spot_img
Home Blog Page 3995

ଆସନ୍ତାକାଲି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ, ଅଗଷ୍ଟ ୭ରେ ନୀତି ଆୟୋଗ ବୈଠକରେ ଯୋଗ ଦେବେ

ଭୁବନେଶ୍ୱର: ଆସନ୍ତାକାଲି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ । ୭ ତାରିଖରେ ବସିବାକୁ ଥିବା ନୀତି ଆୟୋଗ ବୈଠକରେ ଯୋଗଦେବେ ନବୀନ ପଟ୍ଟନାୟକ । ନୀତି ଆୟୋଗ ବୈଠକରେ ମୁଖ୍ୟମନ୍ତ୍ରୀ ଉଠାଇବେ ରାଜ୍ୟ ସ୍ୱାର୍ଥ ସମ୍ବଳିତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ । ବିଶେଷକରି ଓଡ଼ିଶାକୁ ଫୋକସ ଷ୍ଟେଟ ମାନ୍ୟତା ଦାବି ଉଠାଇବେ ନବୀନ । ଏହା ସହିତ କେନ୍ଦ୍ର ବକେୟା ଅର୍ଥ ଦେବାକୁ ଦାବି ଦୋହରାଇବେ ।

ରେଳ, ଟେଲିକମ୍ ଏବଂ ଗ୍ରାମାଞ୍ଚଳରେ ବ୍ୟାଙ୍କିଂ କ୍ଷେତ୍ରକୁ ସୁଦୃଢ଼ କରିବାକୁ ଦାବି ରଖିବେ ମୁଖ୍ୟମନ୍ତ୍ରୀ । ଆସନ୍ତା ୭ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ନୀତି ଆୟୋଗର ସପ୍ତମ ପରିଷଦ ବୈଠକ ବସିବ । ଏହାପୂର୍ବରୁ ଗତ ସପ୍ତାହରେ ନୀତି ଆୟୋଗ ଉପାଧ୍ୟକ୍ଷ ସୁମନ ବେରୀ ଓଡ଼ିଶା ଗସ୍ତରେ ଆସି ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ଆଲୋଚନା କରିଥିଲେ । ଏହି ସମୟରେ ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟକୁ ପ୍ରଶଂସା କରିଥିଲେ ସୁମନ ବେରୀ ।

ନ୍ୟାସନାଲ ହେରାଲ୍ଡ ମାମଲାରେ ଇଡିର ଆକ୍ସନ ପରେ କଂଗ୍ରେସର ପ୍ଲାନ୍‌

ନୂଆଦିଲ୍ଲୀ: ନ୍ୟାସନାଲ ହେରାଲ୍ଡ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର କାର୍ଯ୍ୟାନୁଷ୍ଠାନ ପରେ ବିରୋଧ ପାଇଁ ପ୍ରସ୍ତୁତ ହେଉଛି କଂଗ୍ରେସ । ଗତକାଲି ଦିଲ୍ଲୀରେ ୟଙ୍ଗ ଇଣ୍ଡିଆ ଅଫିସ ସିଲ୍ କରିଛି ଇଡି । ନ୍ୟାସନାଲ ହେରାଲ୍ଡ କାର୍ଯ୍ୟାଳୟରେ ଥିବା ୟଙ୍ଗ ଇଣ୍ଡିଆ ଅଫିସକୁ ସିଲ୍ କରାଯାଇଛି । ରାହୁଲ, ସୋନିଆଙ୍କୁ ଲଗାତାର ଜେରା ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି । କଂଗ୍ରେସର ବିରୋଧ ଆଶଙ୍କାରେ ଅଫିସ୍ ବାହାରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । କଂଗ୍ରେସ ଅଫିସ ରାସ୍ତାକୁ ସାମୟିକ ଭାବେ ସିଲ୍ କରାଯାଇଛି । ସୋନିଆ ଏବଂ ରାହୁଲଙ୍କ ଘର ଆଗରେ ମଧ୍ୟ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ସେପଟେ କଂଗ୍ରେସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରି ସମାଲୋଚନା କରାଯାଇଛି । କଂଗ୍ରେସ ଗାନ୍ଧୀ ବିଚାରଧାରାରେ ଚାଲୁଥିବା ବେଳେ ତାଙ୍କୁ କେହି ବି ଦବେଇ ପାରିବେ ନାହିଁ ବୋଲି ଦଳ ପକ୍ଷରୁ କୁହାଯାଇଛି । ଏହି ପ୍ରସଙ୍ଗରେ କଂଗ୍ରେସ ଆଜି ସଂସଦରେ ମଧ୍ୟ ହଙ୍ଗାମା କରିପାରେ । ଏପଟେ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାସସ୍ଥାନ ଆଗରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ କରାଯିବ । କେନ୍ଦ୍ର ସରକାର ଦଳ ଉପରେ ଯେତେ ଚାପ ପକାଇଲେ ବି ଲୋକଙ୍କ ସମସ୍ୟାକୁ ନେଇ ରାସ୍ତାକୁ ଓହ୍ଲାଇବୁ ବୋଲି କଂଗ୍ରେସ କହିଛି ।

