spot_img
Home Blog Page 3871

ସରକାରୀ ସ୍କୁଲରେ ମିଳିବ କ୍ୟାରିୟର କୋଚିଂ

ଭୁବନେଶ୍ବର: ଏଣିକି ସ୍କୁଲରେ ମିଳିବ କ୍ୟାରିୟର ପାଇଁ କୋଚିଂ। ହାଇସ୍କୁଲ କ୍ୟାମ୍ପସକୁ ଜୁନିଅର କଲେଜ ଆସିବା ପରେ ଏପରି ବଡ଼ ନିଷ୍ପତ୍ତି ନେବାକୁ ଯାଉଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଢାଞ୍ଚାରେ ସରକାରୀ ସ୍କୁଲରେ କମ୍ପିଟେଟିଭ୍ ପରୀକ୍ଷା ପାଇଁ କୋଚିଂ ଦେବାକୁ ଯୋଜନା କରୁଛନ୍ତି ରାଜ୍ୟ ସରକାର । ଯାହା ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କୁ ମାଗଣାରେ ପ୍ରସ୍ତୁତି କରିବାରେ ସହାୟକ ହେବ ।

ମେଧାବୀଙ୍କ ସ୍ବପ୍ନରେ ଲାଗିବ ଡେଣା । କ୍ୟାରିୟରକୁ ମିଳିବ ନୂଆ ଉଡ଼ାଣ । ସ୍କୁଲ କ୍ୟାମ୍ପସରୁ କ୍ୟାରିୟର ପ୍ରସ୍ତୁତି । ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସଫଳତା ସରକାରୀ ସ୍କୁଲରେ ଦୋହରାଇବାକୁ ରାଜ୍ୟ ସରକାରଙ୍କ ମାଷ୍ଟର ପ୍ଲାନ୍ । ଯେଉଁ ସ୍କୁଲ କ୍ୟାମ୍ପସର ଅପଗ୍ରେଡେସନ୍ ହୋଇ ଜୁନିଅର କଲେଜ ଖୋଲିବ, ସେଠାର ମେଧାବୀ ଛାତ୍ରଛାତ୍ରୀଙ୍କୁ ମିଳିବ କୋଚିଂ । ଏପରି ହେଲେ ସରକାରୀ କ୍ୟାମ୍ପସରେ ଏକାଦଶ ଓ ଦ୍ବାଦଶ ପଢୁଥିବା ଛାତ୍ରଛାତ୍ରୀ ଆଇଆଇଟି, ଜେଇଇ ଓ ଅନ୍ୟ କମ୍ପିଟେଟିଭ୍ ପରୀକ୍ଷା ପାଇଁ ମାଗଣାରେ ପ୍ରସ୍ତୁତି କରିପାରିବେ । ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ କିଛି ଘରୋଇ ଟ୍ୟୁଟରିଆଲ ସଂସ୍ଥାକୁ ନେଇ ଏପରି ଯୋଜନାରେ ସଫଳତା ପାଇଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ।

ସ୍କୁଲରେ ମାଗଣା କୋଚିଂ, ଉପକୃତ ହେବେ ଗରିବ ମେଧାବୀ । ଉଚ୍ଚଶିକ୍ଷା କ୍ଷେତ୍ରରେ ଆର୍ଥିକ ସମସ୍ୟା ବାଧା ସୃଷ୍ଟି କରେ । ଅର୍ଥାଭାବ ଯୋଗୁଁ କୋଚିଂ ନେଇପାରନ୍ତିନି ମେଧାବୀ । ଷ୍ଟ୍ରିମ ପରିବର୍ତ୍ତନ ବା ପାଠ ଛାଡି ନିଜ ସ୍ବପ୍ନକୁ ମାରିଦେବାକୁ ବାଧ୍ୟ ହୁଅନ୍ତି । ହେଲେ ଅପଗ୍ରେଡସନ୍ କାର୍ଯ୍ୟକ୍ରମରେ ସ୍ପେଶାଲ କୋଚିଂ ବ୍ୟବସ୍ଥା ଜରିଆରେ ସବୁ ଛାତ୍ରଛାତ୍ରୀଙ୍କ ଶିକ୍ଷାଗତ ଭବିଷ୍ୟତକୁ ସୁରକ୍ଷା ମିଳିପାରିବ ।

ସ୍କୁଲ ରୂପାନ୍ତର ହେବା ସହ ସରକାରୀ ସ୍କୁଲ ଗୁଡ଼ିକରେ ବ୍ୟାପକ ପରିବର୍ତ୍ତନ ଆସିଛି । ପାଠପଢା ପ୍ରତି ଛାତ୍ରଛାତ୍ରୀଙ୍କ ଆଗ୍ରହ ବଢିଛି । ଶିକ୍ଷାଦାନର ଆହିରୁ ଗୁଣାତ୍ମକ ମାନ ବୃଦ୍ଧି ପାଇଁ ବ୍ୟାପକ ଭାବେ ଶିକ୍ଷକ ନିଯୁକ୍ତି କରାଯାଉଛି ।

ଜଳସମ୍ପଦ ବିଭାଗର ନବନିଯୁକ୍ତ ୨୫୭ କନିଷ୍ଠ ଯନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଦିଗଦର୍ଶନ

