spot_img
Home Blog Page 3975

ସୁଅରେ ଭାସିଗଲା ଜୀବନ; କେନାଳରେ ପଡ଼ି ଯୁବକ ମୃତ

ଢ଼େଙ୍କାନାଳ: ଲଗାଣ ବର୍ଷାରେ କେନାଲ ପଡ଼ି ଯୁବକ ମୃତ। ଢେ଼ଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଗାଁର ଘଟିଛି ଏହି ଅଘଟଣ। ମୃତକ ହେଲେ କାଳିଆ ନାୟକ। ଲଗାଣବର୍ଷା ଯୋଗୁ ଗାଁ ନିକଟରେ ଥିବା କେନାଳରେ ବଢିପାଣି ଆସିଥିଲା। ଏହି କେନାଳରେ ପାଣିରେ ଭାସି ଯାଇ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି।

ସେପଟେ କନାଳ ଭାଙ୍ଗିଯାଇଥିବାରୁ ଗାଁ ନିକଟରେ ଥିବା ଏକ ଆପ୍ରୋଚ ରୋଡ ମଧ୍ୟ ଧୋଇଯାଇଛି । ଫଳରେ ଢେଙ୍କାନାଳ ଜିଲ୍ଲା ପରଜଙ୍ଗକୁ ବନ୍ଦ ଅଛି ଗାଡି ଚଳାଚଳ। କାମାକ୍ଷାନଗର ବ୍ଲକ ଆଲୁଅଝରଣଠାରୁ ପରଜଙ୍ଗ ଭାଲୁମୁଣ୍ଡା ଯାଏ ଯାଇଥିବା ରାସ୍ତାର ତୁମୁସିଙ୍ଗା ଠାରେ ଏକ ନୂତନ ସେତୁ ନିର୍ମାଣ ହେଉଛି। ଫଳରେ ନିର୍ମାଣଧିନ ପୋଲ ନିକଟ ଦେଇ ଏକ ଆପ୍ରୋଚ ରୋଡ ନିର୍ମାଣ ହୋଇଥିଲା । ହେଲେ ଏହି ରୋଡଟି କେନାଳ ପାଣିରେ ଧୋଇ ଯାଇଛି। ଫଳରେ ପରଜଙ୍ଗ ଅଂଚଳକୁ ଯାତାୟତ ବନ୍ଦ ରହିଛି ।

୧୩ ଅଗଷ୍ଟରେ ଆଉ ଏକ ଲଘୁଚାପ ! ୨୪ ଘଣ୍ଟାରେ ହେବ ଘନୀଭୂତ

ଭୁବନେଶ୍ୱର: ସରିନି ବର୍ଷା । ଆସୁଛି ଆଉ ଏକ ବଡ଼ ଲଘୁଚାପ। ୧୩ ଅଗଷ୍ଟ ବେଳକୁ ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ପରବର୍ତ୍ତୀ ୨୪ ଘଣ୍ଟାରେ ଏହା ଆହୁରି ଘନୀଭୂତ ହେବା ସହ ପଶ୍ଚିମ -ଉତ୍ତର ପଶ୍ଚିମ ଦିଗରେ ଗତି କରିବା ସମ୍ଭାବନା ରହିଛି । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍‌ କରି ଏହି ସୂଚନା ଦିଆଯାଇଛି।

ତେବେ ପାଣିପାଗ ବିଭାଗ ସୂଚନା ମୁତାବକ ଅଗଷ୍ଟ ୧୧ ଓ ୧୨ ତାରିଖ ବେଳକୁ ରାଜ୍ୟରେ ବର୍ଷାର ପରମାଣ କମିବ। କିନ୍ତୁ ଅଗଷ୍ଟ ୧୩ ତାରିଖ ବେଳକୁ ରାଜ୍ୟରେ ବର୍ଷାର ପରିମାଣ ପୁଣି  ବଢ଼ିବ।