ରାଜ୍ୟରେ ବଦଳିଛି ପାଗ, ଆଜି ସନ୍ଧ୍ୟାରୁ ବିଭିନ୍ନ ସ୍ଥାନରେ ଆରମ୍ଭ ହେବ ବର୍ଷା

ଭୁବନେଶ୍ୱର: ରାଜ୍ୟରେ ବଦଳିଛି ପାଗ । ଉପକୂଳ ଓଡ଼ିଶା ସମେତ ବିଭିନ୍ନ ସ୍ଥାନରେ ପାଗ ମେଘୁଆ ରହିଛି । ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ପାଗରେ ପରବିର୍ତ୍ତନ ଦେଖାଦେଇଛି । ଆଜି ସନ୍ଧ୍ୟାରୁ ରାଜ୍ୟରେ ବର୍ଷା ଆରମ୍ଭ ହେବ । ଦୁର୍ବଳ ଥିବା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଏବେ ଦକ୍ଷିଣ ରାଜ୍ୟର ବିଭିନ୍ନ ସ୍ଥାନରେ ମୁହାଁ ହୋଇଛି । ଆସନ୍ତାକାଲିଠାରୁ ରାଜ୍ୟରେ ବର୍ଷାର ପରିମାଣ ବଢ଼ିବ । ଏଥିପାଇଁ ୧୦ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।

୬ ତାରିଖରେ ୯ ଜିଲ୍ଲାରେ ପ୍ରବଳ ବର୍ଷା, ୭ ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ମାଲକାନଗିରି, କୋରାପୁଟ, ଗଞ୍ଜାମ ଏବଂ ଗଜପତି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଏହି ସବୁ ଜିଲ୍ଲାରେ ୭୦ ରୁ ୨୦୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି । ଏହା ସହ ଦକ୍ଷିଣ ଏବଂ ଉପକୂଳ ଓଡ଼ିଶାର ୧୨ ଜିଲ୍ଲାକୁ ସତର୍କତା ଜାରି କରାଯାଇଛି । ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ ଚିଠି ଲେଖିଛନ୍ତି ଏସଆରସି । ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ସହ ଲୋକଙ୍କୁ ସଚେତନ କରିବାକୁ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଆଜିଠୁ ଖୋଲିବ ମାର୍କେଟ ବିଲ୍ଡିଂ, ବସିବେନି ଉଠା ଦୋକାନୀ

ଭୁବନେଶ୍ୱର: ଆଜିଠୁ ଖୋଲିବ ଭୁବନେଶ୍ୱରର ୟୁନିଟ-୨ ମାର୍କେଟ ବିଲ୍ଡିଂ । ଦୁଇ ବ୍ୟବସାୟୀ ଗୋଷ୍ଠୀଙ୍କ ବିବାଦ ପରେ ୪ଦିନ ଧରି ବନ୍ଦ ରହିଥିଲା ମାର୍କେଟ ବିଲ୍ଡିଂ । ବିଏମସି ଓ ସେଣ୍ଟ୍ରାଲ ମାର୍କେଟ ଆସୋସିଏସନ ସହିତ ଆଲୋଚନା ପରେ ନିଷ୍କର୍ସ ବାହାରିଛି । ଉଠା ଦୋକାନୀଙ୍କୁ ଉଚ୍ଛେଦ ପ୍ରତିଶ୍ରୁତି ପରେ ମାର୍କେଟ ଖୋଲିବାକୁ ନିଷ୍ପତ୍ତି ହୋଇଛି । ଏଥିପାଇଁ ବିଏମସି ପକ୍ଷରୁ ମିଳିଛି ଲିଖିତ ପ୍ରତିଶ୍ରୁତି ।

