spot_img
Home Blog Page 3976

ଋଷ-ୟୁକ୍ରେନ ଯୁଦ୍ଧରେ ପ୍ରାଣ ହରାଇଲେଣି ୮୦ ହଜାର ଋଷ ସୈନିକ: ପେଣ୍ଟାଗନ

ଓ୍ୱାଶିଂଟନ: ଯୁଦ୍ଧକୁ ୧୬୮ ଦିନ ପୂରିଥିବା ବେଳେ ଭୟଙ୍କର କ୍ଷତିର ସମ୍ମୁଖୀନ ହେଲାଣି ଋଷ । ଯୁଦ୍ଧ ଆରମ୍ଭରୁ କେବଳ ଋଷର ପ୍ରାୟ ୮୦ ହଜାର ସୈନିକ ପ୍ରାଣ ହରାଇ ସାରିଛନ୍ତି । ଏନେଇ ରିପୋର୍ଟ ପ୍ରକାଶ କରିଛି ପେଣ୍ଟାଗନ । ଗତ ଫେବ୍ରୁଆରୀ ୨୪ରୁ ଋଷ-ୟୁକ୍ରେନ ଯୁଦ୍ଧ ଆରମ୍ଭ ହୋଇଥିବାବେଳେ ଏବେ ବି ନିର୍ଣ୍ଣାୟକ ସ୍ଥିତିରେ ପହଞ୍ଚିପାରିନି ଯୁଦ୍ଧ । ସୈନ୍ୟମାନଙ୍କ ନିକଟକୁ ବିଭିନ୍ନ ସାମଗ୍ରୀ ପହଞ୍ଚିପାରୁ ନଥିବା ବେଳେ, ଦିନକୁ ଦିନ ଅଧିକ କ୍ଷତିର ସମ୍ମୁଖୀନ ହେବାରେ ଲାଗିଛି ଋଷ ବାହିନୀ । ପ୍ରତିଦିନ ୨୦୦ରୁ ଅଧିକ ସୈନ୍ୟ ପ୍ରାଣ ହରାଉଛନ୍ତି ବୋଲି ସୂଚନା ଦେଇଛନ୍ତି ୟୁକ୍ରେନର ଜଣେ ବରିଷ୍ଠ ସାମରିକ ଅଧିକାରୀ ।

ସେପଟେ ନାଟୋରେ ଫିନଲ୍ୟାଣ୍ଡ ଓ ସ୍ୱିଡେନର ମିଶିବା ପ୍ରସ୍ତାବ ସଂକ୍ରାନ୍ତ ଘୋଷଣାନାମାରେ ସ୍ୱାକ୍ଷର କରିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ଫଳରେ ଋଷର ତୀବ୍ର ବିରୋଧ ସତ୍ତ୍ୱେ ଏହି ଦୁଇ ରାଷ୍ଟ୍ର ନାଟୋରେ ମିଶିବା ପ୍ରାୟ ନିଶ୍ଚିତ ହୋଇଛି । କିଛିଦିନ ତଳେ ସିନେଟରେ ଏହି ପ୍ରସ୍ତାବ ଗୃହୀତ ହୋଇଥିଲା । ଏହି ଦୁଇ ରାଷ୍ଟ୍ରର ଶକ୍ତିଶାଳୀ ଗଣତାନ୍ତ୍ରିକ ବ୍ୟବସ୍ଥା ଓ ସାମରିକ ଶକ୍ତିକୁ ପ୍ରଶଂସା କରିଛନ୍ତି ବାଇଡେନ । ଏହି ଦୁଇ ରାଷ୍ଟ୍ରଙ୍କୁ ନାଟୋରେ ସାମିଲ କରାଗଲେ ସଂଲଗ୍ନ ସୀମାରେ ଆଣବିକ ଅସ୍ତ୍ର ମୁତୟନ କରିବାକୁ ପୂର୍ବରୁ ଧମକ ଦେଇଥିଲେ ଋଷ ରାଷ୍ଟ୍ରପତି ଭ୍ଳାଦିମିର ପୁଟିନ ।

