ ବ୍ୟବଧାନରେ ତାଲିମ ଦିଆଯାଇ ସେମାନଙ୍କ ଦକ୍ଷତା ବୃଦ୍ଧି କରାଯିବ । ଏହା ବାବଦରେ ପ୍ରାୟ ୪ଶହ କୋଟି ଟଙ୍କା ବିନିଯୋଗ କରାଯିବ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ।

ସମ୍ଭାବ୍ୟ ସହରାଞ୍ଚଳ ବନ୍ୟା ନିୟନ୍ତ୍ରଣ ନିମନ୍ତେ ବଡ଼ ବଡ଼ ସହରମାନଙ୍କରେ ଥିବା ଡ୍ରେନ୍ ଓ ଜଳ ନିଷ୍କାସନ ବ୍ୟବସ୍ଥାକୁ ସଠିକ୍ ଭାବେ ସଂଯୋଜିତ  କରିବା ତଥା ଡ଼୍ରେନ୍ ଗୁଡିକ ଉପରୁ ଜବର ଦଖଲ ହଟାଇବା, ଡ୍ରେନ୍ ପ୍ରଶସ୍ତିକରଣ ଏବଂ ସଂଯୋଗୀକରଣ କାର୍ଯ୍ୟକୁ ଅଗ୍ରାଧିକାର ଭିତ୍ତିରେ  କରିବାକୁ  ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ବାରମ୍ବାର ବନ୍ୟାରେ ପ୍ରଭାବିତ ହେଉଥିବା ଏବଂ ଆବଶ୍ୟକ ପରିମାଣର ଆଶ୍ରୟସ୍ଥଳୀ ନଥିବା ଗ୍ରାମମାନଙ୍କୁ ଚିହ୍ନଟ କରି ସେଠାରେ ବନ୍ୟା-ଆଶ୍ରୟସ୍ଥଳୀ ନିର୍ମାଣ କରିବା ସହ ଏହି ଅଞ୍ଚଳର ବନ୍ୟା ଘେରିବନ୍ଧକୁ  ଅଧିକ ଉଚ୍ଚ ଓ ଦୃଢ଼ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

ଅନ୍ୟପଟେ ବିପର୍ଯ୍ୟୟ ପରିଚାଳନା ଦକ୍ଷତା ଅବିବୃଦ୍ଧି ଜରୁରୀ ରିଲିଫ୍, ମରାମତି, ପୁନଃ ସ୍ଥାପନ ଏବଂ ପ୍ରଭାବିତ ଲୋକଙ୍କୁ ବିଭିନ୍ନ ପ୍ରକାର ସହାୟତା ବଣ୍ଟନ ଆଦି ବାବଦରେ ବିଭାଗମାନଙ୍କୁ ଦିଆଯାଇଥିବା ଅନୁଦାନର ବିନିଯୋଗ ପ୍ରମାଣପତ୍ର ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଦାଖଲ କରିବା ପାଇଁ ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ କୁମାର ଜେନା ନିର୍ଦ୍ଦେଶ ଦେଇଛନ୍ତି।

ଏହି ବ୍ୟଠକରେ ପୋଲିସ୍ ମହାନିର୍ଦ୍ଦେଶକ ଶ୍ରୀ ସୁନିଲ୍ କୁମାର ବଂଶଲ, ଅତିରିକ୍ତ ମୁଖ୍ୟ ଶାସନ ସଚିବ  ଏବଂ ସ୍ୱତନ୍ତ୍ର ରିଲିଫ୍ କିମଶନର ଶ୍ରୀ ପ୍ରଦୀପ କୁମାର ଜେନା, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଜଳ ସଂପଦ ଶ୍ରୀମତୀ ଅନୁ ଗର୍ଗ, ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ  ଶ୍ରୀ ସଂଜୀବ ଚୋପ୍ରା, ରାଜସ୍ୱ ଓ ବିପର୍ଯ୍ୟୟ  ପରିଚାଳନା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବିଶାଳ କୁମାର ଦେବ, ଗ୍ରାମ ଉନ୍ନୟନ ଏବଂ ସୂଚନା ଓ ଲୋକସେବା ସଂପର୍କ ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂ, ପଂଚାୟତି ରାଜ ଏବଂ ପାନୀୟ ଜଳ ଯୋଗାଣ ପ୍ରମୁଖ ଶାସନ ସଚିବ ଶ୍ରୀ ସୁଶିଲ୍ କୁମାର ଲୋହାନିଙ୍କ ସମେତ ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ ।

