spot_img
Home Blog Page 3994

କେନ୍ଦ୍ର ଉପରେ ବର୍ଷିଲେ ରାହୁଲ, କହିଲେ ଇଡିକୁ ଅସ୍ତ୍ର କରି ଡରାଇବାକୁ ହେଉଛି ଉଦ୍ୟମ

ନୂଆଦିଲ୍ଲୀ: ନ୍ୟାସନାଲ ହେରାଲ୍ଡ ମାମଲାରେ ଇଡିର ଆକ୍ସନକୁ ନେଇ ବର୍ଷିଲେ ରାହୁଲ ଗାନ୍ଧୀ । ଇଡିକୁ ଅସ୍ତ୍ର କରି ଡରାଇବାକୁ ଉଦ୍ୟମ ହେଉଛି । ଚାପ ପକାଇ ଚୁପ୍ କରାଇବାକୁ ଚେଷ୍ଟା କରୁଛନ୍ତି କେନ୍ଦ୍ର ସରକାର । ତେବେ ଏଥିରେ କିଛି ଫରକ ପଡିବନି । ଗଣତନ୍ତ୍ରର ସୁରକ୍ଷା ପାଇଁ ଲଢ଼େଇ ଜାରି ରହିବ ବୋଲି ରାହୁଲ ଗାନ୍ଧୀ କହିଛନ୍ତି । ସେହିପରି ସଂସଦରେ ଜାରି ରହିଛି ହେରାଲ୍ଡ ହଙ୍ଗାମା । ନ୍ୟାସନାଲ ହେରାଲ୍ଡ ମନି ଲଣ୍ଡରିଂ ମାମଲାରେ ଇଡିର ଆକ୍ସନକୁ ନେଇ କଂଗ୍ରେସ ସାଂସଦ ହୋହଲ୍ଲା କରିଛନ୍ତି । ବରିଷ୍ଠ କଂଗ୍ରେସ ନେତା ପି.ଚିଦାମ୍ବରମ୍ ମଧ୍ୟ କେନ୍ଦ୍ର ଉପରେ ବର୍ଷିଛନ୍ତି ।

ନ୍ୟାସନାଲ ହେରାଲ୍ଡ ଦୁର୍ନୀତି ମାମଲାରେ ଦିଲ୍ଲୀରେ ୟଙ୍ଗ ଇଣ୍ଡିଆ ଅଫିସକୁ ଇଡି ସିଲ୍ କରିବା ସହ ରେଡ୍ ବେଳେ ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖାଡଗେ ଉପସ୍ଥିତ ରହିବାକୁ ନୋଟିସ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ପାର୍ଲାମେଣ୍ଟ ଚାଲିଥିବା ବେଳେ କିଭଳି ସମନ୍ କରାଯାଇଛି ବୋଲି ଖାର୍ଗେ ପ୍ରଶ୍ନ କରିଛନ୍ତି । ଏହି ମାମଲାରେ ପୂର୍ବରୁ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ରାହୁଲଙ୍କୁ ଲଗାତାର ଜେରା କରିଥିଲା । ଦିଲ୍ଲୀରେ କଂଗ୍ରେସ ନେତାଙ୍କ ହଙ୍ଗାମା ଆଶଙ୍କାରେ କଂଗ୍ରେସ ହେଡକ୍ୱାର୍ଟର ସହ ସୋନିଆ ଓ ରାହୁଲଙ୍କ ବାସଭବନ ଆଗରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

ଏମ୍ସରେ ଆନ୍ଦୋଳନକୁ ଓହ୍ଲାଇଲେ ଠିକା କର୍ମଚାରୀ

ଭୁବନେଶ୍ୱର: ଭୁବନେଶ୍ୱର ଏମସରେ ଆନ୍ଦୋଳନକୁ ଓହ୍ଲାଇଲେ ଠିକା କର୍ମଚାରୀ । ବିନା କାରଣରେ କର୍ମଚାରୀଙ୍କୁ ଛଟେଇର ପ୍ରତିବାଦ, ମାସରେ ୪ଦିନ ଛୁଟି ଦାବି ଓ ଇପିଏଫ ବାବଦରେ ଟଙ୍କା କାଟ୍‌ ବିରୋଧରେ ଭୁବନେଶ୍ୱର ଏମସରେ କାର୍ଯ୍ୟରତ ଠିକା କର୍ମଚାରୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଛଟେଇ ହୋଇଥିବା କର୍ମଚାରୀଙ୍କୁ ତୁରନ୍ତ ପୁନଃ ନିୟୋଜନ ସହ ସାଲାରି ସ୍ଲିପ ପ୍ରଦାନ ଦାବିରେ ଠିକା କର୍ମଚାରୀ କାର୍ଯ୍ୟବନ୍ଦ କରି ଏମ୍ସ ସାମ୍ନାରେ ଧାରଣାରେ ବସିଛନ୍ତି ।