ସେହିପରି ୟୁକ୍ରେନ ବାହିନୀ ନିକଟକୁ ପର୍ଯ୍ୟାପ୍ତ ଆମେରିକୀୟ ଅସ୍ତ୍ରଶସ୍ତ୍ର ଆସୁଥିବାରୁ ଋଷବାହିନୀ ଲାଗି ସମସ୍ୟା ବଢ଼ିବାରେ ଲାଗିଛି । ଖୁବ୍ ଶୀଘ୍ର ୟୁକ୍ରେନକୁ ଆମେରିକାର ୧୮ତମ ଅସ୍ତ୍ରଶସ୍ତ୍ର ବୋଝେଇ ଜାହାଜ ଆସୁଥିବା ସୂଚନା ମିଳିଛି । ୟୁକ୍ରେନ ଲାଗି ବାଇଡେନ ପ୍ରଶାସନ ପକ୍ଷରୁ ଘୋଷିତ ବର୍ତ୍ତମାନର ପ୍ୟାକେଜରେ ରହିଛି ୧୦୦ ବିଲିୟନ ଡଲାରର ରକେଟ ସିଷ୍ଟମ, ମୋର୍ଟାର ସିଷ୍ଟମ, ନାସାମସ୍ କ୍ଷେପଣାସ୍ତ୍ର ଓ ଗୋଳାବାରୁଦ ଇତ୍ୟାଦି । ଖାରକିଭର ଏକ ତାପଜ ବିଦ୍ୟୁତ କେନ୍ଦ୍ରକୁ ମଧ୍ୟ ଧ୍ୱଂସ କରିଛନ୍ତି ଋଷ ବାହିନୀ । ଏହାସହ ଓବଲାସ୍ତରେ ଥିବା ପଣ୍ୟାଗାରକୁ ମଧ୍ୟ ଉଡାଇ ଦେଇଛି ଋଷ । ସୁମି ସହର ଉପରେ ଘନ ଘନ କ୍ରୁଜ କ୍ଷେପଣାସ୍ତ୍ର ମାଡ଼ କରାଯାଉଥିବା ସୂଚନା ମିଳିଛି । ତେଣେ ୟୁକ୍ରେନରେ କ୍ଷୁଧାର ମୁକାବିଲା କରିବା ଲାଗି ବିଶ୍ୱବ୍ୟାଙ୍କ ୪.୫ ବିଲିୟନ ଡଲାରର ସହାୟତା ଘୋଷଣା କରିଛି । ହଜାର ହଜାର ଲୋକ ବର୍ତ୍ତମାନ ଖାଦ୍ୟାଭାବରେ ସଢ଼ୁଥିବାବେଳେ ବିଶ୍ୱବ୍ୟାଙ୍କ ସହାୟତା ଲାଗି ଉଦ୍ୟମ ଆରମ୍ଭ କରିଛି ।

ସରକାରଙ୍କ ଗାଇଡଲାଇନରେ ପାଳିତ ହେବ ସ୍ୱାଧୀନତା ଦିବସ, ସାମିଲ ହେବେ ଛାତ୍ରଛାତ୍ରୀ

ଭୁବନେଶ୍ୱର: ସ୍ୱାଧୀନତା ଦିବସରେ ସାମିଲ ହେବେ ଛାତ୍ରଛାତ୍ରୀ । ସରକାରଙ୍କ ଗାଇଡଲାଇନ୍ ଅନୁସାରେ ବିଦ୍ୟାଳୟରେ ଅନୁଷ୍ଠିତ ସ୍ୱାଧୀନତା ଦିବସରେ ଭାଗ ନେଇପାରିବେ ଛାତ୍ରଛାତ୍ରୀ । ଏନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ସ୍ୱାଧୀନତା ଦିବସ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁସାରେ ପାଳିତ ହେବ । ସମଗ୍ର ଶିକ୍ଷାନୁଷ୍ଠାନରେ ପାଳିତ ହେବାକୁ ଥିବା ସ୍ୱାଧୀନତା ଦିବସରେ ସ୍କୁଲ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିପାରିବେ । ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ ସ୍ୱାଧୀନତା ଦିବସ ପରି ଏକ ଜାତୀୟ ଉତ୍ସବରେ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିପାରିବେ ବୋଲି କହିଛନ୍ତି ସମୀର ରଞ୍ଜନ ଦାଶ ।