ମତ୍ସ୍ୟ ଓ ପ୍ରାଣୀସଂପଦ ବିଭାଗରେ ୮୦୪ କର୍ମଚାରୀ ନିଯୁକ୍ତ, ଦାୟିତ୍ୱର ଗୁରୁତ୍ୱ ବୁଝି କାମ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

ଭୁବନେଶ୍ୱର:  ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ବିଭାଗରେ ୮୦୪ ଜଣ କର୍ମଚାରୀଙ୍କୁ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର। ୧୪୬ ପ୍ରାଣୀ ଚିକିତ୍ସକ, ୫୮୮ ପ୍ରାଣୀଧନ ନିରୀକ୍ଷକ, ୬୭ କନିଷ୍ଠ ମତ୍ସ୍ୟ ବୈଷୟିକ ସହାୟକ ଓ ୩ କନିଷ୍ଠ ଯନ୍ତ୍ରୀ ନିଯୁକ୍ତ ହୋଇଛନ୍ତି। ମତ୍ସ୍ୟ ଓ ପ୍ରାଣୀସମ୍ପଦ କ୍ଷେତ୍ରକୁ ତୃଣମୂଳ ସ୍ତରରେ ଅଭିବୃଦ୍ଧିର ଏକ ଇଞ୍ଜିନ। ଦାୟିତ୍ୱର ଗୁରୁତ୍ୱ ବୁଝି ତାହାର ନିର୍ବାହ କରିବାକୁ ନବ ନିଯୁକ୍ତ କର୍ମଚାରୀଙ୍କୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ଲୋକସେବା ଭବନରେ ଆୟୋଜିତ ଦିଗଦର୍ଶନ କାର୍ଯ୍ୟକ୍ରମରେ ଏପରି ମନ୍ତ୍ର ଦେଇଛନ୍ତି ନବୀନ । ୫-T ଉପକ୍ରମ ଅବଲମ୍ବନ କରି ତୃଣମୂଳ ସ୍ତରରେ ପରିବର୍ତ୍ତନ ପାଇଁ କାମ କରିବାକୁ ନବନିଯୁକ୍ତ କର୍ମଚାରୀଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