ସେପଟେ ଅବପାତ ଏବଂ ସକ୍ରିୟ ମୌସୁମୀ ପ୍ରଭାବରେ ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୩.୪ ମିମି ବର୍ଷ ରେକର୍ଡ କରାଯାଇଛି ଯାହା ସ୍ୱାଭାବିକ ବର୍ଷା ୧୦.୧ ମିମି ତୁଳନାରେ ୨୩୦ ପ୍ରତିଶତ ଅଧିକ ରହିଛି । ଅବପାତ ଛତିଶଗଡ ଏବଂ ପାର୍ଶ୍ଵବର୍ତ୍ତୀ ପୂର୍ବ ମଧ୍ୟପ୍ରଦେଶ ଉପରେ ଦୁର୍ବଳ ହୋଇ ଗୋଟିଏ ସୁଦୃଶ-ଲଘୁଚାପ କ୍ଷେତ୍ର ଭାବେ ସକ୍ରିୟ ରହିଛି । ଡପ୍ଲର ରାଡ଼ାର ପାରାଦ୍ୱୀପରୁ ମିଳୁଥିବା ତଥ୍ୟ ଅନୁଯାୟୀ ଅବପାତ ପ୍ରଭାବରେ ଉପକୂଳ ମୁହାଁ ହେଉଛି ମେଘ ସମୂହ । ପ୍ରଭାବରେ ଉପକୂଳ ଜିଲ୍ଲାରେ ବର୍ଷା ଲାଗି ରହିଛି।

ବଙ୍ଗଳା ଅଭିନେତା ଶୈବାଳ ଭଚ୍ଚାଚାର୍ଯ୍ୟଙ୍କ ଆତ୍ମହତ୍ୟା ଉଦ୍ୟମ

କୋଲକାତା: ପ୍ରସିଦ୍ଧ ବଙ୍ଗଳା ଅଭିନେତା ଶୈବାଳ ଭଟ୍ଟାଚାର୍ଯ୍ୟ ଆତ୍ମହତ୍ୟା ଉଦ୍ୟମ କରିଥିବା ଖବର ସାମ୍ନାକୁ ଆସିଛି। ଆହତ ହେବା ପରେ ଅଭିନେତା ଶୈବାଳ ନିଜର ଭିଡିଓ ଫେସବୁକରେ ସେୟାର କରିଛନ୍ତି। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯିବା ପରେ ସେ ସୁସ୍ଥ ଅଛନ୍ତି। ପ୍ରସିଦ୍ଧ ବଙ୍ଗାଳୀ ସିରିୟଲ ପ୍ରଥୋମା କାଦମ୍ବିନୀରେ ଅଭିନୟ କରିଥିବା ଶୈବାଳ ଦୀର୍ଘ ଦିନ ଧରି ଆଞ୍ଚଳିକ ଟିଭି ଚାନେଲରେ ଅଭିନୟ କରିଆସୁଥିଲେ । ମାତ୍ର ତାଙ୍କ ନିକଟରେ ବର୍ତ୍ତମାନ କୌଣସି ସିରିୟଲ ନଥିବାରୁ ସେ ବୀତସ୍ପୃହ ହୋଇ ଆତ୍ମହତ୍ୟା ଉଦ୍ୟମ କରିଥିବା କୁହାଯାଇଛି ।

ସୂଚନା ମୁତାବକ ବୃତ୍ତିଗତ ଭାବେ ସେ ନିରୁତ୍ସାହିତ ହୋଇ ଏଭଳି କଠୋର ପଦକ୍ଷେପ ନେବାକୁ ଉଦ୍ୟମ କରିଥିଲେ । ତାଙ୍କୁ ଚିତ୍ତରଞ୍ଜନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଶୈବାଳ କାରିଖେଳା, ଉଦାନ ଟବ୍ରି, ମିଠାଇ ଆଦି ସିରିୟଲରେ ଅଭିନୟ କରିଥିଲେ । ପୂର୍ବରୁ ବଙ୍ଗାଳୀ ଅଭିନେତ୍ରୀ ପଲ୍ଲବୀ ଦେ, ବିଦୀଶା ଦେ ମଜୁମଦାର ଓ ମଡେଲ-ଅଭିନେତ୍ରୀ ମଞ୍ଜୁଷା ନିୟୋଗୀ ଆତ୍ମହତ୍ୟା କରିଥିଲେ।

