ଶୁଣିଲାନି ରାୟଗଡା ପୋଲିସ, ପାଟ୍ରୋଲିଂ ପୋଲିସ ଭ୍ୟାନ୍‌ ଚୋରି କରିନେଲେ ଆନ୍ଧ୍ର ଯୁବକ

ଯାଜପୁର: ଥାନାରୁ ପୋଲିସ ପାଟ୍ରୋଲିଂ ଭ୍ୟାନ୍ ଚୋରି । ରାୟଗଡ଼ାରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି । ତେବେ ପରେ ଚୋରି ହୋଇଥିବା ପୋଲିସ ପାଟ୍ରୋଲିଂ ଭ୍ୟାନ ଆନ୍ଧ୍ରପ୍ରଦେଶରୁ ଉଦ୍ଧାର କରାଯାଇଛି । ଗତ ୫ ତାରିଖ ମଧ୍ୟାହ୍ନରେ ରାୟଗଡ଼ା ଥାନା ପରିସରରୁ ପୋଲିସ ପାଟ୍ରୋଲିଂ ଭ୍ୟାନ ଚୋରି ହୋଇଥିଲା । ଆଖପାଖ ବିଭିନ୍ନ ଥାନା ସହ ଆନ୍ଧ୍ରପ୍ରଦେଶ ପୋଲିସକୁ ସୂଚନା ଏନେଇ ଦିଆଯାଇଥିଲା। ସୂଚନା ପାଇ ଆଲର୍ଟ ରହିଥିଲା ଆନ୍ଧ୍ରପ୍ରଦେଶ ପୋଲିସ ।

ଆନ୍ଧ୍ରପ୍ରଦେଶରର ପାର୍ବତୀପୁରମ ଓ କୋମରଡ଼ା ଥାନା ମଧ୍ୟବର୍ତ୍ତୀ ଅଞ୍ଚଳରେ ଭ୍ୟାନକୁ ନିଆଯାଉଥିବା ବେଳେ ଆନ୍ଧ୍ରପ୍ରଦେଶ ପୋଲିସ ଅଟକାଇ ହେପାଜତକୁ ନେଇଥିଲା। ରାୟଗଡ଼ା ପୋଲିସ ସେଠାକୁ ଯାଇ ଚୋରି ଭ୍ୟାନ ଆଣିବା ସହ ତଦନ୍ତ ଜାରି ରଖିଛି । ସୂଚନା ଅନୁସାରେ ଆନ୍ଧ୍ରପ୍ରଦେଶ ରାଜମହେନ୍ଦ୍ରୀ ଅଞ୍ଚଳର ରୁଦ୍ରଶିବା ନାମକ ବ୍ୟକ୍ତି ଭ୍ୟାନ ଚୋରି କରି ନେଇଥିଲା । ଗାଡି ଚୋରି କରିଥିବା ଅଭିଯୋଗରେ ପୋଲିସ ତାକୁ ଗିରଫ କରିଛି ।

ସେ କୌଣସି କାମରେ ରାୟଗଡ଼ା ଆସିଥିବା ବେଳେ ତା’ ଟଙ୍କା ଚୋରି ହୋଇଯାଇଥିଲା । ଏ ନେଇ ସେ ପୋଲିସରେ ଅଭିଯୋଗ କରିବା ପାଇଁ ଯାଇଥିଲା । ତା’ ଅଭିଯୋଗ ପୋଲିସ ନଶୁଣିବାରୁ ରାଗରେ ସେ ପୋଲିସ ଭ୍ୟାନ ଚୋରି କରି ନେଇଥିଲା ବୋଲି ଆନ୍ଧ୍ର ପୋଲିସ ଆଗରେ କହିଛି । ତେବେ ରାୟଗଡା ପୋଲିସ ଏହାକୁ ଖଣ୍ଡନ କରିଛି । ରୁଦ୍ରଶିବା ଥାନାକୁ ଆସି ନଥିବା ଏବଂ ଗେଟ୍‌ ବାହାରରେ ଥିବା ପାଟ୍ରୋଲିଂ ଭ୍ୟାନ ଚୋରି କରି ନେଇଥିବା ସିସିଟିଭି ଫୁଟେଜରୁ ଜଣା ପଡ଼ିଥିବା ରାୟଗଡା ଥାନା ଅଧିକାରୀ ରଶ୍ମିରଞ୍ଜନ ପ୍ରଧାନ କହିଛନ୍ତି । ତେବେ କ୍ୟାମେରା ସମ୍ମୁଖରେ କିଛି କହିବା ପାଇଁ ପୋଲିସ ମନା କରିଛି ।