ସଂଘର ବିଭିନ୍ନ ଦାବିକୁ ମାନିନେଇଛି ବିଏମସି । ପ୍ରତି ସପ୍ତାହରେ ଉଚ୍ଛେଦ କାର୍ଯ୍ୟ କରାଯିବା ସହିତ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବ । ରବିବାର ଦୁଇ ବ୍ୟବସାୟୀ ଗୋଷ୍ଠୀଙ୍କ ମଧ୍ୟରେ ବିବାଦ ପରେ ମାର୍କେଟକୁ ବନ୍ଦ କରିଦିଆଯାଇଥିଲା । ମାର୍କେଟ ବିଲ୍ଡିଂରୁ ଉଠା ଦୋକାନୀଙ୍କୁ ହଟାଇବା ଦାବିରେ ଅଟଳ ରହିଥିଲା ସେଣ୍ଟ୍ରାଲ ମାର୍କେଟ ଆସୋସିଏସନ ।

ଟ୍ରାକକୁ ଫେରିପାରେ ଦେଶର ଅର୍ଥନୀତି, ରେପୋ ରେଟ୍ ବୃଦ୍ଧି କରିବା ନେଇ ହୋଇପାରେ ନିଷ୍ପତ୍ତି

ନୂଆଦିଲ୍ଲୀ: ଦେଶର ଅର୍ଥନୀତିକୁ ଟ୍ରାକକୁ ଆଣିବା ପାଇଁ ବଡ଼ ଘୋଷଣା କରିପାରେ ଆରବିଆଇ । ଭାରତୀୟ ରିଜର୍ଭ ବ୍ୟାଙ୍କର ମୂଲ୍ୟ ନିର୍ଦ୍ଧାରଣ କମିଟିର ବୈଠକ ଆରମ୍ଭ ହୋଇଛି । ଏହି ଦ୍ୱିମାସିକ ସମୀକ୍ଷା ସମୟରେ ରେପୋ ରେଟ୍‌ ବୃଦ୍ଧି କରିବା ନେଇ ନିଷ୍ପତି ହୋଇପାରେ । ୪୦ ବିପିଏସ ରେପୋରେଟ୍ ବୃଦ୍ଧି ହୋଇପାରେ ବୋଲି ଅର୍ଥନୀତି ବିଶେଷଜ୍ଞମାନେ ଆକଳନ କରିଛନ୍ତି । ଏଥିସହ ଦେଶରେ ବଢ଼ି ଚାଲିଥିବା ମୁଦ୍ରାସ୍ପିତି ନିୟନ୍ତ୍ରଣ ପାଇଁ ପଦକ୍ଷେପ ନିଆଯାଇପାରେ । କେନ୍ଦ୍ରୀୟ ବ୍ୟାଙ୍କ ପୂର୍ବରୁ ମୁଦ୍ରାନୀତି ଧିରେ ଧିରେ ସୁଧାର ଆଣିବେ ବୋଲି ଘୋଷଣା କରିଥିଲେ ।

RBI ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ଅଧ୍ୟକ୍ଷତାରେ ଗଠିତ ଏମପିସି ଆସନ୍ତାକାଲି ତାଙ୍କ ନିଷ୍ପତ୍ତି ଘୋଷଣା କରିବେ । ଦେଶରେ ବଢ଼ି ରହିଥିବା ମୂଲ୍ୟବୃଦ୍ଧି ନିୟନ୍ତ୍ରଣ ଲାଗି ଉଭୟ କେନ୍ଦ୍ର ସରକାର ଓ ଆରବିଆଇ ଉଦ୍ୟମ ଜାରି ରଖିଛନ୍ତି । ଏହା ସତ୍ତ୍ୱେ ଚଳିତବର୍ଷ ଜାନୁୟାରୀ ମାସରୁ ମୁଦ୍ରାସ୍ପିତି ହାର ୬ ପ୍ରତିଶତରୁ ଉପରେ ରହିଛି । ଆରବିଆଇ ମୂଦ୍ରାସ୍ପିତିକୁ ୪ ପ୍ରତିଶତରେ ରଖିବା ଲାଗି ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି । ଏଥିରେ ୨ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ଓ ହ୍ରାସ ହୋଇପାରେ ବୋଲି ମଧ୍ୟ ଅନୁମାନ କରାଯାଇଛି । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟ ମୁଦ୍ରାସ୍ପିତିକୁ ତଳକୁ ଆଣିବା ପାଇଁ ସରକାର ଓ ଆରବିଆଇ ଉଦ୍ୟମ ଜାରି ରଖିଥିବା କହିଥିଲେ ।