ପବ୍ଲିକ ସର୍ଭିସ ପରୀକ୍ଷାରେ ଏକାଠି ଉତ୍ତୀର୍ଣ୍ଣ ହେଲେ ମାଆ-ପୁଅ

ନୂଆଦିଲ୍ଲୀ: ପ୍ରତିବର୍ଷ ପବ୍ଲିକ ସର୍ଭିସ ପରୀକ୍ଷାରେ ଅନନ୍ୟ ପରୀକ୍ଷାର୍ଥୀଙ୍କ ସମ୍ପର୍କରେ ଅନେକ ପ୍ରେରଣାଭରା କଥା ସାମ୍ନାକୁ ଆସିଥାଏ । ଏଥର ପରୀକ୍ଷାରେ କମାଲ ଦେଖାଇଛନ୍ତି ମାଆ-ପୁଅ । ପୁଅକୁ ଶିକ୍ଷା ଦେଉ ଦେଉ ପ୍ରଶାସନିକ ସେବା ପରୀକ୍ଷାରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି ମାଆ । ଅନେକ ବାଧାବିଘ୍ନକୁ ପଛରେ ପକାଇ ପହଞ୍ଚିଛନ୍ତି ଲକ୍ଷ୍ୟସ୍ଥଳରେ । ଏକାଠି ପରୀକ୍ଷା ଦେଇ ପବ୍ଲିକ ସର୍ଭିସ ପରୀକ୍ଷାରେ କୀର୍ତ୍ତିମାନ ରଚିଛନ୍ତି କେରଳ ମାଲାପୁରାମର ମାଆ-ପୁଅ ।

ଏକାଠି କୋଚିଂ, ଏକାଠି ପାଠପଢ଼ା ଆଉ ଏକାସଙ୍ଗେ ଜନସେବା ଆୟୋଗ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି ମାଆ ବିନ୍ଦୁ ଓ ପୁଅ ବିବେକ । ବିନ୍ଦୁଙ୍କ ବୟସ ୪୨ ହୋଇଥିବାବେଳେ ବିବେକଙ୍କ ବୟସ ୨୪ବର୍ଷ । ପରୀକ୍ଷା ପ୍ରସ୍ତୁତି ପାଇଁ ବାପା ସବୁ ପ୍ରକାର ବ୍ୟବସ୍ଥା କରିଥିବା ବେଳେ କୋଚିଂସେଣ୍ଟର ଶିକ୍ଷକଙ୍କଠାରୁ ବହୁତ ସାରା ପ୍ରେରଣା ମିଳିଥିଲା ବୋଲି ବିବେକ କହିଛନ୍ତି । ଆମେ ଏକାଠି ପାଠ ପଢୁଥିଲୁ ହେଲେ ଏକାଠି ସଫଳତା ହାସଲ କରିବୁ ବୋଲି କେବେ ଭାବି ନଥିଲୁ ବୋଲି ବିବେକ କହିଛନ୍ତି। ପିଲାବେଳୁ ପୁଅକୁ ପାଠ ପଢ଼ା ପ୍ରତି ପ୍ରୋତ୍ସାହିତ କରିବା ପାଇଁ ନିଆରା ଅଭ୍ୟାସ ଆରମ୍ଭ କରିଥିଲେ ବିନ୍ଦୁ । ପୁଅ ମାତ୍ର ୧୦ବର୍ଷର ହୋଇଥିବା ବେଳେ ବିନ୍ଦୁ ନିଜେ ବହି ଧରି ପାଠ ପଢ଼ିଥିଲେ । ଯାହାଫଳରେ ବିବେକଙ୍କର ପାଠ ପଢ଼ା ପ୍ରତି ଉତ୍ସାହ ବଢ଼ିଥିଲା । ଆଉ ଏବେ ଏହାର ପରିଣାମ ସ୍ୱରୂପ ମାଆ ପୁଅ କେରଳ ପବ୍ଲିକ ସର୍ଭିସ ପରୀକ୍ଷାରେ ସଫଳତା ହାସଲ କରିଛନ୍ତି ।