ଦାବି ପୂରଣ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବାକୁ ଚେତାବନୀ ଦେଇଛନ୍ତି ଠିକା କର୍ମଚାରୀ । ପୂର୍ବରୁ ସୁଲ୍ଲଭ ଇଣ୍ଟର ନ୍ୟାସନାଲ ସଂସ୍ଥା ଅଧୀନରେ ଥିବା ଠିକା କର୍ମଚାରୀ ବର୍ତ୍ତମାନ ଗୋଲଡେନ୍ ହସ୍ପିଟାଲ ସର୍ଭିସ ନାମକ ଏକ ଠିକା ସଂସ୍ଥା ଅଧୀନରେ କାର୍ଯ୍ୟରତ ଅଛନ୍ତି । ହସ୍ପିଟାଲରେ ମାଳି, ଅଟେଣ୍ଡାଣ୍ଟ, ସଫେଇ କର୍ମଚାରୀ ଭଳି ପଦରେ ପ୍ରାୟ ୪ ଶହରୁ ଅଧିକ କର୍ମଚାରୀ ନିୟୋଜିତ ଅଛନ୍ତି । ସେମାନଙ୍କୁ ଠିକା ସଂସ୍ଥା ଶୋଷଣ କରୁଥିବା ଅଭିଯୋଗ ହୋଇଛି ।

ମଙ୍କିପକ୍ସକୁ ମାତ୍‌ ଦେବାକୁ ମାଷ୍ଟରପ୍ଲାନ, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଉଚ୍ଚସ୍ତରୀୟ ବୈଠକ

ନୂଆଦିଲ୍ଲୀ: ମଙ୍କିପକ୍ସ ମୁକାବିଲା ପାଇଁ ପ୍ରସ୍ତୁତ ହେଉଛି ମାଷ୍ଟରପ୍ଲାନ୍ । ରାଜଧାନୀ ଦିଲ୍ଲୀ ଓ କେରଳରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପରେ ସ୍ଥିତି ନେଇ ସମୀକ୍ଷା କରୁଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ । ଉଚ୍ଚସ୍ତରୀୟ ବୈଠକରେ ଏନସିଡିସି ଓ WHOର ସ୍ୱାସ୍ଥ୍ୟ ବିଶେଷଜ୍ଞ ସାମିଲ ହୋଇଛନ୍ତି । ଗତକାଲି ରାଜଧାନୀ ଦିଲ୍ଲୀରୁ ଆଉ ଜଣେ ନୂଆ ଆକ୍ରାନ୍ତ ଚିହ୍ନଟ ପରେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୯ରେ ପହଞ୍ଚିଛି । ଚିହ୍ନଟ ହୋଇଥିବା ୩୧ ବର୍ଷୀୟ ସଂକ୍ରମିତଙ୍କର କୌଣସି ଟ୍ରାଭେଲ୍ ହିଷ୍ଟ୍ରି ନାହିଁ । ଯାହା ଚିନ୍ତା ବଢାଇଛି ।

ସେପଟେ କେରଳରେ ମଧ୍ୟ ସଂକ୍ରମିତ ସଂଖ୍ୟା ବଢ଼ିଛି । ବିଭିନ୍ନ ହସ୍ପିଟାଲରେ ଏଥିପାଇଁ ସ୍ୱତନ୍ତ୍ର ଓ୍ୱାର୍ଡ ବ୍ୟବସ୍ଥା କରାଯାଇଛି । ଭାରତ ସମେତ ଅନ୍ୟ ରାଷ୍ଟ୍ରରେ ବି ମଙ୍କିପକ୍ସ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି ।