ଭୁବନେଶ୍ବର: ନବନିଯୁକ୍ତ ଜଳସମ୍ପଦ ବିଭାଗର କନିଷ୍ଠ ଯନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦିଗଦର୍ଶନ । ଆଜି ଜଳସମ୍ପଦ ବିଭାଗରେ ୨୫୭ ଜଣ କନିଷ୍ଠ ଯନ୍ତ୍ରୀ ଯୋଗଦାନ କରିଛନ୍ତି । ସେମାନଙ୍କ ମଧ୍ୟରେ ଅଛନ୍ତି ୮୭ ଜଣ ମହିଳା । ଲୋକସେବା ଭବନରେ ସେମାନଙ୍କୁ ଦିଗଦର୍ଶନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଭର୍ଚୁଆଲରେ ସେମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ନିଜର କର୍ତ୍ତବ୍ୟ ପ୍ରତି ସଚେତନ ରହି ରାଜ୍ୟବାସୀଙ୍କ ଉନ୍ନତି ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ ଭାବେ କାମ କରିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । କୃଷିକୁ ଜଳ ଯୋଗାଣ ସହ ଜଳ ସମ୍ପଦ ବିଭାଗ ବନ୍ୟା ମୁକାବିଲା କରି ଲୋକଙ୍କ ଜୀବନ ବଞ୍ଚାଇବାରେ ସହାୟତା ଦେଇଥାଏ । ରାଜ୍ୟରେ ୨ ହଜାର ୫ ଶହ ଡ୍ୟାମ ରହିଛି । ଲୋୟର ସୁକତେଲ, କାନପୁର ଓ ଘଟକେଶ୍ବର ପରି ଡ୍ୟାମର କାର୍ଯ୍ୟ ଜାରି ରହିଛି । ରାଜ୍ୟ ସରକାର ୩୦ଟି ଜଳ ସଂରକ୍ଷଣ ବ୍ୟବସ୍ଥା ଓ ୧୬ଟି ପାଇପ ଲାଇନ ପ୍ରୋଜେକ୍ଟ ପାଇଁ ୧୨ ହଜାର କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ନବନିଯୁକ୍ତ କନିଷ୍ଠ ଯନ୍ତ୍ରୀଙ୍କ ଉପରେ ଏହାର ରକ୍ଷଣାବେକ୍ଷଣ ଓ ଉପଯୋଗର ଭାର ରହିଛି । ଏହି ଅବସରରେ ଫାଇଭ-ଟି ଉପଯୋଗ ସମ୍ପର୍କରେ ମଧ୍ୟ ଆଲୋକପାତ କରିଥିଲେ ମୁଖ୍ୟମନ୍ତ୍ରୀ । ଫାଇଭ-ଟି ଆଧାରରେ କାମ କରିବାକୁ ସେ ନବନିଯୁକ୍ତ କନିଷ୍ଠ ଯନ୍ତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି ।

ଜିନପିଙ୍ଗଙ୍କ ଲଢ଼ିବେ ଯୁଦ୍ଧ: ପ୍ରସ୍ତୁତ ରହିବାକୁ ସେନାକୁ ନିର୍ଦ୍ଦେଶ

ବେଜିଂ: ବଢ଼ିଲା ଚୀନ-ତାଇଓ୍ବାନ ସମ୍ଭାବ୍ୟ ଯୁଦ୍ଧର ଘନଘଟା । ତାଇଓ୍ବାନ ବିରୋଧରେ ପ୍ରସ୍ତୁତ ହେବା ଲାଗି ସେନାକୁ ନିର୍ଦ୍ଦେଶ ଦେଲେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ । ସେଣ୍ଟ୍ରାଲ ମିଲିଟାରୀ କମିଶନର ମିଳିତ ଅପରେସନସ କମାଣ୍ଡ ସେଣ୍ଟରକୁ ଗସ୍ତରେ ଯାଇ ସମ୍ଭାବ୍ୟ ଯୁଦ୍ଧ ଲାଗି ପ୍ରସ୍ତୁତ ରହିବାକୁ ସେନାକୁ ଦେଇଛନ୍ତି ନିର୍ଦ୍ଦେଶ । ତୃତୀୟ ଥର ପାଇଁ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ନିଜର ପ୍ରଥମ ଗସ୍ତରେ ସୈନ୍ୟ ସଂଖ୍ୟା ବୃଦ୍ଧି, ପ୍ରଶିକ୍ଷଣ ଓ ଯୁଦ୍ଧ ପ୍ରସ୍ତୁତି ଲାଗି ସେନାକୁ ଦେଇଛନ୍ତି ନିର୍ଦ୍ଦେଶ ।

ସେ କହିଛନ୍ତି, ବର୍ତ୍ତମାନ ଚୀନର ଜାତୀୟ ନିରାପତ୍ତା ଅସ୍ଥିରତା ବଳୟକୁ ଯାଇଥିବା ସହ ଅନିଶ୍ଚୟତା ଆଡକୁ ଦେଶ ଗତି କରୁଛି । ଏଥିଲାଗି ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିବାକୁ ଜିନପିଙ୍ଗ ସେନାକୁ କହିଛନ୍ତି ।