ଖବର ମୁତାବକ, ବିନ୍ଦୁ ଜଣେ ଅଙ୍ଗନବାଡ଼ି ଶିକ୍ଷକ। ସେ ନିଜ ଡ୍ୟୁଟି କରିବା ନିମନ୍ତେ ଯାଉଥିବାରୁ ଖୁବ୍ କମ୍ ସମୟ ନିଜ ପାଠପଢ଼ା ପ୍ରସ୍ତୁତିରେ ଦେଇପାରୁଥିଲେ। ପବ୍ଲିକ୍ ସର୍ଭିସ କମିଶନ ପରୀକ୍ଷାରେ ମା’ ୯୨ ରାଙ୍କରେ ରହିଥିବା ବେଳେ ପୁଅର ରାଙ୍କ ୩୮ ରହିଛି। ତେବେ ବିନ୍ଦୁ ଏଲ୍‌ଡିଏସ୍ ପାସ୍ କରିବା ନିମନ୍ତେ ଦୁଇଥର ଓ ଏଲ୍‌ଡିସି ପାସ୍ କରିବା ନିମନ୍ତେ ଥରେ ପ୍ରୟାସ କରିଥିଲେ। ପବ୍ଲିକ୍ ସର୍ଭିସ କମିଶନ ନିମନ୍ତେ ଏହା ତାଙ୍କର ଚତୁର୍ଥ ପ୍ରୟାସ ଥିଲା। ତେବେ ତାଙ୍କର ବାସ୍ତବିକ୍ ଲକ୍ଷ୍ୟ ଆଇସିଡିଏସ୍ ପର୍ଯ୍ୟବେକ୍ଷକ ପରୀକ୍ଷା ପାସ୍ କରିବା ଥିଲା। ଏଲ୍‌ଡିସିଏସ୍ ପରୀକ୍ଷା ପାସ୍ କରିବା ତାଙ୍କ ପାଇଁ ଏକ ବୋନସ୍ ହୋଇଛି।

ହୃଦଘାତର ଶିକାର ହେଲେ ରାଜୁ, ଦିଲ୍ଲୀ ଏମ୍ସରେ ଭର୍ତ୍ତି

ନୂଆଦିଲ୍ଲୀ: ଅସୁସ୍ଥ ହୋଇପଡ଼ିଛନ୍ତି ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବ । ହୃଦଘାତ କାରଣରୁ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଛି । ଏନେଇ ସ୍ପଷ୍ଟ କରିଛନ୍ତି ରାଜୁ ଶ୍ରୀବାସ୍ତବଙ୍କ ପିଆର । ସୂଚନା ଅନୁସାରେ ରାଜୁ ଜିମରେ ଓ୍ୱାର୍କଆଉଟ କରୁଥିବାବେଳେ ତାଙ୍କର ହୃଦଘାତ ହୋଇଥିଲା । ଯାହାଫଳରେ ତାଙ୍କୁ ତୁରନ୍ତ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଛି । ତେବେ ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା କହିଛନ୍ତି ରାଜୁ ଶ୍ରୀବାସ୍ତବଙ୍କ ପିଆର ।

ସୂଚନା ଅନୁସାରେ ରାଜୁ ଶ୍ରୀବାସ୍ତବ ଜଣେ ଜଣାଶୁଣା ହାସ୍ୟ ଅଭିନେତା । ସେ ଅନେକ ଚଳଚ୍ଚିତ୍ର ସହ ଟିଭି ସିରିୟଲରେ ମଧ୍ୟ କାର୍ଯ୍ୟ କରିଛନ୍ତି ।  ଏହା ସହ ରାଜୁ ବିଗ୍ ବସ୍-୩, ନଚ ବଲିଏ ୬ ଭଳି ରିଏଲିଟି ଶୋରେ ଭାଗ ନେଇ ବେଶ୍ ପ୍ରଶଂସା ସାଉଣ୍ଟିଛନ୍ତି ।

