spot_img
Home Blog Page 3957

ଶୌଚ ହେଉଥିବା ବେଳେ ବନ୍ୟା ପାଣିର ଶ୍ରୋତରେ ଭାସିଗଲେ ଯୁବକ

ଭଦ୍ରକ: ବନ୍ୟା ଜଳର ପ୍ରଖର ସ୍ରୋତରେ ଭାସିଗଲେ ଯୁବକ । ଆରଡି ନିକଟସ୍ଥ ମୁଆଁଗାଁ ନିକଟ ବୈତରଣୀ ନଦୀରେ ଶୌଚ ହେଉଥିବା ବେଳେ ଭାସିଗଲେ । ଯୁବକଙ୍କ ପତ୍ତା ମିଳୁ ନଥିବା ବେଳେ କୁମ୍ଭୀର ଝାମ୍ଫି ନେଇଥିବା ଆଶଙ୍କା କରାଯାଉଛି । ଗାଁ ଲୋକ ଡଙ୍ଗା ଦ୍ବାରା ଖୋଜାଖୋଜି ଜାରି ରଖିଛନ୍ତି। ଏପରି ଖବର ପାଇ ଧାମନଗର ଅଗ୍ନଶମ ବିଭାଗ ପହଁଚି ବୋଟ ଦ୍ୱାରା ଖୋଜିବା ଆରମ୍ଭ କରିଛି।

ମୁଣ୍ଡଳିରେ କମୁଛି ଜଳସ୍ତର; ମହାନଦୀରେ ୧୦ ଲକ୍ଷ ୯୬ ହଜାର ୯୮୦ କ୍ୟୁସେକ ଜଳ ପ୍ରବାହିତ

କଟକ: ମୁଣ୍ଡଳୀରେ କମୁଛି ଜଳ ସ୍ତର। ଗତକାଲି ପିକ୍ ଫ୍ଲଡ ଅତିକ୍ରମ କରିବା ପରେ ମୁଣ୍ଡଳିରେ ଜଳ ପ୍ରବାହ ଲଗାତାର ଭାବେ କମିବାରେ ଲାଗିଛି ହୀରାକୁଦରେ ମଧ୍ୟ ଜଳସ୍ତର କମୁଥିବା ସୂଚନା ଦେଇଛନ୍ତି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର।

ହୀରାକୁଦରେ ଗତକାଲି ଖୋଲାଯାଇଥିବା ଗେଟର ପାଣି ଖଇରମୂଳ ପାଖରେ ପହଞ୍ଚିଛି । ଆଉ ୨୪ଘଣ୍ଟା ମଧ୍ୟରେ ଏହା ମୁଣ୍ଡୁଳୀରେ ପହଞ୍ଚିବ। ସେତେବେଳକୁ ମୁଣ୍ଡୁଳୀରେ ପାଣି କମିଯାଇଥିବ। ତେଣୁ ସେ ପାଣି ଆସିଲେ ବି ଫ୍ଲୋ ସମାନ ରହିବ । ଚିନ୍ତାର କାରଣ ନାହିଁ ବୋଲି ଜଳସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର କହିଛନ୍ତି ।  ଗତକାଲି ୧୨ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେଉଥିଲା । ଆଜି ଅପରାହ୍ଣ ୨ଟା ସୁଦ୍ଧା ମୁଣ୍ଡୁଳୀରେ ୧୦ ଲକ୍ଷ ୯୬ ହଜାର ୯୮୦ କ୍ୟୁସେକ ଜଳ ପ୍ରବାହିତ ହେଉଛି । ଗତକାଲି ଅପେକ୍ଷା ୧ଲକ୍ଷରୁ ଅଧିକ ଜଳପ୍ରବାହ କମିଛି।

ତେବେ ବର୍ତ୍ତମାନ ହୀରାକୁଦର ୪୦ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି।  ପ୍ରତି ସେକେଣ୍ଡରେ ଜଳଭଣ୍ଡାରକୁ ୬ ଲକ୍ଷ ୨୪ ହଜାର ୨୫୪ କ୍ୟୁସେକ ଜଳ ପ୍ରବେଶ କରୁଛି । ଜଳ ଭଣ୍ଡାରରୁ ୬ ଲକ୍ଷ ୮୧ହଜାର ୪୩୧ କ୍ୟୁସେକ ଜଳ ନିଷ୍କାସିତ ହେଉଛି। ଜଳ ଭଣ୍ଡାରରେ ଏବେ ୬୨୬ .୪୭ ଫୁଟ ଜଳସ୍ତର ରହିଛି।

