ଗେଷ୍ଟ ହାଉସରେ ଚାଲିଥିଲା ସେକ୍ସ ରାକେଟ୍, ରେଡ୍ କରି ପର୍ଦ୍ଦାଫାସ କଲେ ଏସପି

ବ୍ରହ୍ମପୁର: ବ୍ରହ୍ମପୁରରେ ସେକ୍ସ ରାକେଟ ଠାବ । ସହରର ପ୍ରମୁଖ ଛକ ଟାଟାବେଞ୍ଜ ଛକ ଉପରେ ଥିବା ତୁଳସୀ ଗେଷ୍ଟ ହାଉସରେ ଚାଲିଥିଲା ଦେହ ବ୍ୟାପାର । ପୋଲିସ ଆଖିରେ ଧୂଳି ଦେଇ ଦୀର୍ଘଦିନ ଧରି ଚାଲିଥିବା ଦେହ ବ୍ୟାପାର ରାକେଟକୁ ଧରିଛନ୍ତି ଖୋଦ ବ୍ରହ୍ମପୁର ଏସପି । ଗତକାଲି ରାତି ପ୍ରାୟ ୧୧ଟା ବେଳେ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ନିଜେ ଏସପି ବାଇକ ଯୋଗେ ଘଟଣାସ୍ଥଳକୁ ଯାଇଥିଲେ ।

ଗେଷ୍ଟହାଉସରେ ଚଢାଉ ପରେ ଗୋଷାଣୀ ନୂଆଗାଁ ଓ ବୈଦ୍ୟନାଥପୁର ଥାନାକୁ ଖବର ଦେଇଥିଲେ । ଖବର ପାଇ ବୈଦ୍ୟନାଥପୁର ଥାନା ପୋଲିସ ଗେଷ୍ଟହାଉସ ଭିତରୁ ୧୦ ଜଣ ଗ୍ରାହକ ଓ ୪ ଜଣ ଦେହଜୀବୀଙ୍କୁ ଆଣି ପଚରାଉଚରା କରୁଛି । ତଳ ମହଲାରେ ଏକ ବାଇକ୍ ସୋ ରୁମ୍ ଚାଲିଥିବା ବେଳେ ଉପରେ ଗେଷ୍ଟହାଉସ ଚାଲିଥିଲା ।

ଦିନ ଓ ରାତିରେ ଏଠାକୁ ଲୋକ ଆସୁଥିଲେ । ଟାଟାବେଞ୍ଜ୍ ଛକ ଉପରେ ଥିବାରୁ ଲୋକଙ୍କ ସନ୍ଦେହ ହେଉନଥିଲା । ପାଖରେ ଟ୍ରାଫିକ ପୋଷ୍ଟ ଓ ତାସହ ୨୪ ଘଣ୍ଟା ପାଟ୍ରୋଲିଂ ହେଉଥିବା ସ୍ଥାନରେ ନିର୍ଭୟରେ ଚାଲିଥିଲା ଦେହ ବେପାର । ତେବେ ଏହି ସେକ୍ସ ରାକେଟ୍ କିଏ ଚଲାଉଥିଲା ଓ ରାକେଟର ଚେର କେତେ ଲମ୍ବା ସେନେଇ ପୋଲିସ ଖୋଳତାଡ଼ କରୁଛି ।