ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ମଦର ପବ୍ଲିକ ସ୍କୁଲର କୃତୀ ଛାତ୍ରୀ । ଆଜି ଦଶମ ଓ ଦ୍ୱାଦଶ ଶ୍ରେଣୀର ସି.ବି.ଏସ୍.ଇ ପରୀକ୍ଷାରେ ଉଲ୍ଲେଖନୀୟ କୃତିତ୍ବ ହାସଲ କରିଥିବା ମଦର ପବ୍ଲିକ ସ୍କୁଲର ଛାତ୍ରୀମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସଠାରେ ଭେଟିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଥିଲେ।
ଦଶମ ଶ୍ରେଣୀର ଶ୍ରେୟା ପଟ୍ଟନାୟକ, ସ୍ବୟଂଶ୍ରୀ ଗହନ ଏବଂ ଦ୍ବାଦଶ ଶ୍ରେଣୀର ଶ୍ରେୟା ଶ୍ରୀପଦା । ଶ୍ରେୟା ଦଶମ ଶ୍ରେଣୀରେ ଶତ ପ୍ରତିଶତ ନମ୍ବର ରଖି ସର୍ବଭାରତୀୟ ସ୍ତରରେ ଶ୍ରେଷ୍ଠ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସ୍ଥାନ ହାସଲ କରିଥିବା ବେଳେ ସ୍ବୟଂଶ୍ରୀ ୯୯.୬ ପ୍ରତିଶତ ନମ୍ବର ରଖିଛନ୍ତି । ସେହିପରି ଦ୍ବାଦଶ ଶ୍ରେଣୀର ଶ୍ରେୟା ଶ୍ରୀପଦା ୯୭ ପ୍ରତିଶତ ନମ୍ବର ରଖିଛନ୍ତି ।
ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଅଭିନନ୍ଦନ ଜଣାଇଥିଲେ ଏବଂ ସେମାନଙ୍କର ଭବିଷ୍ୟତର ଲକ୍ଷ୍ୟ ସଂପର୍କରେ ପଚାରି ବୁଝିଥିଲେ । ଶ୍ରେୟା ପଟ୍ଟନାୟକ ଭବିଷ୍ୟତରେ ଜଣେ ଡାକ୍ତର ହେବାକୁ ଇଚ୍ଛା ରଖିଥିବା ବେଳେ, ସ୍ବୟଂଶ୍ରୀ ଜଣେ ବୈଜ୍ଞାନିକ ହେବାକୁ ଚାହାଁନ୍ତି ବୋଲି କହିଥିଲେ । ସେହିପରି ଦ୍ବାଦଶ ଶ୍ରେଣୀର ଶ୍ରେୟା ଶ୍ରୀପଦା ଜଣେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ହେବା ଲକ୍ଷ୍ୟ ବୋଲି କହିଥିଲେ । ଏହି ଅବସରରେ ଛାତ୍ରୀମାନଙ୍କ ସହ ଉପସ୍ଥିତ ତିଲେ ସ୍କୁଲର ପ୍ରିନିସିପାଲ ଓ ଭାଇସ-ପ୍ରିନିସିପାଲ ।
ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ମଦର୍ସ ପବ୍ଲିକ୍ ସ୍କୁଲର କୃତୀ ଛାତ୍ରୀ
