ଗୁଜୁରାଟରେ ରେକର୍ଡ ବିଜୟ ମୁହାଁ ବିଜେପି, ହିମାଚଳରେ ସରକାର କରିପାରେ କଂଗ୍ରେସ

ଭୁବନେଶ୍ବର: ଗୁଜୁରାଟରେ ଚପ୍ପା ଚପ୍ପା ବିଜେପି (ପ୍ରତି କୋଣରେ ବିଜେପି) ନାରା ପାଖାପାଖି ସତ ହେବାକୁ ଯାଉଛି  । ବିଧାନସଭା ନିର୍ବାଚନରେ ରେକର୍ଡ ସଂଖ୍ୟକ ସିଟ୍‌ ହାସଲ କରି ଆଗକୁ ବଢୁଛି ବିଜେପି  । ସକାଳ ୧୦ଟା ସୁଦ୍ଧା ବିଜେପି ୧୫୦ଟି ଆସନରେ ଆଗୁଆ ରହିଛି  । ରାଜ୍ୟର ମୁଖ୍ୟ ବିରୋଧୀ ଦଳ କଂଗ୍ରେସ କେବଳ ୨୦ଟି ଆସନ ସହ ସଂଘର୍ଷ ଜାରି ରଖିଛି ।

ଦିଲ୍ଲୀ ଓ ପଞ୍ଜାବରେ ଝାଡୁ ଚଳାଇ ଅନ୍ୟ ଦଳକୁ ମୂଳପୋଛ କରିଥିବା ଅରବିନ୍ଦ କେଜ୍ରିୱାଲଙ୍କ ଦଳ ଆପ୍‌କୁ ଗୁଜୁରାଟରେ ଝଟକା ଲାଗିଛି  । ଖବର ଲେଖାଯିବା ସୁଦ୍ଧା ଆପ୍‌ ୧୦ରୁ ବି କମ୍‌ ସିଟ୍‌ରେ ଆଗରେ ରହିଛି  । ଯଦି ଏହିଭଳି ଭାବେ ସମସ୍ତ ଦଳ ଆଗକୁ ବଢିବେ ତଥାପି ଗୁଜୁରାଟରେ ବିଜେପିର ଏହା ବଡ ବିଜୟ ହେବ  ।

ସେପଟେ ହିମାଚଳରେ କଂଗ୍ରେସ ସରକାର କରିପାରେ ବୋଲି ଅନୁମାନ କରାଯାଉଛି  । ଅଧିକାଂଶ ଆସନରେ କଂଗ୍ରେସ ଆଗୁଆ ରହିଥିବାବେଳେ ବିଜେପି ଓ କଂଗ୍ରେସ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଛି  । ୩୫ଟି ସିଟରେ କଂଗ୍ରେସ ଆଗୁଆ ରହିଛି  । ବିଜେପି ୨୯ ଆସନରେ ଆଗୁଆ ଥିବାବେଳେ ୪ଟି ଆସନରେ ନିର୍ଦ୍ଦଳୀୟ ପ୍ରାର୍ଥୀ ଆଗୁଆ ରହିଛନ୍ତି  । ସେରାଜ ବିଧାନସଭା ଆସନରୁ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ପୁଣି ଆଗୁଆ ରହିଛନ୍ତି  । ଏହି ଆସନରୁ ୫ ଥର ଜିତି ସାରିଛନ୍ତି ବିଜେପି ନେତା ଜୟରାମ ଠାକୁର  ।

ଉତ୍ତର ପ୍ରଦେଶରେ ବିିଜେପିକୁ କିନ୍ତୁ ଝଟକା ମିଳିବାକୁ ଯାଉଛି  । ମୈନପୁରୀ ଲୋକସଭା ଉପନିର୍ବାଚନରେ ସପା ପ୍ରାର୍ଥୀ ଡିମ୍ପଲ ଯାଦବ ଆଗକୁ ବଢି ଚାଲିଛନ୍ତି  । ରାମପୁର ବିଧାନସଭା ଉପନିର୍ବାଚନରେ ବି ସପା ଆଗୁଆ ରହିଛି  ।