ଶେଷ ଦିନରେ ଜୋରଦାର ହେବ ପ୍ରଚାର, ଭୋଟରଙ୍କୁ ମନାଇବା ପାଇଁ ଶେଷ ପ୍ରୟାସ କରିବେ ଦଳ

ଧାମନଗର: ଧାମନଗର କାଉଣ୍ଟଡାଉନ । ଆଜି ସରିବ ବିଦ୍ଧିବଦ୍ଧ ପ୍ରଚାର । ଶେଷ ଦିନରେ ଜୋରଦାର ପ୍ରଚାର କରିବେ ୩ ପ୍ରମୁଖ ରାଜନୈତିକ ଦଳ । ଭୋଟ ହାତେଇବାକୁ ଆଜି ଶେଷ ଲକ୍ଷ୍ୟ ରଖିଛନ୍ତି ପ୍ରାର୍ଥୀ । ହଜାର ହଜାର କର୍ମୀଙ୍କୁ ନେଇ ବଡ଼ ବାଇକ ରାଲି କରିବ ବିଜେଡି । ଲୋକଙ୍କ ପାଖରେ ପହଞ୍ଚି ଭୋଟ ପାଇଁ ନିବେଦନ କରିବ ଦଳ । ଯେହେତୁ ଆଜି ପ୍ରଚାରର ଶେଷ ଦିନ ତିନି ପ୍ରମୁଖ ଦଳ ଲୋକଙ୍କୁ ମନାଇବା ପାଇଁ ଶେଷ ପ୍ରୟାସ କରିବେ ।

ଜନତା ଜନାର୍ଦ୍ଦନ ମଧ୍ୟ ଆଜି ମନସ୍ଥ କରିବେ ସେମାନେ କାହାକୁ ଭୋଟ ଦେବେ । ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀ ଭୋଟ୍ ମାଗୁଥିବା ବେଳେ ଶାସକ ବିଜେଡି ବିକାଶ ଓ ମୁଖ୍ୟମନ୍ତ୍ରୀଙ୍କ ଜନହିତକାରୀ କାର୍ଯ୍ୟର ଉଲ୍ଲେଖ କରି ବୋଟ ଭିକ୍ଷା କରିଛି । ଗତକାଲି ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କ ପାଇଁ ପ୍ରଚାର କରିଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଧାମନଗର ବିକାଶ ଦାୟିତ୍ବ ନିଜେ ନେବା ସହ ପଞ୍ଚାୟତ, ପୌର ଭଳି ଏଥର ବି ବିଜେଡି ପ୍ରାର୍ଥୀଙ୍କୁ ଆଶୀର୍ବାଦ ଦେବାକୁ ଅନୁରୋଧ କରିଛନ୍ତି ନବୀନ । ୫ବର୍ଷର କାମ ୧୮ ମାସରେ ସାରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ମିଶନ ଶକ୍ତି ମାଆ ଅବନ୍ତୀ ଦାସଙ୍କୁ ଭୋଟ୍ ଦେଇ ଜୟଯୁକ୍ତ କରିବାକୁ ନିବେଦନ କରିଛନ୍ତି ନବୀନ । ବିଜେଡି ପକ୍ଷରୁ ଅବନ୍ତୀ ଦାସ ବିଧାୟକ ପ୍ରାର୍ଥିନୀ ଥିବା ବେଳେ କଂଗ୍ରେସ ପକ୍ଷରୁ ହରେକୃଷ୍ଣ ସେଠୀ ପ୍ରାର୍ଥୀ ଅଛନ୍ତି । ସେହିପରି ବିଜେପିର ସୂର୍ଯ୍ୟବଂଶୀ ସୁରଜ ଓ ସ୍ୱାଧୀନ ଭାବେ ରାଜେନ୍ଦ୍ର ଦାସ ନିର୍ବାଚନୀ ମଇଦାନରେ ପ୍ରତିଦ୍ୱନ୍ଦିତା କରୁଛନ୍ତି ।