ବିଶ୍ୱକୁ ପୁଣି ଚୀନ୍ ଭୂତାଣୁ ଭୟ, କରୋନା ପରେ ମାଡୁଛି ଆଉ ଏକ ଭାଇରସ୍

ବେଜିଂ: ବିଶ୍ୱକୁ ପୁଣି ଚୀନ୍ ଭୂତାଣୁ ଭୟ । କରୋନା ପରେ ଚୀନରେ ମାଡ଼ୁଛି ଆଉ ଏକ ଘାତକ ଭାଇରସ୍ । ଦକ୍ଷିଣ ଚୀନ୍ ସହରରେ ଲାଙ୍ଗ୍ୟା ହେନିପାଭାଇରସକୁ ନେଇ ଆତଙ୍କ । ଚୀନର ସାନଡଙ୍ଗ ଓ ହେନାନ ପ୍ରାନ୍ତରେ ଏହି ଭୂତାଣୁ କାୟା ବିସ୍ତାର କରୁଛି । ପ୍ରାଣୀଠାରୁ ଏହି ଭୂତାଣୁ ଜାତ ହୋଇଥିବା ସନ୍ଦେହ କରାଯାଉଥିବା ବେଳେ ଆକ୍ରାନ୍ତଙ୍କଠାରେ ଜ୍ୱର ହେବା ଥକ୍କା ଲାଗିବା କାଶ ଓ ବାନ୍ତି ଆଦି ଲକ୍ଷଣ ଦେଖାଯାଉଛି । ଏବେ ସୁଦ୍ଧା ଏହି ଭୂତାଣୁର ଚିକିତ୍ସା ପାଇଁ କିଛି ଔଷଧ ବା ଟିକା ବାହାରି ନଥିବା ବେଳେ ସଂକ୍ରମିତଙ୍କ ଆବଶ୍ୟକ ଦେଖାରେଖା କରାଯାଉଛି ।

ତେବେ ସଂକ୍ରମଣ ଯେପରି ଅନ୍ୟମାନଙ୍କୁ ନ ବ୍ୟାପେ ସେ ଦିଗରେ ସଚେତନ ରହିବାକୁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ । ସାନଡଙ୍ଗ ଓ ହେନାନ ପ୍ରାନ୍ତରେ ୩୫ ଜ୍ୱର ଆକ୍ରାନ୍ତଙ୍କ ନମୁନା ପରୀକ୍ଷଣ ପରେ ୨୬ ଜଣ ଏହି ଘାତକ ଭୂତାଣୁରେ ସଂକ୍ରମିତ ଥିବା ରିପୋର୍ଟ ଆସିଛି । ଚୀନରେ ଚିହ୍ନଟ ନୂଆ ଭୂତାଣୁ ଅତ୍ୟଧିକ ମାରାତ୍ମକ ନୁହେଁ । ଆତଙ୍କିତ ନହୋଇ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ଡ୍ୟୁକ ନସ୍ ମେଡିକାଲ ସ୍କୁଲ ପ୍ରଫେସର ଓ୍ୱାଙ୍ଗ ଲିନଫା କହିଛନ୍ତି ।

ଆଜିଠୁ ବିହାରରେ ନୀତୀଶ-ତେଜସ୍ୱୀ ରାଜ୍, ଅଷ୍ଟମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେଲେ ନୀତୀଶ

ପାଟନା: ବିହାରରେ ଆରମ୍ଭ ହେଲା ନୂଆ ସରକାର । ଆଜିଠୁ ବିହାରରେ ଆରମ୍ଭ ହେଲା ନୀତୀଶ-ତେଜସ୍ୱୀ ରାଜ୍ । ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନୀତୀଶ କୁମାର । ଅଷ୍ଟମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କଲେ ନୀତୀଶ କୁମାର । ପଦ ଓ ଗୋପନୀୟତାର ଶପଥ ପାଠ କରାଇଲେ ରାଜ୍ୟପାଳ । ସେହିପରି ଭାବରେ ଦ୍ୱିତୀୟ ଥର ପାଇଁ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଆରଜେଡି ମୁଖ୍ୟ ତେଜସ୍ୱୀ ଯାଦବ । ଏହା ସହ ତେଜସ୍ୱୀ ଗୃହ ବିଭାଗ ମଧ୍ୟ ଚାହିଁଛନ୍ତି ।