ଯୁକ୍ତ୨ କଟ ଅଫ୍ ମାର୍କ ପ୍ରକାଶିତ; ବିଜ୍ଞାନ ଓ ବାଣିଜ୍ୟରେ ରେଭେନ୍ସା ଏକ ନମ୍ବର
ଭୁବନେଶ୍ୱର: ପ୍ରକାଶ ପାଇଲା ଯୁକ୍ତ୨ କଟ ଅଫ ମାର୍କ । ଦୁଇଟି ଷ୍ଟ୍ରିମରେ ରେଭେନ୍ସା ହାଇଅର ସେକେଣ୍ଡାରୀ ସ୍କୁଲ ସର୍ବାଧିକ କଟ ଅଫ୍ ସହ ଆଗରେ ରହିଛି । ବିଜ୍ଞାନରେ ୯୪.୩୩ ପ୍ରତିଶତ, ବାଣିଜ୍ୟରେ ୮୪.୧୭ ପ୍ରତିଶତ ସହ ଆଗରେ ରହିଛି ରେଭେନ୍ସା । ସେହିଭଳି ବିଜ୍ଞାନରେ ୯୩.୨୦% ମାର୍କ ସହ ବ୍ରହ୍ମପୁର ନୀଳକଣ୍ଠନଗର ଏସଭିଏମ ଦ୍ୱିତୀୟ ଓ ୯୩% କଟଅଫ୍ ସହ ଭୁବନେଶ୍ୱର ବିଜେଡି କଲେଜ ତୃତୀୟରେ ରହିଛି ।
ଚଳିତ ବର୍ଷ ପୁରୀ ଜିଲ୍ଲା କୃଷ୍ଣପ୍ରସାଦର କଣ୍ଡାଖାଇ ହାଇଅର ସେକେଣ୍ଡାରୀ ସ୍କୁଲ ୮୩.୫୦ ପ୍ରତିଶତ ସହ ଆଗରେ ରହିଛି । ରେଭେନ୍ସା ସମେତ ରାଜ୍ୟର ଟପ୍ ୧୦ଟି ସ୍କୁଲର କଟ ଅଫ୍ ମାର୍କ ପ୍ରକାଶ ପାଇଛି । ଆସନ୍ତା ୧୯ ତାରିଖରୁ ନାମଲେଖା ଆରମ୍ଭ ହେବ । ପ୍ରଥମ ପର୍ଯ୍ୟାୟରେ ୪ ଲକ୍ଷ ୪ ହଜାର ୪୦୦ ଜଣ ଛାତ୍ରଛାତ୍ରୀ ନାମ ଲେଖାଇବା ପାଇଁ ମନୋନୀତ ହୋଇଛନ୍ତି।
ଆସନ୍ତାକାଲି ଜନ୍ମାଷ୍ଟମୀ, ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କୁ ଲାଗିହେଲା ଛଅମୂର୍ତ୍ତି ଅଳଙ୍କାର
ପୁରୀ: ଆସନ୍ତାକାଲି ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥି, ଜନ୍ମାଷ୍ଟମୀ । ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ । ଏଥିପାଇଁ ଆଜି ଶ୍ରୀମନ୍ଦିରରେ ସନ୍ଧ୍ୟା ଆଳତି ସମୟରେ ଶ୍ରୀଜୀଉଙ୍କୁ ଛଅମୂର୍ତ୍ତି ଅଳଙ୍କାର ଲାଗି କରାଯାଇଛି । ସନ୍ଧ୍ୟାଧୂପ ନୀତି ବଢିବା ପରେ ଜୟବିଜୟ ଦ୍ୱାର ବନ୍ଦ କରାଯାଇଥିଲା। ଟେରା ବନ୍ଧା ହେବାପରେ ମହାପ୍ରଭୁଙ୍କ ନିକଟରେ ଯେଉଡ ଭୋଗ ଅର୍ଥାତ ସାଗ, ତରକାରୀ, ପିଠା, ଝିଲି, ଖିରି ଆଦି ରୋଷଘରୁ ଆସି ଅଣସର ପିଣ୍ଡିରେ ରଖାଯାଇଥିଲା ।