ବଢ଼ିଲା ଜ୍ୟାକଲିନଙ୍କ ଅଡ଼ୁଆ, ୨୧୫ କୋଟି ଠକେଇ ମାମଲାରେ ଇଡିର ଚାର୍ଜସିଟ୍

ମୁମ୍ବାଇ: ବଢ଼ିଲା ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଅଡ଼ୁଆ । ଠକେଇ ଘଟଣାର ମୁଖ୍ୟ ଅଭିଯୁକ୍ତ ସୁକେଶ ଚନ୍ଦ୍ରଶେଖରଙ୍କ ବିରୋଧରେ ହୋଇଥିବା ମାମଲାରେ ଜ୍ୟାକଲିନଙ୍କ ନାମ ସ୍ଥାନ ପାଇଛି । ସୁକେଶଙ୍କ ନାମରେ ୨୧୫ କୋଟି ଟଙ୍କା ଠକେଇ ଅଭିଯୋଗ ରହିଛି । ଦିଲ୍ଲୀ କୋର୍ଟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଦାୟର ଅତିରିକ୍ତ ଚାର୍ଜସିଟରେ ଅଭିନେତ୍ରୀଙ୍କ ନାମ ସ୍ଥାନୀତ ହୋଇଛି । ରାନବାକ୍ସି କମ୍ପାନିର ପୂର୍ବତନ ପ୍ରମୋଟର ଆଦିତି ସିଂ ଓ ଶିବେନ୍ଦ୍ର ସିଂଙ୍କ ନିକଟରୁ ୨୧୫ କୋଟି ଟଙ୍କା ଠକେଇ ଘଟଣାରେ ଦିଲ୍ଲୀ ପୋଲିସ ପୂର୍ବରୁ ସୁକେଶଙ୍କୁ ଗିରଫ କରିଥିଲା ।

ଇଡିର ପ୍ରଥମ ଚାର୍ଜସିଟରେ ସୁକେଶ କିପରି ଟଙ୍କା ଠକେଇ କରିଥିଲେ ତାହା ଦର୍ଶାଯାଇଥିଲା । ଦ୍ୱିତୀୟ ଚାର୍ଜସିଟରେ ଜ୍ୟାକଲିନଙ୍କୁ ସୁକେଶ ଦେଇଥିବା ୫ କୋଟି ଟଙ୍କାର ଗିଫ୍ଟ ବିଷୟ ଉଲ୍ଲେଖ ରହିଛି । ବେଆଇନ ଅର୍ଥରେ ଏହି ଗିଫ୍ଟ ଦିଆଯାଇଥିବା ନେଇ ଜ୍ୟାକଲିନ ଜାଣିଥିବା ସତ୍ତ୍ବେ ସେ ଏହି ଗିଫ୍ଟ ଗ୍ରହଣ କରିଥିଲେ ବୋଲି ଚାର୍ଜସିଟରେ ଦର୍ଶାଯାଇଛି । ପୂର୍ବରୁ ବେଆଇନ ଅର୍ଥ ଚାଲାଣ ଆଇନ ବା ପିଏମଏଲଏ ଅନୁସାରେ ଅଭିନେତ୍ରୀଙ୍କ ପ୍ରାୟ ୭ କୋଟି ଟଙ୍କାର ସମ୍ପତ୍ତି ଆଟାଚ୍ କରିଥିଲା ଇଡି । ଏହି ମାମଲାରେ ଇଡି ବର୍ତ୍ତମାନ ସୁଦ୍ଧା ସୁକେଶଙ୍କ ପତ୍ନୀ ଲୀନା ମାରିଆ ପଲଙ୍କ ସମେତ ୮ଜଣଙ୍କୁ ଗିରଫ କଲାଣି ।

