ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର, ଖୋଲିଲା ଶିମିଳିପାଳ ଜାତୀୟ ଉଦ୍ୟାନ

1 min read

ବାରିପଦା: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଖୋଲିଲା ଶିମିଳିପାଳ ଜାତୀୟ ଉଦ୍ୟାନ । ଶିମିଳିପାଳ ଜାତୀୟ ଅଭୟାରଣ୍ୟର ସୌନ୍ଦର୍ଯ୍ୟକୁ ଉପଭୋଗ ପାଇଁ ଆଜି ସକାଳୁ ରାଜ୍ୟ ତଥା ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗ ଓ ଝାରଖଣ୍ଡରୁ ପର୍ଯ୍ୟଟକଙ୍କ ଭିଡ଼ ଲାଗିଛି । ପ୍ରଥମ ଦିନରେ ପୀଠବଟା ଗେଟ ବନବିଭାଗ ପକ୍ଷରୁ ପର୍ଯ୍ୟଟକଙ୍କୁ ଗୋଲାପ ଫୁଲ ଦେଇ ସ୍ୱାଗତ କରାଯାଇଛି । ସକାଳ ୬ଟାରୁ ୯ଟା ଭିତରେ ପ୍ରବେଶ ଅନୁମତି ରହିଛି ।

ଶିମିଳିପାଳ ଅଭୟାରଣ୍ୟକୁ କେଵଳ ପରିଭ୍ରମଣ କରି ଫେରିବାକୁ ଚାହୁଁଥିବା ପର୍ଯ୍ୟଟକମାନେ ଉଭୟ ଲୁଲୁଙ୍ଗ ଏବଂ ଯଶୀପୁର ଫାଟକ ଦେଇ ଅନୁମତି ପାଶ ନେଇ ଯାଇପାରିବେ । ରାତ୍ରୀ ଯାପନ କରିବାକୁ ଚାହୁଁଥିବା ପର୍ଯ୍ୟଟକମାନେ OTDC କିମ୍ବା www.ecotourodisa.com ୱେବସାଇଟରେ ଅନଲାଇନରେ କଟେଜ ବୁକିଙ୍ଗ କରି ଏହି ସୁବିଧା ନେଇ ପାରିବେ ।

ଦେଶର ଅଷ୍ଟମ ଜୈବମଣ୍ଡଳ ଶିମିଳିପାଳର ଜୈବବିଭିଧତାକୁ ଉପଭୋଗ କରିବାକୁ ଶିମିଳିପାଳ ଅଭୟାରଣ୍ୟ ଭିତରେ 5 ଟି ଇକୋଟୁରିଜିମ କପ୍ଲେକ୍ସ ଯଥା ରାମତୀର୍ଥ, ଗୁଡୁଗୁଡିଅ।, କୁମାରୀ, ଜାମୁଅଣି ଏବଂ ବରେହିପାଣିରେ ରାତ୍ରୀ ରହଣୀର ବ୍ୟବସ୍ଥା ରଖାଯାଇଛି । ଚଳିତ ବର୍ଷ ପର୍ଯ୍ୟଟକମାନଙ୍କ ପାଇଁ ଶିମିଳିପାଳକୁ ଅଧିକ ଉପଭୋଗ୍ୟ କରିବାକୁ ସାଇକେଲ ରାଇଡିଂ ଏବଂ ପିଲାମାନଙ୍କ ପାଇଁ ଇନଡୋର ଗେମ ଇତ୍ୟାଦିର ବ୍ୟବସ୍ଥା କରାଯାଇଛି ।

ୱାଚ ଟାୱାରରୁ ବନ୍ୟଜନ୍ତୁକୁ ଦେଖିବାର ସୁଯୋଗ ପାଇବେ ପର୍ଯ୍ୟଟକ । ତେବେ ପର୍ଯ୍ୟଟକଙ୍କ ପାଇଁ ପ୍ରତ୍ୟେକ ଦିନ ଯଶୀପୁର ତନଖି ଫାଟକ ଦେଇ ୩୫ଟି ଓ ବାରିପଦା ପୀଠାବଟା ତନଖି ଫାଟକ ଦେଇ ୨୫ଟି ପର୍ଯ୍ୟଟକଙ୍କ ଗାଡିକୁ ପ୍ରବେଶ ପାଇଁ ଅନୁମତି ମିଳିବ । ଅନ୍ୟପକ୍ଷରେ ପ୍ରଥମ ଦିନରେ ଶିମିଳିପାଳ ଅଭୟାରଣ୍ୟକୁ ପ୍ରବେଶ ସୁଯୋଗ ପାଇ ଥିବାରୁ ପର୍ଯ୍ୟଟକଙ୍କ ଭିତରେ ଉତ୍ସାହ ଦେଖିବାକୁ ମିଳିଛି ।