ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗର ସ୍ୱାମୀକୁ ଉଠାଇନେଲା ପୋଲିସ୍

ଭୁବନେଶ୍ୱର: ଧରାପଡିଲା ଲେଡି ବ୍ଲାକ ମେଲର ଅର୍ଚ୍ଚନା ନାଗର ସ୍ବାମୀ । ଅର୍ଚ୍ଚନା ଗିରଫ ପରେ ଫେରାର ଥିବା ସ୍ବାମୀ ଜଗବନ୍ଧୁ ନାଗକୁ ଉଠାଇ ନେଇଛି ପୋଲିସ । ଭୁବନେଶ୍ବର ସତ୍ୟବିହାର ସ୍ଥିତ ଘରୁ ଜଗବନ୍ଧୁକୁ ଉଠାଇ ନେଇଛି ପୋଲିସ । ଆଜି ଭୋର୍‌ ୫ଟାରେ ଜଗବନ୍ଧୁଙ୍କୁ ଉଠାଇ ନେଇଛି କମିସନରେଟ ପୋଲିସର ସ୍ବତନ୍ତ୍ର ଟିମ୍ । ଅଜ୍ଞାତ ସ୍ଥାନରେ ରଖି ଜଗବନ୍ଧୁଙ୍କୁ ପଚରାଉଚରା କରୁଛି ପୋଲିସ ।

କିଛି ଦିନ ତଳେ ଅର୍ଚ୍ଚନାଙ୍କ ସ୍ବାମୀ ଜଗବନ୍ଧୁଙ୍କୁ ହାଜର ହେବାକୁ ନୋଟିସ କରିଥିଲା କମିଶନରେଟ୍ ପୋଲିସ । ନିଜେ ଅସୁସ୍ଥ ଥିବା ଦର୍ଶାଇ ପୋଲିସ ନିକଟରେ ହାଜର ହୋଇନଥିଲା ଜଗବନ୍ଧୁ । ଏହାପରେ କମିଶନରେଟ୍ ପୋଲିସର ସ୍ବତନ୍ତ୍ର ଟିମ୍ ଆଜି ତାଙ୍କୁ ନିଜ ବାସଭବନରୁ ଉଠାଇ ନେଇଛି । ଅର୍ଚ୍ଚନାଙ୍କ ବ୍ଲାକମେଲ ସିଣ୍ଡିକେଟ୍ ପଛରେ ସ୍ବାମୀ ଜଗବନ୍ଧୁଙ୍କ ପ୍ରଚ୍ଛଦ୍ଦ ହାତ ଥିବା ସୂଚନା ପାଇଥିଲା ପୋଲିସ ।

ଏପରିକି ଭାଇରାଲ ଭିଡିଓକୁ ସୋସିଆଲ ମିଡିଆରେ ଛାଡିବା ପାଇଁ ବଡ଼ ବଡ଼ିଆଙ୍କୁ ବ୍ଲାକମେଲ କରୁଥିଲା ଜଗବନ୍ଧୁ । ଏନେଇ କିଛି ଦିନ ତଳେ ଖଣ୍ଡଗିରି ଥାନାରେ ଜଣେ ଯୁବତୀ ଏତଲା ଦେଇଥିଲେ । ଏତଲାକୁ ଆଧାର କରି ପାଲିସ ତଦନ୍ତକୁ ଜୋରଦାର କରିଥିଲା । ଅର୍ଚ୍ଚନାଙ୍କ ଠାରୁ ମିଳିଥିବା କଲ୍ ରେକର୍ଡିଂ, ହାର୍ଡ ଡିସ୍କ, ପେନ୍ ଡ୍ରାଇଭରେ ଜଗବନ୍ଧୁର ଅପରାଧିକ କାର୍ଯ୍ୟକଳାପ ସମ୍ପର୍କରେ ସୂଚନା ପାଇଥିଲା ପୋଲିସ ।