ପ୍ଲାଜମା ବଦଳରେ ଚଢ଼ାଇଦେଲେ ଜୁସ୍, ରୋଗୀ ମୃତ

1 min read

ପ୍ରୟାଗରାଜ: ପ୍ରୟାଗରାଜରେ ଡେଙ୍ଗୁ ରୋଗୀକୁ ପ୍ଲେଟଲେଟ୍ସ ସ୍ଥାନରେ ମୋସାମ୍ବି ଜୁସ୍ ଚଢ଼ାଇ ଦେବା କାରଣରୁ ମୃତ୍ୟୁ ହୋଇଥିବା ଅଭିଯୋଗ । ଏହି ମାମଲା ପ୍ରୟାଗରାଜର ଝଲୱା ଅଞ୍ଚଳରୁ ଅସିଛି । ଡେଙ୍ଗୁରେ ଆକ୍ରାନ୍ତ ପ୍ରଦୀପ କୁମାର ପାଣ୍ଡେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଅଭିଯୋଗ ଅନୁଯାୟୀ, ରୋଗୀକୁ ପ୍ଲେଟଲେଟ୍ସ ସ୍ଥାନରେ ମୋସାମ୍ବି ଜୁସ ସାଲାଇନ ଆକାରରେ ଦିଆଯାଇଥିଲା, ଯାହାଫଳରେ ତାଙ୍କର ମୃତ୍ୟୁ ହୋଇଯାଇଛି ।

ଘଟଣା ସୋସିଆଲ ମିଡିଆରେ ଭାଇରାଲ୍ ହେବା ପରେ ହସ୍ପିଟାଲକୁ ପ୍ରଶାସନ ପକ୍ଷରୁ ସିଲ୍ କରାଯାଇଛି । ପ୍ରଦୀପ କୁମାର ପାଣ୍ଡେଙ୍କ ଶାଳକ ସୌରଭ ତ୍ରିପାଠୀ କହିଛନ୍ତି, ଯେତବେଳେ ତାଙ୍କ ଭିଣୋଇ ପ୍ରଦୀପ କୁମାର ପାଣ୍ଡେଙ୍କ ପ୍ଲେଟଲେଟ୍ସ ହ୍ରାସ ହେବାକୁ ଲାଗିଥିଲା ଏବଂ ୧୨-୧୩ ହଜାର ପର୍ଯ୍ୟନ୍ତ ପହଞ୍ଚିଯିବା ପରେ ହସ୍ପିଟାଲର ଡାକ୍ତର ତାଙ୍କୁ ୮ ୟୁନିଟ ପ୍ଲେଟଲେଟ୍ସ ଯୋଗାଡ଼ କରିବା ପାଇଁ କହିଥିଲେ ।

ଏହାପରେ ପ୍ରଦୀପ କୁମାର ପାଣ୍ଡେଙ୍କ ପରିବାର ଲୋକେ ୩ ୟୁନିଟ ପ୍ଲେଟଲେଟ୍ ଯୋଗାଡ଼ କରିବାକୁ ସକ୍ଷମ ହୋଇଥିଲେ । ଏହାଦ୍ୱାରା ପ୍ରଦୀପଙ୍କ ସ୍ଥିତିରେ ସାମାନ୍ୟ ସୁଧାର ହୋଇଥିଲା କିନ୍ତୁ ବାକି ୫ ୟୁନିଟ ପ୍ଲେଟଲେଟ୍ସ ମିଳିପାରୁନଥିଲା । ଏହି ସମୟରେ ହସ୍ପିଟାଲ ବିଲ୍ଡିଂର ମାଲିକଙ୍କ ପୁଅ ସତୀଶ ସାହୁ ତାଙ୍କୁ ୫ ୟୁନିଟ ପ୍ଲେଟଲେଟ୍ସର ଯୋଗାଡ଼ କରିବା ବଦଳରେ ୨୫ ହଜାର ଟଙ୍କାର ଦାବି କରିଥିଲେ ।

ପ୍ରଦୀପଙ୍କ ଘର ଲୋକେ ସତୀଶ ଠାରୁ ୨୫ହଜାର ଟଙ୍କାରେ ୫ୟୁନିଟ ପ୍ଲେଟଲେଟ୍ସ କିଣି ନେଇଥିଲେ, କିନ୍ତୁ ଯେତବେଳେ ପ୍ରଦୀପଙ୍କୁ ପ୍ଲେଟଲେଟ୍ସ ଚଢ଼ାଯାଇଥିଲା ସେତେବେଳେ ତାଙ୍କ ସ୍ଥିତି ବିଗିଡ଼ିବାରେ ଲାଗିଥିଲା ଏବଂ ହସ୍ପିଟାଲ କର୍ତ୍ତୃପକ୍ଷ ହାତ ଟେକି ଦେଇଥିଲେ । ହସ୍ପିଟାଲ ପକ୍ଷରୁ କୁହାଯାଇଥିଲା ଯେ ପ୍ରଦୀପଙ୍କୁ ଅନ୍ୟସ୍ଥାନକୁ ନେବା ପାଇଁ ।

ପ୍ରଦୀପଙ୍କ ଘର ଲୋକେ ୧୮ ଅକ୍ଟୋବରରେ ତାଙ୍କୁ ଅନ୍ୟ ଘରୋଇ ହସ୍ପିଟାଲକୁ ନେଇଯାଇଥିଲେ ହେଲେ ସେପର୍ଯ୍ୟନ୍ତ ସୁଦ୍ଧା ପ୍ରଦୀପଙ୍କ ସ୍ଥିତି ଅଧିକ ବିଗିଡ଼ି ଯାଇଥିଲା । ପ୍ରଦୀପଙ୍କ କିଡନୀ ଡ୍ୟାମେଜ ହୋଇଯାଇଥିଲା । ଏହି ସମୟରେ ଘରଲୋକ ୨୫ ହଜାର ଟଙ୍କାରେ କିଣିଥିବା ୫ ୟୁନିଟ ପ୍ଲେଟଲେଟ୍ସରୁ ବଳିଥିବା ଏକ ୟୁନିଟ ପ୍ଲେଟଲେଟ୍ସ ସେହି ଘରୋଇ ହସ୍ପିଟାଲର ଡାକ୍ତରଙ୍କୁ ଦେଖାଇଥିଲେ ସେମାନେ କହିଥିଲେ ଏଥିରେ ପ୍ଲେଟଲେଟ୍ସ ନାହିଁ, ବରଂ ପ୍ଲେଟଲେଟ୍ସ ସ୍ଥାନରେ ମୋସାମ୍ବି ଜୁସ ଅଛି ଏବଂ କେମିକାଲ ମଧ୍ୟ ମିଶିଛି ।

ଘଟଣା ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେବା ପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ମାମଲାକୁ ଗୁରୁତର ସହ ନେଇ ଦୁଇ ଜଣିଆ ଡାକ୍ତରଙ୍କ ଯାଞ୍ଚ ଟିମ୍ ଗଠନ କରିଛନ୍ତି । ସେହି ତଦନ୍ତ ଟିମ୍ ରୋଗୀଙ୍କୁ ମୋସାମ୍ବି ଜୁସ୍ ଏବଂ କେମିକାଲ ଦେଇଥିବା ହସ୍ପିଟାଲର ସଞ୍ଚାଳକଙ୍କ ବୟାନ ରେକର୍ଡ କରିଛି । ଏଥିସହ ଘଟଣାରେ ପରିବାର ଲୋକଙ୍କୁ ପଚରା ଉଚରା କରିଛି ।