ସମାଜବାଦୀ ଦୁର୍ଗ ଦୋହଲାଇ ପାରିଲାନି ବିଜେପି, ୯୦ ହଜାର ଭୋଟରେ ଆଗୁଆ ଡିମ୍ପଲ

ଲକ୍ଷ୍ନୌ: ମୈନପୁରୀ ଲୋକସଭା ଉପନିର୍ବାଚନରେ ବିଜେପିକୁ ଝଟକା  । ପୁଣି ଥରେ ଗଡ ହାତେଇବ ସମାଜବାଦୀ ପାର୍ଟି । ସମାଜବାଦୀ ପାର୍ଟି ସଂସ୍ଥାପକ ମୁଲାୟମ ସିଂ ଯାଦବଙ୍କ ନିଧନ ପରେ ମୈନପୁରୀ ଲୋକସଭା ସିଟରେ ଉପନିର୍ବାଚନ ହୋଇଥିଲା  । ସପା ଦୁର୍ଗ ବଞ୍ଚାଇବା ପାଇଁ ମୁଲାୟମଙ୍କ ବୋହୂ ଡିମ୍ପଲ ଯାଦବ ଏହି ଆସନରୁ ଲଢୁଥିଲେ  । ବର୍ତ୍ତମାନ ସୁଦ୍ଧା ୯୦ ହଜାରରୁ ଊର୍ଦ୍ଧ୍ବ ଭୋଟରେ ଆଗୁଆ ଅଛନ୍ତି ସପା ପ୍ରାର୍ଥୀ ଡିମ୍ପଲ  । ବିଜେପି ପ୍ରାର୍ଥୀ ରଘୁରାଜ ଶାକ୍ୟ ପଛରେ ରହିବା ସହ ନିଜ ଗାଁ ଘୋଲପୁରରେ ମଧ୍ୟ ଡିମ୍ପଲଙ୍କ ଠୁ ପଛରେ ରହିଛନ୍ତି  ।

ମୈନପୁରୀ ଲୋକସଭା ଆସନ ଅନ୍ତର୍ଗତ ପାଞ୍ଚ ବିଧାନସଭା ଆସନ ଜଶବନ୍ତନଗର, କରହଲ, ଭୋଗାଁବ, କିଶାନୀ ଓ ମୈନପୁରୀ ସଦର ସିଟରେ ଡିମ୍ପଲ ଆଗୁଆ ରହିଛନ୍ତି  । ଡିମ୍ପଲ ଏକତରଫା ଜିତିବା ଏକପ୍ରକାର ନିଶ୍ଚିତ ହୋଇସାରିଲାଣି  । ଖାସକରି ଶିବପାଲ ଯାଦବଙ୍କ ଗଡ ଜଶବନ୍ତନଗର ସିଟରେ ମଧ୍ୟ ଡିମ୍ପଲ ଆଗରେ ଅଛନ୍ତି  ।

ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କ ପାରମ୍ପାରିକ ଦୁର୍ଗ ହେଉଛି ମୈନପୁରୀ ଆସନ  । ଏହି ଆସନ ଅଖିଳେଶଙ୍କ ବାପା ମୂଲାୟମ ସିଂ ଯାଦବଙ୍କ ଗଡ ଭାବେ ଜଣାଶୁଣା  । ମୁଲାୟମଙ୍କ ପରଲୋକ ପରେ ବୋହୂ ଡିମ୍ପଲ ମୈନପୁରୀରୁ ପ୍ରାର୍ଥୀ ହୋଇଥିଲେ  । ବିଜେପିର ରଘୁରାଜ ସିଂ ଶାକ୍ୟ ଡିମ୍ପଲଙ୍କ ବିରୋଧରେ ନିର୍ବାଚନ ଲଢୁଛନ୍ତି  । ଏହା ପୂର୍ବରୁ ରାମପୁର ଓ ଆଜମଗଡ ଲୋକସଭା ଉପନିର୍ବାଚନରେ ଦୁଇଟି ଯାକ ସିଟ ସପା ଠୁ ଛଡାଇ ନେଇଥିଲା ବିଜେପି  । ଯାହାପରେ ମୈନପୁରୀ ଜିତିବା ସପା ପାଇଁ ଜରୁରୀ ଥିଲା  ।