କାର୍ଯ୍ୟକ୍ରମରେ ସମସ୍ତ ଜିଲ୍ଲାର ବିଭାଗୀୟ ଅଧିକାରୀମାନେ ଭିଡିଓ କନଫରେନସିଂ ମାଧ୍ୟମରେ ଯୋଗ ଦେଇଥିଲେ । ଓଡିଶା ଏକ କୃଷି ପ୍ରଧାନ ରାଜ୍ୟ ଓ ଗ୍ରାମାଞ୍ଚଳରେ ୭୦ ପ୍ରତିଶତରୁ ଅଧିକ ଲୋକ ବିଭିନ୍ନ ଚାଷ କାର୍ଯ୍ୟରେ ନିୟୋଜିତ ଅଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଲୋକ ପ୍ରାଣୀପାଳନ ଓ ମତ୍ସ୍ୟ ଉତ୍ପାଦନ ମାଧ୍ୟମରେ ନିଜର ଆୟ ବୃଦ୍ଧି କରିପାରୁଛନ୍ତି। ରାଜ୍ୟ ସରକାର ଏହି କୃଷକଙ୍କ ରୋଜଗାର ବଢ଼ାଇବା ଏବଂ ସେମାନଙ୍କ ମୁହଁରେ ହସ ଫୁଟାଇବା ପାଇଁ ନିରନ୍ତର ଉଦ୍ୟମ ଜାରି ରଖିଛନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ସେଥିପାଇଁ ରାଜ୍ୟ ସରକାରଙ୍କ ଦ୍ଵାରା ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ କ୍ଷେତ୍ରକୁ କୃଷକ, ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀ ଏବଂ ଉଦ୍ୟୋଗୀମାନଙ୍କ ପାଇଁ ଅଭିବୃଦ୍ଧିର ଏକ ଇଞ୍ଜିନ ଭାବରେ ଚିହ୍ନଟ କରାଯାଇଛି । ଗ୍ରାମାଞ୍ଚଳରେ ଲୋକଙ୍କ ପ୍ରୋଟିନ କ୍ୟାଲୋରି ଆବଶ୍ୟକତା ପୂରଣ କରିବା, ପୁଷ୍ଟିସାଧନ ଓ ସର୍ବୋପରି ଖାଦ୍ୟ ସୁରକ୍ଷା ପାଇଁ ମତ୍ସ୍ୟ ଓ ପ୍ରାଣୀସମ୍ପଦ କ୍ଷେତ୍ରର ସ୍ବତନ୍ତ୍ର ଭୂମିକା ରହିଛି । ତେଣୁ ଏହି ବିଭାଗର ଅଧିକାରୀମାନେ ସେମାନଙ୍କ ଦାୟିତ୍ୱ କେତେ ଗୁରୁତ୍ୱପୂର୍ଣ୍ଣ ତାହା ଅନୁଭବ କରିବା ଉଚିତ ବୋଲି ଚେତେଇ ଦେଇଛନ୍ତି । ନବନିଯୁକ୍ତ କର୍ମଚାରୀମାନେ ସ୍ୱଚ୍ଛତା ବଜାୟ ରଖିବା ସହ ଉତ୍ସର୍ଗୀକୃତ ଭାବେ କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ଆଶା ପ୍ରକଟ କରିଛନ୍ତି।

ଟ୍ରେନ ଭିତରେ ମହିଳାଙ୍କୁ ନିର୍ଦ୍ଧୁମ ମାଡ଼; ପାଖରୁ ମିଳିଲା ଗୋରୁହାଡ଼, ଗୋରୁ ଖପୁରୀ

0

ବ୍ରହ୍ମପୁର: ଗୁଣି ସନ୍ଦେହରେ ଟ୍ରେନ ଭିତରେ ମହିଳାଙ୍କୁ ମାଡ଼ ମାରିଲେ ଯାତ୍ରୀ। ବ୍ରହ୍ମପୁର-ଭୁବନେଶ୍ୱର ପାସେଞ୍ଜର ଟ୍ରେନରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଭୁବନେଶ୍ୱର ଆସୁଥିବା ବେଳେ ନିରାକାରପୁର ନିକଟରେ ଜଣେ ମହିଳାଙ୍କ ପାଖରେ ଗୋରୁହାଡ଼, ଗୋରୁ ଖପୁରୀ, ସିନ୍ଦୂର, ଅରୁଆ ଚାଉଳ ଥିବା ଯାତ୍ରୀମାନେ ଦେଖିବାକୁ ପାଇଥିଲେ। ଏକ ବ୍ୟାଗ ଭିତରେ ଏସବୁ ସାମଗ୍ରୀ ଥିବା ଯାତ୍ରୀମାନେ ଜାଣିବାକୁ ପାଇବା ପରେ ସନ୍ଦେହ ସୃଷ୍ଟି ହୋଇଥିଲା।