ବୁଷ୍ଟର ଡୋଜ୍ ନେବାକୁ ଆଗ୍ରହ ଦେଖାଉ ନାହାନ୍ତି ଲୋକ

ଭୁବନେଶ୍ୱର: ବୁଷ୍ଟର ଡୋଜ ନେବାକୁ ଆଗ୍ରହ ଦେଖାଉ ନାହାନ୍ତି ଲୋକ । ଏନେଇ ଚିନ୍ତା ପ୍ରକାଶ କରିଛି ସ୍ୱାସ୍ଥ୍ୟ ବିଭାଗ। ଏବେ ସୁଦ୍ଧା ରାଜ୍ୟର ୮୭ ପ୍ରତିଶତ ତଥା ୨ କୋଟି ୮୪ ଲକ୍ଷ ଲୋକ ବୁଷ୍ଟର ଡୋଜ ନେଇନାହାନ୍ତି । କେବଳ ୪୨ ଲକ୍ଷ ୭୦ ହଜାର ୪୮୭ ଲୋକେ ବୁଷ୍ଟର ଡୋଜ ନେଇଛନ୍ତି । ଯାହାକି ମାତ୍ର ୧୩ ପ୍ରତିଶତ । ସେହିପରି ରାଜ୍ୟରେ ୨୫ ଲକ୍ଷ ଲୋକ ଦ୍ୱିତୀୟ ଡୋଜ ଟିକା ନେଇନାହାନ୍ତି ।

କଟକ, ଖୋର୍ଦ୍ଧା, ଜଗତସିଂହପୁର, ସୁନ୍ଦରଗଡ଼, ପୁରୀ, ଅନୁଗୁଳ ଭଳି ଜିଲ୍ଲାରେ ପ୍ରଥମ ଡୋଜ ୯୦ ପ୍ରତିଶତରୁ କମ୍ ଟିକାକରଣ ହୋଇଛି । ତେବେ କେନ୍ଦ୍ର ସରକାରଙ୍କ ଦ୍ୱାରା କରଯାଉଥିବା ମାଗଣା ଟିକାକରଣକୁ ଆଉ କମ୍ ଦିନ ବାକି ଥିବାରୁ ସମସ୍ତଙ୍କୁ ତୁରନ୍ତ ବୁଷ୍ଟର ଡୋଜ ନେବା ଲାଗି ଅନୁରୋଧ କରିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ରାଜ୍ୟରେ କୋଭିସିଲଡ୍‌ ଟିକା କମ୍ ରହିଥିବାରୁ କେନ୍ଦ୍ରକୁ ଚିଠି ଲେଖିଛି ସ୍ୱାସ୍ଥ୍ୟ ବିଭାଗ ।

 

ଟ୍ରେନ୍ ଲାଇନକୁ ଡେଇଁ ସାମ୍ବାଦିକଙ୍କ ଆତ୍ମହତ୍ୟା

ଭୁବନେଶ୍ୱର: ଟ୍ରେନ ଲାଇନକୁ ଡେଇଁ ସାମ୍ବାଦିକଙ୍କ ଆତ୍ମହତ୍ୟା । ମୃତକ ହେଲେ ପାର୍ଥ ନାରାୟଣ ଦାସ । ଟ୍ରେନ ଲାଇନରୁ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର କରିଛି ଜିଆରପି ପୋଲିସ । ସେ ଏକ ଘରୋଇ ସାଟେଲାଇଟ ଟିଭି ଚ୍ୟାନେଲରେ କାମ କରୁଥିଲେ । ମୃତଦେହ ନିକଟରୁ ଆଇକାର୍ଡ ଜବତ କରିଛି ପୋଲିସ । ତେବେ ଏବେ ବି ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଥିବାବେଳେ ପରିବାର ଲୋକଙ୍କୁ ଯୋଗାଯୋଗ କରିଛି ପୋଲିସ । ମୃତଦେହକୁ ବ୍ୟବଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଯାଇଛି ।

 

 