ଆସିକାର ସର୍ବପୂରାତନ ଚିନି କାରଖାନା ପରିଦର୍ଶନ କଲେ ରାଜ୍ୟ ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁ

ଗଞ୍ଜାମ: ଆସିକାରେ ଥିବା ସର୍ବପୂରାତନ ଚିନି କାରଖାନା ପରିଦର୍ଶନ କଲେ ରାଜ୍ୟ ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁ । ଚିନିଶିଳ୍ପ ବୁଲି ଦେଖିବା ସହ କାରଖାନାର ସଭାଗୃହରେ ଅଧିକାରୀ, ସ୍ଥାନୀୟ ବିଧାୟକ ଓ ବୁଦ୍ଧିଜୀବୀଙ୍କ ସହ ଆଲୋଚନା କରିଛନ୍ତି । କାରଖାନାର ବିକାଶ ଓ ଆଖୁ ଚାଷୀଙ୍କ ଆର୍ଥୀକ ଉନ୍ନତି ଓ ଶ୍ରମିକଙ୍କ ସମସ୍ୟା ନେଇ ଏଥିରେ ଆଲୋଚନା ହୋଇଥିଲା ।

କାରଖାନାରେ ବିଭିନ୍ନ ସମସ୍ୟା ଯୋଗୁଁ ଆଖୁଚାଷରୁ ଚାଷୀ ମୁହଁ ଫେରାଉଛନ୍ତି । ଚାଷୀଙ୍କୁ ପ୍ରୋତ୍ସାହନ ଦେବା ସହ ଚାଷପ୍ରତି କିପରି ପୁଣି ଆକୃଷ୍ଟ କରାଯିବ ସେନେଇ ଏହି ବୈଠକରେ ଆଲୋଚନା ହୋଇଛି । କ୍ଷତିରେ ଚାଲିଥିବା ଏସିଆ ମହାଦେଶର ସର୍ବବୃହତ୍ତମ ଆସିକା ଚିନି ଶିଳ୍ପକୁ ପୂନର୍ବାର ଲାଭଦାୟକ ଶିଳ୍ପରେ ପରିଣତ କରିବା ନେଇ ଗୁରୁତ୍ବ ଦିଆଯାଇଛି । ମନ୍ତ୍ରୀଙ୍କ ଗସ୍ତ ପରେ ଚିନିଶିଳ୍ପର ଭବିଷ୍ୟତ ନେଇ ପୁଣି ଆଶା ବାନ୍ଧିଛନ୍ତି ସ୍ଥାନୀୟ ଲୋକେ ।

କମିଶନରେଟ ପୋଲିସର ACP ଓ IIC ସ୍ତରରେ ବଡ଼ ଧରଣର ପରିବର୍ତ୍ତନ, ବଦଳିଲେ ୩୧ ଅଫିସର

ଭୁବନେଶ୍ୱର: କମିଶନରେଟ ପୋଲିସର ACP ଓ IIC ସ୍ତରରେ ବଡ଼ ଧରଣର ପରିବର୍ତ୍ତନ । ଏକାଥରକେ ବଦଳିଲେ ୩୧ ଅଫିସର। ଶୁଭନାରାୟଣ ମୁଦୁଲି ହେଲେ ଭୁବନେଶ୍ବର ଜୋନ-୫ ଏସିପି। ସିପି ହେଡକ୍ୱାର୍ଟରକୁ ଗଲେ ପରେଶ ଚନ୍ଦ୍ର ରାଉତ। ସେହିଭଳି ACP ଜୋନ-୧ କଟକକୁ ବଦଳି ହେଲେ ଅରୁଣ ସ୍ୱାଇଁ। ଏସିପି ଆୟୁସିଏଡବ୍ଲୁ କଟକ ଗଲେ ଅଭିତାଭ ମହାପାତ୍ର। ସୋସିଆଲ କ୍ରାଇମ ସିପି ହେଡ କ୍ୱାର୍ଟର ଗିରିଜା ଶଙ୍କର ଚକ୍ରବର୍ତ୍ତୀଙ୍କୁ ବଦଳି କରାଯାଇଛି।