ମହାରାଷ୍ଟ୍ର ଗନ୍ଦିଆରେ ଟ୍ରେନ୍ ଦୁର୍ଘଟଣା, ୫୦ ଆହତ

ମୁମ୍ବାଇ: ମହାରାଷ୍ଟ୍ର ଗନ୍ଦିଆରେ ଟ୍ରେନ ଦୁର୍ଘଟଣା । ଏକ ମାଲବାହୀ ଟ୍ରେନ ସହ ଯାତ୍ରୀବାହୀ ଟ୍ରେନର ଧକ୍କା ପରେ ଆହତ ହୋଇଛନ୍ତି ୫୦ରୁ ଅଧିକ ଯାତ୍ରୀ । ସିଗନାଲରେ ତ୍ରୁଟି ଯୋଗୁ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ଯାତ୍ରୀବାହୀ ଟ୍ରେନଟି ରାୟପୁରରୁ ନାଗପୁର ଯାଉଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା । ଟ୍ରେନର ଏସ-୩ କୋଚଟି ଦୁର୍ଘଟଣାରେ ନଷ୍ଟ ହୋଇଥିଲା । ଆହତ ଯାତ୍ରୀଙ୍କ ଚିକିତ୍ସା ହୋଇଛି । ଦୁଇଟି ଯାକ ଟ୍ରେନ ଗୋଟିଏ ଦିଗକୁ ଯାଉଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା । ପ୍ରାୟ ୩ ଘଣ୍ଟା ପରେ ଟ୍ରେନ ଲାଇନ ସଜଡ଼ା ଯିବା ପରେ ଟ୍ରେନ ଚଳାଚଳ ସ୍ୱାଭାବିକ ହୋଇଥିଲା ।

ସ୍କୁଲରେ ପଶିଲା ବନ୍ୟାପାଣି, ବାତିଲ ହେଲା ପରୀକ୍ଷା

ଭଦ୍ରକ: ବନ୍ୟାପାଣି ପାଇଁ ବାତିଲ ହେଲା ପରୀକ୍ଷା । ସ୍କୁଲରେ ବନ୍ୟାଜଳ ପଶିବାରୁ ପରୀକ୍ଷା ବାତିଲ ହୋଇଛି । ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ କାସିମପୁର ହେମେନ୍ଦ୍ର ନାଥ ହାଇସ୍କୁଲରେ ଫରମେଟିଭ୍ ଆସେସମେଣ୍ଟ ପରୀକ୍ଷା ବନ୍ଦ ହୋଇଛି । ଦୀର୍ଘ ସମୟ ଛିଡ଼ା ହେବା ପରେ ଛାତ୍ରଛାତ୍ରୀ ମାନେ ପରୀକ୍ଷା ନଦେଇ ଫେରିଛନ୍ତି ।

ଖବର ଅନୁଯାୟୀ, ହେମେନ୍ଦ୍ର ନାଥ ହାଇସ୍କୁଲରେ ରେବ ଓ କପାଳି ନଦୀର ବନ୍ୟାଜଳ ପ୍ରବେଶ କରିଛି । କ୍ଲାସ ରୁମରେ ବନ୍ୟା ଜଳ ଭର୍ତ୍ତି ହୋଇଥିବାରୁ ଫରମେଟିଭ ଆସେସମେଣ୍ଟ ପରୀକ୍ଷା ହୋଇପାରିନାହିଁ । ସ୍କୁଲକୁ ଯିବା ବେଳେ ଆଣ୍ଠୁଏ ପାଣି ହେଉଥିବା ବେଳେ କ୍ଲାସ ରୁମରେ ପାଣି ଭର୍ତ୍ତି ରହିଛି । ଏମିତି ସ୍ଥିତିରେ ପ୍ରଧାନଶିକ୍ଷକ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଅବଗତ କରିବା ପରେ ପରୀକ୍ଷାକୁ ବାତିଲ କରାଯାଇଛି ।

ବନ୍ୟା ସ୍ଥିତି ସମୀକ୍ଷା କଲେ ରାଜସ୍ୱ ମନ୍ତ୍ରୀ, କହିଲେ ବିପନ୍ନଙ୍କ ପାଇଁ କରାଯାଇଛି ଖାଦ୍ୟ, ପାନୀୟ ଜଳ ଓ ଔଷଧ ବ୍ୟବସ୍ଥା