ଭୁବନେଶ୍ୱରରେ ଦୂର ହେବ ଟ୍ରାଫିକ୍ ସମସ୍ୟା, ସ୍ଥିତି ଅନୁଧ୍ୟାନ କଲେ 5T ସଚିବ

ଭୁବନେଶ୍ୱର: ରାଜଧାନୀରେ ଦୂର ହେବ ଟ୍ରାଫିକ୍ ସମସ୍ୟା । ବିଭିନ୍ନ ଟ୍ରାଫିକ୍ ଅଞ୍ଚଳ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି 5T ସଚିବ ଭି.କେ ପାଣ୍ଡିଆନ୍ । ଟ୍ରାଫିକ୍ ବ୍ୟବସ୍ଥାରେ ସୁଧାର ନେଇ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଟ୍ରାଫିକ୍ ସମସ୍ୟାର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ଭୁବନେଶ୍ୱରରେ ଲୋକସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି । ଗାଡ଼ି ମୋଟର ସଂଖ୍ୟା ମଧ୍ୟ ଦିନକୁ ଦିନ ବୃଦ୍ଧି ଘଟୁଛି । ଯେଉଁଥିପାଇଁ ସହରରେ ଟ୍ରାଫିକ୍ ସମସ୍ୟା ଉପୁଜୁଛି । ଭୁବନେଶ୍ୱରରେ ଟ୍ରାଫିକ ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ 5T ସଚିବ ଶିଶୁଭବନ ଛକ, ରବି ଟକିଜ, କଳ୍ପନା ଛକ, ବେହେରା ସାହି ଛକ, ରସୁଲଗଡ଼ ଛକ ଓ ଆଇଗିଣିଆ ଛକ ଆଦି ବୁଲି ଦେଖିବା ସହ ସ୍ଥିତି ଅନୁଧ୍ୟାନ କରିଥିଲେ । ପ୍ରଶାସନ ଓ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଟ୍ରାଫିକ ବ୍ୟବସ୍ଥାରେ ଉନ୍ନତି ସମ୍ପର୍କରେ ଆଲୋଚନା କରିଥିଲେ । ପୋଲିସ କମିଶନର, ପୂର୍ତ୍ତ ସଚିବ ଓ ବିଏମସି କମିଶନର ପ୍ରମୁଖ ସାମିଲ ହୋଇଥିଲେ ।

ଗଞ୍ଜେଇ ଚେକିଂ ବେଳେ ଧରାପଡ଼ିଲା ସୁନା ଚୋରା କାରବାର; ୨୦ ସୁନା ବିସ୍କୁଟ, ୧ କୋଟି ୨୨ ଲକ୍ଷ ଟଙ୍କା ଜବତ

ବ୍ରହ୍ମପୁର: ଗଞ୍ଜେଇ ଚେକିଂ ବେଳେ ଧରାପଡ଼ିଲା ସୁନା ଚୋରା କାରବାର । ୨୦ଟି ସୁନା ବିସ୍କୁଟ, ୧ କୋଟି ୨୨ ଲକ୍ଷ ଟଙ୍କା ଜବତ କଲା ଅବକାରୀ ବିଭାଗ । ବ୍ରହ୍ମପୁର ଲାଞ୍ଜିପଲ୍ଲୀ ବାଇପାସ ନିକଟରେ ଗଞ୍ଜେଇ ଯାଞ୍ଚ ବେଳେ ଅବକାରୀ ବିଭାଗ ଏକ କାରରୁ ପରିବା ବ୍ୟାଗରେ ଥିବା ନଗଦ ୧ କୋଟି ୨୨ ଲକ୍ଷ ଟଙ୍କା ଜବତ କରିଛି । ଜବତ ଟଙ୍କା ସହ ଅଟକ ବ୍ୟକ୍ତିଙ୍କୁ ପୋଲିସକୁ ହସ୍ତାନ୍ତର କରାଯାଇଛି । ଅଟକ ବ୍ୟକ୍ତି ମହାରାଷ୍ଟ୍ରର ଭରତ ଗୋଖେ ନାୟକ ବୋଲି ସୂଚନା ମିଳିଛି ।