ପରିଚୟ ପଚାରିବାରୁ ଉତ୍ତର ନଦେଇ ଯାତ୍ରୀଙ୍କ ଉପରକୁ ଚାଉଳ ଫିଙ୍ଗିଥିଲେ ସଂପୃକ୍ତ ମହିଳା। ଏହା ସହିତ କିଛି ଯାତ୍ରୀଙ୍କୁ କାମୁଡ଼ି ଆକ୍ରମଣ କରିଥିଲେ। ଫଳରେ ଉତ୍ତ୍ୟକ୍ତ ହୋଇ ଯାତ୍ରୀମାନେ ମହିଳାଙ୍କୁ ମାଡ଼ ମାରିବା ସହିତ ରେଳବାଇ ପୋଲିସକୁ ଖବର ଦେଇଥିଲେ। ରେଳବାଇ ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲା। ଶେଷରେ ସଂପୃକ୍ତ ମହିଳା ଭୁବନେଶ୍ୱର ଷ୍ଟେସନରେ ଓହ୍ଲାଇ ଥିବା ଜଣାପଡ଼ିଛି। ତେବେ ତାଙ୍କ ପରିଚୟ କ’ଣ? କ’ଣ ପାଇଁ ବ୍ୟାଗରେ ଗୋରୁହାଡ଼, ଗୋରୁ ଖପୁରୀ, ସିନ୍ଦୂର, ଅରୁଆ ଚାଉଳ ଆଦ ନେଇ ଯାଉଥିଲେ, ସେନେଇ କିଛି ଜଣାପଡ଼ିନି।

ରାଜ୍ୟ ପାଇଁ ଗୌରବ ଆଣିଲେ ପୂର୍ବତନ ବିଧାୟକ, ଆମେରିକାରେ ଭାରତର ପ୍ରତିନିଧିତ୍ୱ କରି ହେଲେ ସମ୍ମାନିତ

0

ନୟାଗଡ଼: ଓଡ଼ିଶା ପାଇଁ ଗୌରବ ଆଣିଲେ ଖଣ୍ଡପଡ଼ାର ପୂର୍ବତନ ବିଧାୟକ ତଥା ବିଜେଡି ନେତା ଅନୁଭବ ପଟ୍ଟନାୟକ। ଆମେରିକାରେ ଅନୁଷ୍ଠିତ ବୈଧାନିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଭାରତ ପାଇଁ ପ୍ରତିନିଧିତ୍ୱ କରି ପ୍ରଶଂସା ସାଉଁଟିଛନ୍ତି ଅନୁଭବ। ପ୍ରଶିକ୍ଷଣ କାର୍ଯ୍ୟକ୍ରମର ବିଭିନ୍ନ ବିତର୍କରେ ଭାଗନେଇ ଭାରତ ସହିତ ଆମେରିକାର ସମ୍ପର୍କ ଦୃଢୀକରଣ ଓ ବିଶ୍ୱ ଭାତୃତ୍ୱ ଭାବ ପ୍ରତିଷ୍ଠା ଦିଗରେ ଜନପ୍ରତିନିଧି ଓ ପ୍ରଶାସନର ଭୂମିକା ସମ୍ପର୍କରେ ମତ ରଖିଥିଲେ।  ଏହା ସହିତ ଓଡ଼ିଶାରେ ମହିଳା ସଶକ୍ତିକରଣ ପାଇଁ ମୁଖ୍ୟମନ୍ତ୍ରୀ ନେଇଥିବା ପଦକ୍ଷେପ ଓ ଏହାର ସଫଳତା ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଇଥିଲେ । ଯାହାକୁ କାର୍ଯ୍ୟକ୍ରମରେ ପ୍ରଶଂସା କରାଯାଇଛି ।

ରାଜନୀତିରେ ଅଭିଜ୍ଞତା ଓ ଦକ୍ଷତା ପାଇଁ ଉଭୟ ସିନେଟ୍ ଓ ହାଉସ ଅଫ ରିପ୍ରେଜେଂଟିଭ ପକ୍ଷରୁ ତାଙ୍କୁ ସଫଳ କର୍ମଜୀବୀ ଭାବେ ସମ୍ମାନିତ କରାଯାଇଛି । ଅଗଷ୍ଟ ୨୨ତାରିଖରୁ ଓ୍ବାସିଂଟନ ଡିସି ଓ କଲମ୍ବସରେ ୨୪ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିପାଇଁ ଭାରତରୁ ମନୋନୀତ ୬ଜଣଙ୍କ ଭିତରେ ଏକମାତ୍ର ରାଜନୈତିକ ବ୍ୟକ୍ତି ଭାବେ ସ୍ଥାନ ପାଇଥିଲେ ଅନୁଭବ ପଟ୍ଟନାୟକ ।