ସେହିଭଳି ଭୁବନେଶ୍ବର କ୍ୟାପିଟାଲ ଥାନାର IIC ହୋଇଛନ୍ତି ପଦ୍ମନାଭ ପ୍ରଧାନ । ଖଣ୍ଡଗିରି ଥାନା IIC ହେଲେ ଦୟାନିଧି ନାୟକ । ତୃପ୍ତିରଞ୍ଜନ ନାୟକଙ୍କୁ ବଡ଼ଗଡ଼ ଥାନା IIC ଦାୟିତ୍ବ, ବିଶ୍ୱରଞ୍ଜନ ନାୟକଙ୍କୁ ନନ୍ଦନକାନନ ଥାନା IIC ଦାୟିତ୍ବ ଦିଆଯାଇଥିବା ବେଳେ ସୌମ୍ୟକାନ୍ତ ବଳିଆରସିଂଙ୍କୁ ଜଟଣୀ IIC, ପ୍ରକାଶ ଚନ୍ଦ୍ର ମାଝୀଙ୍କୁ ଚନ୍ଦ୍ରଶେଖରପୁର ଥାନା IIC ଭାବେ ବଦଳି କରାଯାଇଛି । ସେହିଭଳି ରଜନୀକାନ୍ତ ମିଶ୍ରଙ୍କୁ ଖାରବେଳ ନଗର ଥାନା IIC, ବିଜୟ କୁମାର ବାରିକ୍ ଇନଫୋ ଭ୍ୟାଲି ଥାନା IIC, ସୂର୍ଯ୍ୟାଂଶୁ ଶେଖର ପାଢ଼ୀଙ୍କୁ ବାଦାମବାଡ଼ି ଆଇଆଇସି ଭାବେ ନିଯୁକ୍ତ କରାଯାଇଛି ।

ଡାକ୍ତରଙ୍କ ଅବହେଳା ଯୋଗୁ ଆଖି ବୁଜିଲା ଏକମାସର ଶିଶୁପୁତ୍ର

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତର ଖାନାରେ ଡାକ୍ତରଙ୍କ ଚରମ ଅବହେଳା ଅଭିଯୋଗ।ଚିକିତ୍ସା ଅବହେଳାରୁ ଆଖି ବୁଜିଲା ଏକ ମାସର ଶିଶୁ ପୁତ୍ର।ଢେଙ୍କାନାଳ ସଦର ଥାନା ସିମିନଇ ଗାଁରୁ ଶିଶୁପୁତ୍ରକୁ ଚିକିତ୍ସା ପାଇଁ ଆଣିଥିଲେ ତାର ବାପା ମା ଓ ସମ୍ପର୍କୀୟ।ଅବସ୍ଥା ସଙ୍କଟାପନ୍ନ ଥିବାରୁ ଆଡମିସନ ପାଇଁ କାର୍ଯ୍ୟରତ ଡାକ୍ତରଙ୍କୁ କହିଥିଲେ।

ତେବେ ସଠାରେ ଶିଶୁ ଡାକ୍ତରଙ୍କ ଠାରୁ ଲେଖା ଆଣିବାକୁ କହି ଫେରାଇଦେଲେ ଓପିଡିର ଜଣେ କାର୍ଯ୍ୟରତ ଡାକ୍ତର। ଫଳରେ କିଛି ସମୟ ବ୍ୟବଧାନ ଭିତରେ ଚିକିତ୍ସା ନପାଇ ଆଖି ବୁଜିଲା ମାସକର ଶିଶୁପୁତ୍ର। ଟାଉନ ଥାନାରେ ଲିଖିତ ଅଭିଯୋଗ ସହ ସମ୍ପୃକ୍ତ ଡାକ୍ତଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବୀ କଲେ ଶିଶୁପୁତ୍ରର ପିତା ମାତା।