ଭୁବନେଶ୍ୱର: ରାଜ୍ୟରେ ଆହୁରି ୩ରୁ ୪ଦିନ ଏମିତି ବନ୍ୟା ସ୍ଥିତି ଲାଗି ରହିବ । ଆଗାମୀ ୨୪ ଘଣ୍ଟା ରାଜ୍ୟ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ । ବନ୍ୟା ଦ୍ବାରା ମହାନଦୀ ସିଷ୍ଟମରେ ଗତକାଲି ଦୁଇଟି ଘାଇ ହୋଇଥିଲା । ଆଜି ଆଉ ଦୁଇଟି ଘାଇ ସହ ମୋଟ ୪ଟି ଘାଇ ହୋଇଛି । ୨୦୧୧ ପରେ ରାଜ୍ୟରେ ଏଭଳି ବନ୍ୟା ହୋଇଛି । ବର୍ତ୍ତମାନ ଘଣ୍ଟାକୁ ୧୭ ହଜାର କ୍ୟୁସେକ ପାଣି ମୁଣ୍ଡଳୀରୁ ଖସୁଛି । କିଛି ସମୟ ପରେ ଘଣ୍ଟାକୁ ୨୫ ହଜାର କ୍ୟୁସେକ ପାଣି ଖସିବ। ହୀରାକୁଦ ଡ୍ୟାମର ବନ୍ୟା ଜଳ ମୁଣ୍ଡଳୀଠାରେ କାଲି ସକାଳେ ପହଞ୍ଚିବ । ପ୍ରାୟ ୯ରୁ ୧୦ ଲକ୍ଷ କ୍ୟୁସେକ ପାଣି ନିଷ୍କାସିତ ହେବ । କଟକ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା ବନ୍ୟାରେ ପ୍ରଭାବିତ ହୋଇଛି । ଜଗତସିଂହପୁର ଓ ପୁରୀ ଜିଲ୍ଲା ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ ହୋଇଛି ।

ଆଜି ଓଡ୍ରାଫ, NDRF, ଅଗ୍ନିଶମ ବିଭାଗର ଅତିରିକ୍ତ ଟିମ ପଠାଯାଇଛି । ବ୍ରାହ୍ମଣୀ ଓ ବୈତରଣୀ ବେଲ୍ଟରେ ବର୍ଷା ଆକଳନ କରାଯାଉଥିବାରୁ କେନ୍ଦୁଝର, ଭଦ୍ରକ ଓ ଯାଜପୁରକୁ ସତର୍କ ରହିବା ପାଇଁ କୁହାଯାଇଛି । ସ୍ୱାସ୍ଥ୍ୟ ବିଭାଗ ସହିତ ଲଗାତର ସମନ୍ବୟ ରଖାଯାଉଛି । ପର୍ଯ୍ୟାପ୍ତ କିଟ୍ ପାଇଁ କୁହାଯାଇଛି । ସବୁ ସିଏଚସିରେ ଆଣ୍ଟି ଭେନମ କିଟ୍ ଅଧିକ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ରେସକ୍ୟୁ ଅପରେସନ ଚାଲିଛି । ବନ୍ୟା ବିପନ୍ନଙ୍କୁ ରନ୍ଧା ଖାଦ୍ୟ ଦିଆଯାଉଛି । ରାଜ୍ୟରେ ମଧ୍ୟମ ଧରଣର ବନ୍ୟା ହୋଇଛି । ଘାଇ ଓ ଘଳିଆ ମରାମତି କରାଯାଉଥିବା ରାଜସ୍ବ ମନ୍ତ୍ରୀ କହିଛନ୍ତି।

୫ ଦିନ ପରେ ମହାନଦୀ ଟାପୁରୁ ଉଦ୍ଧାର ହେଲେ ବାପ-ପୁଅ

ଆଠଗଡ଼: ୫ ଦିନ ପରେ ମହାନଦୀ ଟାପୁରୁ ଉଦ୍ଧାର ହେଲେ ବାପା-ପୁଅ । ଉଭୟ ବାପ-ପୁଅଙ୍କୁ ଉଦ୍ଧାର କରିଛି ଓଡ୍ରାଫ୍ ଟିମ୍ । ଛେଳି ଚରାଇବାକୁ ଯାଇ ଉଭୟ ୫ ଦିନ ହେବ ମହାନଦୀର ଟାପୁରେ ଫସିଯାଇଥିଲେ ।

ସୂଚନା ଅନୁସାରେ ଆଠଗଡ଼ କନ୍ଦରପୁର ଅମଙ୍ଗେକୁଦରେ ବାପ-ପୁଅ ଫସି ରହିଥିଲେ । ୫ ଦିନ ତଳେ ଛେଳି ଚରାଇବାକୁ ଯାଇଥିଲେ । କିନ୍ତୁ ହଠାତ ବନ୍ୟା ପାଣି ମାଡ଼ି ଆସିବାରୁ ଉଭୟ ସେହି ଟାପୁରେ ଫସିଯାଇଥିଲେ । ସେମାନଙ୍କ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯିବାରୁ ଚିନ୍ତାରେ ପଡ଼ିଯାଇଥିଲେ ପରିବାର ଲୋକ । ତେବେ ଖବର ପାଇ ଓଡ୍ରାଫ୍ ଟିମ୍ ଜରିଆରେ ଉଦ୍ଧାର ପାଇଁ ଉଦ୍ୟମ ଆରମ୍ଭ ହୋଇଥିଲା । ଶେଷରେ ଓଡ୍ରାଫ ଟିମ୍ ଟାପୁରେ ପହଞ୍ଚି ଉଭୟ ବାପ-ପୁଅଙ୍କୁ ଉଦ୍ଧାର କରିଥିଲେ ।