ବରଗଡ଼ରେ ୨୯୭ ଗ୍ରାମ୍‌ ବ୍ରାଉନ ସୁଗାର ସହ ଲକ୍ଷାଧିକ ଟଙ୍କା ଜବତ, ଜଣେ ଗିରଫ

0

ବରଗଡ଼: ବରଗଡ଼ରେ ୨୯୭ ଗ୍ରାମ୍‌ ବ୍ରାଉନ ସୁଗାର ଜବତ କରିବା ସହ ଜଣେ  ଅଭିଯୁକ୍ତକୁ ଗିରଫ କରିଛି ଅବକାରୀ ବିଭାଗ। ତା’ଠାରୁ ଲକ୍ଷାଧିକ ଟଙ୍କା ଜବତ କରିଛି ବରଗଡ଼ ଜିଲ୍ଲା ଅବକାରୀ ବିଭାଗ। ଜବତ ବ୍ରାଉନ ସୁଗାରର ମୂଲ୍ୟ ୩୦ ଲକ୍ଷ ଟଙ୍କାରୁ ଅଧିକ ହେବ। ବ୍ରାଉନ ସୁଗାର ବିକ୍ରି ଉଦ୍ୟମ ବେଳେ ବରଗଡ଼ ସହରର ମହାନ୍ତି ପଡ଼ା ଅଞ୍ଚଳରୁ ରାଜୁ ତାଣ୍ଡି ନାମକ ଯୁବକ ପାଖରୁ ତିରିଶ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ୨୯୭ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି ଅବକାରୀ ବିଭାଗ।

ଏଥିସହ ଅଭିଯୁକ୍ତ ରାଜୁ ତାଣ୍ଡି ପାଖରୁ ଲକ୍ଷାଧିକ ଟଙ୍କା ଓ ମୋବାଇଲ ଫୋନ ଆଦି ଜବତ ହୋଇଛି । ଅଭିଯୁକ୍ତ ରାଜୁ ତାଣ୍ଡି କେଉଁ ଅଞ୍ଚଳରୁ ବ୍ରାଉନ ସୁଗାର ଆଣି ବିକ୍ରି କରୁଥିଲା ଏବଂ ଏହା ପଛରେ କେଉଁ ରାକେଟ କାମ କରୁଛି, ତାକୁ ନେଇ ଅଧିକ ଖୋଲତାଡ଼ ଚାଲିଛି । ଅଭିଯୁକ୍ତ ରାଜୁ ତାଣ୍ଡି ବରଗଡ଼ ସହରର ଧନୀ ପରିବାରର ଯୁବକ ଯୁବତୀଙ୍କଠାରୁ ଫୋନ ପେ, ଗୁଗୁଲ ପେ ମାଧ୍ୟମରେ ଟଙ୍କା ଆଣୁଥିବା ବରଗଡ଼ ଜିଲ୍ଲା ଅବକାରୀ ଅଧୀକ୍ଷକ ସୁବନ କୁମାର ନାୟକ ସୂଚନା ଦେଇଛନ୍ତି । ଖୁବ ଶୀଘ୍ର ବ୍ରାଉନ ସୁଗାର କାରବାରରେ ସଂଶ୍ଲିଷ୍ଟ ଥିବା ଅନ୍ୟମାନଙ୍କୁ ଗିରଫ କରାଯିବ ବୋଲି ସେ କହିଛନ୍ତି ।