ନୟାପଲ୍ଲୀ ରଞ୍ଜିତା ଆତ୍ମହତ୍ୟା ଘଟଣା, ଏକ ତରଫା ଭଲ ପାଉଥିବା ଯୁବକ ସୋନୁଙ୍କ ଦାୟୀ କଲେ ରଂଜିତାଙ୍କ ମାଆ

ଭୁବନେଶ୍ୱର: ନୟାପଲ୍ଲୀ ରଞ୍ଜିତା ସାହୁ ଆତ୍ମ ହତ୍ୟା ଘଟଣା ।ନୟାପଲ୍ଲୀ ଥାନାରେ ପହଁଚିଲେ ରଞ୍ଜିତାକ ମା । ରଂଜିତାଙ୍କୁ ଏକ ତରଫା ଭଲ ପାଉଥିବା ଯୁବକ ସୋନୁ ହିଁ ରଂଜିତାଙ୍କ ଆତ୍ମହତ୍ୟାର କାରଣ ବୋଲି ସେ ଅଭିଯୋଗ କରିଛନ୍ତି। ଯିଏ ମୋ ଝିଅର ଏଭଳି ଅବସ୍ଥା କରିଛି ତାଙ୍କୁ ଫାସୀ ଦିଆଯାଉ ବୋଲି କହିଛନ୍ତି ରଂଜିତାଙ୍କ ମା ।

ଅନ୍ୟପଟେ ଏକ ତରଫା ପ୍ରେମ କରି ଯୁବକ ଜଣଙ୍କ ବାରମ୍ବାର ରଂଜିତାଙ୍କୁ ହଇରାଣ କରିବା ସହ ବାହାନହେଲେ ବଦନାମ କରିଦେବି ବୋଲି ଧମାକାଉଥିଲେ ବୋଲି ଅଭିଯୋଗ କରିଛନ୍ତି ରଂଜିତାଙ୍କ ଦାଦା ।

ସୂଚନାଯୋଗ୍ୟ, ବୁଧବାର ସନ୍ଧ୍ୟା ସମୟରେ ରାଜଧାନୀର ନୟାପଲ୍ଲୀ ଅଞ୍ଚଳରେ ଇସ୍କନ ମନ୍ଦିର ସମ୍ମୁଖ ଗଳିରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି ଯୁବତୀ। ସୂଚନା ମୁତାବକ ଯୁବତୀ ଜଣକ ଭୁବନେଶ୍ୱରର ଏକ ଘରୋଇ ସଂସ୍ଥାରେ ଚାକିରି କରୁଥିଲେ। ତେବେ ଯୁବତୀ ରହୁଥିବା ଭଡ଼ା ଘରର ମାଲିକ ଏ ନେଇ ଏକ ଚାଞ୍ଚଲ୍ୟକର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ ଯୁବତୀ ଜଣକୁ କିଛି ମାସ ହେଲା ଜଣେ ଯୁବକ ହଇରାଣ କରୁଥିଲେ। ଯୁବତୀଙ୍କୁ ତାଙ୍କ ସହ ବିବାହ କରିବାକୁ କହୁଥିଲେ।

ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷଙ୍କ ସୁନ୍ଦରଗଡ଼ ଗସ୍ତ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର କଲେ ଅନୁଧ୍ୟାନ

ସୁନ୍ଦରଗଡ଼: ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ଅସିତ ତ୍ରିପାଠୀ ଦୁଇ ଦିନିଆ ସୁନ୍ଦରଗଡ଼ ଜିଲ୍ଲା ଗସ୍ତରେ ଆସି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର କ୍ଷେତ୍ରସ୍ତରୀୟ ଅନୁଧ୍ୟାନ କରିଛନ୍ତି। ବୁଧବାର ଦିନ ସେ ବଣାଇଁ ଏବଂ ଲହୁଣୀପଡ଼ା ବ୍ଲକ ଗସ୍ତ କରି ସ୍ୱାସ୍ଥ୍ୟ, ଶିକ୍ଷା, ଜୀବିକା, ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅଧୀନରେ ଚାଲିଥିବା ବିଭିନ୍ନ ପ୍ରକଳ୍ପ ବୁଲି ଦେଖିଛନ୍ତି।

ବଣାଇଁ ବ୍ଲକର ଝିର୍ଡପାଲ୍ଲୀଠାରେ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଭାରିଯାନ ଚାଳନା ତାଲିମ ପ୍ରତିଷ୍ଠାନ ନିର୍ମାଣ କରାଯାଉଛି। ଶ୍ରୀ ତ୍ରିପାଠୀ ଏହି ପ୍ରକଳ୍ପସ୍ଥଳ ପରିଦର୍ଶନ କରି ଗାଡ଼ି ଚାଳକଙ୍କୁ ତାଲିମ ଦେବା ପାଇଁ ଏହି କେନ୍ଦ୍ରରେ କ’ଣସବୁ ବ୍ୟବସ୍ଥା କରାଯାଉଛି ତାହା ଅନୁଧ୍ୟାନ କରିଥିଲେ। ତା’ଛଡ଼ା ଏହି ପ୍ରକଳ୍ପ କାମ ନିର୍ଦ୍ଧାରିତ ସମୟ ଭିତରେ ଶେଷ କରିବା ଲାଗି ଅଧିକାରୀମାନଙ୍କୁ ସେ ନିର୍ଦ୍ଦେଶ ଦେଇଥିଲେ।

ସୁନ୍ଦରଗଡ଼ ଜିଲ୍ଲାର ଶିକ୍ଷିତ ଯୁବକ ଯୁବତୀମାନଙ୍କୁ ନିଯୁକ୍ତି ଉପଯୋଗୀ କୋଚିଂ ଦେବା ପାଇଁ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅଧୀନରେ ପ୍ରଶାସନ ପକ୍ଷରୁ ‘ସୁଦକ୍ଷ’ କେନ୍ଦ୍ର କରାଯାଇଛି। ଶ୍ରୀ ତ୍ରିପାଠୀ ବଣାଇଁସ୍ଥିତ ସୁଦକ୍ଷ କେନ୍ଦ୍ର ପରିଦର୍ଶନ କରି ତାଲିମ ବିଷୟରେ ଛାତ୍ରଛାତ୍ରୀ ଏବଂ ପ୍ରଶିକ୍ଷକମାନଙ୍କ ସହ କଥା ହୋଇଥିଲେ। ନିଯୁକ୍ତି କ୍ଷେତ୍ରରେ ଏହି କାର୍ଯ୍ୟକ୍ରମ ବିଶେଷ ସହାୟକ ହୋଇପାରୁଥିବାରୁ ଶ୍ରୀ ତ୍ରିପାଠୀ ସନ୍ତୋଷ ପ୍ରକାଶ କରିଥିଲେ। ଏହାପରେ ସେ ଦିନ ଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନା ଅଧୀନରେ ପରିଚାଳିତ ତାଲିମ କେନ୍ଦ୍ର ପରିଦର୍ଶନ କରିଥିଲେ। ସ୍ଥାନୀୟ ଯୁବକ ଯୁବତୀମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଏହି କେନ୍ଦ୍ରରେ ଦିଆଯାଉଥିବା ତାଲିମ ବିଷୟରେ ପଚାରି ବୁଝିଥିଲେ।

ଏଥିସହ ଶ୍ରୀ ତ୍ରିପାଠୀ ବଣାଇଁଠାରେ ଚାଲିଥିବା ଅଷ୍ଟ୍ରୋ ଟର୍ଫ ପଡ଼ିଆର ନିର୍ମାଣ କାର୍ଯ୍ୟ ଦେଖିଥିଲେ। ସ୍ଥାନୀୟ ଅଞ୍ଚଳର ଖେଳାଳିମାନଙ୍କ ସୁବିଧା ପାଇଁ ଏଠାରେ କରାଯାଉଥିବା ବିଭିନ୍ନ ବ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ। ଏହାପରେ ଶ୍ରୀ ତ୍ରିପାଠୀ ‘୫ଟି’ ଅଧୀନରେ ରୂପାନ୍ତରିତ ସରକାରୀ ହାଇସ୍କୁଲ ପରିଦର୍ଶନରେ ଯାଇ ସ୍ମାର୍ଟ କ୍ଲାସରୁମ, ଆଧୁନିକ ବିଜ୍ଞାନାଗର, ଲାଇବ୍ରେରି ଆଦି ବୁଲି ଦେଖିଥିଲେ। ସୁନ୍ଦରଗଡ଼ ଜିଲ୍ଲାର ୫ଟି ବ୍ଲକରେ ବ୍ୟାପକ ଟସର ଚାଷ କରାଯାଉଛି। ତେଣୁ ଟସର ଖୋସାରୁ ସୂତା ବାହାର କରି ସେଥିରୁ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରିବା ପାଇଁ ଲହୁଣୀପଡ଼ା ବ୍ଲକର ଖୁଣ୍ଟଗାଁଠାରେ ଅତ୍ୟାଧୁନିକ ଟସର ସିଲକ ପାର୍କ ନିର୍ମାଣ କରାଯାଉଛି। ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଶ୍ରୀ ତ୍ରିପାଠୀ ଏହି ପ୍ରକଳ୍ପସ୍ଥଳ ପରିଦର୍ଶନ କରିଥିଲେ। ଏଥିସହ ଲଲହୁଣୀପଡ଼ା ବ୍ଲକର ଲଲେଇଠାରେ ଥିବା ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟକୁ ଶ୍ରୀ ତ୍ରିପାଠି ବୁଲି ଦେଖିଥିଲେ।