ସେପଟେ ତାଇଓ୍ବାନ ରାଷ୍ଟ୍ରପତି ସାଇ ଇଙ୍ଗ ଓ୍ବେନ କହିଛନ୍ତି, ଚୀନର ଆକ୍ରମଣ ନେଇ ମିଳିବାରେ ଲାଗି ସ୍ପଷ୍ଟ ସୂଚନା । ସମ୍ଭାବ୍ୟ ଆକ୍ରମଣ କ୍ଷେତ୍ରରେ ତାଇଓ୍ବାନକୁ ସମର୍ଥନ କରିବା ଲାଗି ପାଶ୍ଚାତ୍ୟ ରାଷ୍ଟ୍ରଙ୍କୁ ଆହ୍ବାନ ଦେଇଛନ୍ତି ସାଇ ।

ମାର୍ଗଶୀର ପ୍ରଥମ ଗୁରୁବାର ମାଣ୍ଡିଆ ଦିବସ

ଭୁବନେଶ୍ବର: ଆସନ୍ତାକାଲି ମାର୍ଗଶୀର ମାସ ପ୍ରଥମ ଗୁରୁବାର । ସାରା ରାଜ୍ୟରେ ପାଳନ ହେବ ମାଣ୍ଡିଆ ଦିବସ । କାଲି କୃଷି ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ । ଏଥିରେ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମାଣ୍ଡିଆ ଚାଷକୁ ପ୍ରୋତ୍ସାହନ ଦେବା ସହିତ ମାଣ୍ଡିଆରୁ ପ୍ରସ୍ତୁତ ଖାଦ୍ୟର ଲୋକପ୍ରିୟତା ବୃଦ୍ଧି ଲକ୍ଷ୍ୟରେ ମାଣ୍ଡିଆ ଦିବସ ପାଳନ କରାଯାଉଛି ।

୨୦୧୭-୧୮ ଆର୍ଥିକ ବର୍ଷରେ ରାଜ୍ୟ ସରକାର ମିଲେଟ୍ ମିଶନ ଆରମ୍ଭ କରିଥିଲେ । ପ୍ରଥମେ ୭ଟି ଜିଲ୍ଲାର ୩୦ ବ୍ଲକରେ ମିଲେଟ୍ ମିଶନ କାର୍ଯ୍ଯକାରୀ ହୋଇଥିଲା । ଏବେ ରାଜ୍ୟର ୧୯ଟି ଜିଲ୍ଲାର ୧୪୨ ବ୍ଲକରେ ଏହା କାର୍ଯ୍ଯକାରୀ ହେଉଛି । ଓଡ଼ିଶାରେ ଦିନକୁ ଦିନ ବଢୁଛି ମାଣ୍ଡିଆ ଚାହିଦା । ମିଲେଟ୍ ମିଶନ୍ ମାଧ୍ୟମରେ ଗାଁ ଓ ସହରରେ ମହିଳା ରୋଜଗାରକ୍ଷମ ହୋଇପାରିଛନ୍ତି । ମିଲେଟ୍ ଜାତୀୟ ଖାଦ୍ୟ ସାମଗ୍ରୀର ପ୍ରଚାର ପ୍ରସାର ପାଇଁ ମିଶନ୍ ଶକ୍ତିର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଦାୟିତ୍ୱ ଦିଆଯାଇଛି । ଯାହାକି ଦେଶରେ ପ୍ରଥମ । ମିଲେଟ୍ ଚାଷକୁ ପ୍ରୋତ୍ସାହିତ କରିବା ଦିଗରେ ଓଡ଼ିଶା ମିଲେଟ୍ ମିଶନ୍ ଦ୍ୱାରା ନିଆଯାଇଥିବା ପଦକ୍ଷେପକୁ ସର୍ବୋତ୍ତମ ମଡେଲ ମଧ୍ୟରୁ ଗୋଟିଏ ଭାବେ ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ସ୍ୱୀକୃତି ମିଳିଛି ।

ବିସ୍ଥାପିତଙ୍କୁ ପସନ୍ଦ ସରକାରଙ୍କ ‘ଲୋୟର ସୁକତେଲ୍’ ପ୍ଲାନ୍

ବଲାଙ୍ଗୀର: ଶେଷ ପର୍ଯ୍ୟାୟରେ ବଲାଙ୍ଗୀରର ଜୀବନରେଖା ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ କାମ । ଆଉ କିଛି ମାସ ପରେ ପ୍ରକଳ୍ପର ଲୋକାର୍ପଣ କରାଯିବ I ତା’ପୂର୍ବରୁ କେମିତି ଜଣେ ବି ପ୍ରକଳ୍ପ ବିସ୍ଥାପିତ ହକ୍ ପାଇବାରୁ ବଞ୍ଚିତ ନହୁଅନ୍ତି ସେନେଇ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ସମୀକ୍ଷା କରାଯାଉଛି I ବିସ୍ଥାପିତ କଲୋନୀରେ ସମସ୍ତ ସୁବିଧା ରହିଛି I ମଡେଲ କଲୋନୀରେ ପକ୍କା ରାସ୍ତା, ପାର୍କ, ସ୍କୁଲ, ଷ୍ଟ୍ରିଟଲାଇଟ ସହ ଆତ୍ମନିର୍ଭରଶୀଳ ହେବା ପାଇଁ ତାଲିମ୍ ପ୍ରଦାନ କରାଯିବ । ଭିଟାମାଟି ଛାଡିଥିବା ଲୋକଙ୍କୁ ସମସ୍ତ ପ୍ରକାର ମୌଳିକ ସୁବିଧା ଯୋଗାଇ ଦିଆଯିବ । କ୍ଷତିପୂରଣ ନେଇ ନିଜେ ଥଇଥାନ ହେବାକୁ ଚାହୁଁଥିବା ଲୋକଙ୍କ ପାଇଁ ମଧ୍ୟ ସ୍ଵତନ୍ତ୍ର ପ୍ୟାକେଜ୍ ଦିଆଯାଉଛି ।