ଉକ୍ତ ବ୍ୟକ୍ତିକୁ ପୋଲିସ ଜେରା ବେଳେ କିଛି ସୁନା ବ୍ୟବସାୟୀଙ୍କୁ ସୁନା ବିସ୍କୁଟ ବିକ୍ରି କରି ଟଙ୍କା ନେଇ ଯାଉଥିବା ପ୍ରକାଶ କରିଥିଲା । ଭରତର କହିବା ଅନୁସାରେ ସ୍ଥାନୀୟ ସୁନା ବ୍ୟବସାୟୀଙ୍କଠାରୁ ୨୦ଟି ସୁନା ବିସ୍କୁଟ ଜବତ ହୋଇଛି । ଘଟଣାକୁ ନେଇ ପୋଲିସ ଆୟକର ଓ GST ବିଭାଗର ଯୋଗାଯୋଗରେ ଅଛନ୍ତି । ସହରର କିଛି ସୁନା ବ୍ୟବସାୟୀଙ୍କୁ ପୋଲିସ ପଚରା ଉଚରା ଜାରି ରଖଛି ।

ପୂଜାପଣ୍ଡା ଓ ବଡ଼ୁ ନିଯୋଗ ମଧ୍ୟରେ ବିବାଦ, ବନ୍ଦ ହେଲା ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି

ଭୁବନେଶ୍ୱର: ବନ୍ଦ ହେଲା ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ନୀତିକାନ୍ତି । ପୁଣି ପୂଜାପଣ୍ଡା ଓ ବଡ଼ୁ ନିଯୋଗ ମଧ୍ୟରେ ବିବାଦ ପାଇଁ ନୀତି ବନ୍ଦ ହୋଇଥିବା ସୂଚନା ମିଳିଛି । ପଇତା ଲାଗି ନୀତି ନେଇ ୨୦୧୯ରୁ ଲାଗି ରହିଛି ବିବାଦ । ଗତକାଲି ସନ୍ଧ୍ୟା ଧୂପଠାରୁ ନୀତିକାନ୍ତି ବନ୍ଦ ରହିଛି । ନୀତି ବିଭ୍ରାଟ ହୋଇଥିବାରୁ ଆଜି କୌଣସି ନୀତି ହୋଇନାହିଁ । ଦେବୋତ୍ତର କମିଶନଙ୍କ ନିକଟରେ ମାମଲା ବିଚାରାଧୀନ ରହିଛି । ସମାଧାନ କରିବାରେ ବିଫଳ ହୋଇଛି ମନ୍ଦିର ପ୍ରଶାସନ । ମନ୍ଦିର ପ୍ରଶାସନ ଓ ଦେବୋତ୍ତର କମିଶନଙ୍କୁ ଦାୟୀ କରିଛନ୍ତି ସେବାୟତ । ଶ୍ରଦ୍ଧାଳୁଙ୍କ ଲିଙ୍ଗରାଜ ଦର୍ଶନ ସ୍ବାଭାବିକ ଚାଲିଛି ।

ପ୍ରତି ବର୍ଷ ସନ୍ଧ୍ୟା ଧୂପ ସମୟରେ ବଡ଼ୁନିଯୋଗ ବିନ୍ଦୁସାଗରକୁ ପଇତା ଧୋଇ ଆଣିବା ପରେ ପୂଜାପଣ୍ଡା ନିଯୋଗ ଅଧୀବାସ ପୂଜା କରନ୍ତି । ଏବର୍ଷ ବଡ଼ୁନିଯୋଗ ମନ୍ଦିର ପ୍ରଶାସନକୁ ପଇତା ଧୋଇବାର କିଛି ପ୍ରମାଣ ଦେଖାଇଲେ ପଇତା ଧୋଇବୁ ବୋଲି କହିଥିଲେ । ଫଳରେ ପଇତା ବିନ୍ଦୁସାଗରରେ ଧୂଆ ହୋଇପାରିନଥିଲା ଓ ନୀତି ବଢ଼ି ନଥିଲା । ସନ୍ଧ୍ୟାଧୂପ ପରେ ଏଭଳି ବିଭ୍ରାଟ ଉପୁଜିଥିଲା । ଯାହାଫଳରେ ମହାଦେବଙ୍କ ନୀତିକାନ୍ତି ବନ୍ଦ ହୋଇଛି ।