ବିହାରରେ ହୋଇଥିବା ନୂଆ ସରକାରରେ ୩୫ ମନ୍ତ୍ରୀ ରହିବେ । ଏହି ମନ୍ତ୍ରୀମଣ୍ଡଳରେ କଂଗ୍ରେସ ଓ ହାମ୍ ସଦସ୍ୟ ବି ସ୍ଥାନ ପାଇବେ । ଏତିରେ ଆରଜେଡିର ୧୬, ଜେଡିୟୁର୧୩, କଂଗ୍ରେସର ୪ ବିଧାୟକ ଓ ହାମର ଜଣେ ବିଧାୟକ ମନ୍ତ୍ରୀ ପଦର ଶପଥ ନେବେ ବୋଲି କୁହାଯାଉଛି । ନୂଆ ସରକାର ପାଇଁ ୭ଟି ଦଳର ୧୬୪ ବିଧାୟକଙ୍କ ସମର୍ଥନ ଥିବା ନୀତୀଶ କହିଛନ୍ତି । ଗତକାଲି ରାଜ୍ୟପାଳଙ୍କୁ ଭେଟି ନୀତୀଶ ମୁଖ୍ୟମନ୍ତ୍ରୀପଦରୁ ଇସ୍ତଫା ଦେଇଥିବା ବେଳେ ମହାମେଣ୍ଟ ସହ ମିଶି ସରକାର ଗଢ଼ିବେ ବୋଲି ଘୋଷଣା କରିଥିଲେ ।

ନିଶା ଛଡ଼ାଇବାର ନୂଆ ତରିକା, ଦିବ୍ୟାଙ୍ଗ ଯୁବକଙ୍କୁ ପାଇପରେ ପିଟିଲେ, ପାଦ ଚଟାଇଲେ

ବାରିପଦା: ନିଶା ନିବାରଣ କେନ୍ଦ୍ରରେ ଅମାନୁଷିକ କାର୍ଯ୍ୟ । ନିଶା ନିବାରଣ କେନ୍ଦ୍ରରେ ନିଶା ଛଡ଼ାଇବାର ନୂଆ ତରିକା । ନିଶା ଛଡ଼ାଇବା ନାଁରେ ଜଣେ ଦିବ୍ୟାଙ୍ଗ ଯୁବକଙ୍କୁ ଅମାନୁଷିକ ଭାବରେ ପାଇପରେ ମାଡ଼ ମାରିବା ସହିତ ପାଦ ଚାଟିବାକୁ ବାଧ୍ୟ କରାଯାଉଛି । ଏଭଳି ଅମାନବୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ବାରିପଦାର ପ୍ରତିଜ୍ଞା ନିଶା ନିବାରଣ କେନ୍ଦ୍ରରେ । ସେହି ନିଶା ନିବାରଣ କେନ୍ଦ୍ରର ମାଲିକ ଅବନି ପତି ଓ ସେ କେନ୍ଦ୍ରର ପରିଚାଳକ କାଳିଆ ରାଉଳ ନିଶା ଛଡ଼ାଇବା ନାଁରେ ଜଣେ ଦିବ୍ୟାଙ୍ଗ ଯୁବକଙ୍କୁ ମାଡ଼ ମାରୁଥିବାର ଦେଖିବାକୁ ମିଳିଛି । କେବଳ ମାଡ଼ ନୁହେଁ ସହଯୋଗୀଙ୍କ ପାଦ ଚଟାଉଥିବାର ଭିଡିଓ ଏବେ ଭାଇରାଲ ହେବାର ଲାଗିଛି । ପୂର୍ବରୁ ଏହି କେନ୍ଦ୍ର ନାମରେ ସଙ୍ଗୀନ ଅଭିଯୋଗ ହୋଇଥିବା ବେଳେ ମାଲିକଙ୍କ ନାମରେ ପୂର୍ବରୁ ହତ୍ୟା ମାମଲା ମଧ୍ୟ କୋର୍ଟରେ ଚାଲୁ ରହିଛି । ମାଲିକଙ୍କ ଅତ୍ୟାଚାରରେ ଅତିଷ୍ଠ ହୋଇ ଗତ ବର୍ଷ ଜାନୁୟାରୀ ମାସରେ ନିଶା ନିବାରଣ କେନ୍ଦ୍ରରୁ ଫେରାର ହେଇଥିଲେ ୪୯ ଅନ୍ତେବାସୀ।

