ଧବଳେଶ୍ୱର ପୋଲ ମରାମତି ପାଇଁ ପୀଠରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ୧୪୪ ଧାରା ଜାରି

କଟକ: ଆଗକୁ ଆସୁଛି ବଡ଼ଓଷା । ପବିତ୍ର ଧବଳେଶ୍ବରଙ୍କ ପୀଠରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ। ଗୁଜୁରାଟ ଝୁଲା ପୋଲ ଭୁଶୁଡିବା ପରେ ପ୍ରଶାସନକୁ ଘାରିଛି ଧବଳେଶ୍ବର ପୋଲ ସୁରକ୍ଷା ଚିନ୍ତା । ମରାମତି ପାଇଁ ଅନିର୍ଦ୍ଦିଷ୍ଟ କାଳ ପାଇଁ ୧୪୪ ଧାରା ଜାରି କରିଛି ପ୍ରଶାସନ । ଆଜିଠୁ ପୀଠକୁ ଯିବା ପାଇଁ ଭକ୍ତଙ୍କୁ ବାରଣ କରାଯାଇଛି ।

ଧବଳେଶ୍ବର ପୀଠକୁ ଯିବା ପାଇଁ ଗୋଟିଏ ମାତ୍ର ମାଧ୍ୟମ ପାଲଟିଥିବା ଝୁଲା ପୋଲ ଏବେ ଦୁର୍ବଳ ଅବସ୍ଥାରେ ରହିଛି । ବିଶେଷଜ୍ଞ ଟିମଙ୍କ ଦ୍ବାରା ସ୍ଥିତି ଅନୁଧ୍ୟାନ ପରେ ମରାମତି ପାଇଁ ପୀଠରେ ୧୪୪ ଧାରା ଲାଗୁ ହୋଇଛି । ଆଜିଠୁ ଝୁଲା ପୋଲର ମରାମତି କାମ ଆରମ୍ଭ ହୋଇଛି । କାର୍ତ୍ତିକ ମାସରେ ବାବା ଧବଳେଶ୍ବରଙ୍କୁ ଦର୍ଶନ ପାଇଁ ଭକ୍ତଙ୍କ ଗହଳି ଲାଗିଥାଏ ।

ହେଲେ ଝୁଲା ପୋଲ ମରାମତି ପାଇଁ ପୀଠରେ ୧୪୪ ଧାରା ଲାଗୁ ହୋଇଥିବାରୁ ନିରାଶ ହୋଇଛନ୍ତି ଭକ୍ତ । ପୀଠରେ ଖାଁ ଖାଁ ପରିବେଶ ଥିବା ବେଳେ, ନୀତି କାନ୍ତି କିନ୍ତୁ ଜାରି ରହିଛି । ୨୦୦୬ ମସିହାରେ ନିର୍ମିତ ହୋଇଥିବା ଏହି ପୋଲର ଧାରଣ କ୍ଷମତା ଧୀରେ ଧୀରେ କମି ୨୦୦ରେ ପହଞ୍ଚିଛି ।