ଆଜିଠୁ ବିହାରରେ ନୂଆ ସରକାର, ଅପରାହ୍ନ ୨ଟାରେ ଶପଥ ନେବେ ନୀତୀଶ କୁମାର

ପାଟନା: ଆଜି ବିହାରରେ ଶପଥ ନେବ ନୂଆ ସରକାର । ଆରଜେଡି ସହିତ ପୁଣି ଇନିଂସ ଆରମ୍ଭ କରିବେ ନୀତୀଶ କୁମାର । ଆଜି ଅପରାହ୍ନ ୨ଟାରେ ଶପଥ ଗ୍ରହଣ ଉତ୍ସବ ହେବ । ଆଜି କେବଳ ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ଏବଂ ତେଜସ୍ୱୀ ଯାଦବ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ଅଷ୍ଟମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନୀତୀଶ । ପରେ ଉଭୟ ଦଳରୁ ୧୪ ଜଣ ଲେଖାଏ ବିଧାୟକ ମନ୍ତ୍ରୀ ପଦର ଶପଥ ନେବେ । ନୂଆ ସରକାର ପାଇଁ ୭ଟି ଦଳର ୧୬୪ ବିଧାୟକଙ୍କ ସମର୍ଥନ ଥିବା ନୀତୀଶ କହିଛନ୍ତି ।

ସେପଟେ ବିଜେପି ଉପରେ ପ୍ରବଳ ବର୍ଷିଛନ୍ତି ଆରଜେଡି ନେତା ତେଜସ୍ୱୀ ଯାଦବ । ବିଜେପି ସହ ଯିଏ ବି ମେଣ୍ଟ କରିଛି, ସେ ଧ୍ୱଂସ ହୋଇଯାଇଛି । ବିରୋଧୀଙ୍କୁ ଶେଷ କରିଦେବାକୁ ବିଜେପି ଷଡ଼ଯନ୍ତ୍ର କରେ । ବିଧାୟକଙ୍କୁ କିଣାବିକା କରେ । ବିକାଶ ନାଁରେ ବିଜେପି ବିନାଶ କରେ ବୋଲି ତେଜସ୍ୱୀ କହିଛନ୍ତି । ବିହାରର ବିକାଶ ପାଇଁ ନୀତୀଶ ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହା ସ୍ୱାଗତ ଯୋଗ୍ୟ । ବର୍ତ୍ତମାନ ଯେଉଁ ସରକାର ଗଠନ ହେବାକୁ ଯାଉଛି ଏହା ହିଁ ପ୍ରକୃତ ଜନାଦେଶ । ବିହାରବାସୀ ଯାହା ଚାହୁଁଥିଲେ ସେୟା ହେଲା । ଏବେଠୁ ବିହାର ବିକାଶର ନୂଆ କାହାଣୀ ଲେଖାଯିବ ବୋଲି ତେଜସ୍ୱୀ କହିଛନ୍ତି । ଗତକାଲି ରାଜ୍ୟପାଳଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ସହିତ ନୂଆ ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିଥିଲେ ନୀତୀଶ କୁମାର ଓ ତେଜସ୍ୱୀ ଯାଦବ ।

ଉପର ମୁଣ୍ଡରେ ପ୍ରବଳ ବର୍ଷା, ଆସିପାରେ ବଡ଼ ବନ୍ୟା

ଭୁବନେଶ୍ୱର: ଲଗାଣ ବର୍ଷା ଫଳରେ ବିଭିନ୍ନ ନଦୀର ଜଳସ୍ତର ବଢ଼ିବାରେ ଲାଗିଛି । ସୃଷ୍ଟି ହୋଇଛି ବନ୍ୟା ଆଶଙ୍କା । ଉପରମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ମହାନଦୀ ସମେତ ବିଭିନ୍ନ ଶାଖା ନଦୀରେ ଜଳସ୍ତର ବଢ଼ିବାରେ ଲାଗିଛି । ଉପରମୁଣ୍ଡରେ ପ୍ରବଳ ବର୍ଷା ହେତୁ ବଡ଼ ବନ୍ୟା ଆସିପାରେ ବୋଲି ଆକଳନ କରାଯାଉଛି । ସେପଟେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ବଂଶଧାରା । କାଶୀନଗରଠାରେ ବିପଦସଙ୍କେତ ୫୪.୬୦ ଥିବା ବେଳେ ୫୪.୮୬ ମିଟରରେ ପାଣି ପ୍ରବାହିତ ହେଉଛି । ଋଷିକୁଲ୍ୟା, ହରଭଙ୍ଗୀ, ନାଗାବଳୀ ନଦୀ ମଧ୍ୟ ଫୁଲିବାରେ ଲାଗିଛି ।