କୋଭିଡ ବୁଷ୍ଟର ଡୋଜ ଲାଗି ବାୟୋଲୋଜିକାଲ-ଇ’ର କୋର୍ବେଭାକ୍ସକୁ ଅନୁମତି

ନୂଆଦିଲ୍ଲୀ: କୋଭିଡ ମୁକାବିଲାରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । କୋଭିଡ ବୁଷ୍ଟର ଡୋଜ ଲାଗି କୋର୍ବେଭାକ୍ସକୁ ମିଳିଲା ଅନୁମତି । ବାୟୋଲୋଜିକାଲ-Eର ଟିକା କୋର୍ବେଭାକ୍ସ ଏଣିକି ବୁଷ୍ଟର ଡୋଜ ଭାବେ ବ୍ୟବହାର କରାଯାଇପାରିବ । କୋଭାକ୍ସିନ ଓ କୋଭିସିଲ୍ଡ ନେଇଥିବା ବ୍ୟକ୍ତି ନେଇପାରିବେ କର୍ବେଭାକ୍ସ । ୧୮ ବର୍ଷରୁ ଅଧିକ ବୟସ୍କ କୋର୍ବେଭାକ୍ସକୁ ବୁଷ୍ଟର ଡୋଜ ଭାବେ ନେଇପାରିବେ ବୋଲି କୁହାଯାଇଛି ।

ଜଣେ ବ୍ୟକ୍ତି ଯେଉଁ ଟିକା ନେଇଥିବେ ତାହାର ସମ୍ପୂର୍ଣ୍ଣ ଭିନ୍ନ ଟିକା ଭାବେ ପ୍ରଥମ ଥର ଲାଗି କୋର୍ବେଭାକ୍ସକୁ ଅନୁମତି ଦିଆଯାଇଛି । ବର୍ତ୍ତମାନ ଦେଶରେ ଟିକାକରଣ ପ୍ରକ୍ରିୟାରେ ୧୨ରୁ ୧୪ ବର୍ଷ ବୟସ୍କଙ୍କ କ୍ଷେତ୍ରରେ ପ୍ରଥମ ସ୍ୱଦେଶୀ ଟିକା କୋର୍ବେଭାକ୍ସକୁ ବ୍ୟବହାର କରାଯାଉଛି । ଗତ ଜୁଲାଇ ୨୦ ତାରିଖରେ କୋଭିଡ କାର୍ଯ୍ୟକାରୀ ଗୋଷ୍ଠୀ ବୈଠକରେ କୋର୍ବେଭାକ୍ସର ଫେଜ-୩ କ୍ଲିନିକାଲ ଗବେଷଣାର ସମୀକ୍ଷା କରାଯାଇଥିଲା ।