ଅତିରିକ୍ତ ତହସିଲଦାରଙ୍କ ଅମାପ ସମ୍ପତ୍ତି, ପୁଳା ପୁଳା ପ୍ଲଟ୍‌ର ଟେର୍ ପାଇଲା ଭିଜିଲାନ୍ସ

0

ସୁନ୍ଦରଗଡ଼: ଅତିରିକ୍ତ ତହସିଲଦାରଙ୍କ ଅମାପ ସମ୍ପତ୍ତି । ସୁନ୍ଦରଗଡ଼ ଟାଙ୍ଗରପାଲି ଅତିରିକ୍ତ ତହସିଲଦାର କୁଳମଣି ପଟେଲଙ୍କ ପୁଳା ପୁଳା ପ୍ଲଟ୍‌ର ଟେର୍ ପାଇଛି ଭିଜିଲାନ୍ସ । ସୁନ୍ଦରଗଡ଼ର ପ୍ରାଇମ ଏରିଆରେ ରହିଛି ମୋଟ୍ ୨୧ଟି ପ୍ଲଟ୍, ୨ଟି ବହୁତଳ କୋଠା ଓ ୪ଟି ଘର । କେବଳ ଏତିକି ନୁହେଁ, ୨ଟି ଚାରି ଚକିଆ ଯାନ, ୨ଟି ଟ୍ରାକ୍ଟର, ୩ଟି ଦୁଇ ଚକିଆ ଯାନ ଠାବ ହୋଇଛି ।

ଲେଫ୍ରିପଡ଼ାରେ ୪ ହଜାର ୮୯୯ ବର୍ଗଫୁଟରେ ୩ ମହଲା କୋଠା ୨୦୨୧-୨୨ରେ ନିର୍ମିତ ହୋଇଛି । ସେହିପରି ସୁନ୍ଦରଗଡ଼ ଟାଉନରେ ୩ ହଜାର ବର୍ଫୁଟରେ ରହିଛି ୨ ମହଲା କୋଠା । ଲେଫ୍ରିପଡ଼ାରେ ୪୫୦ ବର୍ଗଫୁଟରେ ଗୋଟିଏ ଓ ୧୨୫୦ ବର୍ଗଫୁଟରେ ୨ଟି ଘର ରହିଛି । ସୁନ୍ଦରଗଡ଼ର ବିଭିନ୍ନ ମୌଜାରେ ରହିଛି ୭ଟି ଜମି । ଜମାଟଙ୍କା ଓ ବୀମା ନେଇ ଯାଞ୍ଚ ଚାଲିଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ମିଳିଛି । ସୁନ୍ଦରଗଡ଼ ଟାଙ୍ଗରପାଲି ଅତିରିକ୍ତ ତହସିଲଦାର କୁଳମଣି ପଟେଲଙ୍କ ବିରୋଧରେ ଆୟ ବହର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୮ଟି ସ୍ଥାନରେ ରେଡ୍ କରିଛି ଭିଜିଲାନ୍ସ । ଚଢ଼ାଉ ବେଳେ ଘରୁ ନଗଦ ଟଙ୍କା ମଧ୍ୟ ଜବତ ହୋଇଛି ।

ପଞ୍ଚାୟତ କାର୍ଯ୍ୟାଳୟରେ ଭିଜିଲାନ୍ସ ରେଡ୍; ସରକାରୀ ଟଙ୍କା ହେରଫେର୍ ଅଭିଯୋଗ

0

ବାଲେଶ୍ୱର: ବାଲିଆପାଳ ପଞ୍ଚାୟତରେ ଭିଜିଲାନ୍ସ ରେଡ୍ । କୋଟିକୋଟି ଟଙ୍କା ଆତ୍ମସାତ ଅଭିଯୋଗରେ ପଞ୍ଚାୟତ କାର୍ଯ୍ୟାଳୟରେ ରେଡ୍ କରିଛି ଭିଜିଲାନ୍ସ । ପଞ୍ଚାୟତର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟପାଇଁ ଆସିଥିବା ଟଙ୍କା ହେରଫେର ହୋଇଥିବା ଅଭିଯୋଗ ହୋଇଛି । ପୂର୍ବତନ ସରପଞ୍ଚଙ୍କ କାର୍ଯ୍ୟକାଳ ସମୟରେ ବିଭିନ୍ନ ଯୋଜନା ପାଇଁ ଆସିଥିବା କୋଟି କୋଟି ଟଙ୍କା ଆତ୍ମସାତ ହୋଇଛି । ଏନେଇ ଅଭିଯୋଗ ପରେ ଚଢାଉ କରିଛି ଭିଜିଲାନ୍ସର ୩ଜଣିଆ ଟିମ୍ ।

