ଆଜିଠାରୁ ଆରମ୍ଭ ହେବ ଭାରତର ପ୍ରଥମ ଡିଜିଟାଲ କରେନ୍ସି

ମୁମ୍ବାଇ: ଭାରତର ପ୍ରଥମ ଡିଜିଟାଲ କରେନ୍ସି ଆଜିଠାରୁ ଆରମ୍ଭ ହେବାକୁ ଯାଉଛି । ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ ପରୀକ୍ଷାମୂଳକ ଭାବେ ଏହି କରେନ୍ସିର ଶୁଭାରମ୍ଭ ହେବ । ଏଥିରେ ୯ଟି ବ୍ୟାଙ୍କକୁ ସାମିଲ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ହୋଲସେଲ ସେଗମେଣ୍ଟରେ ଏହି କରେନ୍ସିର ବ୍ୟବହାର ହେବ । ମାସେ ମଧ୍ୟରେ ଖୁଚୁରା କ୍ଷେତ୍ର ଲାଗି ଏହାକୁ ପ୍ରସ୍ତୁତ କରିବାକୁ ଆରବିଆଇ ଯୋଜନା ପ୍ରସ୍ତୁତ କରିଛି ।

ଆନ୍ତଃବ୍ୟାଙ୍କ କାରବାର ଖର୍ଚ୍ଚ କମାଇବା, ଭାରତରେ ବିଦେଶୀ ନାଗରିକଙ୍କ ଲାଗି ସହଜ କାରବାର, ବିଭିନ୍ନ ସରକାରୀ ବ୍ୟାଙ୍କ ଗ୍ୟାରେଣ୍ଟି ପାଇଁ ଏହି କରେନ୍ସି ସହାୟକ ହୋଇପାରିବେ । ଦିନକୁ ଦିନ ବଢ଼ିଚାଲିଥିବା ଡିଜିଟାଲ ଇକୋନୋମି ସହ ତାଳ ଦେଇ ଆରବିଆଇ ନିଜର ଏହି କରେନ୍ସିକୁ ସାମନାକୁ ଆଣିଛି । ବଡ ବଡ଼ କାରବାରରେ ଅର୍ଥ ପରିବର୍ତ୍ତେ ଡିଜିଟାଲ କରେନ୍ସିକୁ ପ୍ରାଧାନ୍ୟ ଦେବାକୁ ଲକ୍ଷ୍ୟ ରଖିଛି କେନ୍ଦ୍ରୀୟ ବ୍ୟାଙ୍କ ।

ଏହି ପ୍ରକ୍ରିୟାରେ ଏସବିଆଇ, ବ୍ୟାଙ୍କ ଅଫ ବରୋଦା, ୟୁନିଅନ ବ୍ୟାଙ୍କ ଅଫ ବରୋଦା, ଏଚଡିଏଫସି, ଆଇସିଆଇସିଆଇ, କୋଟାକ ମହିନ୍ଦ୍ରା, ୟେଶ ବ୍ୟାଙ୍କ, ଆଇଡିଏଫସି ଫାଷ୍ଟ ବ୍ୟାଙ୍କ, ଏଚଏସବିସିକୁ ପ୍ରଥମ ପର୍ଯ୍ୟାୟରେ ସାମିଲ କରାଯିବ । ସେଣ୍ଟ୍ରାଲ ବ୍ୟାଙ୍କ ଡିଜିଟାଲ କରେନ୍ସି ବା ସିବିଡିସି ହେଉଛି ଏକ ଡିଜିଟାଲ ବା ଭର୍ଚୁଆଲ କରେନ୍ସି । ମାତ୍ର ଏହା ପ୍ରାଇଭେଟ ଭର୍ଚୁଆଲ କରେନ୍ସି ବା ବିଟକଏନ, ଏଥିରିୟମ ପରି କ୍ରିପ୍ଟୋକରେନ୍ସି ପରି ହେବନାହିଁ ।