ଦାନ୍ତ ହଳଦିଆ ପଡ଼ୁଥିଲେ ଏଥିପାଇଁ ୬ଟି ଘରୋଇ ଉପଚାର

ଦୈନନ୍ଦିନ ଜୀବନରେ ମଣିଷର ଖାଇବା, ପିଇବା ଯେପରି ଜରୁରୀ ଦାନ୍ତ ଘଷିବା ମଧ୍ୟ ନିତ୍ୟକର୍ମରେ ଅନ୍ତର୍ଭୁକ୍ତ ଥାଏ । ଦାନ୍ତକୁ ସଫା ରଖିବାକୁ ସମସ୍ତେ ଚେଷ୍ଟା କରନ୍ତି । ମାତ୍ର, କେତେକ ଲୋକଙ୍କ କ୍ଷେତ୍ରରେ ଦାନ୍ତରେ ହଳଦିଆପଣ ଦେଖାଯାଏ । ଅନେକ ଏହି କାରଣରୁ ଲଜ୍ଜା ମଧ୍ୟ ଅନୁଭବ କରିଥାନ୍ତି । ଦାନ୍ତକୁ ଧଳା କରିବା ପାଇଁ ଲୋକେ ନାମି ଦାମି ପ୍ରଡକ୍ଟର ଟୁଥପେଷ୍ଟ ହେଉ କିମ୍ୱା ଟୁଥ କ୍ଲିନିଙ୍ଗ୍ ଲିକୁଇଡ୍ ମଧ୍ୟ ବ୍ୟବହାର କରୁଛନ୍ତି । ମାତ୍ର, ଆଜି ଆମେ ଆପଣଙ୍କୁ ଏଭଳି ଉପାୟ ବିଷୟରେ କହିବୁ ଯାହା ଖୁବ୍ ଉପକାରୀ ହେବା ସହ ଅଯଥା ଖର୍ଚ୍ଚ ହେବାରୁ ବଞ୍ଚିବ । ଜାଣନ୍ତୁ ଦାନ୍ତକୁ ଚକଚକ୍ କରିବାର ୬ଟି ଘରୋଇ ଉପାୟ ବିଷୟରେ ।

ସଠିକ୍ ଡାଏଟ ପ୍ଲାନ୍ : ଶରୀରକୁ ସୁସ୍ଥ ଏବଂ ସବଳ ରଖିବାକୁ ହେଲେ ଫଳ ଓ ପନିପରିବା ସ୍ୱାସ୍ଥ୍ୟ ପକ୍ଷେ ଖୁବ୍ ଲାଭଦାୟକ । ବିଶେଷ କରି କଞ୍ଚା ଫଳ ଓ ସତେଜ ପନିପରିବା ଖାଇବା ଦ୍ୱାରା ଦାନ୍ତରେ ଥିବା କଳା ଦାଗ ଦୂର ହୁଏ । ଦାନ୍ତକୁ ଧଳା କରିବାକୁ ଚାହୁଁଥିଲେ ଷ୍ଟ୍ରବେରୀ ଓ ନାସପାତି ଭଳି ଫଳ ଖାଇବା ସବୁଠୁ ଭଲ ।

ଧୂମ୍ରପାନଠୁ ଦୂରେଇ ରୁହନ୍ତୁ : ଧୂମ୍ରପାନ କେବଳ କିଡନୀରେ ପ୍ରଭାବ ପାକାଇନଥାଏ । ଏହା ଦାନ୍ତର ରଙ୍ଗ ଉପରେ ମଧ୍ୟ ଅନେକାଂଶରେ ପ୍ରଭାବ ପକାଏ । ଏହା ଦାନ୍ତକୁ ଦୂଷିତ କରିବା ସହ ଦାନ୍ତକୁ ହଳଦିଆ ପକାଇବାରେ ସହାୟ ହୁଏ ।

ଏହି ତରଳ ଖାଦ୍ୟଠୁ ଦୂରେଇ ରହନ୍ତୁ : ଦାନ୍ତକୁ ହଳଦିଆ କରିବାରେ ଅନେକ ତରଳ ଖାଦ୍ୟ ସାହାଯ୍ୟ କରେ । ଯେପରିକି ରେଡ୍ ୱାଇନ୍, କଲର ସୋଡ଼ା ଏବଂ ଅଧିକ ମାତ୍ରାରେ ଚା’ କିମ୍ୱା କଫି ମଧ୍ୟ ଏହାର ପ୍ରମୁଖ କାରଣ ।

ଟୁଥପେଷ୍ଟ : ଆଜିକାଲି ବଜାରରେ ଅନେକ ଅପମିଶ୍ରିତ ଟୁଥପେଷ୍ଟ ଆସୁଛି । ଯାହା ଦାନ୍ତ ପାଇଁ ଖୁବ୍ କ୍ଷତିକାରକ । ଦାନ୍ତକୁ ଚମକ ରଖିବା ଏ ଧଳା ରଖିବା ପାଇଁ ସଠିକ୍ ଟୁଥପେଷ୍ଟ ବାଛନ୍ତୁ । ବେକିଂ ସୋଡ଼ା ଓ ହାଇଡ୍ରୋଜେନ୍ ପେରୋକସାଇଡ୍ ଥିବା ଟୁଥପେଷ୍ଟ ବ୍ୟବହାର କରିବା ଦ୍ୱାରା ପାଟି ଭିତରେ ଥିବା ସମସ୍ତ ଜୀବୀଣୁ ନଷ୍ଟ ହେବା ସହ ଦାନ୍ତଦାଗ ଦୂର ହୋଇଥାଏ ।

ଓରାଲ ହାଇଜିନ୍ : ନିଜ ଦାନ୍ତକୁ ସୁସ୍ଥ ଓ ସବଳ ରଖିବାକୁ ହେଲେ ଦିନରେ ଦୁଇ ଥର ଦାନ୍ତ ଘଷିବା ସହ ଭଲଭାବେ ଜିଭ ଛେଲିବା ଜରୁରୀ । ଏଥିସହ ଦନ୍ତ ଚିକିତ୍ସକଙ୍କୁ ସମୟ ବ୍ୟବଧାନରେ ଯାଞ୍ଚ କରିନେବା ଭଲ । ସୁସ୍ଥ ଦାନ୍ତ ହେଲେ କୌଣସି ପ୍ରକାର ଦନ୍ତରୋଗ ହେବାର ସମ୍ଭାବନା ରହିବ ନାହିଁ ।

ୟୁ ୟୁ ଲଳିତ ହେବେ ଭାରତର ପରବର୍ତ୍ତୀ ପ୍ରଧାନ ବିଚାରପତି !

ନୂଆଦିଲ୍ଲୀ: ଭାରତର ପରବର୍ତ୍ତୀ ପ୍ରଧାନ ବିଚାରପତି ହୋଇପାରନ୍ତି ଜଷ୍ଟିସ୍ ୟୁ ୟୁ ଲଳିତ । ୟୁ ୟୁ ଲଳିତଙ୍କ ନାମକୁ କେନ୍ଦ୍ର ଆଇନ ମନ୍ତ୍ରଣାଳୟକୁ ସୁପାରିଶ କରିଛନ୍ତି ବର୍ତ୍ତମାନର ପ୍ରଧାନ ବିଚାରପତି ଜଷ୍ଟିସ୍ ଏନ ଭି ରମନା । ପରମ୍ପରା ଅନୁସାରେ ଅବସରପ୍ରାପ୍ତ ଚିଫ୍ ଜଷ୍ଟିସ୍ ନୂତନ ଚିଫ୍ ଜଷ୍ଟିସଙ୍କୁ ନାମ ସୁପାରିଶ କରିଥାନ୍ତି । ଚଳିତ ବର୍ଷ ଅଗଷ୍ଟ ୨୬ରେ ଅବସର ନେବେ ପ୍ରଧାନ ବିଚାରପତି ଜଷ୍ଟିସ୍ ଏନ ଭି ରମନା ।

LACରେ ଯୁଦ୍ଧାଭ୍ୟାସ କରିବେ ଭାରତ-ଆମେରିକା

ନୂଆଦିଲ୍ଲୀ: ଚୀନ୍ ତାଇଓ୍ୱାନ ମଧ୍ୟରେ ଜାରି ରହିଛି ଉତ୍ତେଜନା । ଆମେରିକା ରାଷ୍ଟ୍ରପତି ନାନ୍ସି ପେଲୋସିଙ୍କ ତାଇଓ୍ୱାନ ଗସ୍ତ ପରେ ଏହି ବିବାଦ ଉଗ୍ର ରୂପ ନେଇଛି । ଏହି ବିବାଦ ମଧ୍ୟରେ ଚୀନ୍ ସୀମାରେ ଯୁଦ୍ଧାଭ୍ୟାସ କରିବାକୁ ଯାଉଛି ଭାରତ-ଆମେରିକା । ତେବେ ଏହା ଭାରତ-ଆମେରିକାର ମଧ୍ୟରେ ୧୮ତମ ଯୁଦ୍ଧାଭ୍ୟାସ ହେବ । ପ୍ରତିରକ୍ଷା ବିଭାଗର ରିପୋର୍ଟ ଅନୁସାରେ ଅକ୍ଟୋବର ୧୪ରୁ ୩୧ ମଧ୍ୟରେ ଉଭୟ ଦେଶ ମଧ୍ୟରେ ଏହି ସୈନ୍ୟାଭ୍ୟାସ ଅନୁଷ୍ଠିତ ହେବ । ଉଭୟ ଦେଶର ସେନାଙ୍କ ମଧ୍ୟରେ କିପରି ସହଯୋଗ, ଭଲ ସମ୍ପର୍କ ଓ ସନ୍ତୁଳନ ରହିବ ଏହି ଯୁଦ୍ଧାଭ୍ୟାସର ଉଦ୍ଦେଶ୍ୟ ଅଟେ ।

