ଆଜି ପଦଭାର ସମ୍ଭାଳିବେ କଂଗ୍ରେସର ନବନିର୍ବାଚିତ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ

ନୂଆଦିଲ୍ଲୀ: କଂଗ୍ରେସର ନବନିର୍ବାଚିତ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଆଜି ଦାୟିତ୍ବ ନେବେ । ଆଜି ସକାଳେ ରାଜଘାଟ ଯାଇ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବେ ଖଡଗେ  । ଏହାପରେ ପୂର୍ବତନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବହାରଲାଲ ନେହେରୁ, ଇନ୍ଦିରା ଗାନ୍ଧୀ, ଲାଲ ବାହାଦୂର ଶାସ୍ତ୍ରୀ ଓ ରାଜୀବ ଗାନ୍ଧୀଙ୍କ ସ୍ମୃତିସ୍ଥଳ ବି ପରିଦର୍ଶନ କରିବେ  । ପଦଭାର ସମ୍ଭାଳିବା ପୂର୍ବରୁ କଂଗ୍ରେସ ମୁଖ୍ୟ ଅଫିସରେ ସମସ୍ତ ପ୍ରସ୍ତୁତି ଏବେ ଚୁଡାନ୍ତ ପର୍ଯ୍ୟାୟରେ  । ସୁରକ୍ଷାକର୍ମୀ ଓ ବରିଷ୍ଠ କାର୍ଯ୍ୟକର୍ତ୍ତା ପାର୍ଟି ଅଫିସ ଯାଇ ପ୍ରସ୍ତୁତି ସମୀକ୍ଷା କରିଛନ୍ତି  । କଂଗ୍ରେସର କେନ୍ଦ୍ରୀୟ ନିର୍ବାଚନ ପ୍ରାଧିକରଣ ମୁଖ୍ୟ ମଧୂସୁଦନ ମିସ୍ତ୍ରୀ ବୁଧବାର ଖଡଗେଙ୍କୁ ଔପଚାରିକ ଭାବେ ନିର୍ବାଚନ ପ୍ରମାଣପତ୍ର ଦେବେ  ।

କର୍ଣ୍ଣାଟକର ଦଳିତ ସମୁଦାୟରୁ ଆସିଥିବା ୮୦ ବର୍ଷୀୟ ଖଡଗେ ଅକ୍ଟୋବର ୧୭ରେ ପାର୍ଟିର ଅନୁଷ୍ଠିତ ଐତିହାସିକ ନିର୍ବାଚନରେ ନିଜର ପ୍ରତିଦ୍ଵନ୍ଦ୍ଵୀ ଶଶି ଥରୁରଙ୍କୁ ହରାଇଥିଲେ । ପାର୍ଟିର ୧୩୭ ବର୍ଷର ଇତିହାସରେ ଷଷ୍ଠ ଥର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହୋଇଥିଲା । ୨୪ ବର୍ଷରେ ପ୍ରଥମ ଥର ଅଣ ଗାନ୍ଧୀ ପରିବାରର ସଦସ୍ୟ କଂଗ୍ରେସର ଅଧ୍ୟକ୍ଷ ହୋଇ ପାରିଛନ୍ତି ।

ନୂଆ ଦାୟିତ୍ବ ଖଡଗେଙ୍କ ପାଇଁ ନିଶ୍ଚିତ ରୂପେ ନୂଆ ଚ୍ୟାଲେଞ୍ଜ ନେଇ ଆସିବ  । ଗୋଟିଏ ପଟେ ରାଜସ୍ଥାନର ଶାସନ ଗାଦି ତ କିଛି ସପ୍ତାହ ମଧ୍ୟରେ ଗୁଜୁରାଟ ଓ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ଖଡଗେଙ୍କ ପାଇଁ ନୂଆ ଚ୍ୟାଲେଞ୍ଜ ହୋଇପାରେ  । ସେହିପରି ୨୦୨୪ ଲୋକସଭା ନିର୍ବାଚନ ତାଙ୍କ ପାଇଁ ବଡ ଅଗ୍ନିପରୀକ୍ଷା ସାଜିବ  । ପଦ ଭାର ଗ୍ରହଣ କରିବା ପୂର୍ବରୁ ମଙ୍ଗଳବାର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି ମଲ୍ଲିକାର୍ଜୁନ ଖଡଗେ  ।