ବଲାଙ୍ଗୀର, ସୋନପୁରର ହଜାର ହଜାର ହେକ୍ଟର ଜମିରେ ହସିବ ସୁନା ଫସଲ । ବିକାଶ ସାଙ୍ଗକୁ ବିସ୍ଥାପିତଙ୍କ ପାଇଁ ମଡେଲ୍ କଲୋନୀ । ବିସ୍ଥାପିତଙ୍କୁ ପସନ୍ଦ ସରକାରଙ୍କ ‘ଲୋୟର ସୁକତେଲ୍’ ପ୍ଲାନ୍ । ଜୋରସୋରରେ ଚାଲିଛି ଦୁଇ ଦଶନ୍ଧି ଧରି ବାଦ ବିବାଦରେ ଥିବା ବଲାଙ୍ଗୀରର ଲାଇଫଲାଇନ ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ କାମ । ବିସ୍ଥାପିତଙ୍କ ଆନ୍ଦୋଳନ ପ୍ରକଳ୍ପ ଭବିଷ୍ୟତକୁ ଅନିଶ୍ଚିତତା ମଧ୍ୟକୁ ଠେଲି ଦେଇଥିଲା । ୨୦୧୮ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକଳ୍ପ ସମୀକ୍ଷା କରିବା ସହ ବିସ୍ଥାପିତ ସମସ୍ୟାର ସମାଧାନ ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ I ପରେ 5T ଅଧୀନକୁ ଆସିଥିଲା ପ୍ରକଳ୍ପ I ମୁଖ୍ୟ ଶାସନ ସଚିବ, 5T ସଚିବ ପ୍ରମୁଖ ପ୍ରକଳ୍ପ ସ୍ଥଳ ପରିଦର୍ଶନ କରି ସମୀକ୍ଷା କରିବା ସହ ବିସ୍ଥାପିତ ସମସ୍ୟା ସମାଧାନ ନେଇ ପ୍ରତିଶ୍ରୁତି ଦେଇଥିଲେ । ପ୍ରକଳ୍ପରେ ସ୍ପିଲୱେ କାମ ପ୍ରାୟତଃ ସରିଥିବା ବେଳେ ସ୍ଲୁଇସ୍ ଗେଟ କାମ ଚାଲିଛି । ମାଟି କାମ ୯୦ ପ୍ରତିଶତ ଶେଷ ହୋଇଛି I ଆସନ୍ତା ମାର୍ଚ୍ଚ ସୁଦ୍ଧା ପ୍ରକଳ୍ପ ସାରିବାକୁ ଡେଡଲାଇନ ରହିଛି । ପ୍ରକଳ୍ପ ଦ୍ବାରା ବଲାଙ୍ଗୀର ଓ ସୁବର୍ଣ୍ଣପୁର ଜିଲ୍ଲାର ହଜାର ହଜାର ହେକ୍ଟର ଜମିକୁ ପାଣି ମାଡ଼ିବ । ବଲାଙ୍ଗୀରବାସୀ ବିଶୁଦ୍ଧ ପିଇବା ପାଣି ପାଇବେ । ପ୍ରକଳ୍ପ କାମ ସହ ବିସ୍ଥାପିତଙ୍କୁ ଥଇଥାନ୍ କାମ ଚାଲିଛି । ପ୍ରାୟ ୧୨ ହଜାର ବିସ୍ଥାପିତ ପରିବାର ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ୧୧ଟି ଥଇଥାନ କଲୋନୀ ଚିହ୍ନଟ କରାଯାଇଛି । ୭ଟି ମଡେଲ କଲୋନୀ କାମ ସମ୍ପୂର୍ଣ୍ଣ ହେବାକୁ ବସିଲାଣି I ଲର୍କିପାଲି, ସଦାଇପାଲି, ଖୁଜେନପାଲି, ହର୍ଡାଟାଲ, କୁସମେଳ, ବାଗଡିଆ, ଲଙ୍କାବାହାଲଠାରେ ଉନ୍ନତମାନର କଲୋନୀ କାମ ଚାଲିଛି ।

ଲୋୟର ସୁକତେଲ ପ୍ରକଳ୍ପ ଓ ବିସ୍ଥାପିତ ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାରଙ୍କ ତତ୍ପରତାକୁ ପ୍ରଶଂସା କରିଛନ୍ତି ବିସ୍ଥାପିତଙ୍କ ପ୍ରତିନିଧି ଓ PLRCC ସଦସ୍ୟ I 5T ସଚିବଙ୍କ ତତ୍ତ୍ଵାବଧାନରେ ଲୋୟର୍ ସୁକତେଲ ପ୍ରକଳ୍ପ କାମ ଚାଲିଛି I ଆଉ କିଛି ମାସ ମଧ୍ୟରେ ଏହା ସମ୍ପୂର୍ଣ୍ଣ ହେବ I ପ୍ରକଳ୍ପରେ ଉନ୍ନତମାନର ମାଟି କାମ ଚାଲିଥିବାରୁ ବନ୍ୟାରେ ମଧ୍ୟ ଆଡିବନ୍ଧରେ କୌଣସି ପ୍ରଭାବ ପଡିବନି । ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ନେଇ ନିୟମିତ ଭାବେ ସମୀକ୍ଷା କରାଯାଉଛି I ୨୦୦୦ ମସିହାରୁ ପ୍ରକଳ୍ପ କାମ ଆରମ୍ଭ ହୋଇଥିଲା I ବିସ୍ଥାପିତଙ୍କ ଆନ୍ଦୋଳନ ଯୋଗୁଁ କାମ ଆଗେଇ ପାରୁନଥିଲା । ତେବେ ୨୦୧୯ରେ ପ୍ରକଳ୍ପ 5T ଅଧୀନକୁ ଆସିବା ପରେ କାମ ଜୋରସୋରରେ ଚାଲିଛି ।