ଗତ କିଛି ବର୍ଷ ଧରି ଉଭୟ ଦେଶର ପ୍ରତିରକ୍ଷା ସମ୍ପର୍କ ମଜବୁତ ହେଉଛି । ୨୦୧୬ରୁ ଆମେରିକା ଭାରତକୁ ମୁଖ୍ୟ ପ୍ରତିରକ୍ଷା ସହଯୋଗୀ ନାମିତ କରିଥିଲା । କିଛି ବର୍ଷ ଧରି ଭାରତ ଆମେରିକାଠୁ ଅନେକ ପ୍ରତିରକ୍ଷା ସାମଗ୍ରୀ କ୍ରୟ କରିଛି । ଏହାସହ ଲେମୋଆ ଚୁକ୍ତି ଅନୁସାରେ ଉଭୟ ପ୍ରତିରକ୍ଷା ମାମଲାରେ ଉଭୟଙ୍କର ସୈନ୍ୟ ଠିକଣାକୁ ବ୍ୟବହାର କରିପାରିବେ । ୨୦୧୮ରେ କମକାସା ଚୁକ୍ତି ମଧ୍ୟ ଉଭୟଙ୍କର ମଧ୍ୟରେ ସ୍ୱାକ୍ଷରିତ ହୋଇଥିଲା ।

 

 

ସାତକୋଶିଆ ଗଣ୍ଡକୁ ମିଳିଲା ’ରାମସାର କ୍ଷେତ୍ର ମାନ୍ୟତା’

ଅନୁଗୁଳ: ଅନୁଗୁଳର ସାତକୋଶିଆକୁ ମିଳିଲା ରାମସାର କ୍ଷେତ୍ର ମାନ୍ୟତା । ସାତକୋଶିଆ ସମେତ ଦେଶର ଆଉ ୧୦ଟି ଆର୍ଦ୍ର ଭୂମିକୁ ରାମସାର କ୍ଷେତ୍ର ମାନ୍ୟତା ମିଳିଛି । ଏହାକୁ ମିଶାଇ ଦେଶରେ ମୋଟ୍‌ ରାମସାର କ୍ଷେତ୍ର ସଂଖ୍ୟା ୬୪ରେ ପହଞ୍ଚିଛି । ଦେଶରେ ମୋଟ୍‌ ୧୨ ଲକ୍ଷ ୫୦ ହଜାର ୩୬୧ ହେକ୍ଟର ଆର୍ଦ୍ରଭୂମି କ୍ଷେତ୍ରକୁ ଏହି ମାନ୍ୟତା ମିଳିଛି । ଚଳିତ ଥର ତାମିଲନାଡ଼ୁର ୬ଟି ଆର୍ଦ୍ରଭୂମିକୁ ରାମସାର ମାନ୍ୟତା ମିଳିଥିବା ବେଳେ ଓଡ଼ିଶା, ଗୋଆ, କର୍ଣ୍ଣାଟକ, ମଧ୍ୟପ୍ରଦେଶର ଗୋଟିଏ ଲେଖାଏଁ କ୍ଷେତ୍ରକୁ ଏହି ମାନ୍ୟତା ପ୍ରଦାନ କରାଯାଇଛି ।