ସେହିପରି ମହାନଦୀ, ଋଷିକୂଲ୍ୟା, ବୈତରଣୀ, କୁଶଭଦ୍ରା, ଜଳକା ଆଦି ନଦୀରେ ବଡ଼ ବନ୍ୟା ଆସିବା ସମ୍ଭାବନା ରହିଛି । ସମ୍ଭାବ୍ୟ ବନ୍ୟା ମୁକାବିଲା ପାଇଁ ପ୍ରସ୍ତୁତ ରହିଛି ପ୍ରଶାସନ । ଆବଶ୍ୟକ ପଦକ୍ଷେପ ନେବା ସହ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଏସଆରସି ।

ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ୯ ଜିଲ୍ଲାକୁ ଅରେଞ୍ଜ ଓ ୧୦ ଜିଲ୍ଲାକୁ ୟେଲୋ ଆଲର୍ଟ

ଭୁବନେଶ୍ୱର: ଛତିଶଗଡ଼ ମୁହାଁ ହୋଇଛି ଅବପାତ । ପ୍ରଭାବରେ ଆସନ୍ତା ୨୪ ଘଣ୍ଟାରେ ଦକ୍ଷିଣ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏଥିପାଇଁ ୯ ଜିଲ୍ଲାକୁ ଅରେଞ୍ଜ, ୧୦ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ବିଶେଷକରି ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, କେନ୍ଦୁଝର, ଦେବଗଡ଼, ଅନୁଗୁଳ, ମୟୂରଭଞ୍ଜ, ବାଲେଶ୍ୱର ଓ ବରଗଡ଼ରେ ପ୍ରବଳ ବର୍ଷା ହେବ । କାଲି ପାଇଁ ୯ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଥିବା ବେଳେ ୧୨ ତାରିଖରେ ସାମାନ୍ୟ ବର୍ଷା କମିବ । ପରେ ୧୩ରୁ ପୁଣି ବର୍ଷାର ପରିମାଣ ବଢ଼ିବ ।

ପଶ୍ଚିମବଙ୍ଗ ଏବଂ ଉତ୍ତର ଓଡ଼ିଶାରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ଅବପାତରେ ପରିଣତ ହେବା ପରେ ତଳମୁଣ୍ଡରେ ବର୍ଷାର ପରିମାଣ ବୃଦ୍ଧି ପାଇବ । ବର୍ଷା ସମୟରେ ଉପକୂଳ ଓଡ଼ିଶାରେ ଘଣ୍ଟା ପ୍ରତି ୪୫ରୁ ୫୫ ଏବଂ ଝଟକା ପବନର ବେଗ ୬୫ କିଲୋମିଟର ପର୍ଯ୍ୟନ୍ତ ଯାଇପାରେ । ଏହାର ପ୍ରଭାବରେ ସମୁଦ୍ରରେ ୩ରୁ ୪ ମିଟର ଉଚ୍ଚର ଜୁଆର ଉଠିବ । ଏଥିପାଇଁ ମତ୍ସଜୀବୀଙ୍କୁ ସମୁଦ୍ର ବାରଣ କରାଯାଇଛି । ଅବପାତ ବର୍ଷା ପାଇଁ ପୁରୀ, ପାରାଦୀପ, ଧାମରା ଏବଂ ଗୋପାଳପୁର ବନ୍ଦରରେ ୩ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି ।