ସୁନ୍ଦରଗଡ଼ ଜିଲ୍ଲାରେ ସୁରକ୍ଷିତ ମାତୃତ୍ୱକୁ ସୁନିଶ୍ଚିତ କରିବା ପାଇଁ ବିଭିନ୍ନ ଦୁର୍ଗମ ଅଞ୍ଚଳରେ ମା’ଗୃହ କରାଯାଉଛି। ବର୍ତ୍ତମାନ ଜିଲ୍ଲାରେ ୨୦ଟି ମା’ଗୃହ କାର୍ଯ୍ୟକ୍ଷମ ରହିଛି। ଶ୍ରୀ ତ୍ରିପାଠୀ ଲହୁଣୀପଡ଼ା ବ୍ଲକର ପୋଇଗାଁସ୍ଥିତ ମା’ଗୃହ ପରିଦର୍ଶନ କରି ଗର୍ଭବତୀ ଓ ପ୍ରସୂତି ମା’ମାନଙ୍କୁ ମିଳୁଥିବା ବିଭିନ୍ନ ସେବା ବିଷୟରେ ସିଧାସଳଖ ସେମାନଙ୍କୁ ପଚାରି ବୁଝିଥିଲେ।

ଏହି ଗସ୍ତ ବେଳେ ବଣାଇଁ ବିଧାୟକ ଲକ୍ଷ୍ମଣ ମୁଣ୍ଡା, ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ସିଇଓ ଡକ୍ଟର ଅଜିତ କୁମାର ମିଶ୍ର, ସୁନ୍ଦରଗଡ଼ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଭୈରବ ସିଂ ପଟେଲ, ବଣାଇଁ ଡିଏଫଓ ସନତ କୁମାର ଏନ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସରୋଜ କୁମାର ମିଶ୍ର, ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ବୈଷୟିକ ପରାମର୍ଶଦାତା ସୁନିଲ ନାୟକ, ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ ବିଭାଗର ଉପନିର୍ଦ୍ଦେଶକ ଡକ୍ଟର ବିଜ୍ଞାନାନନ୍ଦମହାନ୍ତି ଏବଂ ସହକାରୀ ନିର୍ଦ୍ଦେଶକ ପ୍ରଦୀପ କୁମାର ତିର୍କୀ, ବଣାଇଁ ଉପଜିଲ୍ଲାପାଳ ସୁରଞ୍ଜନ ସାହୁ, ବଣାଇଁ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ଲଲାଟ କୁମାର ଲୁହା, ଲହୁଣୀପଡ଼ା ଜିଲ୍ଲାପରିଷଦ ସଭ୍ୟ କମଲ ଲାକ୍ରା, ବଣାଇଁ ବିଡିଓ ସ୍ୱଦୀପ କୁମାର ଟପ୍ପୋ, ଲହୁଣୀପଡ଼ା ବିଡିଓ ଧନାଇ ଚରଣ ଟୁଡୁଙ୍କ ସହିତ ଡିଏମଏଫ ଏବଂ ଓମ୍ବାଡସିର ଅଧିକାରୀମାନେ ଉପସ୍ଥିତ ଥିଲେ।