ଏଣିକି ବ୍ରିଟେନରେ ଭାରତୀୟଙ୍କ ରାଜ୍‌, ଗୃହ ସମ୍ଭାଳିବେ ସୁଏଲା

ଲଣ୍ଡନ: ବ୍ରିଟେନରେ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ହେଲେ ଭାରତୀୟ ବଂଶୋଦ୍ଭବ । ପ୍ରଧାନମନ୍ତ୍ରୀ ହେବା ପରେ ଋଷି ସୁନକ ନିଜର ମନ୍ତ୍ରିମଣ୍ଡଳ ଗଠନ କରିଛନ୍ତି । ଲିଜ୍ ଟ୍ରସ ପ୍ରଧାନମନ୍ତ୍ରୀ ଥିବା ବେଳେ ଯେଉଁ ମନ୍ତ୍ରୀ ଥିଲେ ସେମାନଙ୍କୁ ଇସ୍ତଫା ଦେବାକୁ କୁହାଯାଇଛି ।

ସବୁଠୁ ବଡ଼ କଥା ହେଲା ଗତ ସପ୍ତାହରେ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଥିବା ସୁଏଲା ବ୍ରେଭରମେନଙ୍କୁ ପୁଣି ଥରେ ଗୃହ ମନ୍ତ୍ରୀ ନିଯୁକ୍ତ କରିଛନ୍ତି ଋଷି ସୁନକ  । ସୁଏଲା ମଧ୍ୟ ଜଣେ ଭାରତୀୟ ବଂଶୋଦ୍ଭବ  । ଜେମ୍ସ କ୍ଲେଭରଲୀଙ୍କୁ ବୈଦେଶିକ ମନ୍ତ୍ରୀ, ବେନ୍ ଓ୍ବାଲେସ ପ୍ରତିରକ୍ଷା ମନ୍ତ୍ରୀ ଏବଂ ଗ୍ରାଣ୍ଟ ସାପସଙ୍କୁ ବାଣିଜ୍ୟ ମନ୍ତ୍ରୀ ଭାବେ ନିଯୁକ୍ତି ଦିଆଯାଇଛି  ।

ବ୍ରିଟେନର ପ୍ରଧାନମନ୍ତ୍ରୀ ପଦ ସମ୍ଭାଳିବା ଲାଗି ବିଧିବଦ୍ଧ ପ୍ରକ୍ରିୟା ଶେଷ କରିଛନ୍ତି ଋଷି ସୁନକ । କିଙ୍ଗ ଚାର୍ଲ୍ସ ଥ୍ରୀଙ୍କୁ ଭେଟି ଆଣିଛନ୍ତି ଆପଏଣ୍ଟମେଣ୍ଟ ଲେଟର । ୪୨ ବର୍ଷ ବୟସରେ ବ୍ରିଟେନର ଭାଗ୍ୟ ବଦଳାଇବାକୁ ଶପଥ ନେଇଛନ୍ତି ଋଷି ସୁନକ । ବ୍ରିଟେନର ଜନଜୀବନ ସୁରକ୍ଷିତ ରଖିବା ସହ ସେମାନଙ୍କ ବ୍ୟବସାୟକୁ ସୁରକ୍ଷିତ ରଖିବା ବଡ଼ ଚ୍ୟାଲେଞ୍ଜ ରହିବ ।

ବ୍ରିଟେନରେ ଥିବା ସବୁ ସମସ୍ୟା ଦୂର କରିବା ପାଇଁ ଚେଷ୍ଟା କରିବି ବୋଲି କହିଛନ୍ତି ଋଷି ସୁନକ । ଦେଶରେ ଜାରି ରହିଥିବା ଆର୍ଥିକ ସଙ୍କଟ ଦୂର କରିବା ଉପରେ ଗୁରୁତ୍ବ ଦେବେ ।