ଧାମନଗର ଉପନିର୍ବାଚନ: କୁଆଡ଼େ ଗଲା କଂଗ୍ରେସ ଭୋଟ୍ ?

ଭୁବନେଶ୍ବର: ଧାମନଗର ଉପନିର୍ବାଚନ ଫଳାଫଳକୁ ନେଇ କଂଗ୍ରେସ ଶିବିରରେ ହଲଚଲ । ବ୍ରଜରାଜନଗରରେ ଦ୍ବିତୀୟ ସ୍ଥାନରେ ରହିଥିବା କଂଗ୍ରେସ କାହିଁକି ପୂର୍ବ ଭୋଟ ବଜାୟ ରଖିପାରିଲାନି ତାହାକୁ ନେଇ ଦଳରେ ଦେଖାଦେଇଛି ଅସନ୍ତୋଷ । କଂଗ୍ରେସ ଭୋଟ କୁଆଡ଼େ ଗଲା ତାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଦଳର ବରିଷ୍ଠ ନେତାମାନେ । ଧାମନଗରରେ କଂଗ୍ରେସ ଭୋଟ ବିଜେପିକୁ ଯାଇଥିବା ବିଧାୟକ ତାରାପ୍ରସାଦ ବାହିନୀପତି ଅଭିଯୋଗ କରିବା ସହ ଏ ପ୍ରସଙ୍ଗ ପିସିସି ସଭାପତିଙ୍କୁ ଚିଠି ଲେଖି ଅବଗତ କରିବେ ବୋଲି କହିଛନ୍ତି ।

ଧାମନଗରରେ ଭୋଟକୁ ନେଇ କଂଗ୍ରେସରେ ଆରମ୍ଭ ହୋଇଛି ଅଙ୍କକଷା । ଧାମନଗରରେ କୁଆଡ଼େ ଗଲା କଂଗ୍ରେସ ଭୋଟ ? କାହିଁକି ଖସିଲା ପୂର୍ବ ନିର୍ବାଚନ ଭୋଟ ? ଉପନିର୍ବାଚନ ରେଜଲ୍ଟକୁ ନେଇ ଚାଲିଛି ପୋଷ୍ଟମର୍ଟମ । ଦଳର ନୈରାଶ୍ୟଜନକ ପ୍ରଦର୍ଶନକୁ ନେଇ ହେଭିଓ୍ବେଟଙ୍କ ଚିନ୍ତା । ୨୦୧୯ ସାଧାରଣ ନିର୍ବାଚନରେ ଦଳୀୟ ପ୍ରାର୍ଥୀ ୭ ହଜାର ୩୦୩ ଭୋଟ ପାଇଥିବା ବେଳେ ଉପନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କୁ ମିଳିଛି ମାତ୍ର ୩ ହଜାର ୫୬୧ ଖଣ୍ଡ ଭୋଟ ।

ଭୋଟ କମିବାକୁ ନେଇ ସାଂଘାତିକ ଅଭିଯୋଗ ଆଣିଛନ୍ତି କୋଟାପୁଟ ବିଧାୟକ ତାରାପ୍ରସାଦ ବାହିନୀପତି । ବିଜେପିକୁ ଭୋଟ ବିକ୍ରି କରାଯାଇଥିବା ସେ ଖୋଲା ଅଭିଯୋଗ କରିଛନ୍ତି । କଂଗ୍ରେସର ନୈରାଶଜନକ ଫଳାଫଳକୁ ନେଇ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଅସନ୍ତୋଷ ପ୍ରକାଶ କରିବା ପରେ ଏବେ ମୁହଁ ଖୋଲିଛନ୍ତି ତାରା । ଜାଣିଶୁଣି ଦଳୀୟ ଭୋଟକୁ ବିଜେପିକୁ କିଛି କୁଚକ୍ରୀ ଗୋଷ୍ଠୀ ବିକ୍ରି କରିଥିବା ତାରା ଅଭିଯୋଗ କରିଛନ୍ତି । ଶୀଘ୍ର ଏନେଇ ସେ ପିସିସି ସଭାପତିଙ୍କ ଚିଠି ଲେଖି ଅବଗତ କରାଇବେ ବୋଲି ସେ କହିଛନ୍ତି । ଅନ୍ୟପଟେ ଦଳର ନୈରାଶଜନକ ପ୍ରଦର୍ଶନର ସମୀକ୍ଷା କରାଯାଇ ସଂଗଠନକୁ କିପରି ମଜଭୁତ କରାଯିବ ସେନେଇ ବିଧାୟକମାନେ ଦାବି କରିଛନ୍ତି ।