ରାଜ୍ୟରେ ନିବେଶ ବଢ଼ାଇବାକୁ ରୋଡ୍ ସୋ’ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶା ହେବ ଶିଳ୍ପପତିଙ୍କ ପୁଞ୍ଜିନିବେଶର ନେକ୍ସଟ ଡେଷ୍ଟିନେସନ । ରାଜ୍ୟରେ ନିବେଶ ବଢ଼ାଇବାକୁ ମୁଖ୍ୟମନ୍ତ୍ରୀ କରିବେ ରୋଡ୍‌ ସୋ’ । ବିଭିନ୍ନ ରାଜ୍ୟର ରାଜଧାନୀକୁ ଗସ୍ତ କରିବ ଓଡ଼ିଶା ଟିମ୍ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଶିଳ୍ପ ମନ୍ତ୍ରୀ, ଶିଳ୍ପ ସଚିବ, ପିପି ଇଣ୍ଡିଆ ସଦସ୍ୟ ରହିବେ । ଚଳିତ ବର୍ଷ ନଭେମ୍ବର ୩୦ରୁ ଡିସେମ୍ବର ୪ ଯାଏ ହେବ ମେକ୍ ଇନ୍ ଓଡ଼ିଶା କାର୍ଯ୍ୟକ୍ରମ । ୨୦୧୬ରୁ ଆରମ୍ଭ ହୋଇଥିବା ଏହି ମେକ୍ ଇନ୍ ଓଡ଼ିଶା କାର୍ଯ୍ୟକ୍ରମ ୨୦୧୮ରେ ହୋଇଥିଲା । କିନ୍ତୁ କରୋନା ପାଇଁ ୨୦୨୦ରେ ହୋଇପାରିନଥିଲା । ତେବେ ଚଳିତ ଥର ଏହି କାର୍ଯ୍ୟକ୍ରମ ଭୁବନେଶ୍ୱରରେ ଅନୁଷ୍ଠିତ ହେବ ।

କିଭଳି ଓଡ଼ିଶାକୁ ସର୍ବାଧିକ ନିବେଶ ଆସିବ, ସେଥିପାଇଁ ରାଜ୍ୟ ସରକାରଙ୍କ ତରଫରୁ ପ୍ରଥମ ରୋଡ ସୋ’ ହେବାକୁ ଯାଉଥିବା କହିଛନ୍ତି ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ । ବିଭିନ୍ନ ରାଜ୍ୟର ରାଜଧାନୀରେ ରୋଡ ସୋ’ ଅନୁଷ୍ଠିତ ହେବ । ସେଠାକାର ଚାମ୍ବର୍ସ ଅଫ କମର୍ସ ସହ ଆଲୋଚନା ସହ ବିଭିନ୍ନ ଶିଳ୍ପପତିଙ୍କ ସହ ହେବ ୱାନଟୁ ୱାନ୍ ଆଲୋଚନା । ଓଡ଼ିଶା ପୁଞ୍ଜି ନିବେଶ ପାଇଁ ଉତ୍କୃଷ୍ଟ ବେଲି ଶିଳ୍ପପତିଙ୍କୁ ବୁଝାଇବା ସହ ସରକାର ଶିଳ୍ପପତିଙ୍କୁ କେଉଁ ସୁବିଧା ଯୋଗାଇବେ ତାହା ଅବଗତ କରାଯିବ । ଏନେଇ ମନ୍ତ୍ରୀଙ୍କ ନେତୃତ୍ବରେ ଜୁଲାଇ ୧୮ରେ ଗୁଜରାଟ ଅମହମ୍ମଦାବାଦରେ କାର୍ଯ୍ୟକ୍ରମ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଦେଢ଼ ଶହ ଲୋକ ସାମିଲ ହୋଇଥିବା ବେଳେ ୨୨ଜଣ ଶିଳ୍ପପତିଙ୍କ ସହ ୱାନଟୁ ୱାନ୍ ଆଲୋଚନା ହୋଇଥିଲା । ସରକାର ଜମି, ପାଣି, ବିଦ୍ୟୁତ ଯୋଗାଇବେ ବୋଲି ପ୍ରତିଶ୍ରୁତି ଦେଇଥିବା ବେଳେ ଗୁଜରାଟରୁ ଅଧିକ ପୁଞ୍ଜିପତି ନିବେଶ କରିବେ ବୋଲି ଆଶା ଥିବା କହିଛନ୍ତି ମନ୍ତ୍ରୀ ।