ମୁଦିରସ୍ତ ସେବାୟତ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ପ୍ରସାଦ ଲାଗି କରିଥିଲେ । ତିନି ପୂଜାପଣ୍ଡା ପଞ୍ଚାକ୍ଷର ମନ୍ତ୍ରରେ ପୂଜା କରିବା ସହ ପୂଜାପଣ୍ଡା, ପତି ମହାପାତ୍ର ଓ ମୁଦିରସ୍ତ ତିନିବାଡରେ ବନ୍ଦାପନା କରିଥିଲେ । ଏହାକୁ ଗର୍ଭଉଦକ ବନ୍ଦାପନା କୁହାଯାଇଥାଏ । ସ୍ୱୟଂ ଶ୍ରୀଜଗନ୍ନାଥ ମହାପ୍ରଭୁ ଦେବକୀ ରୂପ ଧାରଣକରି ଗର୍ଭଧାରଣ କରିଥିବାରୁ ସୁଖ ପ୍ରସବ ଲାଗି ତାଙ୍କୁ ଯେଉଡ ପ୍ରସାଦ ଲାଗି କରାଯାଇଥାଏ ବୋଲି ବିଶ୍ୱାସ ରହିଛି ।
ରାଜଧାନୀ ଉପକଣ୍ଠରେ ଫୁଲୁଛି ଦୟାନଦୀ, ଏକାଧିକ ଘଳିଆ ସୃଷ୍ଟି
ଭୁବନେଶ୍ୱର: ରାଜଧାନୀ ଉପକଣ୍ଠରେ ବଢୁଛି ଦୟାନଦୀ । କୁମାରଡିହି ଗାଁ ନଦୀବନ୍ଧରେ ଏକାଧିକ ଘଳିଆ ସୃଷ୍ଟି ହୋଇଛି । ଦୟା ନଦୀରୁ ଧଉଳି ଗାଁ ବିଲରେ ପାଣି ପଶିଛି । ଘଟଣାସ୍ଥଳରେ ପ୍ରଶାସନ ପହଞ୍ଚି ନଦୀବନ୍ଧ ପ୍ୟାକିଂ କରୁଛି । ୨ ହଜାର ବାଲିବସ୍ତା ପକାଇ ବନ୍ଦ ବାନ୍ଧିବାକୁ ଚାଲିଛି ଉଦ୍ୟମ । ଘଟଣାସ୍ଥଳରେ ମନ୍ତ୍ରୀ ଅଶୋକ ପଣ୍ଡା ଏବଂ ସରପଞ୍ଚ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ।
ପିପିଲି ଭାର୍ଗବୀ ନଦୀରେ ଏକାଧୀକ ଘଳିଆ
ପିପିଲି: ଭାର୍ଗବୀ ନଦୀ ନୂଆଶାସନରେ ସୃଷ୍ଟି ହେଲା ଘଳିଆ । ବର୍ତ୍ତମାନ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ଘଳିଆ ବନ୍ଦ କରିବାକୁ ଚେଷ୍ଟା କରୁଛି । ତେବେ ନଦୀ ବନ୍ଧର ପଶ୍ଚିମ ପାର୍ଶ୍ଵ ଘଳିଆ ଆୟତ୍ତ ହେଉନଥିବାରୁ ଚିନ୍ତାରେ ସ୍ଥାନୀୟ ପ୍ରଶାସନ ଓ ଜନସାଧାରଣ । ବାଲି ବସ୍ତା ବଲ୍ଲା ଦେଇ ଘଳିଆ କୁ ଆୟତ୍ତ କରିବା ନେଇ ଲଗାତାର ଉଦ୍ୟମ ଚାଲିଥିବାବେଳେ ନୂଆଶାସନ ପଂଚାୟତର ଲୋକ ଆତଙ୍କିତ ଅବସ୍ଥାରେ ଅଛନ୍ତି ।