ବ୍ରଜରାଜନଗରରେ ଦ୍ବିତୀୟ ସ୍ଥାନରେ ଥିବା କଂଗ୍ରେସ ଧାମନଗରରେ ଅମାନତ ହରାଇଥଲା । ଯାହାକୁ ସହଜରେ ଗ୍ରହଣ କରିପାରିନାହାନ୍ତି ବିଧାୟକ ସୁରେଶ ରାଉତରାୟ । ଯେଉଁମାନେ ନିର୍ବାଚନ ପରିଚାଳନା କରୁଛନ୍ତି ସେମାନେ ସମସ୍ତଙ୍କ ମତାମତକୁ ଗ୍ରହଣ କରିବାକୁ ସୁର ପରାମର୍ଶ ଦେଇଛନ୍ତି ।

୨୦୧୯ ସାଧାରଣ ନିର୍ବାଚନରେ ଦୁଇ ଅଙ୍କ ଛୁଇପାରି ନଥିଲା କଂଗ୍ରେସ । ଏହାପରେ ପଞ୍ଚାୟତ ଓ ପୌର ନିର୍ବାଚନରେ ବି ଦଳ ପ୍ରଦର୍ଶନ ବହୁତ ଖରାପ ରହିଛି । ଏପରି ସ୍ଥିତିରେ ବ୍ରଜରାଜନଗର ଉପନିର୍ବାଚନ ଫଳାଫଳ ଦଳୀୟ କର୍ମୀ ଓ ନେତାଙ୍କ ମନରେ ଆଶା ସଂଚାର କରିଥିବା ବେଳେ ଧାମନଗର ଫଳାଫଳ ଦେଇଛି ବଡ଼ ଝଟକା । ତେଣୁ ୨୦୨୪ରେ ଦଳ କିପରି ୯ରୁ ୯୦ ମିଶନ ସଫଳ କରିବ ତାକୁ ନେଇ ଠିଆ ହେଲାଣି ଅନେକ ପ୍ରଶ୍ନବାଚୀ ।

ଘର ଲୋକଙ୍କ ସାମ୍ନାରେ ୯ ବର୍ଷର ଝିଅକୁ ଟାଣିନେଲା ବାଘ

0

ଶହଡୋଲ: ଶହଡୋଲ ଜିଲ୍ଲାର ଜୟସିଂହନଗରରେ ଘଟିଛି ଏକ ହୃଦୟ ବିଦାରକ ଘଟଣା । ଭଉଣୀ ସାଙ୍ଗରେ ଖେଳୁଥିବାବେଳେ ଟାଣିନେଲା ବାଘ । ଘଟଣାସ୍ଥଳରେ ନାବାଳିକାର ମୃତ୍ୟୁ । ସୂଚନା ପାଇ ବନ କର୍ମଚାରୀ ଏବଂ ପୋଲିସ୍‌ ଘଟଣା ସ୍ଥଳରେ ପହଞ୍ଚିଥିଲେ ।

ସୂଚନା ଅନୁସାରେ, ଶହଡୋଲ ଜିଲ୍ଲାର ଜୟସିଂହନଗରରସ୍ଥିତ ବାସଭବନଠାରେ ୯ ବର୍ଷୀୟ ପୁନମ୍‌ ତାଙ୍କ ଉଭଣୀମାନଙ୍କ ସହିତ ଖେଳୁଥିବାବେଳେ ହଠାତ୍‌ ଏକ ବାଘ ତାଙ୍କୁ ସମସ୍ତଙ୍କ ସାମ୍ନାରେ ଟାଣି ନେଇଥିଲା । ବାଘ ମୁହଁରୁ ପୁନମଙ୍କୁ ବଞ୍ଚାଇବାକୁ ସ୍ଥାନୀୟ ଲୋକେ ଚେଷ୍ଟା କରିଥିଲେ ମଧ୍ୟ ଅସଫଳ ହୋଇଥିଲେ ।   ଫଳରେ ଘଟଣାସ୍ଥଳରେ ଆଖି ବୁଜିଲେ ପୁନମ୍‌ । ଏହା ବାବଦରେ ସୂଚନା ପାଇବା ପରେ ବନ ଅଧିକାରୀ ଏବଂ ପୋଲିସ୍‌ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ପୁନମଙ୍କ ମୃତ୍ୟୁପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ବନ ଅଧିକାରୀଙ୍କ କହିବା ହେଉଛି ପୁନମଙ୍କ ପରିବାରର କିଛି ସଦସ୍ୟ ଫସଲ କାଟୁଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା । ତେବେ ବାଘ ଉପରେ ନଜର ରଖିବା ପାଇଁ ଉକ୍ତ ଅଞ୍ଚଳରେ କ୍ୟାମେରା ଲଗାଯାଉଛି ବୋଲି କହିଛନ୍ତି ବନ ଅଧିକାରୀ ।

ତୋମରଙ୍କୁ ଭେଟିଲେ ଅତନୁ: ତୁରନ୍ତ ଫସଲ ବୀମା ପ୍ରଦାନ କରିବାକୁ କଲେ ଦାବି

ଭୁବନେଶ୍ବର: ଚାଷୀଙ୍କୁ ତୁରନ୍ତ ଫସଲ ବୀମା ପ୍ରଦାନ ପାଇଁ କେନ୍ଦ୍ର କୃଷି ମନ୍ତ୍ରୀଙ୍କ ନିକଟରେ ଦାବି ରଖିଲେ ରାଜ୍ୟ ସମବାୟ ମନ୍ତ୍ରୀ। ଫସଲ ବୀମା ପ୍ରଦାନ କ୍ଷେତ୍ରରେ କେନ୍ଦ୍ର ଟାଳଟୁଳ ନୀତି ଅବଲମ୍ବନ ନକରି ତୁରନ୍ତ ଚାଷୀଙ୍କୁ କ୍ଷତିପୂରଣ ଦେବାକୁ ରାଜ୍ୟ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ନୂଆଦିଲ୍ଲୀରେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କୁ ଭେଟି ଦାବି ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ରାଜ୍ୟର ଚାଷୀଙ୍କ ପାଇଁ ବିପଦ ହ୍ରାସ କରିବାର ପ୍ରମୁଖ ଯୋଜନା । ଏନଡିଆରଫ, ଏସଡିଆରଏଫ୍ ନିୟମ ଅନୁଯାୟୀ ସହାୟତା ପ୍ରଦାନ କରାଯାଉଛି । ୨୦୨୧ ଖରିଫ୍ ଋତୁରେ ବୀମା କମ୍ପାନୀଗୁଡ଼ିକ ୨୬୩ଟି ବୀମା ୟୁନିଟର ଫସଲ କଟା ଉପରେ ଆପତ୍ତି ଉଠାଇ ଚାଷୀଙ୍କ ବୀମା ଅଟକାଇ ଥିଲେ । ରାଜ୍ୟସ୍ତରୀୟ କମିଟିର ହସ୍ତକ୍ଷେପ ପରେ କେବଳ ୩୮ଟି ବୀମା ୟୁନିଟ୍ ପାଇଁ ବୀମା ରାଶି ମଞ୍ଜୁର ହୋଇଥିଲା । ରାଜ୍ୟ ସରକାର ସମସ୍ତ ବୀମା ୟୁନିଟ୍ ସଂପର୍କିତ ମାମଲାର ବିସ୍ତୃତ ବିଶ୍ଳେଷଣ କରିଥିଲେ ବି ବାକି ୨୨୫ ବୀମା ୟୁନିଟ୍ ପାଇଁ ବୀମା ରାଶି ଅଟକାଇଥିଲେ । ଏହି ୨୨୫ଟି ମାମଲା ମଧ୍ୟରୁ ବୈଷୟିକ ପରାମଶର୍ଦାତା କମିଟି ୧୮୯ଟି ମାମଲାର ଶୁଣାଣି ନଭେମ୍ବର ୩ ତାରିଖ ଦିନ କରିଛି । ଚୂଡ଼ାନ୍ତ ରିପୋର୍ଟକୁ ଅପେକ୍ଷା କରାଯାଇଛି। ଫସଲ ବୀମା କମ୍ପାନୀର ମନମାନିକୁ କେନ୍ଦ୍ର ସରକାର ଗ୍ରହଣ କରିବା ଉଚିତ୍‌ ନୁହେଁ ବୋଲି ସମବାୟ ମନ୍ତ୍ରୀ କହିଛନ୍ତି ।

ବୀମା ରାଶି ପାଇବାରେ ଅହେତକୁ ବିଳମ୍ବ ଚାଷୀଙ୍କ ଚାଷକାମରେ ପ୍ରତିକୂଳ ପ୍ରଭାବ ପକାଇଛି । ରାଜ୍ୟ ସରକାରଙ୍କ ପ୍ରସ୍ତାବକୁ ବିଚାର କରି ରାଜ୍ୟର ଚାଷୀଙ୍କ ବୀମା ରାଶି ତୁରନ୍ତ ଦେବାକୁ ବୈଷୟିକ ପରାମର୍ଶଦାତା କମିଟିକୁ ନିର୍ଦ୍ଦେଶ ଦେବାକୁ ସମବାୟ ମନ୍ତ୍ରୀ ଦାବି ଜଣାଇଛନ୍ତି ।

୧୧ ହଜାର କର୍ମଚାରୀଙ୍କୁ ଚାକିରିରୁ ବାହାର କଲା ‘ମେଟା’

ନୂଆଦିଲ୍ଲୀ: ଟ୍ବିଟର ପରେ ଫେସବୁକରେ ବଡ଼ ଧରଣର ଛଟେଇ । ଗୋଟିଏ ଝଟକାରେ ଚାଲିଗଲା ୧୧ ହଜାର କର୍ମଚାରୀଙ୍କ ଚାକିରି । ଫେସବୁକର ପ୍ୟାରେଣ୍ଟ କମ୍ପାନୀ ମେଟା ବୁଧବାର ୧୧ ହଜାର କର୍ମଚାରୀଙ୍କୁ ଚାକିରିରୁ ବାହାର କରିଛି । ଏନେଇ ନିଜେ ମାର୍କ ଜୁକରବର୍ଗ ସୂଚନା ଦେଇଛନ୍ତି । କମ୍ପାନୀ ଉପରେ ଆର୍ଥିକ ବୋଝ ବଢୁଥିବା କହି କର୍ମଚାରୀମାନଙ୍କୁ ଛଟେଇ କରାଯାଇଛି । ଏହାସହ ଛଟେଇ କର୍ମଚାରୀଙ୍କୁ ୪ ମାସର ଦରମା ଦିଆଯାଇଛି ।

