ଘରେ ଶୋଇଥିବାବେଳେ ପଡୋଶୀକୁ ନିଆଁ ଲଗାଇ ହତ୍ୟା କରିଥିଲେ, ହତ୍ୟାକାରୀକୁ ଆଜୀବନ ସଜା

ଅନୁଗୋଳ: ହତ୍ୟାକାରୀକୁ ଆଜୀବନ କାରାଦଣ୍ଡ ସହ ୪୦ ହଜାର ଟଙ୍କା ଜୋରିମାନା । ଦଣ୍ଡାଦେଶ ଶୁଣାଇଲେ ଅନୁଗୁଳ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ । ୨୦୧୬ରେ ଅନୁଗୁଳ ପିଟିସି ଛକ ସନ୍ତୋଷୀ ମା’ ମନ୍ଦିର ନିକଟରେ ଘଟିଥିଲା ଏହି ଲୋମଟାଙ୍କୁରା ହତ୍ୟାକାଣ୍ଡ । ପୂର୍ବ ଶତ୍ରୁତାରୁ ଘରେ ଶୋଇଥିବା ବେଳେ ଛବି ନାଏକ ନାମକ ଜଣେ ବ୍ୟକ୍ତିଙ୍କୁ ତାଙ୍କ ପଡୋଶୀ ଅନାମ ନାଏକ ନିଆଁ ଲଗାଇ ପୋଡ଼ି ହତ୍ୟା କରିଥିଲା । ପୂର୍ବରୁ ଉଭୟ ପରିବାର ମଧ୍ୟରେ ଝଗଡା ହୋଇଥିଲା ।

ଝଗଡା ହେବାର କିଛି ଘଣ୍ଟା ପରେ ରାତି ପ୍ରାୟ 8ଟା ବେଳେ ଛବି ଘରେ ଶୋଇଥିବା ବେଳେ ଅନାମ ଘରେ ନିଆଁ ଲଗାଇ ଫେରାର ହୋଇ ଯାଇଥିଲା । ଛବି ଘରୁ ବାହାରି ନପାରି ନିଆଁରେ ପୋଡ଼ି ଯାଇଥିଲେ । ଏ ନେଇ ଛବିଙ୍କ ବାପା ଅନୁଗୁଳ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଅନାମକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଘଟଣାରେ ୧୩ ଜଣ ସାକ୍ଷୀଙ୍କ ବୟାନ ଓ ପ୍ରମାଣ ଆଧାରରେ ଆଜି ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ ସହ ୪୦ ହଜାର ଟଙ୍କା ଜୋରମାନା ଆଦେଶ ଦେଇଛନ୍ତି ।