ରାମସାର କ୍ଷେତ୍ର ଘୋଷଣାର ଉଦ୍ଦେଶ୍ୟ ହେଉଛି ବିଶ୍ୱର ଆର୍ଦ୍ରଭୂମିକୁ ସୁରକ୍ଷିତ ରଖିବା । ଅନ୍ତର୍ଜାତୀୟ ସ୍ତରରେ ଏହା ଏକ ବଡ଼ ପଦକ୍ଷେପ ବିଚାର କରାଯାଏ । ଆର୍ଦ୍ରଭୂମିକୁ ଗୁରୁତ୍ୱକୁ ଦୃଷ୍ଟିରେ ରଖି ଏ ମନ୍ୟାତା ୟୁନିସ୍କୋ ଦେଇଥାଏ । ତା’ର ସୁରକ୍ଷା ମଧ୍ୟ ସେହି ଢ଼ଙ୍ଗରେ କରାଯାଇଥାଏ । ଏହା ପୂର୍ବରୁ ଚିଲିକା ଓ ଭିତରକନିକା ଅଞ୍ଚଳକୁ ଏହି ମାନ୍ୟତା ମିଳିସାରିଛି । ୧୯୭୧ ମସିହାରେ ଇରାନରେ ରାମସାର କନଭେନ୍ସନ ସ୍ୱାକ୍ଷରିତ ହୋଇଥିଲା । ଏଥିରେ ଭାରତ ମଧ୍ୟ ଚୁକ୍ତିବଦ୍ଧ ପକ୍ଷ ରହିଛି । ଫେବୃଆରୀ ପହିଲା ୧୯୮୨ରେ ଭାରତ ଏଥିରେ ସ୍ୱାକ୍ଷର କରିଥିଲା ।

ରାୟଗଡ଼ା ଜିଲ୍ଲା ଟିଟିଗୁଡା ଗାଁରେ ଅଭାବନୀୟ ଘଟଣା, ଗୁଣି ସନ୍ଦେହରେ ପିଟିପିଟି ମାରିଦେଲେ ଗ୍ରାମବାସୀ

ରାୟଗଡ଼ା: ଗୁଣି ସନ୍ଦେହରେ ବୀଭତ୍ସ କାଣ୍ଡ । ପିଟିପିଟି ମାରିଦେଲେ ଗ୍ରାମବାସୀ । ଖସି ପଳାଇଲେ ଦୁଇ ପୁଅ । ରାୟଗଡ଼ା ଜିଲ୍ଲା ଡୁଦୁକାବାହାଲ ପଞ୍ଚାୟତ ଟିଟିଗୁଡା ଗାଁରେ ଘଟିଛି ଅଭାବନୀୟ ଘଟଣା । ବିଳମ୍ବିତ ରାତିରେ ଗୋଟିଏ ପରିବାରର ବାପା ଓ ଦୁଇ ପୁଅଙ୍କୁ ଗୁଣି ସନ୍ଦେହରେ ନିସ୍ତୁକ ପିଟିଥିଲେ ଗ୍ରାମବାସୀ । ଦୁଇ ପୁଅ ଘଟଣାସ୍ଥଳରୁ ଖସି ପଳାଇଥିବାବେଳେ ବାପାଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ଟିଟିଗୁଡ଼ା ଗାଁର ଦଇ ମାଝି । ଗତକାଲି ଶୋଇଥିବାବେଳେ ଉଠାଇନେଇ ଗାଁ ଲୋକମାନେ ଘଟାଇଛନ୍ତି ବୀଭତ୍ସକାଣ୍ଡ ।

ଗୁଣି କରୁଥିବା ଅଭିଯୋଗରେ ପ୍ରଥମେ ଦଇଙ୍କୁ ଗାଳିଗୁଲଜ କରିଥିଲେ ଲୋକ । ପରେ ତାଙ୍କ ସହିତ ଦୁଇପୁଅଙ୍କୁ ଗଛରେ ବାନ୍ଧି ନିସ୍ତୁକ ମାଡ଼ ମାରିଥିଲେ । ତତକ୍ଷଣାତ୍ ସୂଚନା ଦେବା ପରେ ବି ପୋଲିସ ଘଟଣାସ୍ଥଳରେ ପହଞ୍ଚିନଥିଲା । ସକାଳେ ଗାଁରେ ପହଞ୍ଚି ମୃତଦେହ ଉଦ୍ଧାର କରି ତଦନ୍ତ କରୁଛି ପୋଲିସ । ଏହି ହତ୍ୟାକାଣ୍ଡ ମାମଲାରେ ଜଣଙ୍କୁ ଅଟକ ରଖିଛି ପୋଲିସ୍ । ତେବେ ମୃତକଙ୍କ ଦୁଇ ପୁଅ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।