ମେଟା ଚିଫ୍ ଏକଜିକ୍ୟୁଟିଭ ଜୁକରବର୍ଗ ଏକ ବ୍ଲାଗ ଜରିଆରେ କହିଛନ୍ତି, ‘ଆଜି ମୁଁ ମେଟା ଇତିହାସରେ କରାଯାଇଥିବା ସବୁଠାରୁ କଠିନ ନିଷ୍ପତ୍ତି ସମ୍ପର୍କରେ କହିବାକୁ ଯାଉଛି । ଆମେ ଆମ ଟିମର ସାଇଜ୍ ୧୩ ପ୍ରତିଶତ କମା କରିବାକୁ ନିଷ୍ପତ୍ତି ନେଇଛୁ । ଏଥିପାଇଁ ୧୧ ହଜାର ପ୍ରତିଭାବାନ କର୍ମଚାରୀଙ୍କ ଚାକିରି ଯାଉଛି ।’ ଫେସବୁକ ସମେତ ହ୍ବାଟ୍ସଆପ ଓ ଇନଷ୍ଟାଗ୍ରାମର କର୍ମଚାରୀ ମଧ୍ୟ ଛଟେଇରେ ଅଛନ୍ତି ।

ଖବର ଅନୁସାରେ, ଲେ-ଅଫ୍ ସମ୍ପର୍କରେ ଗୋଟିଏ ଦିନ ପୂର୍ବରୁ ସମ୍ପୃକ୍ତ କର୍ମଚାରୀଙ୍କୁ ଜଣାଇ ଦିଆଯାଇଥିଲା । ଏହି ସୂଚନା କର୍ମଚାରୀଙ୍କୁ ନିଜେ ଜୁକରବର୍ଗ ଦେଇଥିଲେ ।

ଛଟେଇ ନିଷ୍ପତ୍ତିକୁ ନେଇ ମଙ୍ଗଳବାର ବସିଥିବା ବୈଠକରେ ଜୁକରବର୍ଗ ନିରାଶ ଦିଶୁଥିଲେ । ଏଥିରେ ସେ କହିଥିଲେ, କମ୍ପାନୀର ଭୁଲ ପଦକ୍ଷେପ ପାଇଁ ସେ ଦାୟୀ । ଆଗକୁ ଅଧିକ ବଢ଼ିବା ଆଶାରେ ଅଧିକ ନିଯୁକ୍ତି ହୋଇଛି ।

ସୂଚନାଯୋଗ୍ୟ, ୨୦୦୪ରେ ଜୁକରବର୍ଗ ଫେସବୁକର ସ୍ଥାପନା କରିଥିଲେ । ପରେ ଏହାର ନାଁ ବଦଳାଇଯାଇ ମେଟା ରଖାଯାଇଥିଲା । ବର୍ତ୍ତମାନ ଏଥିରେ ୮୭ ହଜାର କର୍ମଚାରୀ କାମ କରୁଛନ୍ତି । ୧୮ ବର୍ଷର ଯାତ୍ରାରେ ପ୍ରଥମ ଥର ପାଇଁ ଏତେ ସଂଖ୍ୟାରେ କର୍ମଚାରୀଙ୍କୁ ଛଟେଇ କରାଯାଇଛି ।

ମହିଳାଙ୍କୁ ମହଙ୍ଗା ପଡ଼ିଲା ଖତରନାକ୍‌ ଷ୍ଟଣ୍ଟ୍‌, ସ୍କର୍ପିଓ ଜବତ କଲା ପୋଲିସ୍‌

ନୋଏଡ଼ା: ମହଙ୍ଗା ପଡ଼ିଲା ଷ୍ଟଣ୍ଟ୍‌ । ଭିଡ଼ିଓ ଭାଇରାଲ ହେବାପରେ ସ୍କର୍ପିଓ ଜବତ । ସୂଚନା ଅନୁସାରେ ନିକଟରେ ଏକ ଭିଡ଼ିଓ ଭାଇରାଲ ହୋଇଥିଲା । ଯେଉଁଥିରେ ଜଣେ ମହିଳାଙ୍କୁ ଗାଡ଼ିର ବନେଟ୍‌ ଉପରେ ଷ୍ଟଣ୍ଟ୍‌ କରୁଥିବାର ଦେଖିବାକୁ ମିଳିଥିଲା । ତେବେ ଭିଡ଼ିଓଟି ନୋଏଡାର ସେକ୍ଟର ୭୫ର ବୋଲି ପରେ ଜଣା ପଡ଼ିଥିଲା ।


ଭିଡ଼ିଓଟି ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାପରେ ନୋଏଡା ପୋଲିସ୍‌ ଘଟଣାକୁ ନେଇ ତଦନ୍ତ ଆରମ୍ଭ କରିଛି ।

ସୂଚନାଯୋଗ୍ୟ,  ଚଳିତ ବର୍ଷ ସେପ୍ଟେମ୍ବର ମାସରେ  ନୋଏଡାରୁ ଏକ ଭାଇରାଲ ଭିଡ଼ିଓ ସାମ୍ନାକୁ ଆସିଥିଲା । ଯେଉଁଥିରେ ଏକା ସାଙ୍ଗରେ ୧୨ ଜଣଙ୍କୁ ବାଇକ୍‌ ଏବଂ କାରରେ ଏକ ଖତରନାକ୍‌ ଷ୍ଟଣ୍ଟ୍‌ କରୁଥିବାର ଦେଖିବାକୁ ମିଳିଥିଲା ।