ଆଣବିକ ଅସ୍ତ୍ର ପ୍ରୟୋଗ ନ କରିବାକୁ ଋଷକୁ ଚେତାବନୀ ଦେଲେ ବାଇଡେନ

କିଭ୍‌: ୟୁକ୍ରେନ ବିରୋଧରେ କୌଣସି ପ୍ରକାର ଆଣବିକ ଅସ୍ତ୍ର ପ୍ରୟୋଗ ନକରିବାକୁ ଋଷକୁ ଚେତାବନୀ । ଯଦି ଆଣବିକ ଅସ୍ତ୍ର ପ୍ରୟୋଗ କରାଯାଏ, ତେବେ ଏହା ଏକ ଗୁରୁତର ତ୍ରୁଟି ହେବ ବୋଲି ସତର୍କ କରିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ୟୁକ୍ରେନ ଉପରେ ଋଷ କୌଣସି ମୁହୂର୍ତ୍ତରେ ଆଣବିକ ଅସ୍ତ୍ର ପକାଇବ ବୋଲି କଳ୍ପନାଜଳ୍ପନା ଚାଲିଥିବା ବେଳେ ଏହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ବାଇଡେନ ।

ଯଦି ଆଣବିକ ଅସ୍ତ୍ର ପ୍ରୟୋଗ ହେବ, ତେବେ ଏଥିଲାଗି ଋଷକୁ ବହୁମୂଲ୍ୟ ଦେବାକୁ ପଡିବ ବୋଲି କହିଛନ୍ତି ବାଇଡେନ୍ । ଋଷ ବିରୋଧରେ ୟୁକ୍ରେନ ଏକ ଡାର୍ଟି ବମ୍ ବ୍ୟବହାର କରିବା ସମ୍ଭାବନା ରହିଛି ବୋଲି ଗତ ସପ୍ତାହରେ ଆଶଙ୍କା ବ୍ୟକ୍ତ କରିଥିଲା ଋଷ । ଯଦିଓ ଡାର୍ଟି ବମ୍ ଆଟମିକ ବମ୍ ପରି ନୁହେଁ, ତଥାପି ଏହା ତେଜଷ୍କ୍ରିୟ, ଜୈବିକ ଓ ରାସାୟନିକ ବିଷାକ୍ତ ପଦାର୍ଥ ନିର୍ଗତ କରି ଜନଜୀବନ ପ୍ରତି କ୍ଷତି ପହଞ୍ଚାଇଥାଏ । ଦିନକୁ ଦିନ ଋଷ ଶକ୍ତିହୀନ ହେଉଥିବା ବେଳେ ବିଜୟ ଲାଗି କୌଣସି ମୁହୂର୍ତ୍ତରେ ଆଣବିକ ଅସ୍ତ୍ର ବ୍ୟବହାର କରିବାର ଆଶଙ୍କା ଘନୀଭୂତ ହେଉଛି ।

ସେପଟେ ତୁରନ୍ତ ୟୁକ୍ରେନ ଛାଡି ଚାଲିଯିବାକୁ ପୁଣି ଥରେ ଭାରତୀୟ ନାଗରିକଙ୍କୁ ପରାମର୍ଶ ଦିଆଯାଇଛି । ୟୁକ୍ରେନରେ ସ୍ଥିତି କ୍ରମଶଃ ଜଟିଳ ହେଉଥିବାରୁ ବିଭିନ୍ନ ପଡୋଶୀ ଦେଶକୁ ତୁରନ୍ତ ଚାଲିଯିବାକୁ ପରାମର୍ଶ ଦିଆଯାଇଛି । ଗତ ୧୯ ତାରିଖରେ ଜାରି କରାଯାଇଥିବା ଗାଇଡଲାଇନ ଅନୁସାରେ ପାସପୋର୍ଟ ସମେତ ଅନ୍ୟାନ୍ୟ ବୈଧ ନଥିପତ୍ର ଧରି ଚାଲିଯିବାକୁ ପରାମର୍ଶ ଦେଇଛି କିବସ୍ଥିତ ଦୂତାବାସ । ହଙ୍ଗେରୀ, ସ୍ଳୋଭାକିଆ, ମୋଲଡୋଭା, ପୋଲାଣ୍ଡ ଓ ରୋମାନିଆ ସୀମା ଦେଇ ଚାଲିଯିବାକୁ ଭାରତୀୟଙ୍କୁ କୁହାଯାଇଛି ।