 

 

ଗୁରୁଦିବସରେ ‘ଗୁରୁବ୍ରହ୍ମା ସମ୍ମାନ-୨୦୨୨’

ଭୁବନେଶ୍ୱର: ସେପ୍ଟେମ୍ବର ୫ ତାରିଖ ଗୁରୁଦିବସ । ଗୁରୁଦିବସ ଉପଲକ୍ଷେ ନନ୍ଦିଘୋଷ ଟିଭି ଓ ଦୈନିକ ଖବର କାଗଜ ସକାଳ ପକ୍ଷରୁ ନିଆରା ପ୍ରୟାସ । ସିଭିରମଣ ଗ୍ଲୋବାଲ ବିଶ୍ୱବିଦ୍ୟାଳୟ ସହଯୋଗରେ ପ୍ରଦାନ କରାଯିବ ‘ଗୁରୁବ୍ରହ୍ମା ସମ୍ମାନ-୨୦୨୨’ । ପ୍ରାଥମିକ, ମାଧ୍ୟମିକ ଏବଂ ଉଚ୍ଚ ମାଧ୍ୟମିକ ବର୍ଗରେ ୩ ଜଣ ଲେଖାଏଁ ସମୁଦାୟ ୯ ଜଣ ଶିକ୍ଷକ ପାଇବେ ଆର୍ଥିକ ପୁରସ୍କାର ଏବଂ ସମ୍ମାନ । ଉଭୟ ସରକାରୀ ଏବଂ ଘରୋଇ ସ୍କୁଲର ଶିକ୍ଷକ ଏଥିପାଇଁ ଆବେଦନ କରିପାରିବେ । ଅଗଷ୍ଟ ୨୩ ତାରିଖ ହେଉଛି ଆବେଦନ କରିବାର ଶେଷ ତାରିଖ ।

ଆଗ୍ରହୀ ଶିକ୍ଷକମାନେ [email protected] ରେ ସିଧାସଳଖ ଆବେଦନ କରିପାରିବେ । ନିଜ ବାୟୋଡାଟା ସହ ସାଧା କାଗଜରେ ଆବେଦନ କରିପାରିବେ । ଏହି ଆବେଦନ ପତ୍ରରେ ନିଜେ ଶିକ୍ଷା ପ୍ରଦାନ କ୍ଷେତ୍ରରେ ଗ୍ରହଣ କରିଥିବା ନୂତନ ପଦ୍ଧତି ସମ୍ପର୍କରେ ସମ୍ୟକ ସୂଚନା ରହିବା ଆବଶ୍ୟକ । ଗତ ଦୁଇ ବର୍ଷ ମଧ୍ୟରେ ଆପଣଙ୍କ ଛାତ୍ରଛାତ୍ରୀ କିଭଳି ପରୀକ୍ଷାଫଳ କରିଛନ୍ତି ସେ ସମ୍ପର୍କିତ ବିବରଣୀ ସଂଲଗ୍ନ କରିବା ଜରୁରୀ । ଯଦି ଆପଣ ସରକାରୀ ସ୍କୁଲର ଶିକ୍ଷକ, ତାହେଲେ ଆପଣଙ୍କ ସଫଳତା ସମ୍ପର୍କରେ ବ୍ଲକ ଶିକ୍ଷା ଅଧିକାରୀଙ୍କଠାରୁ ଏକ ସୁପାରିସ ପତ୍ର ଆବେଦନ ସହ ସଂଯୁକ୍ତ କରିବେ । ଯଦି ଆପଣ ଘରୋଇ ସ୍କୁଲର ଶିକ୍ଷକ, ତାହେଲେ ନିଜ ସ୍କୁଲର ଅଧ୍ୟକ୍ଷଙ୍କଠାରୁ ଏକ ସୁପାରିସ ପତ୍ର ଆବେଦନ ସହ ସଂଯୁକ୍ତ କରିବେ । ଆପଣଙ୍କ ନାଁରେ କୌଣସି ଅପରାଧିକ ମାମଲା ନାହିଁ ବୋଲି ଏକ ସ୍ୱଘୋଷିତ ପତ୍ର ମଧ୍ୟ ଆବେଦନ ସହ ସଂଯୁକ୍ତ କରିବେ । ଏହି ଆବେଦନ ପାଇଁ ଶିକ୍ଷକଙ୍କୁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ ।