ଭାରସାମ୍ୟ ହରାଇ ଓଲଟିଲା ତୀର୍ଥଯାତ୍ରୀ ବସ୍, ଅଳ୍ପକେ ବର୍ତ୍ତିଲେ ୭୦ ଯାତ୍ରୀ

ବାଲେଶ୍ୱର: ବାଲେଶ୍ୱର ୧୬ ନମ୍ବର ଜାତୀୟ ରାଜପଥ ତଳନଗର ନିକଟରେ ଦୁର୍ଘଟଣା । ଭାରସାମ୍ୟ ହରାଇ ଓଲଟି ପଡ଼ିଲା ତୀର୍ଥଯାତ୍ରୀ ବସ୍ । ଏହି ଦୁର୍ଘଟଣାରେ ୩୦ରୁ ଅଧିକ ଆହତ ହୋଇଥିବାବେଳେ ୭ ଜଣ ଗୁରୁତର ଆହତ ହୋଇଛନ୍ତି । ଏହି ବସଟି କୋଲକାତାର ୨୪ ପ୍ରଗଣାରୁ ପୁରୀକୁ ଆସୁଥିଲା । ବସ୍ ଦୁର୍ଘଟଣା ହେବା ଖବର ପାଇ ଘଟଣାସ୍ଥଳରେ ସୋର ପୋଲିସ୍ ଓ ଅଗ୍ନିଶମ ବାହିନୀ ପହଞ୍ଚି ତୀର୍ଥଯାତ୍ରୀଙ୍କୁ ଉଦ୍ଧାର କରିଛନ୍ତି । ଉଦ୍ଧାର କାର୍ଯ୍ୟରେ ୭ଟି ଆମ୍ବୁଲାନ୍ସ ନିୟୋଜିତ ହୋଇଥିଲେ ।

ସୂଚନା ଅନୁସାରେ କୋଲକାତାର ୨୪ ପ୍ରଗଣାରୁ ପୁରୀ ଆସୁଥିବା ଏହି ବସରେ ୧୦୦ରୁ ଅଧିକ ଯାତ୍ରୀ ତିଲେ । ଏହି ଦୁର୍ଘଟଣାରେ ୭୦ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଥିବାବେଳେ ୩୦ରୁ ଅଧିକ ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ଏମାନଙ୍କ ମଧ୍ୟରୁ ୭ ଜଣ ଗୁରୁତରଙ୍କୁ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।

ଦୋଳୀ ଶାଢ଼ୀରେ ଗୁଡାଇ ହୋଇ ଚାଲିଗଲା ଶିଶୁକନ୍ୟାର ଜୀବନ

ଉଦଳା: ମୟୁରଭଞ୍ଜ ଜିଲ୍ଲାରୁ ଅତ୍ୟନ୍ତ ହୃଦୟବିଦାରକ ଏବଂ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ହସଖୁସିରେ ବସି ଝୁଲୁଥିବା ଦୋଳି ସାଜିଲା କାଳ । ଶାଢୀରେ ତିଆରି ହୋଇଥିବା ଦୋଳି ନେଇଗଲା ୬ ବର୍ଷ ଶିଶୁକନ୍ୟାର ଜୀବନ । ଏଭଳି ଘଟଣା ଘଟିଛି କପ୍ତିପଦା ଥାନା ପେଡାଗଡି ଗ୍ରାମରେ । ପେଡାଗଡି ଗ୍ରାମର ଧୀରେନ୍ଦ୍ର ନାଏକଙ୍କ ୬ ବର୍ଷର ଶିଶୁକନ୍ୟା ମାମୁନି ନାଏକ ଆଜି ଅପରାହ୍ନରେ ଘରେ ଶାଢୀରେ ତିଆରି ହୋଇଥିବା ଦୋଳିରେ ବସି ଝୁଲୁଥିଲା ।

ଏହି ସମୟରେ ପରିବାର ଲୋକେ ଖାଇ ସାରି ଶୋଇବାକୁ ଯାଉଥିଲେ । ହେଲେ ଝିଅ ପାଖକୁ ଆସି ଦେଖିବାରୁ ଦୋଳି ତିଆରି ହୋଇଥିବା ଶାଢୀ ଝିଅ ବେକରେ ଗୁଡାଇ ହୋଇଯାଇଛି ଏବଂ ଝିଅ ଦୋଳିରୁ ଖସି ପଡିଛି । ତୁରନ୍ତ ତାକୁ ଚିକିତ୍ସା ନିମନ୍ତେ ଉଦଳା ଡାକ୍ତରଖାନାରେ ଭର୍ତି କରିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଏଭଳି ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି ।