ବିଜେପିକୁ ବିଦା କରିବ ହିମାଚଳ, ‘ହାତ’ରେ ଆଶୀର୍ବାଦ ବର୍ଷା

ଶିମଲା: ଗୃହ ରାଜ୍ୟ ଗୁଜୁରାଟ ନିର୍ବାଚନରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବମ୍ଫର ବହୁମତ ମିଳିବାର ସଙ୍କେତ ମିଳିସାରିଲାଣି  । କିନ୍ତୁ ଅନ୍ୟପଟେ ହିମାଚଳ ପ୍ରଦେଶରେ ବିଜେପିକୁ ନିରାଶର ସାମନା କରିବାକୁ ପଡିପାରେ  । ଲଗାତାର ଦ୍ବିତୀୟ ଦିନରେ ସତ୍ତା ହରାଇପାରେ ବିଜେପି  । ବୁଧବାର ବିଜେପି ଦିଲ୍ଲୀ ଏମସିଡିରେ ୧୫ ବର୍ଷ ପରେ ଗାଦି ହରାଇଛି  । ଆଜି ପୁଣି ଆଉ ଏକ ରାଜ୍ୟରେ ନିରାଶ ହୋଇପାରେ ବିଜେପି । ପାହାଡୀ ରାଜ୍ୟ ହିମାଚଳ ପ୍ରଦେଶ ବିଜେପିକୁ ବିଦା କରିବାର ଯଥେଷ୍ଟ ସମ୍ଭାବନା ରହିଛି ।

ହିମାଚଳରେ ଲଗାତାର ବିଜେପି ପଛରେ ପଡିଛି  । ଦ୍ବିପ୍ରହର ସାଢେ ୧୨ଟା ସୁଦ୍ଧା ବିଜେପିକୁ ମାତ୍ର ୨୯ ସିଟ ମିଳିଥିବା ଜଣାପଡିଛି  । ଅପରପଟେ କଂଗ୍ରେସ ଖାତାକୁ ଯାଇଛି ୩୬ ଆସନ  । ନିର୍ଦ୍ଦଳୀୟ ୩ଟି ସିଟ୍‌ରେ ଆଗରେ ରହିଛନ୍ତି  ।୬୮ ସଦସ୍ୟ ବିଶିଷ୍ଟ ହିମାଚଳ ବିଧାନସଭାରେ ସରକାର ଗଠନ ପାଇଁ ୩୫ ସିଟ୍‌ର ଆବଶ୍ୟକ ରହିଛି  ।

ବୁଧବାର ଏମସିଡି ନିର୍ବାଚନରେ ବିଜେପିକୁ ୧୦୪ ସିଟ ମିଳିଥିବାବେଳେ ଆପ୍‌ ୧୩୪ ସିଟ ସହ ବିଜୟ ହାସଲ କରିଛି  । ଆପ୍‌ ପ୍ରଥମ ଥର ଏମସିଡିରେ ନିଜ ସରକାର ଗଠନ କରିବାକୁ ଯାଉଛି  । ଏମସିଡିରେ କଂଗ୍ରେସକୁ ୯ ସିଟ୍‌ ମିଳିଥିବାବେଳେ ୩ ସିଟ୍‌ କବଜା କରିଛନ୍ତି ନିର୍ଦ୍ଦଳୀୟ ପ୍ରାର୍ଥୀ  ।