ଭାର୍ଗବୀ ନଦୀରେ ବନ୍ୟା ଯୋଗୁ ନିମାପଡ଼ାର ଅଧିକାଂଶ ଅଞ୍ଚଳ ଜଳବନ୍ଦୀ। ବ୍ଲକର ବଡ଼ମାଛପୁର, ସଗଡ଼ା, ଧନୁଆ, ରେଞ୍ଚ, ଆଦି ପଂଚୟତର ୫୦ରୁ ଅଧିକ ଗାଁ ଜଳମଗ୍ନ ହୋଇଛି। ଏହା ସହିତ ହେକ୍ଟର ହେକ୍ଟର ଚାଷଜମିରେ ବନ୍ୟାଜଳ ପଶିଛି। ନିମାପଡା ଭୁବନେଶ୍ୱର ମୁଖ୍ୟ ରାସ୍ତା, ଗରପଦା ଓ ବଳଙ୍ଗା ନିମାପଡା ମୁଖ୍ୟ ରାସ୍ତାରେ ଦୁଇ ଫୁଟ ପାଣି ପ୍ରବାହିତ ହେଉଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ନିମାପଡା ଧନୁଆ ଛକରୁ ଅଧିକ ସୂଚନା ଦେଉଛନ୍ତି ଆମ ପ୍ରତିନିଧି ମାନସ ଖଣ୍ଡୁଆଳ।
ସ୍ତ୍ରୀଙ୍କୁ କଟାକ୍ଷ କରିବା, ଅନ୍ୟମାନଙ୍କ ସହ ତୁଳନା କରିବା ଏକ ମାନସିକ କ୍ରୁରତା: କେରଳ ହାଇକୋର୍ଟ
ଥିରୁଭନନ୍ତପୁରମ: ପତ୍ନୀଙ୍କୁ ଅନ୍ୟମାନଙ୍କ ସହ ତୁଳନା କରିବା ଏକ ମାନସିକ କ୍ରୁରତା । ସେହିଭଳି ସ୍ତ୍ରୀଙ୍କୁ ବାରମ୍ବାର କଟାକ୍ଷ କରିବା ମଧ୍ୟ ମାନସିକ କ୍ରୁରତା ଶ୍ରେଣୀରେ ସାମିଲ । ଆଜି ଏକ ବିବାହ ବିଚ୍ଛେଦ ମାମଲାର ଶୁଣାଣି କରି କେରଳ ହାଇକୋର୍ଟ ଏହି ଗୁରୁତ୍ୱ ପୂର୍ଣ୍ଣ ଟିପ୍ପଣୀ ରଖିଛନ୍ତି । ସ୍ୱାମୀଙ୍କ ହିସାବ ମୁତାବିକ ଚଳିବା, ତାଙ୍କ ଇଚ୍ଛାକୁ ଯେନତେନ ପ୍ରକାରେ ପୂରଣ କରିବା ମାନସିକ କ୍ରୁରତା ବୋଲି ଅଭିହିତ କରିଛନ୍ତି କେରଳ ହାଇକୋର୍ଟ।
ଜଣେ ଯୁବକ ବିବାହ ବିଚ୍ଛେଦ ପାଇଁ ହାଇକୋର୍ଟରେ ଆବେଦନ କରିଥିଲେ । ୨୦୧୯ରେ ତାଙ୍କର ବିବାହ ହୋଇଥିଲା । ଉଭୟଙ୍କ ମଧ୍ୟରେ ଆପୋସ ବୁଝାମଣା ପାଇଁ ମଧ୍ୟ ଉଦ୍ୟମ ହୋଇଥିଲା । ହେଲେ ବୁଝାମଣା ହୋଇ ନପାରିବାରୁ ଯୁବକ ଜଣକ ହାଇକୋର୍ଟରେ ବିଚ୍ଛେଦ ପାଇଁ ଆବେଦନ କରିଥିଲେ । ଶୁଣାଣିବେଳେ କୋର୍ଟ ଜାଣିବାକୁ ପାଇଥିଲେ ଯେ, ଯୁବକଙ୍କ ଇଚ୍ଛା ଅନୁସାରେ ସ୍ତ୍ରୀ ନିଜକୁ ଖାପ ଖୁଆଇ ଚଳିପାରୁନଥିଲେ । ଏଥିପାଇଁ ଯୁବକ ଜଣକ ଅନ୍ୟମାନଙ୍କ ସ୍ତ୍ରୀ ସହ ତୁଳନା କରି ବାରମ୍ବାର କଟାକ୍ଷ କରୁଥିଲେ । ତୁମେ ସୁନ୍ଦର ନୁହଁ କହି ପ୍ରତାରିତ କରୁଥିଲେ । ମାମଲାର ଶୁଣାଣି କରି ବିବାହ ବିଚ୍ଛେଦକୁ ହଁ କରିନଥିଲେ ସୁଦ୍ଧା ଏହାକୁ ମାନିନିଆଯାଇପାରେ ବୋଲି ଟିପ୍ପଣୀ ଦେଇଥିଲେ । ଆଗକୁ ମାମଲାର ଆହୁରି ଶୁଣାଣି ଅଛି ।
ବିଜେପି ସଂସଦୀୟ ବୋର୍ଡ଼ରୁ ବାଦ ପଡ଼ିଲେ ଗଡ଼କରୀ ଓ ଶିବରାଜ
ନୂଆଦିଲ୍ଲୀ: ବିଜେପି ନିଜ ସଂସଦୀୟ ବୋର୍ଡ ଏବଂ ନିର୍ବାଚନ କମିଟିର ପୁନର୍ଗଠନ କରିଛି। ଦଳ କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡକରୀଙ୍କୁ ସଂସଦୀୟ ବୋର୍ଡରୁ ହଟାଇ ଦେଇଛି। ତାଙ୍କ ବ୍ୟତୀତ ଦଳ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କୁ ମଧ୍ୟ ସଂସଦୀୟ ବୋର୍ଡ଼ରୁ ହଟାଇ ଦିଆଯାଇଛି।
ବୋର୍ଡ଼ରେ ନୂଆ ସଦସ୍ୟ ଭାବେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ ୟେଦ୍ଦୁରପ୍ପା ଏବଂ ସୁଦ୍ଧା ଯାଦବ, ଇକବାଲ ସିଂହ ଲାଲପୁରା, ସର୍ବାନନ୍ଦ ସୁନୁୱାଲ, କେ ଲକ୍ଷ୍ମଣ ଏବଂ ସତ୍ୟ ନାରାୟଣ ଜାତିଆଙ୍କୁ ସାମିଲ କରାଯାଇଛି।
ସଂସଦୀୟ ବୋର୍ଡ ହେଉଛି ବିଜେପିର ସର୍ବୋଚ୍ଚ ନୀତି ନିର୍ଦ୍ଧାରଣକାରୀ ଗୋଷ୍ଠୀ । କିଏ ମୁଖ୍ୟମନ୍ତ୍ରୀ ହେବେ ଅବା ରାଜ୍ୟ ଦଳର ମୁଖ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ କିଏ ରହିବେ ତାହା ବିଜେପିର ସଂସଦୀୟ ବୋର୍ଡ ନିଷ୍ପତ୍ତି ନେଇଥାଏ। ତେବେ ଏହାର ପୁନର୍ଗଠନ ପରେ ନୂଆ ସଂସଦୀୟ ବୋର୍ଡରେ ନରେନ୍ଦ୍ର ମୋଦୀ, ରାଜନାଥ ସିଂହ, ଅମିତ ଶାହା, ବିଏସ ୟେଦିୟୁରପ୍ପା, ସର୍ବାନନ୍ଦ ସୋନୋୱାଲ, କେ.ଲକ୍ଷ୍ମଣ, ଇକବାଲ ସିଂହ ଲାଲପୁରା, ସୁଧା ଯାଦବ, ସତ୍ୟନାରାୟଣ ଜାଟିଆ ଏବଂ ବି.ଏଲ୍ ସନ୍ତୋଷଙ୍କ ସମେତ ୧୧ ଜଣ ସଦସ୍ୟ ଅଛନ୍ତି।