ମୋ ବସରେ ଲୁଟ୍; ବୋନ୍‌ କ୍ୟାନସର ରୋଗୀଙ୍କଠୁ ନେଇଗଲେ ୧୫ ହଜାର ଟଙ୍କା

0

ଭୁବନେଶ୍ୱର: ବୋନ୍‌ କ୍ୟାନସର ରୋଗୀଙ୍କୁ ବି ଛାଡ଼ିଲେନି ଲୁଟେରା। ଭୁବନେଶ୍ୱରରେ ମୋ ବସରେ ମେଡିକାଲ ଯାଉଥିବା ସମୟରେ ବୋନ୍‌ କ୍ୟାନସର ରୋଗୀଙ୍କଠାରୁ ଲୁଟ୍‌ ହୋଇଛି। ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁରର ଆନନ୍ଦ ଗୌଡ଼ ଲୁଟର ଶିକାର ହୋଇଛନ୍ତି। ଚିକିତ୍ସା ପାଇଁ ଆନନ୍ଦ ଆଣିଥିବା ୧୫ ହଜାର ଟଙ୍କା ଲୁଟ ହୋଇଛି। ମୋ ବସରେ ଯାତ୍ରୀ ବେଶରେ ଆସି ଲୁଟ କରିଥିବା ଅଭିଯୋଗ ହୋଇଛି। ବାଣୀବିହାର ଛକରେ ଲୁଟ ସମ୍ପର୍କରେ ଜାଣିପାରିଥିଲେ ଆନନ୍ଦ ଗୌଡ଼ । କାନ୍ଦି କାନ୍ଦି ସେ ସହିଦନଗର ଥାନାରେ ପହଞ୍ଚିଲେ । କଟକ ଅଭିମୁଖେ ଯାଉଥିବା ୧୯ ନମ୍ବର ବସକୁ ଅଟକାଇ ତଦନ୍ତ ଚଳାଇଛି ପୋଲିସ ।

ବୁର୍ଲା ଭିମସାରରେ ଏକାଥରକେ ୪ଟି ସନ୍ତାନକୁ ଜନ୍ମ ଦେଲେ ମହିଳା

ସମ୍ବଲପୁର: ବୁର୍ଲା ଭିମସାରରୁ ଆସିଲା ଖୁସି ଖବର । ଜଣେ ମହିଳା ଏକାଥରକେ ଜନ୍ମ କରିଛନ୍ତି ୪ଟି ସନ୍ତାନ। ଆଜି ସୋନପୁରର ଜଣେ ମହିଳା ବୁର୍ଲାସ୍ଥିତି ବୀର ସୁରେନ୍ଦ୍ର ସାଏ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନସ ଆଣ୍ଡ ରିସର୍ଚ୍ଚ ବା ଭିମସାରରେ ୪ଟି ଛୁଆ ଜନ୍ମ କରିଛନ୍ତି । ନବଜାତକଙ୍କ ମଧ୍ୟରୁ ୩ଜଣ କନ୍ୟା ଶିଶୁ ଥିବାବେଳେ ଜଣେ ପୁଅ ରହିଛି । ସମସ୍ତ ସନ୍ତାନ ଓ ମା’ଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଥିବା ସୂଚନା ମିଳିଛି ।

ସୋନପୁର ବାନିଜିପାଲି ଗ୍ରାମର କୁନି ସୁନା ନାମ୍ନୀ ଜଣେ ଗର୍ଭବତୀ ଗତ ସୋମବାର ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଆଜି ଅପରାହ୍ଣ ୨ଟାରେ ସେ ଗୋଟିଏ ପରେ ଗୋଟିଏ ୪ଟି ସନ୍ତାନ ପ୍ରସବ କରିଥିଲେ। ତେବେ ସେମାନଙ୍କ ଓଜନ ସାଧାରଣ ଓଜନଠାରୁ କମ୍ ଥିବା ସୂଚନା ମିଳିଛି । ସାଧାରଣତଃ ପ୍ରତି ୫ କୋଟି ପ୍ରସବରେ ଗୋଟିଏ କ୍ଷେତ୍ରରେ ଏକାଥରକେ ୪ଟି ସନ୍ତାନ ପ୍ରସବ ଘଟଣା ଘଟିଥାଏ ।