ପଦମପୁର: ୩ ଥାକିଆ ସୁରକ୍ଷା ବ୍ୟବସ୍ଥାରେ ଚାଲିଛି ଭୋଟ୍ ଗଣତି

ପଦମପୁର: ପଦମପୁର ଫାଇଟରେ କିଏ ମାରିବ ବାଜି ? କିଏ ପିନ୍ଧିବ ବିଜୟ ଟୀକା ? ୨୦୨୪ ପୂର୍ବରୁ କଣ ରାୟ ଦେବ ପଦମପୁର । କଣ କହୁଛି ଜନାଦେଶ । ଧଡ଼ଧଡ଼ ହେଲାଣି ନେତାଙ୍କ ଛାତି । କାରଣ ଆରମ୍ଭ ହୋଇଯାଇଛି ଭୋଟ୍ ଗଣତି । ୧୪ଟି ଟେବୁଲେ ୩୧୯ଟି ବୁଥର ଗଣତି ବ୍ୟବସ୍ଥା କରାଯାଇଛି । ମୋଟ ୨୩ଟି ରାଉଣ୍ଡରେ ହେବ ଭୋଟ ଗଣତି । ଗଣତି ବେଳେ ପ୍ରତି ଟେବୁଲରେ ୩ ଜଣ ଅଧିକାରୀ ରହିବେ । ଜିଲ୍ଲା ନିର୍ବାଚନ ଅଧିକାରୀ, ରିଟର୍ଣ୍ଣିଂ ଅଫିସର ଓ ପର୍ଯ୍ୟବେକ୍ଷକଙ୍କ ବ୍ୟତିତ ଗଣତି କେନ୍ଦ୍ରରେ କେହି ମୋବାଇଲ ବ୍ୟବହାର କରି ପାରିବେ ନାହିଁ ।

ଭୋଟ ଗଣତି ପାଇଁ କରାଯାଇଛି ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା । ସୁରକ୍ଷା ବଳୟରେ ପଦମପୁର ଗଣତି କେନ୍ଦ୍ର । ସିସିଟିଭି ନଜରରେ ରହିଛି ଷ୍ଟ୍ରଙ୍ଗ ରୁମ । ବିଏସଏଫ ଓ ପୋଲିସ ମୁତୟନ ଅଛନ୍ତି । ଶାନ୍ତି ଶୃଙ୍ଖଳାରେ ଗଣତି ପାଇଁ ବରଗଡ ପୋଲିସ ବ୍ୟାପକ ପ୍ରସ୍ତୁତି କରିଛି । ଗଣତି କେନ୍ଦ୍ରର ୧୦୦ ମିଟର ଭିତରେ ପାଦଚଲା ଜୋନ ଭାବେ ଘୋଷଣା କରାଯାଇଛି। ଗଣତି ଟେବୁଲରେ ପ୍ରତ୍ୟେକ ଦଳର ଏଜେଣ୍ଟ ମାନେ ଉପସ୍ଥିତ ରହିଥିବା ବେଳେ କୌଣସି ପ୍ରକାର ବିଶୃଙ୍ଖଳାକୁ ବରଦାସ୍ତ କରାଯିବ ନାହିଁ ସୂଚନା ଦେଇଛନ୍ତି ବରଗଡ଼ ଏସପି।