ରାଜଧାନୀରେ ପଶିଲା ବନ୍ୟାଜଳ

ଭୁବନେଶ୍ୱର: ରାଜ୍ୟରେ ଗମ୍ଭୀର ହେଉଛି ବନ୍ୟା ସ୍ଥିତି । ମହାନଦୀରେ ଆସିଥିବା ବଡ଼ ବନ୍ୟାରେ ପୂରା ଅଧା ଓଡ଼ିଶା ଏବେ ଜଳମଗ୍ନ । ତେବେ ରାଜଧାନୀ ଭୁବନେଶ୍ୱରରେ ପଶିଛି ବନ୍ୟାଜଳ । ଦୟାନଦୀର ଉଚ୍ଛୁଳା ବନ୍ୟାଜଳ ପଶିଛି । ସୁନ୍ଦରପଦା ହାଇଟେକ ପ୍ଲାଜା, ଦୟାଲ ଆଶ୍ରମ ଅଞ୍ଚଳ ହୋଇଛି ଜଳମଗ୍ନ । ପାଣି ଘେରରେ ଅଛନ୍ତି ଶହଶହ ଲୋକ । ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରୁଛି ଅଗ୍ନିଶମ ବାହିନୀ ।

ସେପଟେ ରାଜଧାନୀ ଉପକଣ୍ଠ ବାଲିପାଟଣା ମଧ୍ୟ ଜଳମଗ୍ନ ହୋଇ ରହିଛି । ବାଲପାଟଣାର ବିଭିନ୍ନ ପଞ୍ଚାୟତରେ ପଶିଛି ବନ୍ୟାଜଳ । ଦରଡ଼ା ଗାଁରେ ୧୦ରୁ ଅଧିକ ପରିବାର ଏବେ ପାଣି ଘରରେ ରହିଛନ୍ତି । ଯାହାଫଳରେ ଲୋକମାନେ ଘର ଛାଡ଼ି ସ୍କୁଲରେ ଆଶ୍ରୟ ନେଇଛନ୍ତି ।

ମୁଣ୍ଡଳୀରେ କମୁଛି ଜଳସ୍ତର, ମହାନଦୀରେ ୧୧ ଲକ୍ଷ ୭୭ ହଜାର କ୍ୟୁସେକ ଜଳ ପ୍ରବାହିତ

କଟକ: ମୁଣ୍ଡଳୀରେ କମୁଛି ଜଳସ୍ତର । ପୂର୍ବାପେକ୍ଷା କମିଛି ୧ ଲକ୍ଷ କ୍ୟୁସେକ ଜଳ କମିଛି । ଉଭୟ ଉପରମୁଣ୍ଡ ଓ ତଳମୁଣ୍ଡରେ ଜଳସ୍ତର ବିପଦ ସଂକେତ ଉପରେ ରହିଛି । ସେହିପରି ନରାଜ କାଠଯୋଡ଼ିରେ ୫ ଲକ୍ଷ ୯୫ ହଜାର ୭୭୩ କ୍ୟୁସେକ ଜଳ ପ୍ରବାହିତ ହେଉଛି । ଯୋବ୍ରାରେ ମଧ୍ୟ ବିପଦ ସଂକେତ ପାର କରିଛି ମହାନଦୀ । ଏଠାରେ ୫ ଲକ୍ଷ ୮୧ ହଜାର ୫୮୩ କ୍ୟୁସେକ ଜଳ ପ୍ରବାହିତ ହେଉଛି । ଯୋବ୍ରାରେ ମଧ୍ୟ ଜଳସ୍ତର ବିପଦ ସଂକେତ ଉପରେ ରହିଛି । ଆଗକୁ ରାତିରେ ପୁଣି ଥରେ ହୀରାକୁଦ ଜଳ ଆସି ମୁଣ୍ଡଳିରେ ପହଂଚିବା ପରେ ଜଳ ସ୍ତର ପୁଣି ବଢ଼ିବାର ଆଶଙ୍କା ରହିଛି ।